ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ଆକ୍ରମଣ, ୨୪ ଘଂଟା ପରେ ସମସ୍ତେ ନୀରବ ?
ପୁରୀରୁ ସ୍ମିତାଲି ସ୍ମୃତି ସ୍ନିଗ୍ଧା, ୬ ଡ଼ିସେମ୍ବର: ରବିବାର ସନ୍ଧ୍ୟାରେ ଚନ୍ଦ୍ରଭାଗା ବେଳାଭୂମୀରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ କେହି ଜଣେ ହାତ ମୋଡି ଆହତ କରିବା ଘଟଣା ଏବେ ସୁଦ୍ଧା ରହସ୍ୟମୟ ହୋଇ ରହିଛି । ସେମାବାର ସକାଳେ ସବୁ ଆଂଚଳିକ ଖବରକାଗଜ ପୃଷ୍ଠାରେ ଏହି ଖବରଟି ଚାଂଚଲ୍ୟକର ଭାବରେ ପରିବେଷଣ ହୋଇଥିବା ବେଳେ ପରବର୍ତୀ ସମୟରେ ଏହା ଉପରେ ଅଧିକ କିଛି ସୂଚନା ନାହିଁ । କେଉଁ କାରଣରୁ କିଏ ସୁଦର୍ଶନଙ୍କୁ ଏଭଳି ଅସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କଲା ଏବଂ ସୁଦର୍ଶନଙ୍କ ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ କଣ ହୋଇଛି, ତାହା ଜାଣିବା ସକାଶେ ରାଜ୍ୟବାସୀ ଉତ୍ସୁକ ଥିବା ବେଳେ ପ୍ରଶାସନ ନୀରବ । ସୁଦର୍ଶନ ବା ତାଙ୍କ ଶୁଭେଚ୍ଛୁମାନେ ମଧ୍ୟ ନୀରବ ରହିବା ସନେ୍ଦହର ବାତାବରଣ ସୃଷ୍ଟି କରିଛି ।
ଚନ୍ଦ୍ରଭାଗା ବେଳାଭୂମୀରେ ଗଲା ୧ ତାରିଖରୁ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ଚାଲିଛି । ରବିବାର ସନ୍ଧ୍ୟାରେ ଏହି ମହୋତ୍ସବ ସ୍ଥଳରେ ଭିଡ଼ ରହିଥିବା ବେଳେ କେହି ଜଣେ ସୁଦର୍ଶନଙ୍କ ସହ ହାତ ମିଳାଇବା ବାହାନାରେ ତାଙ୍କ ହାତ ମୋଡି ଦେଇଥିବା ଅଭିଯୋଗ ହୋଇଥିଲା । ସୁଦର୍ଶନ ଯନ୍ତ୍ରଣାରେ ଛଟପଟ ହୋଇ କୋଣାର୍କ ହସପିଟାଲକୁ ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ କାହାରି ସହଯୋଗ ମିଳି ନ ଥିଲା । ପ୍ରବଳ ଟ୍ରାଫିକ୍ ଗହଳି ଯୋଗୁ ତାଙ୍କୁ ହସପିଟାଲରେ ପହଂଚିବା ସକାଶେ ଘଂଟାଏ ସମୟ ଲାଗି ଥିଲା । କୋଣାର୍କ ଡ଼ାକ୍ତରଖାନାରେ କେହି ଡ଼ାକ୍ତର ନ ଥିବାରୁ ସେ ଅଧ ଘଂଟାଏ ଅପେକ୍ଷା କରି ପ୍ରାଥମିକ ଚିକିତ୍ସା ପାଇ ଥିଲେ ଏବଂ ସେଠାରୁ ପୁରୀ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ କରାଇ ଥିଲେ ବୋଲି ବିଭିନ୍ନ ଖବର କାଗଜ ରିପୋର୍ଟରେ ଦର୍ଶାଯାଇ ଥିଲା । ତେବେ, ସୁଦର୍ଶନଙ୍କ ଭଳି ଜଣେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀଙ୍କ ହାତ ମୋଡ଼ି ଆହତ କରିବାକୁ କିଏ ସାହସ କଲା, ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ପୁରୀ ଜିଲ୍ଲା ପୁଲିସ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ହୋଇଛି, ତାହା ମଧ୍ୟ ଜଣାପଡି ନାହିଁ । ଘଟଣା ଘଟିବାର ୨୪ ଘଂଟା ଭିତରେ ସବୁ କିଛି ଶାନ୍ତ ପଡି ଯିବା ମଧ୍ୟ ରହସ୍ୟମୟ ଲାଗୁଛି । ବାସ୍ତବରେ ଏହା ଏକ ଆକ୍ରମଣ ନା ପବ୍ଲିସିଟି ଷ୍ଟଂଟ୍, ତାହା ଜାଣିବା ସକାଶେ ଉତ୍ସୁକତା ପ୍ରକାଶ ପାଉଛି ।
ଏଠାରେ ଉଲ୍ଲେଖ କରାଯାଇପାରେ, ପ୍ରତି ବର୍ଷ ଏହି ସମୟରେ କୋଣାର୍କରେ ନୃତ୍ୟ ମହୋତ୍ସବ ଆୟୋଜନ ହୋଇଥାଏ । ଚନ୍ଦ୍ରଭାଗା ବେଳାଭୂମୀରେ ବାଲୁକା କଳା ମହୋତ୍ସବ ମଧ୍ୟ ହୁଏ । ରବିବାର ଉଭୟ ନୃତ୍ୟ ମହୋତ୍ସବ ଓ ବାଲୁକା କଳା ମହୋତ୍ସବରେ ପ୍ରବଳ ଗହଳି ଲାଗି ରହିଥିଲା । ଭିଡ଼ ଭିତରେ ସୁଦର୍ଶନଙ୍କ ହାତ ମକଚି ହୋଇ ଆହତ ହୋଇଛନ୍ତି । କେହି ଜଣେ ତାଙ୍କ ହାତ ମୋଡି ଦେଇଥିବା ସୁଦର୍ଶନ ଅଭିଯୋଗ କରିଥିବା ବେଳେ ଏଭଳି ଘଟିବାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇ ନାହିଁ । ଯଦି ହାତ ଘଂଟା ଛଡାଇବା ଏକମାତ୍ର ଉଦେ୍ଦଶ୍ୟ ଥିଲା, ଅଭିଯୁକ୍ତ ତାହା ଛାଡି ଚାଲି ଗଲା କାହିଁକି (!) ବୋଲି ମଧ୍ୟ ପ୍ରଶ୍ନ ହେଉଛି। ସୁଦର୍ଶନଙ୍କ ଭଳି ଜଣେ ଜଣାଶୁଣା ବାଲୁକା ଶିଳ୍ପୀଙ୍କ ପ୍ରତି ଆକ୍ରମଣ ହୋଇଥିବା ବେଳେ ଘଟଣା ସ୍ଥଳରେ ଉପସ୍ଥିତ ଥିବା କେହି ହେଲେ ସହାୟତା ପାଇଁ ଆଗେଇ ନ ଆସିବା ମଧ୍ୟ ସନେ୍ଦହର ବାତାବରଣ ସୃଷ୍ଟି କରିଛି । ରାଜ୍ୟ ସରକାର ଏହି ଘଟଣାର ତଦନ୍ତ କରାଇ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆଣିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS