ଓଡ଼ିଶା ପୁଲିସ ଏତେ ଅସହାୟ କାହିଁକି ?
-ପ୍ରସାଦ ରାଓ –
ଭୁବନେଶ୍ୱର, ୩୦।୧୨: କୁନ୍ଦୁଲି ଗଣ-ଦୁଷ୍କର୍ମ ମାମଲାରେ ଓଡ଼ିଶା ପୁଲିସର ଅସହାୟତା ସ୍ପଷ୍ଟ ବାରି ହେଉଛି । ୟୁନିଫର୍ମରେ ଥିବା ଚାରି ଜଣ ଯବାନ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଜରକ ବାରମ୍ବାର ଅଭିଯୋଗ କରୁଥିବା ବେଳେ ପୁଲିସ ଦୁଷ୍କର୍ମ ହୋଇ ନାହିଁ କହି ଏହି ଅଭିଯୋଗକୁ ଏଡାଇ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମ୍ ବ୍ରାଂଚ୍ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇ ନିଜର ଦାୟିତ୍ୱ ସାରିଛନ୍ତି । ପୀଡ଼ିତାଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଓ ପାଠ ପଢିବା ସୁବିଧା କରାଇ ସରକାର ମାମଲାର ପୂର୍ଣ୍ଣଛେଦ ଟାଣିବା ଉଦ୍ୟମ କରିଛନ୍ତି । ତେବେ, ପୀଡ଼ିତା ଜଣକ ସୁଯୋଗ ପାଇବା କ୍ଷଣି ତାଙ୍କ ପ୍ରତି ଗଣ-ଦୁଷ୍କର୍ମ ହୋଇଥିବା ଅଭିଯୋଗକୁ ଦୋହରାଇ ପୁଲିସକୁ କାଠଗଡ଼ାରେ ଠିଆ କରୁଥିବାରୁ ବାସ୍ତବତା କଣ ଜାଣିବା ସକାଶେ ସାଧାରଣରେ ଉତ୍ସୁକତା ବଢୁଛି । ପୁଲିସର ପ୍ରତିରକ୍ଷାତ୍ମକ ଆଚରଣ ସନେ୍ଦହକୁ ଅଧିକ ଘନୀଭୂତ କରୁଛି ।
ଏହି ମାମଲା କିଛି ଦିନ ଧରି ଥଣ୍ଡା ବାକ୍ସକୁ ଚାଲି ଯିବାରୁ ପୁଲିସ ଆଶ୍ୱସ୍ତ ହୋଇଥିଲେ । ତେବେ, ଶୁକ୍ରବାର (୨୯ତାରିଖ) ଦିନ ପୀଡ଼ିତା ଜଣକ ଦେଇ ଥିବା ବିଷ୍ଫୋରକ ବୟାନ ପୁଣି ଥରେ ପୁଲିସକୁ ସନେ୍ଦହ ଘେରକୁ ଟାଣିଛି । ସିଭିଲ ସୋାସାଇଟି ପକ୍ଷରୁ ଲୋହିଆ ଏକାଡେମୀରେ ଜନଶୁଣାଣୀ ଚାଲି ଥିବା ବେଳେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ମୂଷାଗୁଡା ଗ୍ରାମର ଏହି ପୀଡ଼ିତା ଜଣକ ସେଠାରେ ହାଜର ହୋଇ ବୟାନ ଦେବା ସହ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି । ଗତ ଅଗଷ୍ଟ ମାସ ତୃତୀୟ ସପ୍ତାହରେ ସେ କୁନ୍ଦୁଲି ବଜାରକୁ ଫଟୋ ଉଠାଇବା ପରେ ନିଜ ଗାଁକୁ ଫେରୁଥିବା ବେଳେ ତିନି ଜଣ ପୁଲିସ ତାଙ୍କୁ ବାଟରୁ ଟେକି ନେଇ ନିକଟସ୍ଥ ଜଂଗଲରେ ଗଣ-ଦୁଷ୍କର୍ମ କରିଥିବା ପୀଡ଼ିତା ଦୋହରାଇଛନ୍ତି । କୋରାପୁଟ ମେଡ଼ିକାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ପୁଲିସ ମୁଖ୍ୟ ତାଙ୍କ ନିକଟରେ ପହଂଚି ୯୦ ହଜାର ଟଙ୍କା ଯଚି ଥିଲେ ଏବଂ ଏକ ସାଧା କାଗଜରେ ଦସ୍ତଖତ କରିବାକୁ ତାଙ୍କୁ କୁହା ଯାଇଥିଲା ବୋଲି ମଧ୍ୟ ପୀଡ଼ିତା ଅଭିଯୋଗ କରିବା ପରେ ମାମଲା ଅଧିକ ସ୍ପର୍ଶକାତର ହୋଇ ପଡିଛି । ଏତାଲା ପ୍ରତ୍ୟାହାର ପାଇଁ ସେ ରାଜି ନ ହେବାରୁ ତାଙ୍କ ପରିବାରକୁ ପୁଲିସ ଧମକଚମକ ଦେଉଛି ବୋଲି ମଧ୍ୟ ପୀଡିତା ସିଭିଲ ସୋସାଇଟିକୁ କହିଛନ୍ତି । କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା ବିଳମ୍ବରେ ହେଳେ ମଧ୍ୟ ଏଭଳି ବିଷ୍ଫୋରକ ବୟାନ ଦେଇ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ବିବାଦ ଭିତରକୁ ଟାଣିବା ସମସ୍ତଙ୍କୁ ଚକିତ କରିଛି । ରାଜ୍ୟ ପୁଲିସ ମୁଖ୍ୟାଳୟ ପୀଡ଼ିତାଙ୍କ ଅଭିଯୋଗ ‘ମିଛ’ ବୋଲି ପାଲଟା ବିବୃତି ଦେଇ ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହୋଇଥିବା ଅବିଶ୍ୱାସକୁ ଦୂର କରିବା ପାଇଁ ଉଦ୍ୟମ କରିଛି । ତେବେ, ପୁଲିସର ଏଭଳି ଥଣ୍ଡା ପ୍ରତିକ୍ରିୟା ସନେ୍ଦହକୁ ଦୂର କରିବା ବଦଳରେ ବହୁଗୁଣିତ କରିଛି । ଗଣ-ଦୁଷ୍କର୍ମ ଅଭିଯୋଗ ଯଦି ମିଛ ମୋତେ ଫାଶୀ ଦିଆଯାଉ କହି ପୀଡ଼ିତା ଜଣକ ପୁଲିସର ଗାରିମାକୁ ଆହ୍ୱାନ ଦେଇ ଥିବା ବେଳେ ପ୍ରକୃତ ଘଟଣା କଣ ପଦାକୁ ନ ଆଣି ରାଜ୍ୟ ପୁଲିସ ନୀରବ ରହୁ ଥିବା ହିଁ ପୁଲିସର ଦୁର୍ବଳତାକୁ ପଦାରେ ପକାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୀଡ଼ିିତା ଜଣକ ଯଦି ମିଛ କହୁଛନ୍ତି ତେବେ ପୁଲିସ ମେଡ଼ିକାଲ ରିପୋର୍ଟ ଓ ପୁଲିସ ତଦନ୍ତ ରିପୋର୍ଟ ସର୍ବ ସମ୍ମୁଖରେ ଉପସ୍ଥାପନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା । କିନ୍ତୁୁ, ପୁଲିସ ଏହି କଥିତ ‘ରେଡ୍ ଫ୍ଲାଗ୍’ ମାମଲାକୁ ଯେଉଁ ଭଳି ଭାବରେ ଛାତି ଭିତରେ ଚପାଇ ରଖିବାକୁ ଉଦ୍ୟମ କରୁଛନ୍ତି ତାହା ପୀଡ଼ିତାଙ୍କ ଅଭିଯୋଗକୁ ଅଧିକ ଶକ୍ତିଶାଳୀ କରିଛି । ପାଂଚ ମାସ ହେଲା ପୀଡ଼ିତା ଓ ପୁଲିସ ମଧ୍ୟରେ ଲୁଚକାଳି ଚାଲି ଥିବା ବେଳେ ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି । ରାଜ୍ୟ କ୍ରାଇମ୍ ବ୍ରାଂଚ୍ ର ତଦନ୍ତ କେତେଦୂର ଗଲା, ତାହା ମଧ୍ୟ ସରକାର ଖୁଲାସା କରୁ ନାହାନ୍ତି।
ଗତ ଅଗଷ୍ଟ ମାସରେ ଏହି ବହୁଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣା ଘଟି ଥିଲା । ହାଇସ୍କୁଲରେ ପଢୁ ଥିବା ନାବାଳିକା ପୀଡିତା ଜଣକ କୁନ୍ଦୁଲି ହାଟରୁ ଗାଁକୁ ଫେରୁ ଥିବା ସମୟରେ ଗାଁ ନିକଟସ୍ଥ ଜଙ୍ଗଲରେ ତାଙ୍କ ପ୍ରତି ଗଣ-ଦୁଷ୍କର୍ମ ହୋଇଥିବା ସେ ଅଭିଯୋଗ କରିଥିଲେ । ରାଜ୍ୟ ପୁଲିସ ଡ଼ିଜି ଏହାକୁ ‘ରେଡ୍ ଫ୍ଲାଗ୍’ ମାମଲା ଭାବେ ପଂଜୀକରଣ କରି ତଦନ୍ତ କରାଇ ଥିଲେ । ଗଣ-ଦୁଷ୍କର୍ମ ମାମଲାର ତଦନ୍ତ ଦୃତ ଗତିରେ ଚାଲିଛି, ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପୁଲିସ ତଦନ୍ତର କିଛି ଦିନ ପରେ ମାଓବାଦୀ ବା ପୁଲିସ ଗଣ-ଦୁଷ୍କର୍ମରେ ସଂପୃକ୍ତ ନାହାନ୍ତି କହି ନାବାଳିକର ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଜେରା କରି ଥିଲେ । ଘରୋଇ ଶତୃତାରୁ ଏହା ଘଟିଥିବା ସେତେବେଳେ ପୁଲିସ ପକ୍ଷରୁ କୁହା ଗଲା । ପୁଲିସ ଜେରା ପରେ ଜଣେ ଯୁବକକୁ ରାଜଧାନୀକୁ ଆଣି ଯାଇ ମିଛ-ଧରା ପରୀକ୍ଷା ମଧ୍ୟ କରା ଗଲା । କିନ୍ତୁ, ସନ୍ଦଗ୍ଧ ଯୁବକଙ୍କ ବିରୋଧରେ କାଣିଚାଏ ପ୍ରମାଣ ନ ମିଳିବାରୁ ପୁଲିସ ବାଧ୍ୟ ହୋଇ ସେମାନଙ୍କୁ ଛାଡି ଦେଇ ଥିଲେ । ପୁଲିସ ତଦନ୍ତ ଦିଗହରା ଥିବା ବେଳେ ରାଜ୍ୟ ବିଜେଡ଼ି ଦଳିତ ସେଲ୍ ଅଧ୍ୟକ୍ଷ ବିଷ୍ଣୁ ଦାସ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ପୀଡ଼ିତାଙ୍କ ପରିବାର ଓ ଗ୍ରାମବାସୀଙ୍କୁ ଭେଟି ଆଲୋଚନା କରି ଥିଲେ । ପରେ, ସେ ରାଜଧାନୀ ଫେରି ପୀଡ଼ିତାଙ୍କ ପ୍ରତି ଗଣ-ଦୁଷ୍କର୍ମ ହୋଇଥିବା ଏବଂ ଏଥିରେ ରାଜ୍ୟ ପୁଲିସ୍ର ମାଓ-ବିରୋଧୀ ଅପରେସନ୍ରେ ସଂପୃକ୍ତ କିଛି ଯବାନ ସଂପୃକ୍ତ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ଚାଂଚଲ୍ୟ ଖେଳାଇ ଦେଇ ଥିଲେ । ତେବେ, କିଛି ଘଂଟା ପରେ ସେ ତାଙ୍କ ବୟାନ ବଦଳାଇବାକୁ ବାଧ୍ୟ ହୋଇଥିଲେ । କୁନ୍ଦୁଲି ଗଣ-ଦୁଷ୍କର୍ମ ମାମଲା ଏଭଳି ଏକ ବିବଦମାନ ମୋଡରେ ଥିବା ସମୟରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀ କରି ଏକାଧିକ ମେଡ଼ିକାଲ ତଦନ୍ତ ରିପୋର୍ଟ ଭିତ୍ତିରେ ପୀଡ଼ିତାଙ୍କ ପ୍ରତି ମୋଟେ ଦୁଷ୍କର୍ମ ହୋଇ ନାହିଁ ବୋଲି କହି ସମସ୍ତଙ୍କୁ ଚକିତ କରିଥିଲେ। ରାଜ୍ୟ ପୁଲିସ ମୁଖ୍ୟ ମଧ୍ୟ ଏହାକୁ ଅନୁମୋଦନ ଦେଇ ଥିଲେ ।
ଯଦି ମୋଟେ ଦୁଷ୍କର୍ମ ହୋଇ ନାହିଁ, ପୁଲିସ ଏତେ ଦିନ ଧରି କାହିଁକି ଘଟଣା ଉପରେ ଚକାମାଡ଼ି ବସି ରହି ଥିଲେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠି ଥିଲା । ତେବେ, ପୀଡ଼ିତାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବାରୁ ମାନସିକ ବିଶେଷଜ୍ଞଙ୍କ ଦ୍ୱାରା କାଉନସିଲିଂ ଚାଲି ଥିବା କୁହାଯାଇଥିଲା । ରାଜ୍ୟ ପୁଲିସ ମୁଖ୍ୟ ଏହା କହିଥିବା ବେଳେ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିବା ଏବଂ ମାମଲାର କ୍ରାଇମ୍ ବ୍ରାଂଚ୍ ତଦନ୍ତ ନିଦେ୍ର୍ଦଶ ଦେବା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ରାଜ୍ୟ ପୁଲିସ ପୁଣି ଥରେ ସନେ୍ଦହ ଘେରକୁ ଟାଣି ହୋଇ ଥିଲା । ଇତି ମଧ୍ୟରେ ପୀଡିତା ୫୦ ହଜାର ଟଙ୍କା ସହାୟତା ପାଇଛନ୍ତି । ବିଭିନ୍ନ ସମୟରେ ତାଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ ହେଉଛି । ସେ ପାଠପଢା ଜାରି ରଖିବାକୁ ଚାହିଁବାରୁ ସରକାର ଆବାସିକ ବିଦ୍ୟାଳୟରେ ସେ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତଥାପି ପୀଡ଼ିତା ଶୁକ୍ରବାର ଦିନ ସିଭିଲ ସୋସାଇଟିର ଜନଶୁଣାଣୀରେ ହାଜର ହୋଇ ତାଙ୍କ ପ୍ରତି ଗଣ-ଦୁଷ୍କର୍ମ ହୋଇଥିବା ଅଭିଯୋଗକୁ ଦୋହରାଇବା ସହ ରାଜ୍ୟ ପୁଲିସ ଡ଼ିଜିଙ୍କୁ ବିବାଦ ଘେରକୁ ଟାଣିବା ରାଜ୍ୟ ପୁଲିସ ଇତିହାସରେ ଏକ ବିରଳ ଘଟଣା ଭାବେ ବିଚାର କରାଯାଉଛି । ସର୍ବଦା ଆଗ୍ରେସିଭ୍ ମୁଡ଼୍ରେ ରହୁ ଥିବା ଓଡ଼ିଶା ପୁଲିସ କୁନ୍ଦୁଲି ଗଣ-ଦୁଷ୍କର୍ମ ଘଟଣାରେ କାହିଁକି ଯେ ପାଦେ ପଛକୁ ଫେରି ପ୍ରତିରକ୍ଷାତ୍ମକ ଭୂମିକାରେ ରହୁଛନ୍ତି (!) ଜଣାପଡୁ ନାହିଁ ।
କେବଳ କୁନ୍ଦୁଲି ଗଣ-ଦୁଷ୍କର୍ମ ପୀଡ଼ିତା ନୁହନ୍ତି, ଶୁକ୍ରବାର ଜନଶୁଣାଣୀରେ ୭ ଜଣ ପୀଡ଼ିତା ହାଜର ହୋଇ ଅବସରପ୍ରାପ୍ତ ବିଚାରପତି ହୃଦୟ ବଲ୍ଲଭ ଦାଶ, ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ ମିଶ୍ର, ସ୍ୱେଚ୍ଛାସେବୀ ଅପର୍ଣ୍ଣା ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖଙ୍କ ସମ୍ମୁଖରେ ସେମାନଙ୍କ ନିର୍ଯାତନାର କାହାଣୀ ବର୍ଣ୍ଣନା କରିଥିବା ସୂଚନା ମିଳିଛି । ମାନବାଧିକାର କର୍ମୀ ପ୍ରଦୀପ ପ୍ରଧାନ ଏହାର ସଂଯୋଜନା କରିଥିଲେ । ପୁରୀ ଜିଲ୍ଲାର ଡ଼େଲାଙ୍ଗ, ଯାଜପୁର ଜିଲ୍ଲାର ସୁକିନ୍ଦା, କେନ୍ଦ୍ରାପଡା ଜିଲ୍ଲାର ଅଡଗାଁ, କୋରାପୁଟ ଓ ନୟାଗଡ ଜିଲ୍ଲାରୁ ଏହି ୭ ଜଣ ପୀଡ଼ିତା ଆସିଥିଲେ । ଜଣେ ପୀଡ଼ିତା ମୟୁରଭଂଜ ଜିଲ୍ଲାପାଳଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଥିବା ପ୍ରକାଶ । ରାଜ୍ୟ ସରକାର ଗୋଟିଏ ପଟେ ପୀଡ଼ିତା ମହିଳାଙ୍କ ଅଭିଯୋଗକୁ ତୁରନ୍ତ ଲିପିବଦ୍ଧ କରି କାର୍ଯ୍ୟାନୁଷ୍ଠା ଗ୍ରହଣ କରିବାକୁ ପୁଲିସ ଓ ପ୍ରଶାସନକୁ ନିଦେ୍ର୍ଦଶ ଦେଉଥିବା ବେଳେ ଅନ୍ୟପଟେ ବିଭିନ୍ନ କାରଣ ଦେଖାଇ ମାମଲା ଚପାଇବା ଉଦ୍ୟମ କରୁଥିବା ସରକାରଙ୍କ ମତିଗତି ନେଇ ସନେ୍ଦହ ସୃଷ୍ଟି କରୁଛି । ରାୟଗଡା ଜିଲ୍ଲା କାଶୀପୁରର ଶିକ୍ଷା ସହାୟିକା ଇତିଶ୍ରୀ ପ୍ରଧାନଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରି ପାରିଲେ ନାହିଁ । ଘଟଣାର ସିବିଆ ତଦନ୍ତ ହେଲା । ସିବିଆଇ ମଧ୍ୟ ମୁଖ୍ୟ ଅଭିଯୁକ୍ତ କିଏ ଖୋଜି ପାଇଲା ନାହିଁ । ଯେମିତି କି ମହାଶୂନ୍ୟରେ ସବୁ ତଥ୍ୟ, ପ୍ରମାଣ ମିଳାଇ ଯାଇଛି । ମୁଖ୍ୟ ଅଭିଯୁକ୍ତ କିଏ ଚିହ୍ନଟ କରିବାରେ ବିଫଳ ହେବା ପରେ ମାମଲାର ତଦନ୍ତ ବନ୍ଦ କରିବା ସକାଶେ ନିଦେ୍ର୍ଦଶ ଦେବାକୁ ସିବିଆଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କଲେ । ସୁପ୍ରିମ କୋର୍ଟ ମଧ୍ୟ ମାମଲାର ତଦନ୍ତ ବନ୍ଦ ପାଇଁ ନିଦେ୍ର୍ଦଶ ଦେଇ ଇତିଶ୍ରୀଙ୍କ ପରିବାର ନ୍ୟାୟ ପାଇବାର ଆଶାକୁ ‘ଇତି’ କରି ଦେଇଛନ୍ତି । ଏହା ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଦକ୍ଷତା ଓ ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇତିଶ୍ରୀଙ୍କ ଭଳି କୁନ୍ଦୁଲି ପୀଡ଼ିତା ମଧ୍ୟ ନ୍ୟାୟ ପଛରେ ଗୋଡାଇ ଶେଷରେ କିଛି ଅଘଟଣର ଶିକାର ନ ହେବେ, ସେ ଗ୍ୟାରେଂଟି କଣ ସରକାର ଦେଇ ପାରିବେ ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS