ବାରବାଟୀରେ ପ୍ରଥମ ଟି-୨୦ରେ ଭାରତର ବିଜୟ, ଶ୍ରୀଲଙ୍କା ୯୩ ରନ୍ ରେ ପରାଜିତ
କଟକ,୨୧ ଡ଼ିସେମ୍ବର: ବୁଧବାର ଦିନ କଟକ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ଭାରତ – ଶ୍ରୀଲଙ୍କା ପ୍ରଥମ ଟି -୨୦ ଶୃଙ୍ଖଳାରେ ଭାରତ ଶ୍ରୀଲଙ୍କାକୁ ୯୩ ରନ୍ ରେ ପରାଜିତ କରି ତିନିଟିକିଆ ଶୃଙ୍ଖଳାକୁ ୧-୦ ରେ ଆରମ୍ଭ କରିଛି । ତିନିଟିକିଆ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ୨-୧ରେ ପରାଜିତ କରି ସଂପୂର୍ଣ୍ଣ ଫର୍ମରେ ଥିବା ଭାରତୀୟ ଟିମ୍ ର ଖେଳ ଦେଖିବାକୁ ଆଜି ୪୫ହଜାର ପାଖାପାଖି ଖେଳପ୍ରେମୀ ବାରବାଟୀ ଷ୍ଟାଡିୟମରେ ଏକାଠି ହୋଇଥିଲେ । ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟିମ୍ ଖେଳ ଆରମ୍ଭ କରି ୨୦ ଓଭରରେ ୧୮୦ ରନ୍ କରି ଶ୍ରୀଲଙ୍କା ପାଇଁ ୧୮୧ ରନ୍ ର ବିଜୟ ଲକ୍ଷ୍ୟ ରଖିଥିଲେ । ଶ୍ରୀଲଙ୍କା ଅଧିନାୟକ ଥିସାରା ପେରାଆରାଙ୍କ ଟିମ୍ ର ପ୍ରଦର୍ଶନ ଆରମ୍ଭରୁ ନୈରାଶ୍ୟଜନକ ଥିଲା । ୧୬ ଓଭରରେ ଶ୍ରୀଲଙ୍କା ଟିମ୍ ୮୭ ରନ୍ କରି ତିନିଟିକିଆ ଟି-୨୦ ଶୃଙ୍ଖଳାର ଉଦ୍ଘାଟନୀ ମ୍ୟାଚ୍ ରେ ପରାଜିତ ହୋଇଛି । ଭାରତ – ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ୍ ୨୨ ତାରିଖ ଇନେ୍ଦାରରେ ହେବ ।
ଭାରତୀୟ ବୋଲର୍ ଜୟଦେବ ଉନ୍ନାଡାକଟ୍ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିବାର ଦ୍ୱତୀୟ ଓଭରରେ ବ୍ୟାଟ୍ସ୍ ମ୍ୟାନ୍ ନିରୋସାନ ଡ଼ିକୱେଲାଙ୍କୁ ୧୩ ରନ୍ ରେ ପାଭେଲିଅନକୁ ବିଦାୟ କରି ଶ୍ରୀଲଙ୍କାକୁ ଝଟକା ଦେଇଥିଲେ । ନିରେସାନଙ୍କ ପରେ ଦଳର ଅଭିଜ୍ଞ ଖେଳାଳୀ ଉପୁଲୁ ଥରାଙ୍ଗା ରନ୍ ଗୋଟାଇବାକୁ ଯୋରସୋର୍ ଉଦ୍ୟମ କରିଥିଲେ । ତେବେ, ଭାରତୀୟ ବୋଲର୍ ୟୁଜଭେନ୍ଦ୍ର ଚହଲଙ୍କ ବଲ୍ ରେ ମାତ୍ର ୨୩ ରନ୍ ତାଙ୍କୁ ଭାରତୀୟ ସ୍କିପର୍ ମହେନ୍ଦ୍ର ସିଂହ ଧୋନୀ କ୍ୟାଚ୍ ଆଉଟ୍ କରି ଶ୍ରୀଲଙ୍କାର ନିରାଶା ବଢାଇ ଦେଇ ଥିଲେ । ଚହଲଙ୍କ ଏହି ଯାଦୁକାରୀ ବୋଲିଂ ଶ୍ରୀଲଙ୍କା ଦଳର ବ୍ୟାଟିଂ ଅଡ଼ରକୁ ସଂପୂର୍ଣର୍ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା । ଶ୍ରୀଲଙ୍କା ଦଳର ଆଞ୍ଜେଲୋ ମାଥ୍ୟୁ, ଆସେଲା ଗୁନୁରତ୍ନେ ଓ ଥିସାରା ପେରେରାଙ୍କ ୱିକେଟ୍ ମଧ୍ୟ ଚହଲ୍ ଦଖଲ କରିଥିଲେ । ଶ୍ରୀଲଙ୍କା ଦଳ ଗୋଟିଏ ପରେ ଗୋଟିଏ ୱକେଟ୍ ହରାଇ ଚାଲିଥିବା ବେଳେ ବାରବାଟୀରେ ଉପସ୍ଥିତ ଥିବା ଭାରତୀୟ କ୍ରିକେଟ୍ ପ୍ରେମୀ ଖୁସୀରେ ନାଚୁ ଥିବା ଦେଖିବାକୁ ମିଳି ଥିଲା । ଶ୍ରୀଲଙ୍କା ଟିମ୍ର ଜଣେ ହେଲେ ଖେଳାଳୀ ବୁଧବାର ଦିନ ଭଲ ଖେଳ ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନ ଥିଲେ । ୧୬ ଓଭରରେ ମାତ୍ର ୮୭ ରନ୍ରେ ଶ୍ରୀଲଙ୍କା ଦଳ ଧରାଶାୟୀ ହୋଇଥିବା ବେଳେ ଭାରତର ଯୁଗଭେନ୍ଦ୍ର ଚହଲ ୪ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ୍ ଦଖଲ କରି ଭାରତକୁ ୯୩ ରନ୍ ରେ ବିଜୟୀ କରାଇ ଥିଲେ । ଭାରତର ବାମହାତି ପେସର୍ ଜୟଦେବ ଉନାଦାକଟ୍ ମଧ୍ୟ ଗୋଟିଏ ୱିକେଟ୍ ନେଇଛନ୍ତି ।
ବୁଧବାର ସନ୍ଧ୍ୟାରେ ବାରବାଟୀରେ ଶ୍ରୀଲଙ୍କା ଦଳ ଟସ୍ ଜିଣିବା ପରେ ଅଧିନାୟକ ଥିସାରା ପେରିଆର ଫିଲଡିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଦେଇଥିଲେ । ଭାରତ ପକ୍ଷରୁ ଲୋକେଶ ରାହୁଲ ଓ ରୋହିତ ଶର୍ମା ଖେଳ ଆରମ୍ଭ କରି ପାୱାର ପ୍ଲେ ସମୟରେ ପ୍ରଥମ ପାଂଚ ଓଭରରେ ୩୮ ରନ୍ ସଂଗ୍ରହ କରି ନେଇ ଥିଲେ । ରୋହିତ ଶର୍ମା ୧୭ ରନ୍ କରିଥିବା ବେଳେ ଆଞ୍ଜୋଲୋ ମାଥ୍ୟୁଙ୍କ ବଲ୍ ରେ ଦୁଶ୍ମନ୍ତ ଚାମିରାଙ୍କୁ କ୍ୟାଚ୍ ଦେଇ ପାଭଲିଅନ୍ କୁ ଫେରିଥିଲେ । ତାଙ୍କ ପରେ ଲୋକେଶଙ୍କ ସହ ଶ୍ରେୟସ୍ ଆୟାର ଖେଳକୁ ସମ୍ଭାଳି ଥିଲେ । ଲୋକେଶ ଭଲ ଖେଳ ପ୍ରଦର୍ଶନ କରି ଟି-୨୦ରେ ତାଙ୍କ ଦ୍ୱିତୀୟ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ଶ୍ରେୟସ୍ ଆୟାର ୨୦ଟି ବଲ୍ ରେ ୨୪ ରନ୍ ସଂଗ୍ରହ କରିଥିଲେ । ଭାରତୀୟ ଦଳ କିଛି ସମୟ ପାଇଁ ରନ୍ ସଂଗ୍ରହ ସକାଶେ ସଂଘର୍ଷ କରୁଥିବା ଲକ୍ଷ୍ୟ କରାଯାଇ ଥିଲା । ରାହୁଲ ଲୋକେଶ୍ ଓ ଶ୍ରେୟସ୍ ଆୟାର ଆଉଟ୍ ହୋଇ ପାଭେଲିଅନ୍ କୁ ଫେରିବା ପରେ ଭାରତର ପୂର୍ବ-ଅଧିକନାୟକ ମହେନ୍ଦ୍ର ସିଂହ ଧୋନୀ ଓ କର୍ଣ୍ଣଟକର ମନିଶ ପାଣ୍ଡେ ମୋର୍ଚ୍ଚା ସମ୍ଭାଳି ଥିଲେ । ରାହୁଲ ୪୮ ବଲ୍ରେ ୬୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଧୋନୀ ଓ ପାଣ୍ଡ୍ୟା ଶେଷ ୩୪ ବଲ୍ ଖେଳି ମିଳିତ ଭାବେ ୬୮ ରନ୍ ସଂଗ୍ରହ କରିଥିଲେ । ଧୋନୀ ୩୯ ଓ ପାଣ୍ଡ୍ୟା ୩୨ ରନ୍ ରେ ଅପରାଜିତ ଥିଲେ । ଶ୍ରୀଲଙ୍କା ଦଳର ଆଞ୍ଜେଲୋ ମାଥ୍ୟୁ, ନୁଅନ୍ ପ୍ରଦୀପ ଓ ଥିସାରା ପେରିଆରା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଭାରତୀୟ ଦଳର ବୋଲର୍ ୟୁଗଭେନ୍ଦ୍ର ଚହଲ ଚାରି ଓଭରର ୨୩ ରନ୍ ଦେଇ ୪ ୱିକେଟ୍ ଦଖଲ କରି ବୁଧବାର ବାରବାଟୀ ଟି-୨୦ରେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ହୋଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS