ଦାମଙ୍କୁ ଆଉ ଏକ ଝଟ୍କା, ଉପ ସଭାପତି ପଦ ଗଲା..
ଭୁବନେଶ୍ୱର,୨୪ ଡ଼ିସେମ୍ବର: ବିଜେଡ଼ିର ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ ମାନିଲା ନାହିଁ । ଶନିବାର ଦିନ ଡକ୍ଟର ରାଉତଙ୍କୁ ଦଳର ଉପ ସଭାପତି ପଦରୁ ହଟାଇ ଦିଆଯାଇଛି । ଢେଙ୍କାନାଳ ଜିଲ୍ଲା ପାଇଁ ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ମଧ୍ୟ ତାଙ୍କୁ ବିଦାୟ ଦିଆଯାଇଛି । ଦଳରେ ରହି ମଧ୍ୟ ସେ ଦଳରେ ନଥିବା ଭଳି ପରିସ୍ଥିତି ହୋଇଛି । ଯେଉଁ କାରଣରୁ ଦାମ ବାବୁ ମନ୍ତ୍ରୀ ପଦରୁ ବହିଷ୍କୃତ ହେଲେ ସେହି ଏକା କାରଣରୁ ଦଳର ଉପ ସଭାପତି ଦାୟିତ୍ୱରୁ ମଧ୍ୟ ତାଙ୍କୁ ହଟାଇ ଦିଆ ଗଲା ବୋଲି ବିଜେଡ଼ିର ବରିଷ୍ଠ ମୁଖପାତ୍ର ପ୍ରଶାନ୍ତ ନନ୍ଦ ଶନିବାର ଦିନ ମିଡ଼ିଆକୁ କହିଛନ୍ତି ।
ଡକ୍ଟର ରାଉତଙ୍କ ପ୍ରତି ନବୀନଙ୍କ ଏଭଳି କଡା ଆଭିମୁଖ୍ୟ ବିଳମ୍ବରେ ହେଲେ ମଧ୍ୟ ଦଳର ଅନ୍ୟ ବିଶୃଙ୍ଖଳିତ ନେତାମାନଙ୍କ ପାଇଁ ଏକ ସଂକେତ ହୋଇଛି । ଦଳରେ ରହି ମନମୁଖୀ ଆଚରଣ ପ୍ରଦର୍ଶନ କଲେ ବା ମନ୍ତବ୍ୟ ଦେଲେ ଆଉ ଚଳିବ ନାହିଁ ବୋଲି ନବୀନ ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ସୂଚାଇ ଦେଇଛନ୍ତି । କିଛି ବର୍ଷ ହେଲା ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ବିଶୃଙ୍ଖଳିତ ନେତାମାନଙ୍କ ପ୍ରତି ନରମ ଆଚରଣ ପ୍ରଦର୍ଶନ କରି ଆସିଥିବାରୁ ତାଙ୍କ ‘ବିଷଦାନ୍ତ’ ଭାଙ୍ଗି ଗଲାଣି ବୋଲି ଚର୍ଚ୍ଚା ହେଉଥିଲା । ଫଳରେ, ବୈଜୟନ୍ତ ପଣ୍ଡା, ଭର୍ତୃହରି ମହତାବ, ତଥାଗତ ଶତପଥୀ, ପିନାକୀ ମିଶ୍ରଙ୍କ ଭଳି ଦଳୀୟ ସାଂସଦମାନେ ବିଭିନ୍ନ ସମୟରେ ଦଳ ଓ ସରକାରଙ୍କୁ ଅଡୁଆରେ ପକାଇବା ଭଳି ମନଇଚ୍ଛା ବିବୃତି ଦେଉଥିଲେ ବା ବିଭିନ୍ନ ସମ୍ବାଦପତ୍ରରେ ଅଗ୍ରଲେଖା ଓ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆରେ ପାକାଇବା ଭଳି ମତବ୍ୟକ୍ତ କରୁଥିଲେ । ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନଙ୍କ ତାଗିଦ୍ ସତ୍ୱେ ଏହି ଧାରା ଚାଲି ଥିଲା । ଦଳୀୟ ସାଂସଦମାନଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଦେଖି ତଳ ସ୍ତରରେ ମଧ୍ୟ ବିଶୃଙ୍ଖଳା ବ୍ୟାପିବା ଆରମ୍ଭ କରିଥିଲା, ଯାହାକି ସରକାରଙ୍କୁ ଅଡୁଆରେ ପକାଉ ଥିଲା । ତେଣୁ, ମୁଖ୍ୟମନ୍ତ୍ରୀଙ୍କ ଆଡୁ ଏଭଳି ଏକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିଲା ।
ବିଦାୟୀ ମନ୍ତ୍ରୀ ଡକ୍ଟର ରାଉତ ତ ମୂଳରୁ ମୁଖୁରା ! ସକାଳୁ ଉଠିଲେ ତାଙ୍କ ମୁହଁରୁ ବିବଦମାନ ମନ୍ତବ୍ୟ ନ ଶୁଣିଲେ ମିଡ଼ିଆର ହଜମ ହୁଏନି । ଟିଆର୍ପି ପାଇଁ ବୈଦ୍ୟୁତିକ ଚ୍ୟାନେଲର ସାମ୍ବାଦିକମାନେ ପହଂଚି ଯାଆନ୍ତି ତାଙ୍କ ପାଖରେ । ବୁମ୍ ଆଗରେ ଦାମ ବାବୁ ଠୋ ଠୋ ମନ୍ତବ୍ୟ ଦେଇ ନୂଆ ନୂଆ ବିବାଦ ସୃଷ୍ଟି କରି ଥା’ନ୍ତି ଏବଂ ତାହା ପ୍ରସାରିତ କରି ସରକାରଙ୍କୁ ଅଡୁଆରେ ପକାଇବାକୁ ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ । ଦାମ ବାବୁ କେତେବେଳେ ଚାଷୀ ଆତ୍ମହତ୍ୟାକୁ ନେଇ ତ କେତେବେଳେ ଫସଲହାନୀକୁ ନେଇ, ଆଉ କେତେବେଳେ ଅଙ୍ଗନବାଡି କର୍ମୀଙ୍କ ସଂପର୍କରେ ତୀକ୍ତ ମନ୍ତବ୍ୟ ଦେଇ କିଛି ମାସ ହେଲା ଚର୍ଚ୍ଚାରେ ରହିଥିଲେ । ବରଗଡ଼ ଜିଲ୍ଲାରେ ନିକଟରେ ହୋିତିବା ଚାଷୀ ଆତ୍ମହତ୍ୟା ସଂପର୍କରେ ମନ୍ତବ୍ୟ ଦେବାକୁ ଯାଇ ସେ କହିଥିଲେ, ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁ କଣ ‘ଆମ ଦଳର’ ଯେ ‘ମୁଁ ତା ଘରକୁ ଯିବି..’ । ରାଜ୍ୟ କୃଷି ମନ୍ତ୍ରୀ ଥାଇ ଦାମ ବାବୁ ଏଭଳି ଏକ ସଂବେଦନାଶୂନ୍ୟ ମନ୍ତବ୍ୟ ଦେବା ଦ୍ୱାରା ବିରୋଧୀ ମାନେ ସରକାରଙ୍କୁ ଘେରିବା ସୁଯୋଗ ପାଇ ଥିଲେ । ବିଜେଡ଼ି ମୁଖପାତ୍ରମାନେ କଥା ବାଗେଇବାକୁ ଯାଇ ନାକେଦମ୍ ହେବାକୁ ପଡ଼ି ଥିଲା । ସେହିପରି ଯାଜପୁରର ଏକ ସଭାରେ ଅଙ୍ଗନବାଡି କର୍ମୀଙ୍କ ସଂପର୍କରେ ଦାମ ବାବୁ ତାତ୍ସଲ୍ୟ ଭରା ମନ୍ତବ୍ୟ ଥିଲା – ‘ସ୍ୱାମୀ ଛାଡି, ଅଙ୍ଗନବାଡ଼ି’ । ଏହାକୁ ମଧ୍ୟ ବଡ ଇସ୍ୟୁ କରିଥିଲା ବିଜେପିର ମହିଳା ଶାଖା ଏବଂ ଅଙ୍ଗନବାଡି କର୍ମୀମାନେ । ଦାମଙ୍କ ବହିଷ୍କାର ଦାବିରେ ସେମାନେ ରାଜରାସ୍ତାକୁ ଆସି ବିକ୍ଷୋଭ କରିଥିଲେ । ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି କହି ଦାମ ବାବୁ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ବିବାଦ ଘେରକୁ ଟାଣିଲେ । ଦାମଙ୍କ ଏହି ମନ୍ତବ୍ୟକୁ ଖୋଲାଖୋଲି ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଫେଇ ଦେବାକୁ ପଡ଼ିଲା ଯେ ଜୟୀ ରାଜଗୁରୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି ।
ଦାମଙ୍କ ମୁଖୁରାପଣ ସେଇଠି ଅଟକି ଯିବା କଥା । କିନ୍ତୁ, ତାହା ନହୋଇ ମାଲକାନଗିରି ଜିଲ୍ଲାରେ ନିକଟରେ ଆୟୋଜିତ ମାଲ୍ୟବନ୍ତ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ବିଦାୟୀ ମନ୍ତ୍ରୀ ରାଉତ ବାହ୍ମଣଙ୍କ ଦେହରେ ନିଆଁ ଲଗାଇ ଦେଲେ । ଆଦିବାସୀଙ୍କୁ ଖୁସୀ କରିବାକୁ ଯାଇ ସେ କହିଲେ ‘ଆଦିବାସୀମାନେ ସବୁ ବେଳେ ସ୍ୱାଭିମାନୀ, କେବେ କାହାକୁ ହାତ ପତାଇବେ ନାହିଁ । ବ୍ରହ୍ମଣମାନେ ହାତପତାନ୍ତି’ା ଦାମ ବାବୁଙ୍କ ଏହିୀ ମନ୍ତବ୍ୟକୁ ବିରୋଧ କରି ରାଜ୍ୟବ୍ୟାପୀ ବ୍ରାହ୍ମଣ ସମାଜ ପକ୍ଷରୁ ଚାଲିଛି ବିକ୍ଷୋଭ । ଦାମଙ୍କୁ ବହିଷ୍କାର କରାଯିବା ଦାବିରେ ଆନେ୍ଦାଳନ ଯୋର୍ ଧରୁ ଥିବ ଦେଖି ମୁଖ୍ୟମନ୍ତ୍ରୀ ଖପ୍ପା । ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆଡୁ ଦାମ ବାବୁଙ୍କୁ କୁହାଗଲା ମନ୍ତ୍ରୀ ପରିଷଦରୁ ତୁରନ୍ତ ଇସ୍ତଫା ଦେବାକୁ । କିନ୍ତୁ, ସେ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଦର୍ଶାଇ ଏହି ନିଦେ୍ର୍ଦଶକୁ ଏଡାଇ ଯାଇ ଥିଲେ । ଭୁବନେଶ୍ୱର ଫେରିବା ଯାଏଁ ଅପେକ୍ଷା କରିବାକୁ କିମ୍ବା ଯାହା ମନ ହେଉଛି କରିବାକୁ ଜବାବ ଦେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସାମ୍ବାଦିକମାନଙ୍କୁ ଭେଟି ମନ୍ତ୍ରୀ ଡକ୍ଟର ରାଉତଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରା ଗଲା ବୋଲି ସୂଚନା ଦେଇଥିଲେ । ବହିଷ୍କାର ସଂପର୍କୀତ ଚିଠି ରାଜ୍ୟପାଳଙ୍କ ନିକଟକୁ ପଠାଇ ଦିଆଯାଇ ଥିବା ମଧ୍ୟ ସେ ସୂଚନା ଦେଇ ଥିଲେ । ଏତିକିରେ ମୁଖ୍ୟମନ୍ତ୍ରୀ ରାଗ ଶାନ୍ତ ହୋଇ ନାହିଁ । ଶନିବାର ଦିନ ଦଳର ସଭାପତି ଭାବେ ସେ ଉପ ସଭାପତି ପଦରୁ ଡକ୍ଟର ରାଉତଙ୍କୁ ବହିଷ୍କାର କରିଛନ୍ତି । ଏଥିସହ ଢେଙ୍କାନାଳ ଜିଲ୍ଲାର ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ମଧ୍ୟ ଡ଼କ୍ଟର ରାଉତଙ୍କୁ ହଟାଇ ଦିଆ ଯାଇଥିବା ଘୋଷଣା କରାଯାଇଛି । ମଙ୍ଗଳବାର ପୁରୀରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଥିବା ବେଳେ ଡ଼କ୍ଟର ରାଉତଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଦଳ ଉପରେ କି ପ୍ରଭାବ ପକାଇବ ତାହା ଦେଖିବା ସକାଶେ ଉତ୍ସୁକତା ବୃଦ୍ଧି ପାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS