କଲଚରାଲ ଏକାଡେମୀର ନାଟକ ମହୋତ୍ସବ, ପଂଚମ ଦିନ ନାଟକ ‘ସମୟର ଆହ୍ୱାନ’ ମଂଚସ୍ଥ
ରାଉରକେଲା,୭ ଜାନୁୟାରୀ: କଲଚରାଲ ଏକାଡେମୀ ଆନୁକୁଲ୍ୟରେ ଏଠାରେ ଚାଲି ଥିବା ୩୨ ତମ ଲୋକ ନାଟକ ମହୋସôବର ପଂଚମ ଦିବସରେ ୬ ତାରିଖ ବାଲେଶ୍ୱରର ନାଟ୍ୟ ଅନୁଷ୍ଠାନ ‘ଶୋଭା’ ପକ୍ଷରୁ ରବିନ୍ଦ୍ରନାଥ ବେହେରାଙ୍କ ରଚିତ ଓ ରାମଚନ୍ଦ୍ର ମହାପାତ୍ରଙ୍କ ନିଦେ୍ର୍ଦଶିତ ନାଟକ ‘ସମୟର ଆହ୍ୱାନ’ ମଂଚସ୍ଥ ହୋଇ ଯାଇଛି । ଶନିବାର ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ ରାଉରକେଲାର ପ୍ରତିଷ୍ଠିତ ଅନୁଷ୍ଠାନ ‘ରିମ୍ସ’ର ଅଧ୍ୟକ୍ଷା ସୁଶ୍ରୀ ନଳିନୀପ୍ରଭା ପଟ୍ଟନାୟକ । ରାଉରକେଲା ନାଟ୍ୟ ସଂସ୍କୃତିକୁ କଲଚରାଲ ଏକାଡେମୀର ଅବଦାନ ପ୍ରଶଂସନୀୟ ବୋଲି ସେ ତାଙ୍କ ଭାଷଣରେ କହି ଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ଡ. ଶ୍ରୀକାନ୍ତ ମହାନ୍ତି, ଡା କୃପାସିନ୍ଧୁ ନାୟକ , କୈଳାଶ ଚନ୍ଦ୍ର ସାବତ, ଦେବ ରାୟ , ବିଚିତ୍ରାନନ୍ଦ ସାହୁ , ଡ. ନଗେନ ଦାଶ , ନିର୍ମଳ ବାସା , କାଶୀନାଥ ପାତ୍ର , ସୁକାନ୍ତ ଖୁଂଟିଆ, କିଶୋର ବେହେରା, ଆଡଭୋକେଟ ବବିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
ସହରର ବିକାଶ ନାଁରେ ରାସ୍ତା ମଝିରେ ବିଭିନ୍ନ କାରଣରୁ ଖୋଳା ଯାଇଥିବା ଗାତଗୁଡିକୁ ଠିକ୍ ସମୟରେ ପୋତା ଯାଉ ନ ଥିବାରୁ ବିଭିନ୍ନ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଏହି ନାଟକର ଚରିତ୍ରରେ ଥିବା ଜଣେ ନିର୍ମାଣ ଶ୍ରମିକ ଏଭଳି ଏକ ଗାତ ଭିତରକୁ ଖସି ପଡିଛି । ଗାତଟି ବହୁତ ଦୀର୍ଘ ହୋଇ ଥିବାରୁ ତାହା ଭିତରୁ ସେ ବହାରି ନ ପାରି ଉଦ୍ଧାର କରିବା ସକାଶେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ବିକଳରେ ଅନୁରୋଧ କରୁଛି । ତାର ବିକଳ ଆର୍ତନାଦ ଶୁଣି କିଛି ଲୋକ ଶୁଣି ନ ଶୁଣିଲା ପରି ଚାଲ ିଯାଉଛନ୍ତି ତ ଆଉ କିଛି ତାକୁ ବିଦୃପ କରୁଛନ୍ତି । ନାଟକ ଛଳରେ ନାଟ୍ୟକାର ବିଭିନ୍ନ ବର୍ଗର ଚରିତ୍ରକୁ ରାସ୍ତାର ପଥିକ ଭାବେ ନାଟକ ‘ସମୟର ଆହ୍ୱାନ’ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ସେହି ରାସ୍ତା ଦେଇ ମୁନସିପାଲିଟି କର୍ମଚାରୀ, ପୋଲିସ୍, ଚିଟ୍ଫଂଡ କ୍ଷତିଗ୍ରସ୍ତ ଜମାକାରୀ, ମଦ ବିରୋଧୀ ଆନେ୍ଦାଳନକାରୀ, ନେତା, ସାଧୁ ସନ୍ଥ – ଏଭଳି ବିଭିନ୍ନ ବର୍ଗର ବ୍ୟକ୍ତି ଯାଇଛନ୍ତି । ସମସ୍ତଙ୍କୁ ସେ ଗାତରୁ ଉଦ୍ଧାର କରିବା ପାଇଁ ଆକୁଳ ଭାବେ ନିବେଦନ କରିଛି । କେହି ତା’ ପ୍ରତି ଦୟା ଭାବ ପ୍ରଦର୍ଶନ କରିଛି ତ ଆଉ କେହି ତାକୁ ଏଥି ଲାଗି ଦୋଷୀ କରିଛନ୍ତି । ସେ ଗାତ ଭିତରେ ପଡି ରହି ରାସ୍ତା ଦେଇ ଯାଉଥିବା ଲୋକମାନଙ୍କ କଥାବାର୍ତାରୁ ସମାଜର ବାସ୍ତବ ଚିତ୍ରକୁ ଲକ୍ଷ୍ୟ କରିଛିି ଏବଂ ଅନୁଭବ କରିଛି ଯେ ଶିଲ୍ପର ଅଭ୍ୟୁଦୟ ସହ ମଣିଷ ମନର ମାନବିକତା କ୍ରମଶଃ ଲୋପ ପାଇ ଯାଇଛି । ମଣିଷ ଅର୍ଥ ଓ ସ୍ୱାର୍ଥ କାଙ୍ଗାଳ ହୋଇଯାଇଛି । ଶେଷରେ ତା’ ସ୍ତ୍ରୀ ତାକୁ ଖୋଜି ଖୋଜି ଆସି ସେହି ଗାତ ପାଖରେ ପହଂଚିଛି ଓ ତା’କୁ ଗାତରୁ ଉଦ୍ଧାର କରିବାକୁ ଉଦ୍ୟମ କରି ଗାତ ଭିତରେ ଖସି ପଡିଛି । ଏହି ସମୟରେ ଜଣେ ପାଗଳ ତାକୁ ସେହି ଗାତରୁ ରକ୍ଷା କରିବାକୁ ଆଗେଇ ଆସିଛି । ରାସ୍ତା ଦେଇ ଯାଉଥିବା ଶ୍ରମିକ ଶୋଭାଯାତ୍ରାକାରୀଙ୍କୁ ଅଟକାଇ ନାଟକର ମୁଖ୍ୟ ଚରିତ୍ର ନିର୍ମାଣ ଶ୍ରମିକ ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଛି । ତେବେ, ଶ୍ରମିକଟି ଦୁଃଖ ଓ କୋହଭରା କଣ୍ଠରେ ବାହାରକୁ ବାହାରିବାକୁ ମନା କରିଛି । କହିଛି, ଏହି କୋଳାହଳପୂର୍ଣ୍ଣ ବସ୍ତୁବାଦୀ ସମାଜକୁ ଫେରିବା ଅପେକ୍ଷା ଗାତ ଭିତର ବେଶ୍ ନିରାପଦ । ମୃତ୍ୟୁ ପର୍ଯ୍ୟନ୍ତ ସେ ତାହା ଭିତରେ ଅପେକ୍ଷା କରିବାକୁ ଚାହେଁ । ଶେଷରେ ଶ୍ରମିକ ଭାଇମାନେ ଉଭୟଙ୍କୁ ଗାତ ବାହାରକୁ ବାହାର କରିଛନ୍ତି ।
ନାଟକରେ ଗୁରୁ କିଶୋର ନନ୍ଦ ସଂଗୀତ ନିଦେ୍ର୍ଦଶନା ଦେଇ ଥିବା ବେଳେ ସନ୍ତୋଷ କମିଳା,ଭୁବନେଶ୍ୱର, ଅଭିଜିତ୍ ପ୍ରମୁଖ ମଂଚସଜ୍ଜା କରିଥିଲେ । ଅଭିନୟ କରିଥିଲେ – ଆଶିଷ, ଅର୍ଣ୍ଣବ,ମଦନ ମୋହନ,ଚନ୍ଦ୍ରଶେଖର,ସୁବ୍ରତ ଧଳ, ଦୁର୍ଗା ନାୟକ,ସ୍ୱପ୍ନେଶ ପାଢ଼ୀ,ଶୁଭଙ୍କର ବର୍ଦ୍ଧନ,ଦେବାନନ୍ଦ ମହାପାତ୍ର , ସୁଶାନ୍ତ ବେହେରା , ମାମା ମିଶ୍ର , ସୋନାଲୀ ସ୍ୱାତୀ ରେଖା, ରବିନ୍ଦ୍ର ବେହେରା ପ୍ରମୁଖ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS