ପୁରୀ ଶ୍ରୀମନ୍ଦିର ଉପରେ ଶକ୍ତିଶାଳୀ କ୍ୟାମେରା ସଂଯୁକ୍ତ ‘ଦ୍ରୋନ୍’ ଉଡାଇ ଚାରି ରୁଷିୟ ପର୍ଯ୍ୟଟକ ଅଟକ !
ପୁରୀରୁ ସ୍ମିତାଲି ସ୍ମୃତି ସ୍ନିଗ୍ଧା, ୧୪ଡ଼ିସେମ୍ବର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଶକ୍ତିଶାଳୀ କ୍ୟାମେରା ସଂଯୁକ୍ତ ଏକ ‘ଦ୍ରୋନ୍’ ଉଡାଇ ଚାରି ଜଣ ରୁଷିୟ ପର୍ଯ୍ୟଟକ ସିଂହଦ୍ୱାର ଥାନା ପୁଲିସ ଦ୍ୱାରା ଅଟକ ଥିବା ଜଣାପଡିଛି । ପୁଲିସ ସେମାନଙ୍କୁ ଜେରା କରୁଛନ୍ତି । ସିଂହଦ୍ୱାର ଥାନା ନିକଟରେ ଥିବା ରାଧାବଲ୍ଲଭ ମଠ ଛାତ ଉପରେ ରହି ସେମାନେ ‘ଦ୍ରୋନ୍’କୁ ନିୟନ୍ତ୍ରଣ କରୁଥିବା ବେଳେ ପୁଲିସ ହାତରେ ଧରା ପଡିଛନ୍ତି। ଶ୍ରୀମନ୍ଦିର ଭିତରର ଫଟୋ ଉଠାଇବାକୁ ଉଦ୍ୟମ ହୋଇଥିବା ପୁଲିସ ସନେ୍ଦହ କରୁଛି । ଜେରା ଚାଲି ଥିବାରୁ ଅଧିକ ତଥ୍ୟ ମିଳି ନାହିଁ । ଅଟକ ଚାରି ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି ।
ଏଠାରେ ଉଲ୍ଳେଖଯୋଗ୍ୟ କି, ଶ୍ରୀମନ୍ଦିର ଉପରେ ଛୋଟ, ବଡ ବିମାନ ଉଡାଣ ସଂପୂର୍ଣ୍ଣ ନିଷିଦ୍ଧ ଥିବା ବେଳେ ମନ୍ଦିର ଭିତରକୁ କ୍ୟାମେରା ବା ମୋବାଇଲ୍ ନେବା ଉପରେ ମଧ୍ୟ କଡା କଟକଣା ରହିଛି । ମନ୍ଦିର ଭିତରେ ଶ୍ରୀଜୀଉ ମାନଙ୍କ ଫଟୋ ନେବାକୁ କାହାରିକୁ ଅନୁମତି ନାହିଁ । କଡା କଟକଣା ସତ୍ୱେ ଶ୍ରୀମନ୍ଦିରର ମରାମତି ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା ଦ୍ୱାରା ନିୟୋଜିତ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ ନିକଟରେ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିବା ଦ୍ୱାରା ହଟହଟ୍ଟା ହୋଇଛନ୍ତି । ସଂପୃକ୍ତ ବିଶେଷଜ୍ଞ ଏଥିସକାଶେ କ୍ଷମା ମାଗି ଥିଲେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କଡା କଟକଣା ସତ୍ୱେ ବାରମ୍ବାର ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଭିତର ଫଟୋ ପ୍ରସାରିତ ହେବା ଜିଲ୍ଲା ଓ ମନ୍ଦିର ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏପରିକି, ଶ୍ରୀମନ୍ଦିରର ସେବକମାନେ ଆଉ କ୍ୟାମେରା ଥିବା ମୋବାଇଲ ଫୋନ୍ ମନ୍ଦିର ଭିତରକୁ ନେଇ ପାରିବେ ନାହିଁ, ସେମାନଙ୍କୁ କ୍ୟାମେରା ନଥିବା ମୋବାଇଲ ଯୋଗାଇ ଦିଆଯିବ ବୋଲି ନିକଟରେ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ମନ୍ଦିର ନିକଟରେ ଭୀକ୍ଷାବୃତ୍ତି କରୁଥିବା ଜଣେ କଥିତ ରୁଷିୟ ଶିବ ଭକ୍ତଙ୍କ ଫଟୋ ଦୁଇ ଦିନ ତଳେ ସାମାଜିକ ଗଣମାଧ୍ୟମ ଓ ସମ୍ବାଦପତ୍ରରେ ଭାଇରାଲ୍ ହୋଇ ରାଜ୍ୟରେ ବେଶ୍ ଚହଲ ପକାଇ ଥିବା ବେଳେ ଆଜି ୪ ଜଣ ରୁଷିୟ ପର୍ଯ୍ୟଟକ ଶ୍ରୀମନ୍ଦିର ନିକଟରେ ଥିବା ଏକ ମଠର ଛାତ ଉପରୁ ଶକ୍ତିଶାଳୀ କ୍ୟାମେରା ସଂଯୁକ୍ତ ‘ଦ୍ରୋନ୍’ମାଧ୍ୟମରେ ମନ୍ଦିର ଭିତରର ଫଟୋ ୁଠାଇବାକୁ ଉଦ୍ୟମ କରିବା ଚିନ୍ତାର କାରଣ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS