ଗୁଜରାଟ ପରେ ଟୁ-ଜି ରାୟ କଂଗ୍ରେସ ପାଇଁ ସଂଜୀବନି ହୋଇଛି, ବିଜେପି ଭୂମିକା ଅଧିକ ଆକ୍ରମଣାତ୍ମକ ହେବ ?
– ପ୍ରସାଦ ରାଓ-
ନୂଆଦିଲ୍ଲୀ, ୨୨ ଡ଼ିସେମ୍ବର: ଗୁଜରାଟ ନିର୍ବାଚନ ପରେ ବହୁଚର୍ଚ୍ଚିତ ଟୁ-ଜି ସ୍ପେକ୍ଟ୍ରମ୍ ବଂଟନ ମାମଲାରେ ଦିଲ୍ଲୀର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତ ପୂର୍ବ ୟୁପିଏ ସରକାରର ଟେଲି ଯୋଗଯୋଗ ମନ୍ତ୍ରୀ ଏ. ରାଜା, ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧିଙ୍କ କନ୍ୟା ଡ଼ିଏମକେ ନେତ୍ରୀ କାନିମୋଝିଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ନିଦେ୍ର୍ଦାଷରେ ଖଲାସ କରିବା ଘଟଣା କଂଗ୍ରେସ ପାଇଁ ସଂଜୀବନି ହୋଇଥିବା ବେଳେ ଶାସକ ବିଜେପି ପାଇଁ ବଡ ଧରଣର ଝଟ୍ କା ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ହେଲେ ଦୋଷୀ ସାବ୍ୟସ୍ତ କଲା ଭଳି ସାମାନ୍ୟତମ ପ୍ରମାଣ ଉପସ୍ଥାପନ କରିବାରେ ସିବିଆଇ ବିଫଳ ହୋଇ ଥିବାରୁ କୋର୍ଟ ସମାଲୋଚନା କରିଛନ୍ତି । ଅଭିଯୁକ୍ତମାନଙ୍କ ବିରୋଧରେ ହୋଇଥିବା ଚାର୍ଜସିଟ୍ କାଳ୍ପନିକ ତଥ୍ୟ ଉପରେ ଆଧାରିତ ବୋଲି ଦର୍ଶାଇ ମାମଲାର ବିଚାର କରୁଥିବା ସିବିଆଇ ସ୍ୱତନ୍ତ୍ର ଅଦାଲତର ବିଚାରପତି ଓ. ପି. ସାଇନି ସମସ୍ତଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ବିଚାରପତି ସାଇନି ତାଙ୍କ ୧୫୫୨ ପୃଷ୍ଠାର ରାୟରେ ହାୱାରେ ହାୱାରେ ଏତେ ବଡ ଦୁର୍ନୀତି ଅଭିଯୋଗ ହୋଇଥିବା ଦର୍ଶାଇ ସାମାନ୍ୟ କିଛି ତଥ୍ୟକୁ ନେଇ ବିରାଟ ଆକାରରେ ତାହାକୁ ଉପସ୍ଥାପନ କରାଯାଇଥିବା ଏବଂ ଅତିରଂଜିତ ଭାବେ ମାମଲା ପ୍ରସ୍ତୁତ ହୋଇଥିବା ମନ୍ତବ୍ୟ ଦେଇ ସିବିଆଇକୁ କାଠଗଡାରେ ଠିଆ କରିଛନ୍ତି। କୋର୍ଟଙ୍କ ରାୟକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସ୍ୱାଗତ କରିଛନ୍ତି । କୌଣସି ଅଧାର ନ ଥାଇ ୟୁପିଏ ସରକାର ବିରୋଧରେ ଯେଉଁ ଷଡଯନ୍ତ୍ର କରାଯାଇ ଥିଲା ତାହା ପଦାରେ ପଡିଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ଅପରପକ୍ଷରେ, କୋର୍ଟଙ୍କ ଏହି ରାୟକୁ କିଛି କଂଗ୍ରେସ ନେତା ପୂର୍ବ ୟୁପିଏ ସରକାରଙ୍କ ପ୍ରତିଁ ‘ସାଧୁତାର ସାର୍ଟିଫିକେଟ୍’ ଭାବେ ଧରି ନିଆଯିବା ଠିକ୍ ନୁହେଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ତାତ୍ସଲ୍ୟ କରିବା ସହ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ସକାଶେ ହିଁ ଟୁ-ଜି ସ୍ପେକ୍ଟ୍ରମ ଆବଂଟନ ନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ମନ୍ତବ୍ୟ ଦେଇଛନ୍ତି ।
କୋର୍ଟ ରାୟକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଥିବା ରାଜନୈତିକ ଟଣା ଓଟରା କିଛି ନୂଆ କଥା ନୁହେଁ । ଗୁରୁତ୍ୱପୂର୍ଣ୍ଣ ହେଉଛି, କୋର୍ଟ ରାୟରେ ସିବିଆଇକୁ କରାଯାଇଥିବା ସମାଲୋଚନା । ଅଭିଯୋଗ ଥିଲା, କେନ୍ଦ୍ରରେ ୟୁପିଏ ସରକାର କ୍ଷମତାସୀନ ଥିବା ସମୟରେ ୨୦୦୮ରେ ତକ୍ରାଳୀନ ଟେଲି ଯୋଗଯୋଗ ମନ୍ତ୍ରୀ ଏ. ରାଜାଙ୍କ ଟେଳିକମ୍ ସ୍ପେକ୍ଟ୍ରମ୍ ଆବଂଟନରେ ଦୁର୍ନୀତିକୁ ନେଇ । ମନ୍ତ୍ରୀ ରାଜା ୨୦୦୧ର ଟେଲିକମ୍ ସ୍ପେକ୍ଟ୍ରମ୍ ଦର ଅନୁଯାୟୀ ୨୦୦୮ରେ ୧୨୨ ଜଣଙ୍କୁ ଟେଲିକମ୍ ଲାଇସେନ୍ସ ଆବଂଟନ କରିଥିଲେ, ଯେଉଁଥିରେ କି ବିପୁଳ ପରିମାଣର ଲାଂଚ କାରବାର ହୋଇଥିଲା ଏବଂ କେନ୍ଦ୍ର ସରକାର ରାଜସ୍ୱ ବାବଦରେ ଆନୁମାନିକ ୧.୭୬ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି । ସିଏଜିଙ୍କ ରିପୋର୍ଟ ଆଧାରରେ ଏହି ଆକଳନ ହୋଇଥିଲା । ସ୍ପେକ୍ଟ୍ରମ ଓ ଲାଇସେନ୍ସ ଆବଂଟନ ସମୟରେ କେନ୍ଦ୍ର ମନ୍ତ୍ରୀ ରାଜା ସମସ୍ତ ନିୟମ, କାନୁନକୁ ଜଳାଜଂଳି ଦେଇ କିଛି ନିର୍ଦ୍ଧିଷ୍ଟ ଟେଲିକମ୍ କଂପାନୀଙ୍କୁ ଉପକୃତ କରିଥିଲେ । ଯେଉଁଥିରେ କି କୋଟି କୋଟି ଟଙ୍କାର ଲାଂଚ କାରବାର ହୋଇଛି । ସିଏଜିଙ୍କ ରିପୋର୍ଟ ଏବଂ କେନ୍ଦ୍ର ମନ୍ତ୍ରୀ ରାଜାଙ୍କ ବିରୋଧରେ ଆଗତ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ ହୋଇ ମନ୍ତ୍ରୀ ଏ. ରାଜାଙ୍କୁ ଗିରଫ କରାଯିବା ସହ ଜେଲରେ ପହଂଚାଇ ଦିଆଯାଇ ଥିଲା । କେବଳ ରାଜା ନୁହନ୍ତି, ଏହି ମାମଲାରେ ବିଭିନ୍ନ ଭାବେ ସଂପୃକ୍ତ ଥିବା ଅଭିଯୋଗରେ ଡ଼ିଏମକେ ନେତ୍ରୀ ଏମ୍. କାନିମୋଝୀ, ବିଶିଷ୍ଟ ବ୍ୟବସାୟୀ ରବି ରୁଇଆ, ଅଂଶୁମାନ ରୁଇଆ, ଆଇ.ପି. ଖଇତାନ, ସାହିଦ ବଲୱା, ବିନୋଦ ଗୋଏଙ୍କା, ସଂଜୟ ଚନ୍ଦ୍ରା, ପୂର୍ବତନ ଟେଲିକମ୍ ସିଚିବ ସିଦ୍ଧାର୍ଥ ବେହୁରା ଓ ସେତେବେଳେ ମନ୍ତ୍ରୀ ରାଜାଙ୍କ ଘରୋଇ ସଚିବ (ପିଏସ୍) ଥିବା ଆର.କେ ଚାନେ୍ଦାଲିଆଙ୍କୁ ମଧ୍ୟ ମାମଲାରେ ଛନ୍ଦି ଦିଆଯାଇ ଜେଲ୍ ପଠାଇ ଦିଆଯାଇଥିଲା । ୨୦୧୧ରେ ମାମଲାର ବିଚାରଣା ଆରମ୍ଭ ହୋଇ ଦୀର୍ଘ ୭ ବର୍ଷ ବିଚାରଣା ପରେ ଗୁରୁବାର (୨୧ ଡ଼ିସେମ୍ବର) କୋର୍ଟଙ୍କ ରାୟ ପ୍ରକାଶ ପାଇଛି । ଶବ୍ଦ ତରଂଗ (ସ୍ପେକ୍ଟ୍ରମ୍) ଭଳି ଏହାର ଆବଂଟନକୁ ନେଇ କାଳ୍ପନିକ ଭାବେ ଯେଉଁ ବିରାଟ ଦୁର୍ନୀତିର ଅଭିଯୋଗ ଆସି ଥିଲା ତାହା ମଧ୍ୟ ଧୂଆଁବାଣ ଥିଲା ବୋଲି ସିବିଆଇ ବିଚାରପତି ସାଇନି ତାଙ୍କ ରାୟରେ ମତବ୍ୟକ୍ତ କରିଥିବା ସୂଚନା ମିଳିଛି ।
ଏହି ମାମଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି – (୧) ୨୦୦୮ରେ ଟେଲିକମ୍ ସେକ୍ଟ୍ରମ୍ ଲାଇସେନ୍ସ ଆବଂଟନରେ ବ୍ୟାପକ ଅନିୟମିତତା ଓ ଲାଂଚ କାରବାର ଯୋଗୁ କେନ୍ଦ୍ର ସରକାର ୧.୭୬ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଇ ଥିବା ସଂପର୍କରେ ସିଏଜିଙ୍କ ଆନୁମାନିକ ରିପୋର୍ଟ ଏବଂ ଏହାକୁ ନେଇ ବିରୋଧୀ ଦଳରେ ଥିବା ବିଜେପି ପକ୍ଷରୁ ପାର୍ଲାମେଂଟ ଅଚଳ କରାଯିବା ସମେତ ୨୦୧୪ ସାଧାରଣ ନିର୍ବାଚନରେ ଏହାକୁ ଅସ୍ତ୍ର ଭାବେ ନିର୍ବାଚନ ପ୍ରଚାରରେ ବ୍ୟବହାର କରାଯିବା । (୨) ସିଏଜି ରିପୋର୍ଟକୁ ନେଇ ଦେଶବ୍ୟାପୀ ଝଡ ସୃଷ୍ଟି ହେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସକାଶେ ସୁପ୍ରିମ କୋର୍ଟ ପକ୍ଷରୁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା । ମାମଲା ବିଚାର ଆରମ୍ଭ ହେବାର ସାତ ବର୍ଷ ପରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ଯେଉଁ ରାୟ ଦେଇଛନ୍ତି ତାହା ଅତ୍ୟନ୍ତ ସ୍ପଷ୍ଟ । ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ. ରାଜା ଟେଲିକମ୍ ସ୍ପେକ୍ଟ୍ରମ୍ ଆବଂଟନରେ କୌଣସି ପ୍ରକାର ଅନିୟମିତତା କରି ନାହାନ୍ତି ବୋଲି ରାୟରେ କୁହାଯିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା – ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି, କେନ୍ଦ୍ର ସରକାରଙ୍କ ଅର୍ଥ ଓ ଆଇନ ମନ୍ତ୍ରଣାଳୟ ଏବଂ ଡ଼ିଓଟିକୁ ଅନିୟମିତତା ପାଇଁ ଦାୟୀ କରାଯାଇଛି । ଡ଼ିଓଟି ଅଧିକାରୀଙ୍କୁ କେହି ବିଶ୍ୱାସକୁ ନେଲେ ନାହିଁ, କିଛି ଦୁର୍ନୀତି ନ ଥିବା ବେଳେ ସମସ୍ତେ ଉପରଠାଉରିଆ ଭାବେ ଏତେବଡ ଦୁର୍ନୀତି ଅଭିଯୋଗର ପାହାଡ ଠିଆ କରି ଦେଲେ ବୋଲି କୋର୍ଟ କହିବା ସହ ସିବିଆଇ ଭଳି ଏକ ସୁଶିକ୍ଷିତ ତଦନ୍ତକାରୀ ସଂସ୍ଥା ଅତି ଦୁର୍ବଳ ଭାବେ ମାମଲାକୁ ଉପସ୍ଥାପନ କରି ଥିବାରୁ ବିଚାରପତି ସାଇନି କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବରୁ, ବିଚାରପତି ସାଇନି ଟୁ-ଜି ସ୍ପେକ୍ଟ୍ରମ ସଂପର୍କୀତ ଅନ୍ୟ ଏକ ମାମଲାରେ ପୂର୍ବତନ ୟୁପିଏ ମନ୍ତ୍ରୀ ଡ଼ିଏମକେର ଦୟାନିଧି ମାରନ ଓ ତାଙ୍କ ସାନ ଭାଇ କଳାନିଧି ମାରନଙ୍କୁ ଦୋଷମୁକ୍ତ କରିଛନ୍ତି । ରାଜାଙ୍କ ମାମଲାରେ ସିବିଆଇ ଚାର୍ଜସିଟ୍ କୁ ଯେଭଳି ଭାବେ ସଂଯୋଜନା କରିଛନ୍ତି, ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସକାଶେ ସେଭଳି ତଥ୍ୟ, ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ହେଲେ ଦୋଷୀ ସାବ୍ୟସ୍ତ କଲା ଭଳି ତଥ୍ୟ ବା ପ୍ରମାଣ ଦେବାରେ ସିବିଆଇ ପୂର୍ଣ୍ଣତଃ ବିଫଳ ହୋଇଛି ବୋଲି ବିଚାରପତି ସାଇନି ତାଙ୍କ ରାୟରେ ଦର୍ଶାଇଛନ୍ତି ।
ୟୁପିଏ ସରକାର ଅମଳରେ ଏହି ଟୁ-ଜି ସ୍ପେକ୍ଟ୍ରମ ଆବଂଟନ ଦୁର୍ନୀତି ଅଭିଯୋଗକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଓ ବିଜେପି ନେତୃତ୍ୱଧିନ ଏନଡ଼ିଏ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ପାର୍ଲମେଂଟ ଅଚଳ ହେବାରୁ ସୁପ୍ରିମ କୋର୍ଟ ତକ୍ରାଳୀନ କେନ୍ଦ୍ର ମନ୍ତ୍ରୀ ରାଜାଙ୍କ ଆଡୁ ଦିଆ ଯାଇଥିବା ସମସ୍ତ ଲାଇସେନ୍ସକୁ ରଦ୍ଦ କରି ଥିଲେ ଏବଂ ପୁନର୍ବାର ସ୍ପେକ୍ଟ୍ରମ୍ ନିଲାମ ପାଇଁ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଏହା ମୁଖ୍ୟ ନିର୍ବାଚନ ପ୍ରସଂଗ ଥିଲା । ବର୍ତମାନର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସାରା ବୁଲି ଏହି କଥିତ ଟେଲିକମ୍ ଦୁର୍ନୀତିକୁ ନେଇ ମନମୋହନ ସିଂହ ସରକାର ବିରୋଧରେ ପ୍ରଚାର କରି ଥିଲେ ।
କଂଗ୍ରେସ ପାଇଁ ସଂଜୀବନି: ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ କ୍ଷମତା ଦଖଲ କରିବାରେ ବିଫଳ ହୋଇଥିଲେ ମଧ୍ୟ ବିଜେପିକୁ କଡା ଟକ୍କର ଦେବାରେ ସଫଳ ହୋଇଛି । ୧୮୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଶାସକ ବିଜେପିକୁ ୯୯ ଆସନ ମିଳିଥିବା ବେଳେ କଂଗ୍ରେସକୁ ୮୦ ଆସନ ମିଳିଛି । ୨୦୧୨ ନିର୍ବାଚନରେ ବିଜେପି ୧୧୫ ଓ କଂଗ୍ରେସ ୬୧ଟି ଆସନ ପାଇ ଥିଲେ । ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଆକ୍ରମଣାତ୍ମକ ପ୍ରଚାର ସହ ତିନି ଜଣ ଆଂଚଳିକ ଯୁବ ନେତା ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୁର ଓ ଜିଗ୍ନେଶ ମେୱାନୀଙ୍କ ବିଜେପି ବିରୋଧୀ ଆଭିମୁଖ୍ୟ କଂଗ୍ରେସକୁ ଏହି ସଫଳତା ଦେଇଛି । ରାହୁଲଙ୍କ ଆକ୍ରମଣାତ୍ମକ ପ୍ରଚାର ସହ ୨୨ ବର୍ଷର ବିଜେପି ଶାସନରେ ରାଜ୍ୟର ଯୁବକମାନଙ୍କ ପାଇଁ କର୍ମନିଯୁକ୍ତି ସବୁଧା ସୃଷ୍ଟି ନ ହେବା ଯୁବ ଭୋଟରଙ୍କୁ ବିଜେପି ପ୍ରତି ବିମୁଖ କରିଥିବା ବେଳେ ଚାଷୀମାନଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ନ ଦେବା ଗ୍ରାମାଂଚଳରେ ଅସନ୍ତୋଷ ସୃଷ୍ଟି କରିଥିଲା । ତେଣୁ, ୨୦୧୭ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ନିଜ ରାଜ୍ୟରେ ବିଜେପି ବିଧାନସଭାର ୧୫୦ ଆସନ ଦଖଲ ସ୍ୱପ୍ନ ପୂରଣ କରି ନ ପାରି ଦୁଇ ଅଙ୍କ ୯୯ରେ ସୀମିତ ହୋି ଯାଇଛି । ଗୁଜରାଟର ସହରାଚଂଳରେ ବ୍ୟବସାୟୀଙ୍କ ମଧ୍ୟରେ ଜିଏସ୍ ଟିକୁ ଅସନ୍ତୋଷ ଥିଲା । ତେବେ, ପ୍ରଧାନମନ୍ତ୍ରୀ ମୋଦୀ ତାହାକୁ ପ୍ରସମିତ କରିବାରେ ସକ୍ଷମ ହୋଇଥିଲେ ।
ଗୁଜରାଟରେ ଅଧିକ ସଂଖ୍ୟକ ବିଧାନସଭା ଆସନ ସହରାଂଚଳରେ ରହିଛି । ତେଣୁ, ଯୁବ ଭୋଟର ଓ ଗ୍ରାମାଂଚଳ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାତ ହୋଇ ସୁଦ୍ଧା ବିଜେପି ରାଜ୍ୟରେ ଷଷ୍ଠ ଥର ପାଇଁ କ୍ଷମତାକୁ ଆସିଛି । କଂଗ୍ରେସ ପରାଜିତ ହୋଇଥିବା ସତ୍ୱେ ୨୦୧୭ରେ ନିଜର ଆସନ ସଂଖ୍ୟା ୬୧ରୁ ୮୦କୁ ବୃଦ୍ଧି କରି ଯେଉର୍ ଆତ୍ମସଂତୋଷ ଲାଭ କରିଛି ତାହା କଂଗ୍ରେସ ପାଇଁ ସଂଜୀବନି ପାଳଟିଛି । ବିଜେପିକୁ ଦୁଇ ଅଂକ ମଧ୍ୟରେ ସୀମିତ ରହି ଥିବା ସତ୍ୱେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ରଖି ଥିବାରୁ ଗୁଜରାଟ ଝଟକାକୁ ଦେହରୁ ଝାଡି ରାଜ୍ୟରେ ସରକାର ପ୍ରତିଷ୍ଠା ପ୍ରକ୍ରିୟାରେ ମାତି ଥିବା ବେଳେ ଗୁରୁବାର ଟୁ-ଜି ମାମଲାର ରାୟ ପ୍ରକାଶ ପାଇ ଦଳକୁ ଆଉ ଏକ ଝଟକା ଦେଇଛି । ଗୁରୁବାର ସ୍ୱତନ୍ତ୍ର ସିବିଆଇ ଅଦାଲତ ସ୍ପେକ୍ଟ୍ରମ୍ ଆବଂଟନ ଦୁର୍ନୀତି ମାମଲାର ଦେଇ ଥିବା ରାୟ ତକ୍ରାଳୀନ ୟୁପିଏ ସରକାରଙ୍କ ପାଇଁ ‘କ୍ଲିନ୍ ଚିଟ୍’ ସଦୃଶ ହୋଇ ଥିବାରୁ କଂଗ୍ରେସର ଦୁର୍ନୀତି ବିରୋଧରେ ବିଜେପି ପ୍ରଚାରରେ କିଛିଟା ଲଗାମ ଲାଗିବା ସ୍ୱାଭାବିକ । ଗୁଜୁରାଟ ନିର୍ବାଚନ ଫଳାଫଳ ସହ ଟୁ-ଜି ମାମଲାରେ ବିଜୟ କଂଗ୍ରେସ ମନୋବଳକୁ ଅଧିକ ଦୃଢ କରିଥିବା ସମୟରେ ବିଜେପି ଅଧିକ ଆକ୍ରମଣାତ୍ମକ ହେବା ଆଶଙ୍କା ରହିଛି । ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ପ୍ରତି ସମର୍ଥନ ବଢୁ ଥିବା ଦେଖି ଆକ୍ରମଣକୁ ତୀବ୍ର କରିଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପାକିସ୍ତାନ ସହ ଯୋଡି କିଛି ଅପଶବ୍ଦ ପ୍ରୟୋଗ କରିଥିଲେ, ଯାହାକି ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଏଥି ପାଇଁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଓ ତା’ର ସହଯୋଗୀମାନେ ଦାବି କରି ପାର୍ଲାମେଂଟର ଶୀତକାଳୀନ ଅଧିବେଶନକୁ ଅଚଳ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂହ ଓ ଦେଶର ଅନ୍ୟ କେତେକ ଗୁରୁତ୍ୱପୂର୍ଣର୍ ବ୍ୟକ୍ତିବିଶେଷଙ୍କ ବିରୋଧରେ ଯେଉଁ ଗୁରୁତର ଅଭିଯୋଗ ଆଣି ଥିଲେ ତାହା ପ୍ରମାଣ କରିବାକୁ ଦାବି ହେଉ ଥିବା ବେଳେ ସେ ପଛଘୁଂଚା ଦେବା ଏବଂ କେନ୍ଦ୍ର ସରକାର ମଧ୍ୟ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହେବା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଗୃହ ବାହାରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥି ପାଇଁ ଗୃହରେ କ୍ଷମା ମାଗିବା ପରଂପରା ବିରୋଧୀ କହି ଉପ ରାଷ୍ଟ୍ରପତି ଭେଙ୍କାୟା ନାଇଡୁ ରାଜ୍ୟସଭାରେ ଅଧ୍ୟକ୍ଷତା କରି ଯୁକ୍ତି ଉପସ୍ଥାପନ କରିବା ଦେଶର ଗଣତନ୍ତ୍ର ପ୍ରତି ଉପହାସ ବୋଲି ଚର୍ଚ୍ଚା ହେଉଛି ।
କ୍ଷମତା ପାଇଁ ବିଜେପି ଯେ କୌଣସି ସ୍ତରକୁ ଯାଇ ପାରେ, ତାହା ଏଥିରୁ ସ୍ପଷ୍ଟ ପ୍ରତିଫଳିତ ହେଉଛି । ଆଗମୀ ଦିନରେ ଓଡ଼ିଶା ସରକାର ଏକାଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ଥିବାରୁ ଆଗୁଆ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଉଛି ।
So nice and well presented
Thanks Santanu babu for you valuable comments