ଗୁରୁବାର ଗୋପାଳପୁର ବେଳାଭୂମୀ ମହୋତ୍ସବର ଶେଷ ଦିବସ, ବୁଧବାର ସନ୍ଧ୍ୟା ଝୁମି ଥିଲା ବଲିଉଡ୍ ଗାୟିକା ନେହା କକ୍କର୍ ଙ୍କ ରିମିକ୍ସରେ..
ବ୍ରହ୍ମପୁରରୁ ଫଟୋ ଓ ରିପୋର୍ଟ ଏମ. ଗୋପୀକ୍ରିଷ୍ଣା, ୨୮ ଡ଼ିସେମ୍ବର: ଗୋପାଳପୁର ବେଳାଭୂମୀରେ ଗତ ୨୪ ତାରିଖରୁ ଚାଲି ଥିବା ବେଳାଭୂମୀ ମହୋତ୍ସବ ଗୁରୁବାର ଶେଷ ହେବାକୁ ଯାଉଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଂଚ ଦିନ ଧରି ଏହି ମହୋତ୍ସବ ଲକ୍ଷାଧିକ ଦର୍ଶକଙ୍କ ମନୋରଂଜନ କରିଥିଲା । ବଲିଉଡ୍ ସଂଗୀତ ଜଗତର ଷ୍ଟାର୍ ଗାୟକ ହିମେଶ ରେଶମିଆ ମହୋତ୍ସବର ଦ୍ୱିତୀୟ ଦିବସର ମୁଖ୍ୟ ଆକର୍ଷଣ ଥିବା ବେଳେ ପ୍ରଖ୍ୟାତ ବଲିଉଡ୍ ରିମିକ୍ସ ଗାୟିକା ନେହା କକ୍କର୍ ବୁଧବାର ଚତୁର୍ଥ ଦିବସର ଆକର୍ଷଣ ଥିଲେ । ଏହା ଛଡା ୨୭ ତାରିଖ ସନ୍ଧ୍ୟାରେ ଫୁଲବାଣୀର କଳାକାରଙ୍କ ପକ୍ଷରୁ ଆଦିବାସୀ ଲୋକ ନୃତ୍ୟ ଏବଂ ବ୍ରହ୍ମପୁର ସହରର ଦୁଇଟି ଅନୁଷ୍ଠାନ ପକ୍ଷରୁ ବ୍ରେକ୍ ଓ ଅନ୍ୟାନ୍ୟ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହାକି ଉପସ୍ଥିତ ଲକ୍ଷାଧିକ ଦର୍ଶକଙ୍କ ମନୋରଂଜନ କରିଥିଲା । ଗୋପାଳପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ପରିଚାଳିତ ଏହି ମହୋତ୍ସବରେ ଗଞ୍ଜାମ ଜିଲ୍ଲା ହୋଟେଲ ଆସୋସିଏସନ୍ ଏବଂ କିଛି ସମ୍ବାଦପତ୍ର ଓ ୱେବ୍ ସାମ୍ବାଦିକଙ୍କୁ କୋଣଠେସା କରା ଯାଇଥିବା ଅସନ୍ତୋଷର କାରଣ ହୋଇଛି । ବିଗତ ବର୍ଷମାନଙ୍କରେ ଗଞ୍ଜାମ ଜିଲ୍ଲା ହୋଟେଲ ଆସୋସିଏସନ୍ ଜିଲ୍ଲା ପ୍ରଶାସନର ସହାୟତାରେ ଏହି ମହୋତ୍ସବ ଆୟୋଜନ କରୁଥିଲା । ଏବେ ହୋଟେଲ ଆସୋସିଏସନ୍ କୁ କୋଣଠେସା କରି ପ୍ରଶାସନ ମହୋତ୍ସବକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରଗୁଡିକ ପ୍ରତି ଦେଶ, ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସକାଶେ ଗୋପାଳପୁର ବିଚ୍ ଫେଷ୍ଟିବଲ୍ ବା ବେଳାଭୂମୀ ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ଆୟୋଜକମାନେ ଜିଲ୍ଲାର ହୋଟେଲ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ସଂଗଠନ ଏବଂ ସାମ୍ବାଦିକମାନଙ୍କୁ ମହୋତ୍ସବ ସହ ସଂଶ୍ଲଷ୍ଟ ନ କରିବା ଏବଂ ପାଶ୍ ଦେବାରେ ପାତରଅନ୍ତର କରିବା ବାସ୍ତବ ଲକ୍ଷ୍ୟ ହାସଲ ହୋବରେ କେତେଦୂର ସହାୟକ ହେବ ବୋଲି ପ୍ରଶ୍ନ ହେଉଛି । ତେବେ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସକାଶେ ମହୋତ୍ସବରେ ଲକ୍ଷାଧିକ ଜନସମାଗମ ହେଉ ଥିବାରୁ ଆସନ୍ତ ବର୍ଷ ଅଧିକ ୧୦ ହଜାର ସିଟିଂ ବ୍ୟବସ୍ଥା କରାଯିବ ବୋଲି ବୁଧବାର ଦିନ ଉଭୟ ଗୋପାଳପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ଉତ୍ସବ ସ୍ଥଳରେ ଘୋଷଣା କରିଥିବା ସୂଚନା ମିଳିଛି । ଗୁରୁବାର ମହୋତ୍ସବର ଶେଷ ଦିବସ ହୋଇ ଥିବାରୁ ପୂର୍ବ ବର୍ଷମାନଙ୍କ ଅଭିଜ୍ଞତାକୁ ଆଖିରେ ରଖି ବ୍ୟାପକ ପୁଲିସ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS