କୁକୁଡ଼ାଖଣ୍ଡିରେ ଭାଜପାର ଶେଭାଯାତ୍ରା ଓ ଧାରଣା, କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ଦାବି
ବ୍ରହ୍ମପୁର, ୫ ଡ଼ିସେମ୍ବର: ମରୁଡ଼ି ଓ ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବା ଦାବିରେ ୪ ତାରିଖ ଦିନ ଭାଜପା ଗଞ୍ଜାମ ଜିଲ୍ଲା ଶାଖାର ନିମଖଣ୍ଡି ମଣ୍ଡଳ ଓ ମହୁଡା ମଣ୍ଡଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇ କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟ ସାମନାରେ ଗଣ ଧାରଣା ଦିଆଯାଇଥିଲା । କୃଷକ ମୋର୍ଚ୍ଚା ସଭାପତି ଏଲ୍ ମୋହନ ଦାସ ଏହାର ନେତୃତ୍ୱ ନେଇଥିଲେ । ନିମଖଣ୍ଡି ମଣ୍ଡଳ ସଭାପତି ଶିବ ପ୍ରସାଦ ପାତ୍ର ଓ ବାଲିପଡା ମଣ୍ଡଳ ସଭାପତି ଗୋବିନ୍ଦ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚାଷୀମାନେ ମରୁଡ଼ି ପରିସ୍ଥିତି ଓ ଲଘୁଚାପ ବର୍ଷା ନେଇ ହନ୍ତସନ୍ତ ହେଉଥିବା ବେଳେ ଚକଡା ପୋକର ପ୍ରାଦୁର୍ଭାବ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳ ଅଂଚଳ ହୋଇ ଥିବାରୁ ଲଘୁଚାପ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ହଜାର ହଜାର ହେକ୍ଟର ଧାନ କ୍ଷେତରେ ପାଣି ମାଡି ଯାଇ ଧାନ ଓ ରବି ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଆଜି ପର୍ଯ୍ୟନ୍ତ ପ୍ରଶାସନ ଚାଷୀଙ୍କ ପାଖରେ ନ ପଂହଂଚିବା ଓ କ୍ଷୟକ୍ଷତିର ଠିକ୍ ଆକଳନ ନହେବା ଚିନ୍ତାର କାରଣ ହୋଇଛି ବୋଲି ଭାଜପା ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଓ ରାଜ୍ୟ ସଂପାଦକ ବିଭୂତି ଭୂଷଣ ଜେନା ଅଭିଯୋଗ କରିଛନ୍ତି । ଗଂଜାମ ଜିଲ୍ଲାକୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଅଂଚଳ ଭାବେ ଘୋଷଣା କରାଯାଇ ଉପଯୁକ୍ତ କ୍ଷତିପୂରଣ ଦିଆ ଯିବାକୁ ସରକାରଙ୍କ ନିକଟରେ ସେମାନେ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଧରଣୀଧର ବେହେରା, ମହନ୍ତ ଚିନ୍ମୟାନନ୍ଦ ଦାସ ପ୍ରମୁଖ ଭାଗ ନେଇଥିଲେ । ଚକଡା ପୋକ ଓ ଅଦିନିଆ ବର୍ଷାର କ୍ଷୟକ୍ଷତି ଠିକ୍ ଭାବେ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆ ଯିବା, କୃଷି ଋଣ ଛାଡ ଓ ବିନା ସୁଧରେ ରବି ଫସଲ ପାଇଁ ଋଣ ଦିଆଯିବା, ରାଜନୀତିରୁ ଉଦ୍ଧ୍ୱର୍ରେ ରହି ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରାଯିବା, ଧାନର ଏମ୍ଏସ୍ପି ଉପରେ ବୋନସ ଦିଆଯିବା ପ୍ରଭୃତି ଦାବିରେ କୁକୁଡ଼ାଖଣ୍ଡି ତହସିଲଦାରଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS