୩୨ତମ ନାଟକ ମହୋତ୍ସବ, ତୃତୀୟ ସନ୍ଧ୍ୟାର ନାଟକ ଥିଲା ‘ସ୍ୱୟଂ ବ୍ରହ୍ମା’


(ସମୀକ୍ଷା – ଶିବ ପ୍ରସାଦ ଦାସ)
ରାଉରକେଲା, ୫ ଜାନୁଆରୀ: କଲଚରାଲ ଏକାଡେମୀ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଂଟର୍ ଠାରେ ଚାଲି ଥିବା ୩୨ତମ ଲୋକନାଟକ ମହୋସôବର ତୃତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ବଲାଙ୍ଗୀର ନାଟ୍ୟ ଅନୁଷ୍ଠାନ ‘କ୍ରାନ୍ତିଧାରା’ର କଳାକାର ମାନଙ୍କ ଦ୍ୱାରା ପରିବେଷିତ ନାଟକ ‘ସ୍ୱୟଂ ବ୍ରହ୍ମା’ । ଅବଦୁଲ ଜମାଲ ଖାନ୍ଂକ ରଚିତ ଓ ଆକ୍ରମ ଦୁରାନୀଙ୍କ ନିଦେ୍ର୍ଦଶିତ ଏହି ନାଟକଟି ଦର୍ଶକଙ୍କ ମନକୁ ଛୁଇଁ ଥିଲା । ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ମହା ପରିଚାଳକ ପ୍ରବୋଧ ରଂଜନ ପାଢ଼ୀ ଓ ଉପ ମହା ପରିଚାଳକ ହୀରାଲାଲ ମହାପାତ୍ର ପ୍ରଦୀପ ପ୍ରଜ୍ଜଳନ କରି ତୃତୀୟ ସନ୍ଧ୍ୟାର ମହୋତ୍ସବକୁ ଉଦ୍ ଘାଟନ କରିଥିବା ବେଳେ ଅନୁଷ୍ଠାନର ସଭାପତି ଡ. ପ୍ରଭାତ ମଲ୍ଲିକ ସଭାପତିତ୍ୱ କରିଥିଲେ ଏବଂ ସାଧାରଣ ସଂପାଦକ ଅକ୍ଷୟ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବଲାଙ୍ଗୀରର କଥିତ ଭାଷାରେ ରଚିତ ନାଟକ ‘ସ୍ୱୟଂବ୍ରହ୍ମା’ର ଶଦ୍ଦ ସଂଯୋଜନା ଯେତିକି ଆକର୍ଷଣୀୟ ଥିଲା ସେତିକି ହୃଦୟସ୍ପର୍ଶୀ ଥିଲା କଳାକାରଙ୍କ ଅଭିନୟ ଓ ବିଷୟବସ୍ତୁ । ରାଉରକେଲାର ଶୀତୁଆ ସନ୍ଧ୍ୟାରେ ନାଟକ ‘ସ୍ୱୟଂବ୍ରହ୍ମା’ ଭରି ଦେଇଥିଲା ମାଦକତା ଓ ଉଷ୍ଣତା ।
‘ସ୍ୱୟଂ ବ୍ରହ୍ମା’ ନାଟକ ସାଂପ୍ରତିକ ଶାସନ ବ୍ୟବସ୍ଥାରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ପର୍ଯ୍ୟବେଶିତ । ଜଣେ ଯାଦୁଗର ତା’ର ଯାଦୁ ବଳରେ ତା ଚେଲାକୁ ନେଇଛି ଏକ ସ୍ୱପ୍ନ ରାଇଜକୁ । ଯେଉଁଠାରେ କି ମଣିଷ ଗୁଡା ଦେଖିବାକୁ ଆମ ଭଳି, କିନ୍ତୁ ଉଚ୍ଚତା ଆମରି ଅଧା । ଆଉ ସେଠି ଏବେ ବି ରାଜତନ୍ତ୍ର ବଂଚି ରହିଛି । ମଧ୍ୟଯୁଗୀୟ ବ୍ୟବସ୍ଥା ପରି ଏବେ ମଧ୍ୟ ସେଠି ରାଜାଙ୍କ ମିଛ ପ୍ରଶସ୍ତିଗାନ ଚାଲିଛି । ଆଉ ସେଥିରେ ରାଜା ବେଶ୍ ଖୁସି ଅନୁଭବ କରିବା ସହ ବିଳାଶବ୍ୟସନ ଜୀବନ ବିତାଉଛନ୍ତି। ପରିଷଦବର୍ଗ ରାଜାଙ୍କ ମିଥ୍ୟା ଗୁଣଗାନ କରି ଯଶ ଓ ଖ୍ୟାତିର ଅଧିକାରୀ ହୋଇଛନ୍ତି । ଏମିତି ସମୟରେ ରାଜ୍ୟରେ କୁଶସାନ ବିରୋଧରେ ସବୁ ବର୍ଗରୁ ବିଦ୍ରୋହର ସ୍ୱର ଶୁଭିଛି । ରାଜା ଏହାର କାରଣ ଜାଣିବାକୁ ଚାହିଁଛନ୍ତି ଏବଂ ଶେଷରେ ସେ ଲୋକ ପ୍ରତିନିଧିଙ୍କ ଠାରୁ ଜାଣିବାକୁ ପାଇଛନ୍ତି ଯେ ବିଦ୍ରୋହର ମୁଖ୍ୟ କାରଣ ହେଉଛି ମାତ୍ରାଧିକ ଭ୍ରଷ୍ଟାଚାର । ସେ ଏହାର କାରଣ ଖୋଜିବା ଲାଗି ଏକ କମିଟି ଗଠନ କରିଛନ୍ତି ଏବଂ ଏହି କମିଟି ରାଜାଙ୍କୁ ଏହାର ସମାଧାନ ଭାରତରେ ଥିବା ଜଣେ ସନ୍ନ୍ୟାସୀ କରି ପାରିବେ ବୋଲି ପରାମର୍ଶ ଦେଇଛି । ରାଜା ଏକ ମନ୍ତ୍ରୀସ୍ତରୀୟ ଉଚ୍ଚ କ୍ଷମତା ସଂପନ୍ନ କମିଟି ଏହାର ଅନୁଧ୍ୟାନ ଲାଗି ଗଠନ କରିଛନ୍ତି । ଶେଷରେ ଏହି କମିଟି ଭାରତ ଭ୍ରମଣରେ ଯାଇ ଭାରତରେ କିପରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା ସବୁଠି ଭ୍ରଷ୍ଟାଚାର ରହିଛି ତାହା ଦେଖିଛନ୍ତି । ମିଛ ସାହିତ୍ୟ, କାମଳ ସମ୍ବାଦିକତା, ଠକ ସାଧୁ, ଭ୍ରଷ୍ଟ ଶାସକ ଓ ବିରୋଧୀ , ଶୋଷିତ ଜନତା – ଏପରି ଅନେକ କଥା ଦେଖିବାକୁ ପାଇଛନ୍ତି ଏବଂ ଶେଷରେ ଖୋଜୁ ଥିବା ସାଧୁଙ୍କ ଦର୍ଶନ ପାଇଛନ୍ତି। ରାଜ୍ୟରୁ ଭ୍ରଷ୍ଟାଚାରର ବିଲୋପ ଲାଗି ସାଧୁ ତାଙ୍କୁ ୧୦୦୦ ସ୍ୱର୍ଣ୍ଣ ମୁଦ୍ରା ଦାବି କରିଛନ୍ତି । ଶେଷରେ ସେହି କାଳ୍ପନିକ ରାଜ୍ୟର ମନ୍ତ୍ରୀ ପରିଷଦ ସାଧୁଙ୍କ କଥାରେ ରାଜି ହେବା ସହ ସାଧୁଙ୍କୁ ନିଜ ଦେଶକୁ ନେଇଛନ୍ତି । ସାଧୁଙ୍କ ପରାମର୍ଶ କ୍ରମେ ସେଠାରେ ସମସ୍ତ କଳ କାରଖାନାରୁ ଉତ୍ପାଦନ ବନ୍ଦ କରାଯାଇ ସାଧୁ କହିବା ମୁତାବକ ଦେଶବାସୀ ଧାରଣ କରିବା ନିମନ୍ତେ କେବଳ ‘ଭ୍ରଷ୍ଟାଚାର ବିଲୋପ ତାବିଜ୍’ ଉତ୍ପାଦନ କରାଯାଇଛି । ଦେଶର ସମସ୍ତ ନାଗରିକଙ୍କୁ ଏହି ତାବିଜ୍ ଧାରଣ କରାଇବା ସକାଶେ ରାଜ୍ୟର ସମସ୍ତ ରାଜ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ, ପୁନଃ ରାଜ୍ୟରେ ଶାସନ ବ୍ୟବସ୍ଥା ବିରୋଧରେ ବିଦ୍ରୋହର ଧ୍ୱନି ଶୁଭିଛି । ରାଜା ଅନୁଭବ କରିଛନ୍ତି ଯେ, ଦୁର୍ନୀତିିର ବିଲୋପ ଲାଗି ସେ କରିଥିବା ତଦନ୍ତ କମିଟି, ଉଚ୍ଚସ୍ତରୀୟ ମନ୍ତ୍ରୀ ପରିଷଦ, ମନ୍ତ୍ରୀଙ୍କ ବିଦେଶ ଭ୍ରମଣ, ତାବିଜ୍ ତିଆରି, ତାବିଜ୍ ଧାରଣ ନିମନ୍ତେ ସରକାରୀ କଳର ବ୍ୟବହାର ଓ ପ୍ରଚାର ମାଧ୍ୟମ ଲାଗି ଯେଉଁ ସମୟ ଓ ଅର୍ଥ ବ୍ୟୟ ହୋଇଛି ସବୁ ବ୍ୟର୍ଥ । ଭାରତରୁ ଆସିଥିବା ସନ୍ନ୍ୟାସୀ ଏଥିଲାଗି ଦାୟୀ ବୋଲି ସେ ହୃଦବୋଧ କରିଛନ୍ତି। ପୁଣି ଥରେ ସେ ସନ୍ନ୍ୟାସୀଙ୍କୁ ନିଜ ରାଜ୍ୟକୁ ଆଣିବା ସହ ଏହାର କାରଣ ପଚାରିଛନ୍ତି । ଉାରତର ସନ୍ନ୍ୟାସୀ ଜଣଙ୍କ କହିଛନ୍ତି, ମଣିଷ ଜନ୍ମ ମାତ୍ରକେ ତାର ମାଂସ, ହାଡରେ ଦୁର୍ନୀତି ଅସ୍ଥି ମଜ୍ଜାଗତ ହୋଇଛି । ତେଣୁ ରାଜତନ୍ତ୍ର ହେଉ ବା ଗଣତନ୍ତ୍ର – ସିଂହାସନରେ ଯିଏ ବି ବସୁ, ସେ ‘ସ୍ୱୟଂବ୍ରହ୍ମା’ ହୋଇଥା’ନ୍ତୁ, ଭ୍ରଷ୍ଟାଚାରର ବିଲୋପ କରି ପାରିବେ ନାହିଁ । କେବଳ ମାନସିକତାରେ ପରିବର୍ତନ ହେଲେ ଯାଇ ଏହା କିଛି ମାତ୍ରାରେ ବିଲୋପ ହୋଇ ପାରିବ ।
ନାଟକର ମଂଚସଜ୍ଜା ଓ ଆଲୋକ ସଜ୍ଜା ବେଶ୍ ମନୋରମ ଥିଲା । ଅଧିକାଂଶ କଳାକାର ଥିଲେ ଯୁବବର୍ଗର । ନାଟକଟି ବେଶ୍ ମନଛୁଆଁ ହୋଇ ଥିଲା ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS