ଗୁଜରାଟରେ ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟ, କଂଗ୍ରେସର ଦାଣ୍ଠା ମୁକାବିଲା ବିଜେପିକୁ ନାକେଦମ୍ କରିଛି
– ପ୍ରସାଦ ରାଓ –
ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ମାତ୍ର ତିନିି ଦିନ ବାକି ରହିଛି । ଦୁଇ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୯ ତାରିଖ ହେବାକୁ ଥିବା ବେଳେ ୧୪ ତାରିଖ ଦିନ ଦ୍ୱିତୀୟ ଓ ଶେଷ ପର୍ଯ୍ୟାୟ ଭୋଟ ହେବ । ୧୮ ତାରିଖ ଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଗୁଜରାଟ କଥା ଆମେ ଏଠାରେ ଆଲୋଚନା କରିବାର କାରଣ ହେଉଛି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଏହି ବିଧାନସଭା ନିର୍ବାଚନ ସାଧାରଣ ନିର୍ବାଚନଠାରୁ କୌଣସି ଗୁଣରେ କମ୍ ନୁହେଁ । ଦେଶର ରାଜନୈତିକ ଭବିଷ୍ୟତ ଏହି ନିର୍ବାଚନ ଫଳାଫଳରୁ ନିର୍ଦ୍ଧାରିତ ହେବାକୁ ଯାଉଛି ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନିଜେ ଏହି ନିର୍ବାଚନରେ ଶାସକ ଦଳର ମୁଖ୍ୟ ପ୍ରଚାରକ ହୋଇଛନ୍ତି । ରାତି ଅନିଦ୍ରା ହୋଇ ସେ ମାସାଧିକ କାଳ ପ୍ରଚାରରେ ଲାଗିଛନ୍ତି । ଅନ୍ୟପକ୍ଷରେ, ନୂତନ ଭାବେ କଂଗ୍ରେସ ସଭାପତି ପଦରେ ଆସୀନ ହେବାକୁ ଯାଉଥିବା ଏଆଇସିସି ଉପ ସଭାପତି ରାହୁଲ ଗାନ୍ଧୀ ଏକାକୀ କଂଗ୍ରେସର ମଙ୍ଗ ଧରିଛନ୍ତି । ରାଜ୍ୟର ତିନି ଜଣ ଯୁବ ନେତା ନିର୍ବାଚନ ପ୍ରଚାରରେ ବିଜେପି-କଂଗ୍ରେସ ଭାଗମାପ ବଦଳାଇ ଦେଇଥିବା ବେଳେ ଗ୍ରାମାଂଚଳରେ ସରକାର ବିରୋଧୀ ହାୱା ଶାସକ ବିଜେପିକୁ ନାକେଦମ୍ କରି ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତୀ ଏଠାରେ ବାଜିରେ ଲାଗି ଥିବା ବେଳେ କଂଗ୍ରେସର ଭାବି ସଭାପତି ରାହୁଲ ଗାନ୍ଧୀଙ୍କ ଗ୍ରହଣୀୟତା ମଧ୍ୟ ଏହି ନିର୍ବାଚନରୁ ପ୍ରମାଣିତ ହେବାକୁ ଯାଉଛି । ତେଣୁ, ସମଗ୍ର ଦେଶୀ ଓ ବିଦେଶୀ ମିଡ଼ିଆର ନଜର ଗୁଜରାଟ ନିର୍ବାଚନ ଫଳାଫଳ ଉପରେ ରହିଛି । ଅହମ୍ମଦାବାଦ ସହର ଏବେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପର୍ଯ୍ୟଟନ ସ୍ଥଳ ପାଲଟିଛି ।
ଗୁଜରାଟରେ ୨୨ ବର୍ଷ ହେଲା ଶାସନରେ ରହିଥିବା ବିଜେପି ଏହି ନିର୍ବାଚନକୁ ନେଇ ହଡବଡେଇବାର କାରଣ ହେଉଛି, ଶାସକ ଦଳ ବିରୋଧରେ ରହିଥିବା ଜନ ଅସନ୍ତୋଷ । ୨୦୧୪ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ପ୍ରଥମେ ‘ହିନ୍ଦୁତ୍ୱ’ ଓ ପରେ ‘ବିକାଶ’କୁ ନେଇ ମୋଦୀଙ୍କ ରାଜନୀତି ବିଜେପିର ଶକ୍ତି ବୃଦ୍ଧି କରିଥିଲା । ଗ୍ରାମାଂଚଳ ଓ ସହରାଂଚଳରେ ବିକାଶମୂଳକ କାର୍ଯ୍ୟ ହୋଇଥିବା ଏବଂ ଶିକ୍ଷା, ଶିଳ୍ପାୟନ, ସ୍ୱାସ୍ଥ୍ୟ ସମେତ ଅନ୍ୟନ୍ୟ କ୍ଷେତ୍ରରେ ରାଜ୍ୟର ବିଶେଷ ପ୍ରଗତି ଘଟିଥିବା ଶାସକ ବିଜେପି ଦାବି କରି ଆସିଛି । ଗୁଜୁରାଟର ‘ବିକାଶ ମଡେଲ’ ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ କହି ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ମାରାଥନ୍ ପ୍ରଚାର କରିଥିଲେ । ଦଳ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନ କରି ପ୍ରାର୍ଥୀ ଚୟନ ଓ ପ୍ରଚାରର ସଂପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ଦେଶର ଜନସାଧାରଣ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ବ୍ୟାପକ ଦୁର୍ନୀତି ଓ କୁଶାସନରେ ଅତିଷ୍ଟ ହୋଇ ଏକ ପରିବର୍ତନ ଚାହୁଁ ଥିଲେ । ନରେନ୍ଦ୍ର ମୋଦୀ ସେହି ପରିବର୍ତନ ଓ ଦୁର୍ନୀତି ମୁକ୍ତ ଶାସନର ନୂଆ ନାମକରଣ କରି ଥିଲେ ‘କଂଗ୍ରେସ-ମୁକ୍ତ ଭାରତ’ । ଭୋଟରଙ୍କ ମନକୁ ଏହା ଛୁଇଁଲା ଏବଂ ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ଦେଖିବା ପାଇଁ (କଂଗ୍ରେସ ବିରୋଧରେ ତୀବ୍ର ଅସନ୍ତୋଷ ଜାହିର କରି) ବିଜେପିକୁ ବିପୁଳ ଭୋଟରେ ବିଜୟୀ କଲେ । ଲୋକସଭାରେ ୩୫୦ରୁ ଅଧିକ ଆସନ ପାଇ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ତିନି ବର୍ଷ ହେଲା ଦେଶରେ ଶାସନ କରୁଛି । ଦୁର୍ନୀତି ନିବାରଣ ଓ କଳାଧନ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିମୁଦ୍ରାକରଣ ଓ ଗୁଡ୍ସ ଏଂଡ୍ ସର୍ଭିସ ଟ୍ୟାକ୍ସ (ଜିଏସ୍ଟି) କାର୍ଯ୍ୟକାରୀ ହୋଇଥିବା ବେଳେ ତାହାକୁ ନେଇ ଦେଶରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।
ସରକାରଙ୍କ ଆଉ ଏକ ଉପଲବ୍ଧି ହେଉଛି – ଆତଙ୍କବାଦ ବିରୋଧରେ ଅଭିଯାନ ଏବଂ ସର୍ଜିକାଲ୍ ଷ୍ଟ୍ରାଇକ୍ । ଅପରପକ୍ଷରେ, ଶାସକ ଦଳର ଅସହିଷ୍ଣୁତା, ଗୋରକ୍ଷା ନା’ରେ ଆତଙ୍କର ବାତାବରଣ ସୃଷ୍ଟି କରାଯିବା, ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ଅଧିକ ଲାଭଜନକ ଦର ଦେବା ପାଇଁ ପ୍ରତିଶ୍ରୁତି କାର୍ଯ୍ୟକାରୀ କରା ନ ଯିବା, ଦେଶରେ ଶିଳ୍ପପତିମାନେ ଅଧିକ ସମୃଦ୍ଧ ହୋଇଥିବା ବେଳେ ଚାଷୀ ଆତ୍ମହତ୍ୟା ବଢିବା ଏବଂ ଗରୀବ, ଶିକ୍ଷିତଙ୍କ ପାଇଁ ଆବଶ୍ୟକ ମୁତାବକ କର୍ମନିଯୁକ୍ତି ସୃଷ୍ଟି ହୋଇ ନ ପାରିବା, ଦଳିତ ଓ ପଛୁଆ ବର୍ଗ ନିଜକୁ ଅବହେଳିତ ମନେ କରି ଶାସକ ଦଳ ବିରୋଧରେ ସଂଗଠିତ ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୪ର ‘ଲୌହ ମାନବ’ ପ୍ରତିଛବିରେ ଆଂଚ୍ ଆଣିଛି । ଗୁଜରାଟ ନିର୍ବାଚନରେ ଏହାର ପ୍ରଭାବ ଅନୁଭବ କରି ହେଉଛି । ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ପଟିଦାର ଆନେ୍ଦାଳନ ଏବଂ ଅଳ୍ପେଶ ଠାକୁର ଓ ଜିଗ୍ନେଶ ମେୱାନୀଙ୍କ ଦଳିତ, ଓବିସି ଶକ୍ତି ବିଜେପି ବିରୋଧରେ କାମ କରୁଛି । କଂଗ୍ରେସ ଓ ରହୁଲ ଗାନ୍ଧୀ ଏହାର ସୁଯୋଗ ନେଇ ଏହି ତିନି ଜଣ ଆଂଚଳିକ ଯୁବ ନେତାଙ୍କ ସହଯୋଗରେ ‘ବିଜେପି – ବଧ’ ପାଇଁ ସମସ୍ତ ଶକ୍ତି ଲଗାଇ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାରାଥନ ପ୍ରଚାର ସତ୍ୱେ ରାଜ୍ୟରେ ବିଜେପି ପ୍ରତିରକ୍ଷାତ୍ମକ ସ୍ଥିତିରେ ଥିବା ଦେଖିବାକୁ ମିଳୁଛି ।
ଗୁଜରାଟ ନିର୍ବାଚନ ପ୍ରଚାରରେ ଉଭୟ ମୋଦୀ ଓ ରାହୁଲ ପରସ୍ପରକୁ ଶବ୍ଦ ବାଣରେ ଆହତ କରିବାକୁ କୌଣସି ସୁଯୋଗ ହାତଛଡା କରୁ ନଥିବା ଦେଖିଲେ ପ୍ରମାଣିତ ହେଉଛ ଯେ ଦୁହିଁଙ୍କ ପାଇଁ ଏହି ନିର୍ବାଚନ ଫଳାଫଳ ବିଶେଷ ଗୁରୁତ୍ୱ ରଖୁଛି । ‘ପ୍ରେମ ଓ ଯୁଦ୍ଧରେ ସବୁ କିଛି ନ୍ୟାୟସଂଗତ’ ଏହି ଉକ୍ତି ଗୁଜରାଟ ନିର୍ବାଚନରେ ଦେଖିବାକୁ ମିଳୁଛି । ଗଡ଼ ବିଜୟ ପାଇଁ ଉଭୟ ମୋଦୀ ଓ ରାହୁଲଙ୍କ ପ୍ରଚାର କୌଶଳ ଓ ଆକ୍ଷେପ-ପ୍ରତ୍ୟାକ୍ଷେପ ଭୋଟରଙ୍କୁ ଆକୃଷ୍ଟ କରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଭାଗୁଡ଼ିକରେ ଭିଡ଼ ହେବା ସ୍ୱାଭାବିକ । ତେବେ, ରାହୁଲଙ୍କୁ ମଧ୍ୟ ଭୋଟର ଶୁଣିବାକୁ ଆଗ୍ରହ ପ୍ରକାଶ କରୁ ଥିବା କଂଗ୍ରେସ ଦ୍ୱାରା ଆୟୋଜିତ ସଭାଗୁଡ଼ିକରେ ହେଉଥିବା ଭିଡ଼ରୁ ସ୍ପଷ୍ଟ ସୂଚିତ ହେଉଛି । ହାର୍ଦ୍ଦିକଙ୍କ ବିରୋଧରେ ‘ସେକ୍ସ୍ ସିଡ଼ି’ର ପ୍ରୟୋଗ ଏବଂ ଅଳ୍ପେଶ ଓ ଜିଗ୍ନେଶଙ୍କୁ କାବୁ କରିବା ସକାଶେ ବୈଦ୍ୟୁତିକ ଗଣମାଧ୍ୟମକୁ ଅସ୍ତ୍ର କରାଯିବା ବିଜେପି ମନରେ ଥିବା ଶଙ୍କାକୁ ପ୍ରତିଫଳିତ କରୁଛି । ଗୁଜରାଟରେ ବିଜେପିର ଏକତରଫା ବିଜୟ ହେବ ବୋଲି ଯେଉଁମାନେ ଆକଳନ କରୁଥିଲେ ବର୍ତମାନ ସେମାନେ ସବୁ ଆକଳନ ବଦଳାଇ କଂଗ୍ରେସ ସ୍ଥିତିରେ ଉନ୍ନତି ଘଟିଥିବା କହିଲେଣି । ପରିବର୍ତିତ ପରିସ୍ଥିତି ପାଇଁ କଂଗ୍ରେସ ବା ରହୁଲଙ୍କ କରିସ୍ମା ନୁହେଁ; ହାର୍ଦ୍ଦିକ, ଅଳ୍ପେଶ ଓ ଜିଗ୍ନେସ୍ଙ୍କ ପ୍ରତି ଯୁବ ସମାଜରେ ସମର୍ଥନ ବୃଦ୍ଧିକୁ ମୁଖ୍ୟ କାରଣ କୁହାଯାଉଛି । ଏହା ଭାଜପା-କଂଗ୍ରେସ ଭାଗମାପ ବଦଳାଇବାକୁ ସକ୍ଷମ ହୋଇ ଥିବା ଅନୁମାନ କରାଯାଉଛି ।
ରାଜ୍ୟର ୧୮୨ ବିଧାନସଭା ଆସନରୁ ୧୫୦ ବିଜେପି ଖାତାକୁ ଆସିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ନିକଟରେ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ବିଜେପି ୧୨୦ରୁ କିଛି ଅଧିକ ପାଇ ପାରେ କିଛି ଜାତୀୟ ସର୍ଭେ ସଂସ୍ଥା ଆକଳନ କରିଛନ୍ତି । ୨୨ ବର୍ଷ ହେଲା ରାଜ୍ୟରେ ବିଜେପି କ୍ଷମତାରେ ରହିଛି । ସରକାର ବିରୋଧରେ ‘ଜନ ଅସନ୍ତୋଷ’ ଥିଲେ ମଧ୍ୟ ଦଳର ଲୋକଶକ୍ତି ଓ ଆର୍ଥିକ ସ୍ୱଚ୍ଛଳତା ନିର୍ବାଚନ ପ୍ରଚାର ପରିଚାଳନାରେ ସହାୟକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ରାଜନୀତି ଛାଡି ଜାତୀୟ ରାଜନୀତିକୁ ଚାଳି ଯିବା ପରେ ଗୁଜରାଟ ବିଜେପିରେ ତୀବ୍ର ଅନ୍ତଦ୍ୱର୍ନ୍ଦ୍ୱ ସୃଷ୍ଟି ହୋଇ ଦଳକୁ ଦୁର୍ବଳ କରିଛି । ତେଣୁ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ଅଭିଯାନର ନେତୃତ୍ୱ ନେଇ ପୁଣି ଥରେ ଦଳ ଓ ରାଜ୍ୟବାସୀଙ୍କ ମନରେ ସେହି ପୁରୁଣା ‘ଲୌହ ମାନବ’ର ଭାବମୂର୍ତୀ ଫେରାଇ ଆଣିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ଗୁଜରାଟରେ ବିକାଶ ବାଟବଣା ହୋଇ ଯାଇଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ଭୁଲ ପ୍ରମାରିତ କରିବା ପାଇଁ ଦଳ ହାଇଟେକ୍ ପ୍ରଚାର ଅଭିଯାନର ଆଶ୍ରୟ ନେଇଛି । ତାହା ନିର୍ବାଚନରେ ବିଜେପିକୁ ଏକ ସମ୍ମାନଜନକ ବିଜୟ ଦେବାରେ ସହାୟକ ହେବ ବୋଲି ଦଳ ଆଶା କରିବା ସ୍ୱାଭାବିକ । ରାଜ୍ୟର ଗ୍ରମାଂଚଳରେ ବିଜେପି ବିରୋଧରେ ଭୋଟରଙ୍କ ମନରେ ଚାପା ଅସନ୍ତୋଷ ରହିଥିଲେ ମଧ୍ୟ ମୋଦୀଙ୍କ ମାରାଥନ ପ୍ରଚାର ସହରୀ ଓ ସହରତଳି ଭୋଟରଙ୍କୁ ପ୍ରଭାବିତ କରି ପୁନର୍ବାର ବିଜେପି ମୁହାଁ କରି ଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟର ୧୮୨ ବିଧାନସଭା ଆସନରୁ ଅନ୍ୟୁନ ୮୪ଟି ସହରାଂଚଳ ବା ଅର୍ଦ୍ଧ ସହରାଂଚଳରେ ଅବସ୍ଥିତ । ତେଣୁ, ଶାସକ ଦଳ ବିଜୟ ନେଇ ନିଶ୍ଚିତ ଥିବା ବେଳେ କଂଗ୍ରେସ ହାର୍ଦ୍ଦିକ, ଅଳ୍ପେଶ ଓ ଜିଗ୍ନେଶଙ୍କ ପରି ଶକ୍ତିଶାଳୀ ଯୁବ ଗୋଷ୍ଠୀକୁ ଆୟୁଧ କରି ନିର୍ବାଚନ ଲଢୁ ଥିବାରୁ କେତେ ପରିମାଣର ଭୋଟ ପାଇବ ତାହା ଉପରେ ଦଳ ଓ ରାହୁଲଙ୍କ ଭବିଷ୍ୟତ ନିର୍ଭର କରୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS