୧୯ ବର୍ଷରୁ କମ୍ ଆଇସିସି ବିଶ୍ୱ କପ୍: ଚତୁର୍ଥ ଥର ପାଇଁ ଭାରତ ବିଶ୍ୱ ବିଜେତା
ତାଉରାଂଗା (ନ୍ୟୁଜିଲାଣ୍ଡ), ୦୩ ଫେବୃୟାରୀ: ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱ କପ୍ କ୍ରିକେଟ୍ ଫାଇନାଲରେ ଶନିବାର ଦିନ ଭାରତ ଅଷ୍ଟ୍ରେଲିୟାକୁ ହରାଇ ଚତୁର୍ଥ ଥର ପାଇଁ ବିଶ୍ୱ ବିଜେତା ହୋଇଛି । ପୃଥ୍ୱୀ ସ’ ଅଧିନାୟକତ୍ୱରେ ଦଳ ଏହି ବିଜୟ ହାସଲ କରିଥିବା ବେଲେ ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ମନୋଜ କାର୍ଲାଙ୍କ ଶତକ ଏବଂ ଜୁନିୟର ଦଳର କୋଚ୍ ରାହୁଲ ଦ୍ରାବିଡଙ୍କ ଦିଗଦର୍ଶନକୁ ବିଜୟର ସମସ୍ତ ଶ୍ରେୟ ମିଳିଛି। ପୂର୍ବରୁ ଭାରତ ୨୦୦୦, ୨୦୦୮ ଓ ୨୦୧୨ରେ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱ କପ୍ କ୍ରିକେଟ୍ ବିଜେତା ହୋଇ ଚାଂପିୟନ ଟାଇଟଲ୍ ହାସଲ କରିଥିଲା । ୨୦୧୨ରେ ଭାରତ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ହରାଇ ଥିବା ବେଳେ ୨୦୦୦ରେ ମହମ୍ମଦ କୈଫ, ୨୦୦୮ରେ ବିରାଟ କୋହିଲିଙ୍କ ଅଧିନାୟକତ୍ୱରେ ଜୁନିୟର କ୍ରିକେଟରେ ବିଶ୍ୱ କପ୍ ଚାଂପିୟନ ହୋଇଥିଲା । ତେବେ, ୨୦୦୬ରେ ଚେତେଶ୍ୱର ପୂଜାରା ଓ ୨୦୧୬ରେ ଇଶାନ କିଶାନଙ୍କ ଅଧିନାୟକତ୍ୱରେ ଭାରତକୁ ରନର୍ସ ଅପ୍ରେ ସନ୍ତୁଷ୍ଟ ରହିବାକୁ ପଡିଥିଲା । ୨୦୧୮ ଆଇସିସି ୧୯ ବର୍ଷରୁ କମ୍ ବିଷ୍ୱ କପ୍ ଚାଂପିୟନସିପ୍ ରେ ଭାରତର ବିଜୟ ସମଗ୍ର ଦେଶରେ ଆନନ୍ଦର ଲହରୀ ଖେଳାଇ ଦେଇଥିବା ବେଳେ ବିସିସିଆଇ ପକ୍ଷରୁ ଏହି ଦଳର କୋଚ୍ ଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଖେଳାଳୀଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ବର୍ଷା କରାଯାଉଥିବା ସୂଚନା ମିଳିଛି ।
ଶନିବାର ଜୁନିୟର ବିଶ୍ୱ କପ୍ ଫାଇନାଲରେ ଭାରତ ଅଷ୍ଟ୍ରେଲିୟାକୁ ୨୧୬ ରନରେ ଅଲ୍ ଆଉଟ୍ କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଥିଲା । ଭରତର ଓପନିଂ ବ୍ୟାଟ୍ସମ୍ୟାନ୍ ମନୋଜ କାର୍ଲାଙ୍କ ଶତକ ଓ ଭାରତୀୟ ବୋଲରଙ୍କ ଚମକ୍ରାର ବୋଲିଂ ଏହି ବିଜୟକୁ ସମ୍ଭବ କରିଛି । ଭାରତୀୟ ଦଳ ମାତ୍ର ଦୁଇ ୱିକେଟ୍ ବିନିମୟରେ ୨୨୦ ରନ୍ ସଂଗ୍ରହ କରିବା ସହ ଅଷ୍ଟ୍ରେଲିୟାକୁ ୮ ୱିକେଟ୍ ରେ ପରାଜିତ କରିଛି । ମନୋଜ କାର୍ଲା ୧୦୧ ବଳରେ ଶତକ ହାସଲ କରିବା ସହ ୧୦୨ ରନରେ ଅପରାଜିତ ଥିଲେ । ସେହିପରି, ମନୋଜଙ୍କ ସହ ଭାଗିଦାରୀରେ ହାର୍ଭିକ ଦେଶାଇ ୪୭ ରନ୍ କରି ଅପରାଜିତ ରହି ଥିଲେ । ତେବେ, ଭାରତୀୟ ଦଳର ଅଧିନାୟକ ପୃଥ୍ୱୀ ସ’ ୨୯ ରନରେ ଆଉଟ୍ ହୋଇ ଥିବା ବେଳେ ପଞ୍ଜବର ଖେଳାଳୀ ଶୁଭମ ଗିଲ୍ ୩୧ ରନରେ ଆଉଟ୍ ହୋଇ ଥିଲେ । ତଥାପି, ମନୋଜ କାର୍ଲାଙ୍କ ଧମାକାଦାର ବ୍ୟାଟିଂ ଭାରତକୁ ବିଜୟ ପଥରେ ନେଇ ଯାଇଥିଲା । ଭାରତୀୟ ବୋଲରମାନେ ମଧ୍ୟ ଏହି ବିଜୟର ଶ୍ରେୟ ପାଇବାକୁ ହକଦାର୍ । ସେମାନେ ମାତ୍ର ୩୩ ରନ୍ ଦେଇ ଅଷ୍ଟ୍ରେଲିୟାର ଶେଷ ଛଅ ୱକେଟ୍ ଝପଟି ନେବା ଦ୍ୱାରା ଭାରତର ବିଜୟ ଅଧିକ ସହଜ ହୋଇଥିଲା ।
ମଂଗଳବାର ଦିନ ଭାରତ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୨୦୩ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ପାକିସ୍ତାନକୁ ଭାରତ ୨୭୩ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ପାକିସ୍ତାନ ୨୯.୩ ଓଭରରେ ମାତ୍ର ୬୯ ରନରେ ଅଲ୍ ଆଉଟ୍ ହୋଇ ଲଜ୍ୟାଜନକ ପରାଜୟ ବରଣ କରି ଥିଲା । ଦ୍ୱିତୀୟ ସେମିଫାଇନାଲରେ ପଞ୍ଜାବ କ୍ରିକେଟର୍ ଶୁଭମ ଗିଲ୍ ଙ୍କ ଶତକ ଭାରତକୁ ୫୦ ଓଭରରେ ୯ ୱିକେଟ୍ ବିନିମୟରେ ୨୭୨ ରନ୍ ସଂଗ୍ରହ କରିବାକୁ ସାହାଯ୍ୟ କରିଥିଲା । ଭାରତର ଇଶାନ ପାରୋଲଙ୍କ ଘାତକ ବୋଲିଂ ମଧ୍ୟ ପାକିସ୍ତାନର ବ୍ୟାଟିଂ ଅଡରକୁ ଧ୍ୱସ୍ତ କରି ଦେଇ ପାକିସ୍ତାନର ଫାଇନାଲରେ ପ୍ରବେଶ ସ୍ୱପ୍ନକୁ ଧୁଳିସାତ କରିଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS