ବିଜେଡ଼ି ମନ୍ତ୍ରୀ ପରିଷଦରୁ ବିତାଡ଼ିତ ଦାମ ବାବୁ ଏବେ ନାୟକ ନା ଖଳନାୟକ ଭୂମିକାରେ ?
ଭୁବନେଶ୍ୱର, ୩୦ ଡ଼ିସେମ୍ବର : ନିକଟରେ ବିଜେଡ଼ି ମନ୍ତ୍ରୀ ପରିଷଦରୁ ବିତାଡ଼ିତ ହୋଇଥିବା ପୂର୍ବତନ କୃଷି ମନ୍ତ୍ରୀ ଡ. ଦାମୋଦର ରାଉତ ଏବେ ହିରୋ ନା ଖଳନାୟକ (?), ଜନ ସାଧାରଣରେ ଏହା ତର୍ଜମାର ବିଷୟ ହୋଇଛି । ଦାମଙ୍କ ମୁଖୁରାପଣରେ କ୍ଷୁବ୍ଧ ହୋଇ ବିଜେଡ଼ି ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ତାଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦ ଓ ପରେ ବିଜେଡ଼ି ଉପ ସଭାପତି ପଦରୁ ବହିଷ୍କାର କରି ଖଳନାୟକ ସଜାଇ ଦେଇଛନ୍ତି । ବିଜେଡ଼ିର ବିଂଶତମ ପ୍ରତିଷ୍ଠା ଦିବସ ପାଳନର ଠିକ୍ ପୂର୍ବରୁ ତାଙ୍କୁ ଦଳର ଉପ ସଭାପତି ପଦରୁ ହଟାଇ ଦିଆଯିବା ଦାମଙ୍କୁ ବେଶ୍ ବାଧିଛି । ତେବେ, ସେ ପଦାରେ ନ ପଡ଼ି ନିର୍ବାଚନ ମଂଡଳୀର ଦଳୀୟ ନେତା ଓ କର୍ମୀଙ୍କୁ ତାଳବଣିଆ ସଭାକୁ ପଠାଇ ଦାୟିତ୍ୱ ସଂପାଦନ କରିଥିଲେ । ପୂର୍ବତନ କୃଷି ମନ୍ତ୍ରୀ ଡ. ରାଉତଙ୍କୁ ମନ୍ତ୍ରୀ ପରିଷଦ ଓ ଦଳର ଉପ ସଭାପତି ପଦରୁ ବହିଷ୍କାର କରାଯିବାର ପ୍ରଭାବ କର୍ମକ୍ଷେତ୍ର ପାରାଦୀପ, ତିର୍ତୋଲ ଓ ଜଗତସିଂହପୁରରେ ଅନୁଭୂତ ହେବ ବୋଲି ପ୍ରଥମେ ଆଶଙ୍କା କରାଯାଉଥିଲା । ତାହା ନହୋଇ ଉପାନ୍ତ ରାୟଗଡା ଜିଲ୍ଲାର ବିଷମକଟକ ଓ ମୁନିଗୁଡ଼ା ଅଂଚଳରେ ନାଲି ବ୍ୟାନର ଲଗା ଯିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି । ଜଣେ ଉପକୂଳିଆ ନେତାଙ୍କ ପାଇଁ ସିପିଆଇ ଆଦିବାସୀ ସଂଘ ରାୟଗଡା ଡ଼ିଭିଜନ ଏଭଳି ବ୍ୟାନର ଲଗାଇବା (ଯାହାକି ନକ୍ସଲମାନଙ୍କ ନାଲି ବ୍ୟାନର ଭଳି ଲାଗୁଛି) ଏବଂ ଏହି ବ୍ୟାନରେ ପୁର୍ବତନ ମନ୍ତ୍ରୀ ଡ. ରାଉତଙ୍କୁ ଆଦିବାସୀଙ୍କ ଭଗବାନ ବୋଲି ଦର୍ଶାଯାଇ ସସମ୍ମାନେ ତାଙ୍କୁ ମନ୍ତ୍ରୀ ପଦ ପୁନଃ ଅବସ୍ଥାପିତ କରା ନ ଗଲେ ଛଅ ହଜାର ଆଦିବାସୀ ଚାଷୀ ଓ ମୂଲିଆ ଏକାତ୍ରିତ ହୋଇ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବେ ଏବଂ ଆବଶ୍ୟକ ପଡିଲେ ବିଜେପିରେ ସାମିଲ ହେବେ ବୋଲି ଚେତାବନୀ ଦିଆଯିବା କେମିତି ଅସ୍ୱାଭାବିକ ମନେ ହେଉଛି ।
ସିପିଆଇ ଆଦିବାସୀ ସଂଘ ରାୟଗଡା ଡ଼ିଭିଜନ ନା’ରେ ବ୍ୟାନର ମରା ଯାଇଥିବା ବେଳେ ସରକାର କଥା ନ ମାନିଲେ ସେମାନେ ବିଜେପିରେ ସାମିଲ ହେବେ ବୋଲି ବ୍ୟାନରରେ ଯେଉଁ ଧମକ ଦିଆଯାଇଛି ତାହାକୁ ସହଜରେ କେହି ହଜମ କରିପାରୁ ନାହାନ୍ତି । କାରଣ, ଦକ୍ଷିଣପନ୍ଥୀ ବିଜେପିକୁ ନକ୍ସଲ୍ ଓ କମ୍ୟୁନିଷ୍ଟ ସଂଗଠନ ମାନେ ସବୁ ବେଳେ ନିଜର ବଡ ଶତୃ ଭାବେ ବିଚାର କରି ଆସିଛନ୍ତି । ସେମାନେ ଦାମଙ୍କ ବହିଷ୍କାରକୁ ନେଇ ଯଦି ସେତେଦୂର କ୍ଷୁବ୍ଧ, ମନ୍ତ୍ରୀ ପଦରେ ଦାମଙ୍କୁ ପୁନଃ ଅବସ୍ଥାପିତ କରା ନ ଗଲେ ନକ୍ସଲ ସଂଗଠନ ବା କମ୍ୟୁନିଷ୍ଟଙ୍କ ଆଡୁ ସରକାରଙ୍କ ବିରୋଧରେ ଆନେ୍ଦାଳନର ଧମକ ଦେଇ ଥା’ନ୍ତେ । ତାହା ନ କରି ସେମାନେ ବିଜେପିରେ ସାମିଲ ହେବାକୁ ଧମକ ଦେବା ଦ୍ୱାରା ଏହା ପଛରେ ଉପକୂଳ ଓଡ଼ିଶାର େକୌଣସି ବିଜେଡ଼ି ନେତା ବା ଅବିଭକ୍ତ କୋରାପୁଟ ଜିଲ୍ଲାର କୌଣସି ବିଜେପି ଆଦିବାସୀ ନେତାଙ୍କ ହାତ ଥିବା ସନେ୍ଦହ ଦୃଢ ହେଉଛି । ରାୟଗଡା ଜିଲ୍ଲା ପୁଲିସ ବିଷମକଟକ ଓ ମୁନିଗୁଡ଼ା ବ୍ଲକର କିଛି ଅଂଚଳରେ ଲାଗି ଥିବା ଏହି ନାଲି ବ୍ୟାନରକୁ ନେଇ ସନେ୍ଦହ ପ୍ରକାଶ କରିଛନ୍ତି । ଜିଲ୍ଲାରେ ଏଭଳି କୌଣସି ଚାଷୀ, ମୂଲିଆ ସଂଗଠନ ନ ଥିବା ଦର୍ଶାଇ ଏହାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛନ୍ତି । ବ୍ୟାନର ଗୁଡ଼ିକ ଜାଲ୍ ବୋଲି ମଧ୍ୟ ପୁଲିସ ପକ୍ଷରୁ କୁହାଯାଇଛି । ଚିଟ୍ ଫଣ୍ଡ୍ କେଲେଙ୍କାରୀ ସଂପୃକ୍ତ ବିଜେଡ଼ିର ଦୁଇ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ସଂଜୟ ଦାଶବର୍ମାଙ୍କ ସମେତ କଟକ ଜିଲ୍ଲାର ଜଣେ ଟାଣୁଆ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆଦିବାସୀଙ୍କ ହୀତ ପାଇଁ ସର୍ବଦା କାର୍ଯ୍ୟ କରି ଆସି ଥିବା ଡ. ରାଉତଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରିବା କ୍ଷୋଭର ବିଷୟ ବୋଲି ତଥାକଥିତ ସିପିଆଇ ଆଦିବାସୀ ସଂଗଠନ କହିଛି ଏବଂବ୍ୟାନର ମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାରଙ୍କୁ ଉପରୋକ୍ତ ଚେତାବନୀ ଦେଇଛି ।
ଏହି ବ୍ୟାନରକୁ ନେଇ ସରକାରଙ୍କ ଆଡୁ ଖୋଳତାଡ ଚାଲି ଥିବ ଏବଂ ପୁଲିସ ଓ ଗୁଇନ୍ଦା ବିଭାଗ ବ୍ୟାନର ଲଗାଇ ଥିବା ଲୋକଙ୍କୁ ଠାବ କରିବାକୁ ସବୁ ପ୍ରକାର କୌଣଳ କରିବେ, ଏଥିରେ କୌଣସି ସନେ୍ଦହ ନାହିଁ । ତେବେ, ଏଥିରେ ଡ. ଦାମୋଦର ରାଉତଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସଂପୃକ୍ତି ପ୍ରମାଣିତ ହେବା ଆଶା କ୍ଷୀଣ । ତେବେ, ବିଜେଡ଼ି ରାଜନେତାମାନେ କହିବା ଅନୁଯାୟୀ, ଦାମ ବାବୁଙ୍କ ଭଳି ଜଣେ ଅତି ଅଭିଜ୍ଞ ରାଜନେତା ପ୍ରଥମେ ମନ୍ତ୍ରୀ ପରିଷଦରୁ ଓ ଦିନକ ପରେ ଦଳର ଉପ ସଭାପତି ପଦରୁ ବହିଷ୍କୃତ ହୋଇ ନୀରବରେ ବସି ଯିବେ ବୋଲି ଭାବିବା ମୁର୍ଖାମୀ । ଏଭଳି ଅପମାନକୁ ସେ ସହଜରେ ହଜମ କରି ନ ଥିବେ । ତେବେ, ତାଙ୍କୁ ବହିଷ୍କାର କରାଯିବା ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ନ ପାଇ ସୂଦୁର ରାୟଗଡା ଜିଲ୍ଲାରେ ତାହାର ପ୍ରଭାବ ଦେଖିବାକୁ ମିଳିବା ହିଁ ରାଜନୀତିର ଅଭାସ ଦେଉଛି । ନିର୍ବାଚନ ମଣ୍ଡଳୀରେ ବିରୋଧ ହେଲେ ସିଧାସଲଖ ଦାମ ବାବୁଙ୍କ ଦାୟି କରାଯାଇ ଦଳରୁ ବିଦାୟ କରିବା କଥା ଉଠିବ । ତେଣୁ, ସେ ତାହା କରାଇ ନ ଦେଇ ୨୬ ତାରିଖ ବିଜେଡ଼ି ପ୍ରତିଷ୍ଠା ଉତ୍ସବକୁ ପୁଅଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଓ କର୍ମୀଙ୍କୁ ପୁରୀ ତାଳବଣିଆ ସଭାକୁ ପଠାଇଲେ । ତାଙ୍କ ବହିଷ୍କାର ବିରୋଧରେ ସିପିଆଇ ଆଦିବାସୀ ସଂଗଠନ ନା’ରେ ରାୟଗଡା ଜିଲ୍ଲାର ବିଷମକଟକ ଓ ମୁନିଗୁଡ଼ାରେ ପ୍ରତିବାଦର ସ୍ୱର ଶୁଭିଲା । ଚିଟ୍ ଫଣ୍ଡ୍ କେଳେଙ୍କାରୀ କଥା ଉଠାଇ ନବୀନ ଓ ଦଳର ଉପକୂଳିଆ ନେତାଙ୍କ ବିରୋଧରେ କୁହୁଳୁ ଥିବା ନିଆଁକୁ ପୁଣି ଥରେ ଜଳିବାକୁ ହାୱା ଦିଆ ଗଲା । ନିକଟରେ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଥିବା ଜଣେ ଅବିଭକ୍ତ କୋରାପୁଟିଆ ପୂର୍ବତନ ସାଂସଦଙ୍କ ସାହାୟତାରେ ଏହା ହୋଇ ଥାଇ ପାରେ ବୋଲି ମଧ୍ୟ ଦଳ ସନେ୍ଦହ କରୁଛି ।
ଦାମ ବାବୁ କୃଷି ମନ୍ତ୍ରୀ ଥିବା ଅବସ୍ଥାରେ ମାଲକାନଗିରି ଜିଲ୍ଲାର ମାଲ୍ୟବନ୍ତ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଆଦିବାସୀଙ୍କୁ ପ୍ରଶଂସା କରିବା ସହ ବାହ୍ମଣ ସମାଜ ଛାତିରେ ନିଆଁ ଲଗାଇ ଥିଲେ । ଆଦିବାସୀମାନେ ସ୍ୱାଭିମାନୀ ଓ କାହା ଆଗରେ ହାତ ପତାନ୍ତି ନାହିଁ । ବ୍ରହ୍ମଣମାନେ ହିଁ ହାତ ପତାନ୍ତି ବୋଲି ମନ୍ତବ୍ୟ ଦେଇ ସେ ସାରା ରାଜ୍ୟର ବ୍ରାହ୍ମଣ ସମାଜର ଆକ୍ରୋଶର ଶିକାର ହୋଇଛନ୍ତି । ଡ଼ିସେମ୍ବର ୨୬ ତାରିଖ ବିଜେଡ଼ିର ବିଂଶତମ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଦାମଙ୍କ ଏହି ବିବୃତି ପ୍ରତିଷ୍ଠାଦିବସର ଆୟୋଜନ ଚାଲିଥିବା ପୁରୀ ସହରରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଂଚଳରେ ନିଆଁ ଲଗାଇ ଥିଲା । ବ୍ରାହ୍ମଣ ସମାଜ ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବାକୁ ଦାବି ଯୋର୍ ଧରିବାରୁ ସରକାର ପ୍ରମାଦ ଗଣି ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ବ୍ରାହ୍ମଣ ସମାଜର ଆକ୍ରୋଶରୁ ବର୍ତିବା ପାଇଁ ପ୍ରଥମେ ଦାମଙ୍କୁ ମନ୍ତ୍ରୀ ପରିଷଦରୁ ଏବଂ ଗୋଟିଏ ଦିନ ବ୍ୟବଧାନରେ ଦଳର ଉପ ସଭାପତି ପଦରୁ ବହିଷ୍କାର କରି ନିଆଁ ଲିଭାଇବାର ପ୍ରୟାସ କରିଥିଲେ । ଦଳର ପ୍ରତିଷ୍ଠା ଉତ୍ସବରୁ ମଧ୍ୟ ତାଙ୍କୁ ଦୂରେଇ ରଖା ଯାଇ ଥିଲା । ଏହି କାର୍ଯ୍ୟାନୁଷ୍ଠାନ ପେର ଦଳର ପ୍ରତିଷ୍ଠା ଉତ୍ସବ ପାଳନ ସୁରଖୁରରେ ସରିଲା ସିନା ଦାମଙ୍କ ବିରୋଧରେ ବ୍ରାହ୍ମଣ ସମାଜର କ୍ରୋଧ ପ୍ରସମିତ ହୋଇ ନାହିଁ । ତାଙ୍କୁ ବିଜେଡ଼ିରୁ ବହିଷ୍କାର କରିବା ସକାଶେ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । ନବୀନ ଚାପର ସମ୍ମୁଖୀନ ହୋଇ ତାଙ୍କୁ ଦଳରୁ ବହିଷ୍କାର କଲେ ବିଜେପିକୁ ଯିବାର ବାଟ ଖୋଲା ରଖିବା ସକାଶେ ବିଷମକଟକ ଓ ମୁନିଗଡାରେ ଏଭଳି ଖେଳ ହୋଇ ଥିବା ସନେ୍ଦହ କରାଯାଉଛି । ଦାମଙ୍କ ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦରୁ ବିଦାୟ ହୋଇଥିବା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ସଂଜୟ ଦାଶବର୍ମା ଓ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ଉପକୂଳିଆ ନେତା ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତାଇ ଏଭଳି କାର୍ଯ୍ୟାନୁଷ୍ଠାନର ସୂତ୍ରପାତ କରି ଥିବା ଦାମ ସନେ୍ଦହ କରୁ ଥିବାରୁ ଆଦିବାସୀ ସମାଜ ନା’ରେ ରାୟଗଡା ଜିଲ୍ଲାରେ ମରାଯାଇଥିବା ବ୍ୟାନରେ ଏହି ଉପକୂଳିଆ ନେତାଙ୍କ ଛିଟ୍ଫଣ୍ଡ୍ ସଂପୃକ୍ତିକୁ ପଦାରେ ପକା ଯାଇଛି । ଆଦିବାସୀଙ୍କ ଦେବତା ସାଜି ଥିବା ଦାମ ବାବୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ପରେ ମୁହଁରେ ତୁଂଡି ବାନ୍ଧି ଥିଲେ ବି କାମରେ ନାୟକ ନା ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି (?) ବୋଲି ପ୍ରଶ୍ନ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS