ତଥାପି, ସିବଆଇ ପ୍ରତି ସାଧାରଣ ଜନତାରେ ଭରସା ତୁଟିନି…
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୯ ନଭେମ୍ବର: ଠିକ୍ ଚାରି ବର୍ଷ ତଳେ ଘଟିଥିବା ଏକ ଜଘନ୍ୟ ହତ୍ୟା ଘଟଣା ପୁନର୍ବାର ଚର୍ଚ୍ଚାକୁ ଆସିଛି । ହତ୍ୟାକାରୀଙ୍କୁ ଧରିବାରେ ତଦନ୍ତକାରୀ ସଂସ୍ଥାର ସଫଳତା ପାଇଁ ନୁହେଁ ବିଫଳତା ପାଇଁ। କେବଳ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ବିଫଳତା ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ନେତୃତ୍ୱାଧୀନ ସରକାରର ବିଫଳତା ମଧ୍ୟ ପଦାରେ ପଡିଛି । ଶାସନରେ ଥିବା ମନ୍ତ୍ରୀ, ବିଧାୟକ, ସରକାରୀ ଅଧିକାରୀମାନେ କେତେ ଆତ୍ମକୈନ୍ଦ୍ରୀକ ଏବଂ ସଂବେଦନାଶୂନ୍ୟ, ତାହା ମଧ୍ୟ ରାଜ୍ୟବାସୀଙ୍କ ଦୃଷ୍ଟିକୁ ଆସିଛି । ତେବେ, ଏହି ଘଟଣାରେ ଅତ୍ୟନ୍ତ ସଂବେଦନଶୀଳ ଭୂମିକା ଗ୍ରହଣ କରିଥିବା ଗଣମାଧ୍ୟମରେ ଦିନେ, ଦୁଇ ଦିନ ପରେ ଇତିଶ୍ରୀକୁ ଭୁଲି ଅନ୍ୟ ବିଷୟରେ ଧ୍ୟାନ ଦେବା ଫଳରେ ଏହି ବିଷୟ ଫୁସୁକି ଯିବ । ‘ନିର୍ଭୟା’ ଗଣ ଦୁଷ୍କର୍ମ ମାମଲାଠାରୁ ଏହି ମାମଲା ଅଧିକ ସଂଗୀନ ହୋଇଥିବା ସତ୍ୱେ ସଚେତନ ମହଲରେ ପ୍ରତିବାଦର ଝଲକ ନାହିଁ । ତେଣୁ, ଅନ୍ୟ ସବୁ ଘଟଣା ଭଳି ଏହି ଘଟଣାରେ ବି ରାଜ୍ୟ ସରକାର ସିବିଆଇ ତଦନ୍ତକୁ ଦ୍ୱାହି ଦେଇ ଖସି ଯିବେ । ଧୀରେ ଧୀରେ ଏହି ମାମଲା ଜନମାନସରୁ ଅପସରି ଯିବା ପରେ ଓଡ଼ିଶା ସରକାରଙ୍କ କ୍ରାଇମ୍ ବ୍ରାଂଚ୍ ଏବଂ କେନ୍ଦ୍ର ସରକାରଙ୍କ ‘କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ’ ପୁଣି ଥରେ ସୁନା ପୁଅ ହୋଇ ଯିବେ ।
ଘଟଣାଟି ହେଉଛି ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର । ପାହାଡ଼ ପର୍ବତ ଘେରା ଟିକିରି ଅଂଚଳର । ଏହି ଅଂଚଳରେ ଯାଇ କାର୍ଯ୍ୟକରିବାକୁ ସାଧାରଣତଃ କୌଣସି ସରକାରୀ କର୍ମଚାରୀ ରାଜି ହୋଇ ନଥା’ନ୍ତି । କାରଣ, ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳି ନଥାଏ । କିନ୍ତୁ, ଉପକୂଳ ଅଂଚଳର ଝିଅ ଇତିଶ୍ରୀ ପ୍ରଧାନ ସରକାରଙ୍କ ନିଦେ୍ର୍ଦଶ ମାନି ଏହି ଅଂଚଳକୁ ଯାଇ ଶିକ୍ଷା ସହାୟିକା ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ୨୦୧୧ ମସିହାରେ । ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ ସିନା ଏକ ଦୁର୍ଗମ ଅଂଚଳକୁ ଯାଇଥିବା ଝିଅଟି କେମିତି ସୁରକ୍ଷିତ ଭାବେ ରହିବେ ଓ ଶିକ୍ଷାଦାନ କରିବେ, ସେ ଦାୟିତ୍ୱ ନେଇ ନ ଥିଲା ଗଣ ଶିକ୍ଷା ବିଭାଗ । ଇତିଶ୍ରୀ ଟିକିରିରେ ପହଂଚି କେଉଁଠି ରହିବେ, କେମିତି ନିଜ ଦାୟିତ୍ୱ ସଂପାଦନ କରିବେ, ସେ ନେଇ ଚିନ୍ତାରେ ଥିବା ବେଳେ ତାଙ୍କ ପିତା ବୟସର ସ୍କୁଲ ସବ୍ – ଇନିସ୍ପେକ୍ଟର ନେତ୍ରାନନ୍ଦ ଦଣ୍ଡସେନା ଆଶ୍ୱାସନା ଦେଇ ଥିଲେ ସବୁ କିଛି ସୁବିଧା କରାଇ ଦେବାକୁ । ଏହା ହେଉଛି ୨୦୧୧ ମସିହାର ଜୁନ୍ ମାସ କଥା । ଇତିଶ୍ରୀ ଆଶ୍ୱସ୍ତ ହୋଇ ଥିଲେ । ଦଣ୍ଡସେନା ତାଙ୍କୁ ନିଜ ଘରକୁ ଡ଼ାକି ନେଇ ରହିବା ସକାଶେ ଗୋଟିଏ କୋଠରୀର ବ୍ୟବସ୍ଥା କରି ଦେଲେ । ଇତିଶ୍ରୀ ତାଙ୍କ ନୂଆ ଚାକିରୀ ଜୀବନ ଆରମ୍ଭ କରୁଥିବା ବେଳେ ଏହି ସହାୟତା ଥିଲା ଆଶୀର୍ବାଦ ଭଳି । କିନ୍ତୁ ତାଙ୍କ ଅସହାୟତା ଯେ ଦଣ୍ଡସେନାଙ୍କ ପାଇଁ ସୁଯୋଗ ହେବ, ଏକଥା ଭାବି ନଥିଲେ । କିଛି ଦିନ ରହଣି ଭିତରେ ଆରମ୍ଭ ହୋଇତିଲା ଯୌନ ନିର୍ଯ୍ୟାତନା । ଶାସକ ଦଳର ବାହୁଛାୟା ତଳେ ଥିବା ଦଣ୍ଡସେନାଙ୍କୁ ପ୍ରଶ୍ରୟ ନ ଦେବାରୁ ଇତିଶ୍ରୀଙ୍କୁ ଭୋଗିବାକୁ ପଡିଲା ଚରମ ପରିଣତି । ସେ, ଭୟଭୀତ ହୋଇ ଦଣ୍ଡସେନାଙ୍କ ଘରୁ ବାହାରି ଆସି ଅନ୍ୟତ୍ର ରହିଲେ ସିନା ବିଭିନ୍ନ ରୂପରେ ତାଙ୍କୁ ନିର୍ଯ୍ୟାତନା ଦିଆ ଯିବାରୁ ସେ ବାଧ୍ୟ ହୋଇ ସ୍ଥାନୀୟ ଶିକ୍ଷାଧିକାରୀ ଓ ପୁଲିସର ସହାୟତା ମାଗିଲେ । କିନ୍ତୁ, ସହାୟତା ମିଳିଲା ନାହିଁ । ପରିସ୍ଥିତି ଜଟିଳ ହେବାରୁ ସେ ରାୟଗଡା ଜିଲ୍ଲାପାଳ, ଏସ୍ପି, ଶିକ୍ଷା ବିଭାଗ ଶାସନ ସଚିବ, ରାଜ୍ୟ ପୁଲିସ ମହାନିଦେ୍ର୍ଦଶକ ଏବଂ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ସଂପର୍କରେ ଅଭିଯୋଗ କଲେ । ରାଜ୍ୟ ସରକାରଙ୍କ ସାଧାରଣ ଓ ପୁଲିସ ପ୍ରଶାସନ ଇତିଶ୍ରୀଙ୍କ ଦୁଃଖ ଶୁଣିବା ଦୂରେ ଥାଉ; ଆଖି, କାନ ବୁଜି ବସି ଗଲେ । ଫଳରେ, ଦଣ୍ଡସେନାଙ୍କ ସାହାସ ବଢିଲା ଏବଂ ଇତିଶ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ମଧ୍ୟ ବଢିଲା । ୨୦୧୧ ଜୁଲାଇରେ ନିର୍ଯ୍ୟାତନାର କାହାଣୀ ଆରମ୍ଭ ହୋଇ ଶେଷ ହେଲା ୨୦୧୩ ଅକ୍ଟୋବର ୨୭ ତାରିଖରେ । ରାୟଗଡା ଜିଲ୍ଲାପାଳ, ଏସ୍ପି, ପୁଲିସ ଡ଼ିଜି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇତିଶ୍ରୀ ଫେରାଦ ହୋଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାଣିବା ପରେ ନେତ୍ରାନନ୍ଦ ଦଣ୍ଡସେନା ପ୍ରତିଶୋଧ ପରାୟଣ ହୋଇ ଅନ୍ୟମାନଙ୍କ ସାହାଯ୍ୟରେ ୨୦୧୩ ଅକ୍ଟୋବର ୨୭ ତାରିଖ ରାତିରେ ଘରେ ଶୋଇଥିବା ଇତିଶ୍ରୀଙ୍କ ଉପରେ କିରୋସିନୀ ଢାଳି ନିଆଁ ଲଗାଇ ଦେବା ଷଡ଼ଯନ୍ତ୍ର କଲେ । ଷଡଯନ୍ତ୍ର କାର୍ଯ୍ୟକାରୀ ହେଲା ଏବଂ ମୂମୂର୍ଷୁର୍ ଅବସ୍ଥାରେ ଇତିଶ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା । ଚିକିତ୍ସିତ ହୋଉଥିବା ଅବସ୍ଥାରେ ହିଁ ଏହି ସାହାସୀ ଝିଅଟିର ମୃତ୍ୟୁ ଘଟିଲା ।
ମୃତ୍ୟୁ ପୂର୍ବରୁ ଇତିଶ୍ରୀ ମାଜିଷ୍ଟ୍ରେଟ୍ ଓ ପୁଲିସ ନିକଟରେ ଦେଇଥିବା ଜମାବବନ୍ଦୀରେ ଅଭିଯୋଗ କରିଥିଲେ ଯେ, ଜଣେ ଜିନ୍ସ ପିନ୍ଧା ବ୍ୟକ୍ତି ତାଙ୍କ ଉପରେ କିରୋସିନୀ ଢାଳି ନିଆଁ ଲଗାଇଛନ୍ତି । ଘଟଣାଟି ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଲା । ଗଣମାଧ୍ୟମର ଚାପରେ ସରକାର ଘଟଣାର କ୍ରାଇମ୍ ବ୍ରାଂଚ୍ ତଦନ୍ତ ଆଦେଶ ଦେଲେ । ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ସ୍କୁଲ ସବ୍-ଇନିସପେକ୍ଟର ନେତ୍ରାନନ୍ଦ ଦଣ୍ଡସେନାଙ୍କୁ କ୍ରାଇମ୍ ବ୍ରାଂଚ୍ ଗିରଫ କରି ଜେଲକୁ ପଠାଇଲେ ସିନା ଆଜି ସୁଦ୍ଧା ପ୍ରକୃତ ହତ୍ୟାକାରୀକୁ ଧରିବାରେ ସଫଳ ହୋଇ ନାହାନ୍ତି । କ୍ରାଇମ ବ୍ରାଂଚ୍ ସରକାରୀ ଚାପରେ ବାଟବଣା ହୋଇଥିବା ଏବଂ ମୁଖ୍ୟ ଅଭିଯୁକ୍ତକୁ ଘଂଟ ଘୋଡାଉ ଥିବା ଅଭିଯୋଗ ହେବାକୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ମାମଲାର ତଦନ୍ତ ଦାୟିତ୍ୱ ନେଲେ । ଉଭୟ କ୍ରାଇମ୍ ବ୍ରାଂଚ ଓ ସିବିଆଇ ତଦନ୍ତ ଶେଷରେ ଉପହାସରେ ପରିଣତ ହୋଇଛି । ଅଢେଇ ବର୍ଷର ତଦନ୍ତ ଭିତରେ ସିବିଆଇ ବହୁ ବାର ଘଟଣାସ୍ଥଳ ପରିଦର୍ଶନ କରିଛି, ୩୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ଜେରା କରିଛି । କିନ୍ତୁ, ଇତିଶ୍ରୀ ମୃତ୍ୟୁକାଳୀନ ଜମାବନ୍ଦୀରେ ଦର୍ଶାଇ ଥିବା ସେହି ଜିନ୍ସ୍ ପିନ୍ଧା ବ୍ୟକ୍ତିକୁ ଖୋଜି ବାହାର କରି ପାରି ନାହିଁ । ଏହା ହତ୍ୟା ନୁହେଁ, ଆତ୍ମହତ୍ୟା ବୋଲି ମଧ୍ୟ ପ୍ରମାଣିତ କରିପାରି ନାହିଁ । ନେତ୍ରାନନ୍ଦ ଦଣ୍ଡସେନାଙ୍କ ନିକଟରେ ହିଁ ତଦନ୍ତର କଂଟା ଅଟକି ରହିଛି । ନେତ୍ରାନନ୍ଦଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରି ଥିବାରୁ ଏବଂ ଇତିଶ୍ରୀଙ୍କ ଉପରେ କିରୋସିନୀ ଢାଳି ନିଆଁ ଲଗାଇ ଥିବା ବ୍ୟକ୍ତି ଚିହ୍ନଟ ହୋଇ ପାରୁ ନ ଥିବାରୁ ମାମଲାର ତଦନ୍ତ ବନ୍ଦ କରି ବା ସକାଶେ ଅନୁମତି ଦେବାକୁ ସିବିଆଇ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଏହି ଅପିଲ ଉପରେ ବିଚାର କରି ଇତିଶ୍ରୀ ହତ୍ୟା ମାମଲାର ତଦନ୍ତ ବନ୍ଦ କରିବା ସକାଶେ ଦୁଇ ଦିନ ତଳେ ଅନୁମୋଦନ ଦେଇଛନ୍ତି । ଫଳରେ, ଇତିଶ୍ରୀଙ୍କ ପରିବାର ନ୍ୟାୟ ପାଇବେ ବୋଲି ଯେଉଁ ଆଶା ରଖି ଥିଲେ, ତାହା ମଉଳି ଯାଇଛି ।
ଶିକ୍ଷା ସହାୟିକା ଇତିଶ୍ରୀ ପ୍ରଧାନ ଯୌନ ନିର୍ଯ୍ୟାତନା ମାମଲାର ରାଜନୈତିକ ଦିଗ ଏହି ଭଳି । ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଟିକିରିର ସ୍କୁଲ୍ ସବ୍-ଇନିସପେକ୍ଟର ନେତ୍ରାନନ୍ଦ ଦଣ୍ଡସେନା କୋରାପୁଟର ପୂର୍ବତନ ବିଜେଡ଼ି ସାଂସଦ ଜୟରାମ ପାଂଗୀଙ୍କ ସହ ଘନିଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଏହି ଘନିଷ୍ଟତା ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଉପରେ ତାଙ୍କର ଯଥେଷ୍ଟ ପ୍ରଭାବ ରହିଥିଲା । ପାଙ୍ଗୀଙ୍କ ଚାପରେ ଇତିଶ୍ରୀଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିଲା ବୋଲି ସେତେବେଳେ ଅଭିଯୋଗ ହୋଇଥିଲା । ସ୍ଥାନୀୟ ପୁଲିସ ଓ କ୍ରାଇମ ବ୍ରାଂଚ୍ ପ୍ରଭାବିତ ହୋଇ ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ହେବାରୁ ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶରେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ନେଇ ଥିଲେ । ତଦନ୍ତ ସମୟରେ ପାଂଗୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିଲା । ତେବେ, କୌଣସି ତଥ୍ୟ ପ୍ରମାଣ ମିଳି ନ ଥିବା ଜଣାପଡିଛି । ପୂର୍ବତନ ସାଂସଦ ପାଂଗୀ ନିକଟରେ ବିଜେଡ଼ିର ହାତ ଛାଡି ବିଜେପିରେ ଯୋଗ ଦେବା ପରେ ସିବିଆଇ ଇତିଶ୍ରୀ ହତ୍ୟା ମାମଲାର ତଦନ୍ତ ବନ୍ଦ କରି ଦେବା ରାଜନୈତିକ ଝଡ ସୃଷ୍ଟି କରିଛି । କେନ୍ଦ୍ରରେ ବିଜେପି ସରକାର ଥିବାରୁ ପାଂଗୀ ବିଜେପିରେ ଯୋଗ ଦେବା ପରେ ସିବିଆଇ ମାମଲା ବନ୍ଦ ହୋଇ ଗଲା ବୋଲି ବିଜେଡ଼ିରେ ଥିବା ତାଙ୍କ ପୂର୍ବ ସହକର୍ମୀମାନେ ଅଭିଯୋଗ ଉଠାଇଛନ୍ତି । ପାଂଗୀ ମଧ୍ୟ ଏହାର ଜବାବ ଦେଇ ଘଟଣା ସମୟରେ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଥିବା ଜୟପୁର ବିଧାୟକ ରବି ନଂଦକୁ କାହିଁକି ଦାୟୀ କରାଯିବ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସିବିଆଇ ତଥ୍ୟ, ପ୍ରମାଣ ପାଇଲେ ତାଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠା ଗ୍ରହଣ କରିବ ତାହା ମାନି ନେବାକୁ ସେ ରାଜି ଅଛନ୍ତି ବୋଲି ମଧ୍ୟ ପାଂଗୀ କହିଛନ୍ତି । ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏକାଭଳି ପ୍ରତିକ୍ରିୟା ଦେଇଛନ୍ତି । ପ୍ରକୃତ ହତ୍ୟାକାରୀକୁ ସିବିଆଇ ଚିହ୍ନଟ କରି ପାରି ନ ଥିବାରୁ ମାମଲାକୁ ବନ୍ଦ କରିଛି । ଯଦି କିଛି ତଥ୍ୟ, ପ୍ରମାଣ ଆଗକୁ ଆସିବା, ମାମଲା ଖୋଲି ପାରିବ ଏବଂ ପୁଣି ଥରେ ଏହାର ତଦନ୍ତ ହୋଇପାରିବ ବୋଲି ସେ କହିଛନ୍ତି । ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇ ଥିବାରୁ ସିବିଆଇର ବିଫଳତା ଉପରେ ଗୃହରେ ଆଲୋଚନା ହେବ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ, ଚାଷିଙ୍କୁ ଧାନର ଲାଭଜନକ ଦର ମିଳିବା ଦାବିରେ ହାଙ୍ଗାମା ଯୋଗୁ ଗୃହ ଅଚଳ ହୋଇ ଅନ୍ୟ କୌଣସି ବିଷୟ ଆଲୋଚନାକୁ ଆସି ପାରି ନାହିଁ ।
ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସିବିଆଇର ବିଫଳତା ଆଜି ସମାଲୋଚନାର ବିଷୟ ହୋଇ ଥିବା ବେଳେ କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାର ସିବିଆଇ ବା ଏନ୍ଆଇଏ ତଦନ୍ତ ଦାବି କରି ଓଡ଼ିଶା ହାଇକୋର୍ଟରେ ପିଆଇଏଲ୍ ଦାଏର ହେବା ସିବିଆଇ ପ୍ରତି ଜନସାଧାରଣରେ ରହିଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି । ୟୁପିରେ ଆରୁଷି ତଲୱାର ହତ୍ୟା ମାମଲାରେ ସିବିଆଇ ଆଲହାବାଦ ହାଇକୋର୍ଟରେ କଟୁ ସମାଲୋଚନାର ଶରବ୍ୟ ହୋଇଛି । ଓଡ଼ିଶାର ବହୁ କୋଟି ଟଙ୍କାର ଚିଟ୍ଫଣ୍ଡ୍ ଠକେଇ ମାମଲାରେ ମଧ୍ୟ ଆମେ ସିବିଆଇ ତଦନ୍ତରେ ଶିଥିଳତାକୁ ସମାଲୋଚନା କରୁଛେ । ଅନ୍ୟ ପଟେ ପ୍ରତି ଛୋଟ, ବଡ ଘଟଣାର ସିବିଆଇ ତଦନ୍ତ ପାଇଁ ପ୍ରତି ଦିନ ଦାବି ହେଉଛି । ଏହା ହିଁ ବିଡ଼ମ୍ବନା । ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେନ୍ଦ୍ର ସରକାରଙ୍କ ‘ପୋଷା ଶୁଆ’ ଜାଣି ବି ଆମର ବିଶ୍ୱାସ ତୁଟିନି । ଯଦି କୌଣସି ରାଜନୈତିକ ଚାପ ବା କାରଣରୁ ଇତିଶ୍ରୀ ହତ୍ୟା ମାମଲା ଆଜି ଥଣ୍ଡା ବାକ୍ସକୁ ଚାଲି ଯାଇଛି, କାଲି ତାହା ପୁଣି ଥରେ ଖୋଲିବ ଏବଂ ଇତିଶ୍ରୀଙ୍କ ପରିବାର ନ୍ୟାୟ ପାଇବେ, ସେହି ବିଶ୍ୱାସକୁ ବଜାୟ ରଖି ଆମକୁ ଚାଲିବାକୁ ପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS