ସୋମବାର ବିଜେପିରେ ଯୋଗ ଦେବେ ଓଡ଼ିଆ ଅଭିନେତ୍ରୀ ମହାଶ୍ୱେତା
ଭୁବନେଶ୍ୱର, ୧୨ ଫେବୃୟାରୀ: ଦୀର୍ଘ ବର୍ଷ ଧରି ଓଡ଼ିଆ, ବଂଗଳା ଚଳଚ୍ଚିତ୍ର ସମେତ ବିଭିନ୍ନ ଟିଭି ଧାରବାହିକରେ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚିତ ଥିବା ଅଭିନେତ୍ରୀ ମହାଶ୍ୱେତା ରାୟ ସୋମାବାର ମଧ୍ୟାହ୍ନରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଥିବା ସୂଚନା ମିଳିଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜନ କରାଯାଉଥିବା ଏକ ଭବ୍ୟ ଉତ୍ସବରେ ମହାଶ୍ୱେତାଙ୍କୁ ବିଜେପିରେ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ଥିବା ରବିବାର ଦଳର ଜଣେ ମୁଖପାତ୍ର କହିଛନ୍ତି । ମହାଶ୍ୱେତାଙ୍କ ବିଜେପିରେ ଯୋଗଦାନ ୨୪ ତାରିଖ ହେବାକୁ ଥିବା ବିଜେପୁର ବିଧାନସଭା ଉପ ନିର୍ବାଚନରେ ଦଳ ପାଇଁ କେତେଦୂର ସହାୟକ ହେବ ତାହା ହଠାତ ଆକଳନ କରି ହେଉ ନାହିଁ । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରୋଇ ସଚିବ ବରିଷ୍ଠ ଆଇଏଏସ କାର୍ତିକେୟନ୍ ପାଂଡିଆନଙ୍କ ସରକାରୀ ବାସଭବନରେ ଉପରେ ଶନିବାର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହୋଇଥିବା ଗୋବର ମାଡ ଓ ଭଙ୍ଗାରୁଜା ଘଟଣାକୁ ନେଇ ରାଜ୍ୟ ବିଜେପି ଦୁଇ ଦିନ ହେଲା ସମାଲୋଚନାର ଶରବ୍ୟ ଥିବାରୁ ଜନସାଧାରଣଙ୍କ ନଜର ସେଥିରୁ ହଟାଇବା ପାଇଁ ମହାଶ୍ୱେତାଙ୍କ ବିଜେପିର ଯୋଗଦାନ ଓ ଭବ୍ୟ ସମାରୋହର ଆୟୋଜନ କରାଯାଇଥିବା ଅନୁମାନ କରାଯାଉଛି ।
ତେବେ, ସେ ବିଜେପିରେ ଯୋଗ ଦେବା ଏକ ଆକସ୍ମିକ ଘଟଣା ନୁହେଁ, କିଛି ମାସ ହେଲା ଏସଂପର୍କରେ ଆଲୋଚନା ଚାଲି ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦମଦାର୍ ନେତୃତ୍ୱ ଓ କାର୍ଯ୍ୟଶୈଳୀ ତାଙ୍କୁ ପ୍ରଭାବିତ କର ଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଅଭିନେତ୍ରୀ ମହାଶ୍ୱେତା ରାୟ ରବିବାର ଦିନ ଏକ ବୈଦ୍ୟୁତିକ ଗଣ ମାଧ୍ୟମକୁ କହିଛନ୍ତି । ମହାଶ୍ୱେତାଙ୍କ ପୂର୍ବରୁ କିଛି ଦିନ ତଳେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ଯୋଗ ଦେଇଛନ୍ତି । ମିହିର ବିଜେଡ଼ିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ମଧ୍ୟ ୨୦୦୯ରେ ବିଜେଡ଼ିରେ ଯୋଗ ଦେଇ ତୁରନ୍ତ ଲୋକସଭା ସାଂସଦ ହେବାର ସୁଯୋଗ ପାଇ ଥିବା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ୨୦୧୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେଡ଼ିରେ ଯୋଗ ଦେଇ ନିର୍ବାଚନ ପରେ ରାଜ୍ୟସଭା ସାଂସଦ ହେବାର ସୁଯୋଗ ପାଇ ଥିବା ଅନ୍ୟତମ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତିଙ୍କ ଭଳି ଭାଗ୍ୟବାନ ସାବ୍ୟସ୍ତ ନ ହେବାରୁ ଅସନ୍ତୁଷ୍ଟ ଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବଂ ଓଡ଼ିଶାରେ କ୍ଷମତା ବିସ୍ତାର ପାଇଁ ବିଜେପି ପରୀକ୍ଷାନିରୀକ୍ଷା ଚଳାଇ ଥିବାରୁ ମିହିର ଏହାକୁ ଏକ ସୁଯୋଗ ଭାବି ବିଜେଡ଼ିରୁ ବିଜେପିକୁ ଡ଼େଇଁଛନ୍ତି । ବିଜେପି ମଧ୍ୟ ସୋମବାର ମହାଶ୍ୱେତାଙ୍କୁ ଦଳରେ ମଶାଇ ତାହାର ଷ୍ଟାର୍ କ୍ୟାଂପେନର ତାଲିକାରେ ମିହିର, ଅନୁଙ୍କ ସହ ତାଙ୍କୁ ଯୋଡିବାକୁ ଚାହୁଁଛି ।
ନିକଟରେ ଅନୁଷ୍ଠିତ ୨୮ ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବରେ ‘ଦେଲେ ଧରା କଥା ସରେ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ମହାଶ୍ୱେତା ଶ୍ରେଷ୍ଠ ସପୋର୍ଟିଂ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ତେବେ, ତାଙ୍କ ଅଭିନିତ ‘ଚିନି’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଚଳଚ୍ଚିତ୍ର ମାନ୍ୟତା ମିଳି ନ ଥିବାରୁ ସେ ବିଚାରକ ମଂଡଳୀର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଦେଶବ୍ୟାପୀ ଝଡ ସୃଷ୍ଟି କରିଥିଲେ । ‘ଚିନି’ ଚଳଚ୍ଚିତ୍ର ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସମ୍ମନଜନକ ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର ସମେତ ଚାରିଟି ବିଭାଗରେ ପୁରସ୍କୃତ ହୋଇଥିଲେ ବି ‘ଚିନି’ ଚଳଚ୍ଚିତ୍ରରେ ତାଙ୍କ ଭୂମିକା ସଂପୂର୍ଣ୍ଣ ଭିନ୍ନ ଧରଣର ଓ ଦମଦାର୍ ଥିଲା ବୋଲି ମହାଶ୍ୱେତା ଯୁକ୍ତି ବାଢିବା ସହ ଚଳଚ୍ଚିତ୍ର ପୁରସ୍କାର ଚୟନରେ ସ୍ୱଚ୍ଛତାକୁ ନେଇ ସେ ସରକାରଙ୍କ ସଂସ୍କୃତି ବିଭାଗକୁ କାଠଗଡାକୁ ଟାଣି ବିଜେପିର ଦୃଷ୍ଟି ଆକର୍ଷଣ କରିଥିବା ଅନୁମାନ କରାଯାଉଛି । ବିଜେପି ମଧ୍ୟ ତାଙ୍କୁ ଦଳରେ ମିଶାଇ ବିଜେଡ଼ି ବିରୋଧରେ ପ୍ରଚାରକୁ ଅଧିକ ଶାଣିତ କରିବାକୁ ଚାହୁଁଛି । ମହାଶ୍ୱେତା ଓଡ଼ିଆ, ବଙ୍ଗଳା ଓ ଅନ୍ୟାନ୍ୟ ଭାଷାର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଦ୍ୱାରା ଅଭିନିତ ଓଡ଼ିଆ ଚଳଚ୍ଚିତ୍ର ‘ଶେଷ ଶ୍ରାବଣ’, ‘ଜନ୍ମଦାତା’, ‘ସତୀ ଅନୁସୂୟା’, ‘ଶଙ୍ଖ ମହୁରୀ’, ‘ଚିହ୍ନା ଅଚିହ୍ନା’, ‘ମା ଓ ମମତା’, ‘ପୂଜା’, ‘ଟିକେ ହସ, ଟିକେ ଲୁହ’, ‘ସ୍ୱପ୍ନ ସାଗର’, ‘ଡ଼ୋରା’, ‘ଯା ଦେବୀ ସର୍ବଭୂତେଷୁ’ , ‘ଗୃହଲକ୍ଷ୍ମୀ’, ‘କଂଢେଇ’ ଘରେ ଘରେ ପରିଚିତ । ପ୍ରଶାନ୍ତ ନନ୍ଦ, ହେମନ୍ତ ଦାସଙ୍କ ଭଳି କିମ୍ବଦନ୍ତୀ ଅଭିନେତାଙ୍କ ସହ ସେ ଦୀର୍ଘ ବର୍ଷ ଧରି ଅଭିନୟ କରି ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଏହି ସୁନାମକୁ ରାଜନୀତିରେ ପୁଂଜି କରିବା ସକାଶେ ମହାଶ୍ୱେତା ଚାହୁଁଥିବା ବେଳେ ବିଜେପି ସେହି ସୁଯୋଗ ଦେଇଛି ।
ବିଜେପି ପାଂଡିଆନ ଅଡୁଆରୁ ମୁକୁଳିବା ପାଇଁ ହଠାତ୍ ମହାଶ୍ୱେତାଙ୍କୁ ମୋହରା କରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଥିବା ବେଳେ ବିଜେପି ମୁଖପାତ୍ର ଜଣକ ଏହାକୁ ଅଗ୍ରାହ୍ୟ କରି ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢୁଥିବା ଦୃଷ୍ଟିରୁ ବହୁ ସଂଖ୍ୟାକ ମହିଳା ପ୍ରତିବାଦ ସ୍ୱରୂପ ବିଜେପିରେ ଯୋଗ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ସେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ଓ ପୀଡ଼ିତାଙ୍କ ଆତ୍ମହତ୍ୟାର ଉଦାହରଣ ଦେଇ ବିଜେପି ‘ବେଟି ବଚାଓ, ବେଟି ପଢାଓ’କୁ ଗୁରୁତ୍ୱ ଦେଉଥିବା ବେଳେ ବିଜେଡ଼ିର ‘ଗାଁକୁ ସମ୍ମାନ, ମା’କୁ ସମ୍ମାନ’ ସ୍ଲୋଗାନ ‘ସ୍ଲୋଗାନ’ରେ ହିଁ ରହି ଯାଇଛି କହି ମହାଶ୍ୱେତାଙ୍କ ବିଜେପିରେ ଯୋଗଦାନ ନିଷ୍ପତ୍ତିର ଯଥାର୍ଥ ସାବ୍ୟସ୍ତ କରିବାକୁ ଉଦ୍ୟମ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS