ରକ୍ତ ରାଜନୀତି !


– ପ୍ରସାଦ ରାଓ –
ଭୁବନେଶ୍ୱର, ୧୧ ଜାନୁୟାରୀ: ରାଜନୀତିକୁ ନେଇ ରକ୍ତ ବହିବା କିଛି ନୂଆ କଥା ନୁହେଁ । ଇତିହାସରେ ଏହାର ବହୁ ନଜିର ରହିଛି । ଆଧୁନିକ ସମାଜରେ ମଧ୍ୟ ରାଜନୀତିକୁ ନେଇ ରକ୍ତ ବହୁଛି । ତାହା ଗୋ-ରକ୍ଷା ନା’ରେ ହେଉ ବା ଦଳିତ-ବିରୋଧୀ ଆଭିମୁଖ୍ୟକୁ ନେଇ ହେଉ । ଖବରଦାତା ବି ବାଦ ପଡୁ ନାହାନ୍ତି ଏହି ରକ୍ତର ହୋଲି ଖେଳରୁ । ତେବେ, ରକ୍ତକୁ ନେଇ ରାଜନୀତି ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ସମାଜ ସହ ସଂପର୍କ ଯୋଡିବା ନା’ରେ ପ୍ରତି ବର୍ଷ ରାଜ୍ୟରେ ରକ୍ତଦାନ ଶିବିର ସଂଖ୍ୟା ବଢିବାରେ ଲାଗିଛି । ରାଜନେତାମାନେ ବ୍ୟବସାୟ ଓ ପତିଆରା ବଢାଇବା ପାଇଁ ରକ୍ତ ସଂଗ୍ରହକୁ ମାଧ୍ୟମ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏହି ମାଧ୍ୟମକୁ ଆପଣାଇ ନିଜର ପତିଆରା ବଢାଇବା ଦୌଡରେ ପଛାଇ ନାହାନ୍ତି ।
ନିକଟରେ ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବର୍ତମାନର ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ଜନ୍ମ ଦିବସରେ ଏକ ରକ୍ତଦାନ ଶିବାର ଆୟୋଜନ ହୋଇଥିଲା । ତାଙ୍କ ଶୁଭେଚ୍ଛୁମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ରକ୍ତଦାନ ଶିବରରେ କେତେ ସଂଖ୍ୟାରେ ରକ୍ତଦାନ ହେଲା, ତାହା ଭିନ୍ନ କଥା । କିନ୍ତୁ, ଏହାକୁ ନେଇ ରାଜନୈତିକ ମହଲରେ ଯେଉଁ ଚର୍ଚ୍ଚା ହେଲା, ତାହା ଗୁରୁତ୍ୱ ରଖୁଛି । ପୂର୍ବରୁ କିଛି ବର୍ଷ ହେଲା କବିସୂର୍ଯ୍ୟ ନଗର ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମ ଦିନରେ ତାଙ୍କ ସମର୍ଥକଙ୍କ ଆଡୁ ଖଲ୍ଲିକୋଟରେ ରକ୍ତଦାନ ଶିବିର ମାନ ଆୟୋଜନ ହୋଇ ଆସୁଛି । ଦିଲ୍ଲୀପ ରାୟ, ସୁଜ୍ଞାନ କୁମାରୀ ଦେଓ କେବଳ ନୁହନ୍ତି, ଅନ୍ୟ ଛୋଟ ବଡ ରାଜନେତା ମାଧ୍ୟ ସମୟ, ସୁଯୋଗ ଦେଖି ରକ୍ତଦାନ ଶିବିରମାନ ଆୟୋଜନ କରୁଛନ୍ତି ଏବଂ ରକ୍ତଦାତାମାନେ ବିଭିନ୍ନ ଶିବିରରେ ସ୍ୱେଚ୍ଛାକୃତ ରକ୍ତଦାନ କରି ପୁଣ୍ୟ ଅର୍ଜନ କରୁଛନ୍ତି । କିଛି ବ୍ୟବସାୟିକ ସଂସ୍ଥାର ସିଏସଆର୍ କାର୍ଯ୍ୟକ୍ରମର ଏହା ଅଂଶବିଶେଷ ହୋଇଛି । ନିଜ ବ୍ୟବସାୟ ବା ଶିଳ୍ପ ସଂସ୍ଥାର ଲାଭାଂଶ ଅନ୍ୟ କୌଣସି କାମରେ ବିନିଯୋଗ କରିବା ଅପେକ୍ଷା ସ୍ୱେଚ୍ଛାସେବୀ ଅନୁଷ୍ଠାନଟିଏ ଗଢି ତାହା ମାଧ୍ୟମରେ ସେହି ଅର୍ଥ ବିନିଯୋଗ କରିବା ଏବେ ଫେସନ୍ ରେ ପରିଣତ ହୋଇଥିବା ବେଳେ ପରବର୍ତୀ ସମୟରେ ତାହା ରାଜନୀତି ପାଇଁ ବ୍ୟବହାର ହେଉଛି । ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ରକ୍ତଦାନ ଶିବିର ଓ ରକ୍ତଦାତାଙ୍କ ସଂଖ୍ୟା ବଢୁଛି ସିନା ବାସ୍ତବରେ ଆବଶ୍ୟକତା ସମୟରେ ରକ୍ତ କିଣିବାକୁ ସକ୍ଷମ ନ ଥିବା ଗରୀବ ଲୋକଙ୍କୁ ସେହି ରକ୍ତ ମିଳୁଛି କି ନାହିଁ ତାହା ଅନୁଧ୍ୟାନ କରିବାକୁ କେହି ନାହିଁ । ସ୍ୱଇଚ୍ଛାରେ ରକ୍ତ ଦାନ ଶିବିର ଆୟୋଜନ କରୁଥିବା ସଂସ୍ଥାମାନଙ୍କୁ ରେଡକ୍ରସ୍ ସଂସ୍ଥା ପକ୍ଷରୁ ଶିବିର ମାନଙ୍କରେ ହେଉଥିବା ରକ୍ତଦାନ ସଂଖ୍ୟାର ଶତକଡା ୧୦ ଭାଗ କୁପନ ଆକାରରେ ଦିଆଯାଏ । ସେହି କୁପନ ସ୍ୱେଚ୍ଛାକୃତ ରକ୍ତଦାନ କରିଥିବା ଦାତାମାନଙ୍କୁ ସେମାନଙ୍କ ଆବଶ୍ୟକତା ସମୟରେ ଦିଆଯିବା ନିୟମ ଥିବା ବେଳେ ତାହା ମିଳୁଛି କି ନାହିଁ ଦେଖିବାକୁ ଶିବିର ଆୟାଜନ କରୁଥିବା ସଂସ୍ଥାଙ୍କ ପାଖରେ ସମୟ ନାହିଁ । ଏପରିକି, ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଡାଟା ବେସ୍ ପ୍ରସ୍ତୁତ କରିବାରେ ଅନେକ ସଂସ୍ଥା ଧ୍ୟାନ ଦେଉ ନ ଥିବାରୁ ଜରୁରୀ ଚିକିତ୍ସା ସମୟରେ ଗୋଟିଏ ‘ରେୟାର ଗୃପ୍’ର ରକ୍ତ କାହାଠାରୁ ମିଳିବ ଜାଣିବା ମୁସ୍କିଲ ହେଉଛି । ପ୍ରତିଦିନ ‘ହ୍ୱାଟସ୍ ଆପ୍’ରେ ଦେଖିବାକୁ ମିଳୁଛି ‘ରେୟାର୍ ଗୃପ୍’ର ରକ୍ତ ପାଇଁ ଆକୁଳ ଆବେଦନ । ଭାଗ୍ୟ ଭଲ ଥିଲେ ମିଳୁଛି, ନ ହେଲେ ଏକ୍ସଚେଂଜ୍ ରେ ସଂଗ୍ରହ କରିବାକୁ ପଡୁଛି । ଏକ୍ସଚେଂଜ୍ ରେ ରକ୍ତ ଦେଲା ଭଳି ଦାତା ଯୋଗାଡ କରିବାକୁ ସରକାରୀ ଓ ଘରୋଇ ଚିକିତ୍ସାଳୟ ନିକଟରେ ଦଲାଲଙ୍କର ମଧ୍ୟ ଅଭାବ ନାହିଁ । ପ୍ରତି ବର୍ଷ ବିଭିନ୍ନ ଶିବିର ମାଧ୍ୟରେ ସଂଗ୍ରହ କରା ଯାଉଥିବା ରକ୍ତରୁ କିଛି ଭାଗ ସମୟ ଅତିକ୍ରମ ହୋଇ ନଷ୍ଟ ହେଉଥିବା ଖବରକାଗଜରେ ପ୍ରକାଶ ପାଉ ଥିବା ବେଳେ ଜରୁରୀ ଆବଶ୍ୟକ ବେଳେ ଗରୀବ ରୋଗୀଙ୍କୁ ତାହା ମିଳୁ ନାହିଁ କାହିଁକି (?) ବୋଲି ପ୍ରଶ୍ନ ହେବା ସ୍ୱାଭାବିକ ।
ତେବେ, ରାଜ୍ୟରେ ରକ୍ତଦାନ ଶିବିର ସଂଖ୍ୟା ବଢିବା ପରେ ଅଶି ଓ ନବେ ଦଶକରେ ଚାଲି ଥିବା ରକ୍ତର ଦଲାଲି ବହୁମାତ୍ରାରେ ନିୟନ୍ତ୍ରଣ ହୋଇ ଥିବା ଏକ ସୁଖଦ ଖବର । ଅଶି, ନବେ ଦଶକରେ ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କ୍ ଗୁଡ଼ିକ ନିକଟରେ ରକ୍ତ ବିକୁ ଥିବା ଦଲାଲ ଓ ପେଶାଦାର ରକ୍ତଦାତାଙ୍କ ଭିଡ଼ ଜମୁଥିଲା । ରେଡ଼କ୍ରସ୍ ବ୍ଲଡ୍ ବ୍ୟାଙ୍କ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଜାଣତରେ ଏସବୁ ଚାଲି ଥିବା ସେତେବେଳେ ଅଭିଯୋଗ ହେଉଥିଲା । ରିକ୍ସା ଚାଳକ, ଦିନ ମଜୁରିଆଙ୍କ ଭଳି ପେଶାଦାର ରକ୍ତଦାତାମାନେ ଦଲାଳଙ୍କ ଇଂଗିତରେ ଅଳ୍ପ କିଛି ଅର୍ଥ ବଦଳରେ ନିୟମିତ ରକ୍ତ ଦାନ କରୁଥିଲେ । ଜରୁରୀ ଚିକିତ୍ସା ବା ଅସ୍ତ୍ରୋପଚାର ପାଇଁ ସରକାରୀ, ବେସରକାରୀ ଚିକିତ୍ସାଳୟକୁ ଆସୁ ଥିବା ରୋଗୀଙ୍କ ସଂପର୍କୀୟମାନେ ଜରୁରୀ ସମୟରେ ଚଢା ମୂଲ୍ୟ ଦେଇ ରକ୍ତ ଭଂଡାରରୁ ତାହା ସଂଗ୍ରହ କରିବାକୁ ବାଧ୍ୟ ହେଉଥିଲେ । ଅତ୍ୟନ୍ତ ଗରୀବ ଶ୍ରେଣୀର ଲୋକମାନେ ଥରେ ରକ୍ତଦାନ କରିବା ପରେ ଦ୍ୱିତୀୟ ଥର ରକ୍ତଦାନ ପାଇଁ ଯେଉଁ ସମୟ ବ୍ୟବଧାନ ରହିବା ଆବଶ୍ୟକତା, ତାହା ଅବଜ୍ଞା କରି ଅଳ୍ପ କିଛି ଅର୍ଥ ବିନିମୟରେ ବାରମ୍ବାର ରକ୍ତଦାନ କରୁଥିଲେ । ଯେଉଁ ରେଡକ୍ରସ୍ ଅଧିକାରୀମାନେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିଲେ ସେମାନଙ୍କୁ ‘ରକ୍ତଖିଆ’ ଡ଼ାକ୍ତର ନା’ ଦିଆଯାଉ ଥିଲା । ପରବର୍ତୀ ସମୟରେ ରକ୍ତଦାନ ଏକ ଆନ୍ଦୋଳନର ରୂପ ନେବା ପରେ ଏହି ଧାରା ବଦଳିଛି । ରେଡକ୍ରସ୍ ରକ୍ତ ଭଣ୍ଡାରର ଡ଼ାକ୍ତର ଓ କର୍ମଚାରୀମାନେ ତିରୋଟ୍ ସମୟକୁ ଆଖିରେ ରଖି ବର୍ଷ ସାରା ରାଜ୍ୟର ଦୁର୍ଗମ ଅଂଚଳକୁ ଯାଇ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ସଂଗ୍ରହ କରୁଛନ୍ତି । ଛୋଟ, ଛୋଟ ଶିବିର ମାଧ୍ୟମରେ ଏହା ସଂଗ୍ରହ ହେଉଛି । ବିଶେଷକରି, ଖରା ଦିନରେ ଶିବିର ଆୟୋଜନ କଷ୍ଟକର ହେଉ ଥିବାରୁ ସେହି ସମୟର ରକ୍ତର ଆବଶ୍ୟକତାକୁ ମେଂଟା ଯାଉଛି ।
ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାତା ସଂଗଠନ ରହିଛି । ବହୁ ସ୍ୱେଚ୍ଛାସେବୀ ଏହା ସହିତ ସଂପୃକ୍ତ ଅଛନ୍ତି । ସ୍ୱେଚ୍ଛାକୃତ ଭାବେ ରାକ୍ତଦାନ ଶିବିର ଆୟୋଜନ କରୁଥିବା ସଂସ୍ଥା ଓ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବା ସକାଶେ ରେଡକ୍ରସ୍ ରକ୍ତ ଭଂଡାର ପକ୍ଷରୁ ବର୍ଷକୁ ଥରେ ସର୍ବାଧିକ ସଂଖ୍ୟକ ରକ୍ତ ସଂଗ୍ରହ କରିଥିବା ସଂସ୍ଥା ଓ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ଦେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାକି ରକ୍ତସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିଛି । ସ୍ୱେଚ୍ଛାସେବୀ ସଂସ୍ଥା ‘ଆମ ଓଡ଼ିଶା’ ଓଡ଼ିଶାରେ ରକ୍ତଦାନ ଶିବିର ଆୟୋଜନର ମୂଳଦୁଆ ପକାଇ ଥିଲା । ସିଏସଆର୍ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବ୍ଲକ୍ ଓ ଗ୍ରାମାଂଚଳ ସ୍ତରକୁ ପରିବ୍ୟାପ୍ତ ହୋଇଛି । ଏଭଳି ଶିବିର ଆୟୋଜନର ରାଜନୈତିକ ଉଦ୍ଦେଶ୍ୟ ଯାହା ଥାଉନା କାହିଁକି ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ଏକ ଶିହରଣ ସୃଷ୍ଟି କରିବାରେ ଏହି ସଂଗଠନ ସଫଳ ହୋଇଛି । ଏହି ସଂଗଠନ ସହ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥାଇ ହଜାର ସଂଖ୍ୟାରେ ରକ୍ତଦାନ ଶିବିର ଆୟୋଜନ କରିଥିବା ଏହି ସମ୍ବାଦଦାତା ଏଭଳି କାର୍ଯ୍ୟକ୍ରମ ଆୟୋଜନରେ କିଭଳି ପରିଶ୍ରମ ହୁଏ ଅଙ୍ଗେ ନିଭାଇଛନ୍ତି । ସେହିଭଳି, ଅତ୍ୟନ୍ତ ଜରୁରୀ ସମୟରେ ଜଣେ ରୋଗୀକୁ ରକ୍ତ ଯୋଗାଇ ଦେବାରେ ଯେଉଁ ନୈସର୍ଗିକ ଆନନ୍ଦ ରହିଛି, ତାହା ମଧ୍ୟ ଅନୁଭବ କରିଛନ୍ତି । ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତାକୁ ବହୁ ବିଳମ୍ବରେ ହେଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ନେତୃତ୍ୱାଧୀନ ବିଜେଡ଼ି ଅନୁଭବ କରିଛି ଏବଂ କିଛି ବର୍ଷ ହେଲା ଶାସକ ଦଳ ପକ୍ଷରୁ ରକ୍ତଦାନ ଶିବରମାନ ଆୟୋଜନ କରାଯାଇ ପତିଆରା ସାଉଁଟିବାର ପ୍ରୟାସ ଚାଲିଛି ।
ରାଜ୍ୟର ଛୋଟ, ବଡ ବହୁ ସାମାଜିକ ସଂସ୍ଥା କେବଳ ନୁହନ୍ତି ବ୍ୟକ୍ତବିଶେଷ ମଧ୍ୟ ବାହାଘର, ବ୍ରତଘର, ଜନ୍ମ ଦିନରେ ରକ୍ତଦାନ ଶିବିରମାନ ଆୟୋଜନ କରି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ରାଜନେତାମାନଙ୍କ ପାଇଁ ରାଜନୈତିକ ପତିଆରା ସୃଷ୍ଟି କରିବା ସକାଶେ ଏହା ନବୀନତମ ଅସ୍ତ୍ର ହୋଇଛି । ତେଣୁ, ବିଜେପିରେ କୋଣଠେସା ହୋଇ ରହିଥିବା ବିଧାୟକ ଦିଲ୍ଲୀପ ରାୟ ପ୍ରଥମ ଥର ପାଇଁ ତାଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରି ଚର୍ଚ୍ଚାକୁ ଆସିବାରେ କିଛି ବିଚତ୍ରତା ନାହିଁ । ରକ୍ତ ସହ ରକ୍ତକୁ ଯୋଡିବା ପ୍ରକ୍ରିୟାରେ ନବୀନ, ଦିଲ୍ଲୀପ ଓ ‘ଅମ ଓଡ଼ିଶା’ ମୁଖ୍ୟ ସୌମ୍ୟ ରଂଜନ ପଟ୍ଟନାୟକ ଏକାଠି ହେଉଥିବାରୁ ଆଗାମୀ ରାଜ୍ୟସଭା ନିର୍ବାଚନ ସହ ଏହାକୁ ଯୋଡିବାକୁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ପଛାଉ ନାହାନ୍ତି । ୨୦୧୯ରେ ବିଜେପିକୁ ମାତ୍ ଦେବା ସକାଶେ ଏହା ଏକ ରାଜନୈତିକ କୌଶଳ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS