ବାଃ ରେ ପ୍ରଶାସନ… ଠିକଣା ବଦଳାଇ ସ୍ପରୂପ ବଦଳାଇ ଦେଲ ଆଦିବାସୀ ମେଳାର !
ଭୁବନେଶ୍ୱର,୨୯ ଜାନୁୟାରୀ: ପ୍ରତି ବର୍ଷ ଜାନୁୟାରୀ ୨୬ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସରୁଥିବା ‘ଆଦିବାସୀ ମେଳା’ କିଛି ବର୍ଷ ହେଲା ଲୋକପ୍ରିୟିତାର ଚରମ ସୀମାରେ ପହଂଚିଛି । ରାଜଧାନୀ ବାସିନ୍ଦା ଆଦିବାସୀ ସଂସ୍କୃତିକୁ ନିକଟରୁ ଉପଭୋଗ କରିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ଓ ସଂଗୃହୀତ ବିଭିନ୍ନ ଜଙ୍ଗଲଜାତ ସାମଗ୍ରୀ କିଣିବା ପାଇଁ ବର୍ଷର ଏହି ପ୍ରଥମ ମେଳାକୁ ଅପେକ୍ଷା କରିଥା’ନ୍ତି । ବିଶେଷକରି, କାନ୍ଦୁଲ, ସୁଆଁ, ମାଣ୍ଡିଆ, ତେନ୍ତୁଳି, ଝୁଣା, ମହୁ, ଫୁଲ ଝାଡୁ, ଜୈବିକ ଉପାୟରେ ଉତ୍ପାଦିତ ଚାଉଳ, ଡାଲି ପ୍ରଭୃତି କିଣିବା ସକାଶେ ମେଳା ସରିବା ପର୍ଯ୍ୟନ୍ତ ଭିଡ ଲାଗି ରହେ । କେବଳ ସାଧାରଣ ବର୍ଗର ନୁହନ୍ତି, ସ୍ୱଚ୍ଛଳ ବର୍ଗର ପରିବାର ମଧ୍ୟ ଦେଖିବାକୁ ମିଳନ୍ତି ଏହି ଭିଡ଼ରେ । ଆଦିବାସୀଙ୍କ ପ୍ରାକୃତିକ ପରିବେଶର ଝଲକ ସହ ସେମାନଙ୍କ ଦ୍ୱାରା ପରିବେଷଣ ହେଉ ଥିବା ନୃତ୍ୟ, ସଂଗୀତ ମନ ମୋହିଥାଏ ଦର୍ଶକଙ୍କ ।
୨୦୧୭ ଜାନୁୟାରୀ ୨୬ ପର୍ଯ୍ୟନ୍ତ ରାଜଧାନୀର ୟୁନିଟ-ଏକ ‘ଆଦିବାସୀ ପଡ଼ିଆ’ ଥିଲା ଏହି ମେଳାର ଠିକଣା । ଆଦିବାସୀ ପଡ଼ିଆର ନାମକୁ ସୁହାଇଲା ଭଳି ସେଠାକାର ପରିବେଶ ମଧ୍ୟ ସୃଷ୍ଟି ହୋଇ ସାରି ଥିଲା । ରାଜ୍ୟରେ ଥିବା ୬୪ ପ୍ରକାର ଆଦିବାସୀ ପ୍ରଜାତିଙ୍କ ଜୀବନଶୈଳୀର ଝଲକ ଦେଖିବାକୁ ମିଳୁ ଥିଲା ଏହି ମେଳାରେ । ଚାଳ ଛପର କୁଡ଼ିଆ, ଦୈନନ୍ଦିନ ସେମାନେ ବ୍ୟବହାର କରୁଥିବା ଧନୁ, ତୀର ଓ ଅନ୍ୟାନ୍ୟ ଶିକାର ଉପଯୋଗୀ ଅସ୍ତ୍ରଶସ୍ତ୍ର, ଗୋବର ଓ ନାଲି ମାଟିରେ ଲିପା ଯାଇଥିବା ଝାଟିମାଟି କୁଡ଼ିଆ ବାହାରେ ଛୋଟ ବଗିଚାରେ କୁକୁଡା ଓ ଫଳ, ପନିପରିବା ଚାଷର ଝଲକ, ଘର ଦୁଆର ମୁହଁରେ ଝୁଲୁଥିବା ବୋଇତିଆଳୁ, ତୁମ୍ବା ଏବଂ ପାହାଡ, ଜଂଗଲରେ ଚଳିବା ପାଇଁ ଆବଶ୍ୟକ ପଡୁଥିବା ବିଭିନ୍ନ ସରଂଜାମ ଥିଲା ମେଳାର ପ୍ରମୁଖ ଆକର୍ଷଣ । ବିଭିନ୍ନ ଆଦିବାସୀ ଅଂଚଳରୁ ପୁରୁଷ, ମହିଳାମାନେ ଆସି ମେଳା ପଡିଆକୁ ଆଦିବାସୀ ଗ୍ରାମର ବାସ୍ତବ ରୂପ ଦେବାରେ ଶହେ ଶତାଂଶ ଶ୍ରମଦାନ କରୁଥିଲେ । ‘ଦିଅଁ ଦେଖାକୁ କଦଳୀ ବିକା’ ନ୍ୟାୟରେ ମେଳାରେ ଆଦିବାସୀ କଳା, ସଂସ୍କୃତି, ପରଂପରା ସହ ନୃତ୍ୟ-ଗୀତ ଦେଖିବାକୁ ଏବଂ ସେମାନଙ୍କ ଦ୍ୱାରା ଉତ୍ପାଦିତ ଓ ସଂଗୃହୀତ ଜଂଗଲଜାତ ସାମଗ୍ରୀ କିଣିବାକୁ ଲକ୍ଷାଧିକ ସଂଖ୍ୟାରେ ଜନ ସମାଗମ ହୁଏ ଆଦିବାସୀ ପଡିଆରେ ।
ୟୁନିଟ-ଏକ ଆଦିବାସୀ ପଡ଼ିଆରେ ଏହି ମେଳା ପାଇଁ ମୁଖ୍ୟ ସମସ୍ୟା ଥିଲା ଅସମ୍ଭବ ଟ୍ରାଫିକ୍ ଜାମ୍ । ମେଳା ଦେଖିବାକୁ ଆସୁଥିବା ଲୋକଙ୍କ ଭିଡ଼ ପଡିଆ ବାହାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ବେଳେ ପଡିଆ ଭିତରେ ରହୁଥିଲା ଭିନ୍ନ ପରିବେଶ । ଥରେ ଆଦିବାସୀ ମେଳା ପଡିଆ ଭିତରକୁ ଚାଲି ଗଲେ ବେଶ ଖୋଲାମେଲାରେ ଘୁରି ବୁଲୁଥିଲେ ଲୋକମାନେ । ଯୁବକ, ଯୁବତୀ ସେଲ୍ଫି ନେଉ ଥିଲେ ଆଦିବାସୀଙ୍କ କୁଡ଼ିଆକୁ ପଛରେ ରଖି । ଗହଳି ଚହଳି ରହୁଥିଲା ସିନା ନିଶ୍ୱାସ ନେବାରେ ଅସୁବିଧା ନ ଥିଲା । ଯାହା କିଛି ଅଣନିଶ୍ୱାସୀ ପରିସ୍ଥିତି ସୃଷ୍ଟି ହେଉଥିଲା ବ୍ୟବସାୟିକ ଅଂଚଳରେ ଏବଂ ଆଦିବାସୀଙ୍କ ପାରଂପରିକ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଷ୍ଟଲ୍ ମାନଙ୍କରେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ନିର୍ମିତ ମଂଡପରେ ଭିଡ ରହୁ ଥିଲେ ବି ମେଳା ଅଂଚଳ ପ୍ରଶସ୍ତ ଥିବାରୁ ମଂଡପରେ ନାଚ, ଗୀତ ଚାଲି ଥିବା ସମୟରେ ବି ମେଳା ପଡିଆରେ ଘୁରି ବୁଲିବାରେ ଅସୁବିଧା ନଥିଲା । ମେଳା ପଡିଆ ବାହାରେ ହେଉଥିବା ଟ୍ରାଫିକ ସମସ୍ୟାକୁ ଦେଖି ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଏଥର ବଦଳାଇ ଦେଇଛନ୍ତି ଆଦିବାସୀ ମେଳାର ଠିକଣା । ୟୁନିଟ୍ – ୩ ‘ଇଡ୍କୋ’ ପ୍ରଦର୍ଶନୀ ପଡିଆ ହୋଇଛି ୨୦୧୮ ମେଳାର ନୂଆ ଠିକଣା ।
ଠିକଣା ବଦଳିବା ପରେ ମେଳାର ସ୍ୱରୂପ ଓ ପରିବେଶ ବଦଳି ଯାଇଛି । ପୁଲିସ ପ୍ରଶାସନ ରାମ ମନ୍ଦିର ଛକରୁ କ୍ୟାପିଟାଲ ହାଇସ୍କୁଲ ଦେଇ ୪ ନମ୍ବର ୟୁନିଟ ଛୁଉଁଥିବା ରାସ୍ତାକୁ ‘ଏକପାଖିଆ ରାସ୍ତା’ ଘୋଷଣା କରି ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିଛନ୍ତି । ଫଳରେ, ଆଦିବାସୀ ମେଳା ଚାଲି ଥିବା ପ୍ରଦର୍ଶନୀ ପଡ଼ିଆ ପର୍ଯ୍ୟନ୍ତ ଅଂଚଳ ଖୋଲା, ମେଲା ରହିଛି । ବିଗ୍ ବଜାରୁ ଆରମ୍ଭ କରି କେନ୍ଦ୍ରୀୟ ବିଦ୍ୟାଳୟ-୧ ପର୍ଯ୍ୟନ୍ତ ରାସ୍ତା କଡରେ ଥିବା ଦୋକାନ ଘର ସମ୍ମୁଖରେ ଛୋଟ, ବଡ ଗାଡି ପାର୍କିଂ କରି ମେଳାକୁ ଯିବାକୁ ପଡୁଛି । ପାର୍କି ଅଂଚଳର ପୁତିଗନ୍ଧମୟ ପରିବେଶ ‘ସ୍ୱଚ୍ଛ ଭାରତ’ ଅଭିଯାନକୁ ଖତେଇ ହେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର ଉପସ୍ଥିତି ଅନୁଭବ କରି ହେଉ ନାହିଁ । ପ୍ରଦର୍ଶନୀ ପଡିଆ ଭିତରେ ନିର୍ମିତ ଆଦିବାସୀ ଗ୍ରାମ ଅତ୍ୟନ୍ତ ସଂକୁଚିତ ଅବସ୍ଥାରେ ଥିବାରୁ ଠେଲା, ପେଲାର ମାହୋଲ ଦେଖିବାକୁ ମିଳୁଛି । ରାସ୍ତାର ସମସ୍ତ ଭିଡ଼ ଯେମିତି ସେଇ ଠାରେ ଏକତ୍ରିତ ହୋଇଛି ! ପୁଲିସ ଓ ସି.ସି କ୍ୟାମେରାର ଉପସ୍ଥିତି ସତ୍ୱେ ପଡିଆ ଭିତରର ବାତାବରଣ ଅସୁରକ୍ଷିତ ମନେ ହେଉଛି । ଆଦିବାସୀ ପଡିଆ ଭଳି ଖୋଲାମେଲା ବାତାବରଣ ଏଠାରେ ନାହିଁ । ଭିଡରେ ଚେପା ହୋଇ ଯାଉ ଥିବା ମଣିଷ ଭିତରର ଆନନ୍ଦ ନେବ କଣ, ଥରେ ପଡିଆରେ ବୁଲି କେମିତି ବାହାରି ଆସିବ ସେହି ଚିନ୍ତାରେ ରହୁଛି । ତରବରିଆ ଭାବେ ଏହି ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତ କରାଯାଇ ଆଦିବାସୀ ମେଳାର ବାତାବରଣ ଯେମିତି ଅଧୁରା ମନେ ହେଉଛି । ଆଦିବାସୀଙ୍କ ସାଂସ୍କୃତର ବାତାବରଣ ମଧ୍ୟ ବାସ୍ତବିକତା ଠାରୁ ବହୁ ଦୂରରେ । ଗୋବର ପାଣି ଓ ନାଲି ମାଟିରେ ଲିପା ଆଦିବାସୀ କୁଡ଼ିଆ ସ୍ଥାନରେ ଆଧୁନିକତାର ଝଲକ । ‘ଟାଇଲି ଛପର ଘର, ନିଆଁକୁ ନଥାଏ ଡର’ ନ୍ୟାୟରେ ପ୍ରଦର୍ଶନୀ ପଡିଆରେ ନିର୍ମିତ ଆଦିବାସୀ କୁଡ଼ିଆ ସବୁ ଟାଇଲ୍ ଛାତର ଭ୍ରମ ସୃଷ୍ଟି କରୁଛି । ବୋଧହୁଏ ପ୍ରଶାସନ ଏକ ନମ୍ବରରୁ ତିନି ନମ୍ବରକୁ ମେଳା ସ୍ଥାନାନ୍ତର କରିବା ନିଷ୍ପତ୍ତି ଚୂଡାନ୍ତ କରିବାରେ ବିଳମ୍ବ ହେଲା । ତେଣୁ, ପ୍ରଦର୍ଶନୀ ପଡିଆ ଆଦିବାସୀ ପଡିଆରେ ପଡିଆର ରୂପ ନେବାକୁ ସମୟ ପାଇ ନାହିଁ । ସବୁ କିଛି ଅଧପନ୍ତୁରିଆ ମନେ ହୋଇଛି । ଅଳ୍ପ କିଛି ଝାଟିମାଟି କୁଡ଼ିଆରୁ ଆଦିବାସୀ ସଂସ୍କୃତିର ଝଲକ ମିଳୁଛି, ଯେଉଁଠାରେ କି ଦର୍ଶକ ସଂଖ୍ୟକ ଦର୍ଶକଙ୍କ ଭିଡ ଜମୁଛି । ଫଳରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଉଛି । ମେଳା ପଡିଆର ବ୍ୟବସାୟିକ ଅଂଚଳରେ ଆଦିବାସୀ ସାମଗ୍ରୀ କିଣିବା ସକାଶେ ଭିଡ ଜମୁଛି । ସରକାରୀ ଷ୍ଟଲ୍ ମଧ୍ୟରେ କୃଷି ଓ ଉଦ୍ୟନ ବିଭାଗ ଷ୍ଟଲ୍ ରେ ‘ନଡ଼ିଆର ଜୀବନ ଚକ୍ର’ ଦେଖିବା ଓ ଫଟୋ ନେବା ପାଇଁ ବେଶ୍ ଭିଡ ହେଉଛି । ପର୍ଯ୍ୟଟନ ବିଭାଗ ଷ୍ଟଲ୍ ଫଟୋ ଚିତ୍ର ସର୍ବସ୍ୱ । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସଂପର୍କରେ ସୂଚନା ଦେବା ପାଇଁ ସୂଚନାପତ୍ର ବା ଲିଫ୍ ଲେଟ୍ ଟିଏ ମିଳୁ ନାହିଁ । ରବିବାର ଦିନ ଏହି ଷ୍ଟଲ୍ ରେ ଉପସ୍ଥିତ ବିଭାଗୀୟ କର୍ମଚାରୀଙ୍କୁ ପ୍ରଶ୍ନ କରିବାରୁ ଉତ୍ତର ମିଳିଲା – ପୂରୁଣା ସୂଚନାପତ୍ର ସରି ଯାଇଛି । ତେଣୁ, ନୂଆ ସୂଚନାପତ୍ର ଛାପିବାକୁ ଦେଇଛୁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS