‘ଇଡ଼କୋ’ ପ୍ରଦର୍ଶନୀ ପଡ଼ିଆରେ ଚାଲି ଥିବା ‘ଆଦିବାସୀ ମେଳା’ ଆଜି ସରିବ
ଭୁବନେଶ୍ୱର, ୦୯ ଫେବୃୟାରୀ: ସ୍ଥାନୀୟ ୟୁନିଟ-୩ ସ୍ଥିତ ‘ଇଡ଼କୋ’ ପ୍ରଦର୍ଶନୀ ପଡିଆରେ ଚାଲି ଥିବା ‘ଆଦିବାସୀ ମେଳା’ ଶୁକ୍ରବାର ଅର୍ଥାତ ୯ ତାରିଖ ଶେଷ ହେବାକୁ ଯାଉଛି । ପ୍ରତି ବର୍ଷ ଭଳି ଜାନୁୟାରୀ ୨୬ ତାରିଖରେ ରାଜଧାନୀରେ ଏହି ମେଳା ଆରମ୍ଭ ହୋଇଥିଲା । ପୂର୍ବ ବର୍ଷମାନଙ୍କରେ ୟୁନିଟ-୧ ଆଦିବାସୀ ପଡ଼ିଆରେ ଏହି ମେଳା ଆୟୋଜନ ହେଉଥିଲା । ଟ୍ରାଫିକ ସମସ୍ୟା ଜଟିଳ ହେଉ ଥିବା ଦର୍ଶାଇ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ମେଳା ୟୁନିଟ-୩ ‘ଇଡ଼କୋ’ ପ୍ରଦର୍ଶନୀ ପଡିଆକୁ ସ୍ଥାନାନ୍ତରିତ ହୋଇଛି । ରାଜ୍ୟରେ ଥିବା ବିଭିନ୍ନ ଆଦିବାସୀ ସଂପ୍ରଦାୟର କଳା, ସଂସ୍କୃତି, ଚଳଣୀ ଏବଂ ଖାଦ୍ୟ ସାମଗ୍ରୀ ସହ ସେମାନଙ୍କ ଦ୍ୱାରା ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ – ବିଭିନ୍ନ ପ୍ରକାର ଚାଉଳ, ହଳଦି, ସୁଆଁ, ବାଜରା, ଲଙ୍କା ଓ ଲଙ୍କା ଗୁଣ୍ଡ, ପାଳୁଅ, କାନ୍ଦୁଲ, ହରଡ, ବିରି, ଫୁଲଝାଡୁ ସମେତ ଜଙ୍ଗଲରୁ ସଂଗୃହୀତ ମହୁ, ମହୁଲ, ଝୁଣା, ଅଁଳା, ବାହାଡା, ହରିଡା, ତେନ୍ତୁଳି ପ୍ରଭୃତି ମେଳାର ମୁଖ୍ୟ ଆକର୍ଷଣ ହୋଇଛି । ମେଳାର ଗୋଟିଏ ପଟେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ବାସଗୃହ, ଅସ୍ତ୍ରଶସ୍ତ୍ର, ଚାଷବାସ ପଦ୍ଧତି, ସଂସ୍କୃତି ଓ ଜୀବନଶୈଳୀର ନିଚ୍ଛକ ପ୍ରଦର୍ଶନ ହେଉଥିବା ବେଳେ ଅନ୍ୟପଟେ ଦୂର ଦୂରାନ୍ତରୁ ଆସି ଥିବା ଆଦିବାସୀ ସ୍ୱୟଂ ସହାୟକ ସଂସ୍ଥା ଓ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା୍ସ ଗୁଡିକ ଦ୍ୱାରା ବିକ୍ରି ହେଉ ଥିବା ସମାଗ୍ରୀ ଆଦିବାସୀ ମେଳାର ଆକର୍ଷଣକୁ ବହୁଗୁଣିତ କରିଛି । ଏହି ମେଳାରେ ପ୍ରାୟ ୭ କୋଟି ଟଙ୍କାର ବ୍ୟବସାୟ ହେବା ଆୟୋଜକମାନେ ଆଶା ରଖିଛନ୍ତି । ପୂର୍ବ ବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ଅଧିକ ଜନସମାଗମ ହୋଇଥିବା ସୂଚନା ମିଳିଛି । ରାଜଧାନୀରେ ବର୍ଷକୁ ଥରେ ଏହି ମେଳା ଆୟୋଜନ ହେଉ ଥିବାରୁ ସବୁ ବର୍ଗର ଜନସାଧାରଣ ଅତୁର ଭାବେ ଏହି ମେଳାକୁ ଅପେକ୍ଷା କରିଥା’ନ୍ତି । ମେଳା ଆରମ୍ଭ ଦିନରୁ ବିଭିନ୍ନ ଜଙ୍ଗଲଜାତ ଏବଂ ଆଦିବାସୀଙ୍କ ଦ୍ୱାରା ପ୍ରାକୃତିକ ବା ଜୈବିକ ପଦ୍ଧତିରେ ଉତ୍ପାଦିତ ସାମଗ୍ରୀର ବିକ୍ରି ଆରମ୍ଭ ହୋଇଯାଏ । ଏସବୁ ସାମଗ୍ରୀ କ୍ରୟ କରିବାର ଲୋଭକୁ ସମ୍ବରଣ କରି ନ ପାରି ଶେଷ ଦିନ ପର୍ଯ୍ୟନ୍ତ ରାଜଧାନୀ ବାସିନ୍ଦା ମେଳା ପଡିଆରେ ଭିଡ଼ ଜମାନ୍ତି । ଶୁକ୍ରବାର ଶେଷ ଦିନ ମେଳାରେ ଅସମ୍ଭବ ଭିଡ ହେବ ବୋଲି ଆୟୋଜକମାନେ ଆଶା କରୁଛନ୍ତି । କମିସନରେଟ୍ ପୁଲିସ ଶୃଂଖଳିତ ଭାବେ ନୂତନ ସ୍ଥାନରେ ଏହି ମେଳା ସମାପନ କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS