ପାଂଡ଼ିଆନଙ୍କୁ ଗୋବର ମାଡ କରି ‘ହିରୋ’ କରିଦେଲା ବିଜେପି
– ପ୍ରସାଦ ରାଓ –
ଭୁବନେଶ୍ୱର, ୧୧ ଫେବୃୟାରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରୋଇ ସଚିବ ବରିଷ୍ଠ ଆଇଏଏସ ଅଫିସର କାର୍ତିକେୟନ ପାଂଡିଆନ କାଲି ଯାଏଁ ସଚିବାଳୟର ତୃତୀୟ ମହଲାରେ ସୀମିତ ଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କୁ କାନରେ କହୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଜେଡ଼ିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ବୋଲି ନବୀନ- ବିରୋଧୀମାନେ ସମାଲୋଚନା କରୁଥିଲେ ସିନା ପାଂଡିଆନଙ୍କୁ ପ୍ରତ୍ୟକ୍ଷ ଭାବେ କ୍ଷତି ପହଂଚାଇବାକୁ କେହି ସାହାସ କରି ନଥିଲେ । ପାଂଡିଆନ ମଧ୍ୟ ସମସ୍ତ ସମାଲୋଚନାକୁ ହଜମ କରି ସରକାର ଓ ଶାସକ ବିଜେଡ଼ିରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ସନ୍ତର୍ପଣରେ ନିଜର ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ଭୂମିକା ସୀମିତ ରହିଥିଲା ସଚିବାଳୟ ଭିତରେ । ଶନିବାର ଦିନ ହଠାତ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ପାଂଡିଆନଙ୍କ ବାସଭବନରେ ଧସେଇ ପଶି ଭଂଗାରୁଜା କରିବା, ଅଭଦ୍ର ଭାଷାରେ ଗାଳିଗୁଲଜ କରିବା, ଫୁଲ କୁଣ୍ଡ ଓ ବାଇକ୍ ଭାଂଗିବା ଏବଂ ତାଙ୍କ ସରକାରୀ ବାସଭବନ ଉପରେ ଗୋବର ମାଡ଼ କରିବା ଘଟଣା ପାଂଡିଆନଙ୍କୁ ପ୍ରତ୍ୟକ୍ଷ ରାଜନୀତିର ଅଳିନ୍ଦ ଭିତରକୁ ଟାଣି ଆଣିଛି । ବିଜେଡ଼ି ମୁଖପାତ୍ରମାନେ ପାଂଡିଆନଙ୍କୁ ସୁରକ୍ଷା ଦେବାକୁ ଯେଭଳି ଭାବେ ଆଗେଇ ଆସିଲେ ଏବଂ ମୁଖ୍ୟମନ୍ତ୍ରୀ ଏହି ଆକ୍ରମଣ ଘଟଣାକୁ ‘ଦୁର୍ଭାଗ୍ୟଜନକ’ କହି ବିଜେପିକୁ ପରୋକ୍ଷରେ ଯେଭଳି ସମାଲୋଚନା କଲେ ତାହା ବିଜେଡ଼ିରେ ପାଂଡିଆନଙ୍କ ପତିଆରା ବଢାଇଛି । ଗଲା କିଛି ବର୍ଷ ହେଲା ଏହି ତାମିଲ ଅଫିସର ଜଣକ ପରଦା ଆଢୁଆଳରେ ରହି ବିଜେଡ଼ି ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ । ଶନିବାର ଘଟଣା ପରେ ଦଳକୁ ଖୋଲିଖୋଲି ନିୟନ୍ତ୍ରଣ କରିବାର ଲାଇସେନ୍ସ ତାଙ୍କୁ ମିଳି ଗଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଆଇଏଏସ ଅଧିକାରୀ ପାଂଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସଚିବାଳୟର ତୃତୀୟ ମହଲାରେ ବସି ପ୍ରଶାସନ ଓ ଶାସକ ଦଳର ରାଜନୀତିକୁ ନିୟନ୍ତ୍ରଣ କରୁଥିବା କାହାରିକୁ ଅଛପା ନଥିଲା । ସାଧାରଣ ସରକାରୀ କର୍ମଚାରଠାରୁ ଆରମ୍ଭ କରି ଶାସକ ଓ ବିରୋଧୀ ଦଳର ତୁଙ୍ଗ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏହା ଜାଣି ଥିଲେ । ପାଂଡିଆନ ବିଜେଡ଼ି ପାଇଁ ପାଣ୍ଠି ସଂଗ୍ରହରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ସମସ୍ତେ ତୃତୀୟ ମହଲାକୁ ଆଂଗୁଠି ଦେଖାଇ ତାଙ୍କୁ ସମାଲୋଚନା କରୁଥିଲେ ସିନା କେହି ଖୋଲାଖୋଲି ଭାବେ ତାଙ୍କ ନା’ ଧରୁ ନ ଥିଲେ । କେନ୍ଦ୍ରାପଡା ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିକଟରେ ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ ହେବା ପରେ ପାଂଡିଆନଙ୍କୁ ନା’ ନେଇ ସମାଲୋଚନା କରିବାର ଆସ୍ପର୍ଦ୍ଧା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଂଡିଆନଙ୍କ (କୁ)ପରାମର୍ଶରେ ଦଳର ଅପୂରଣୀୟ କ୍ଷତି ଘଟାଇ ଚାଲିଛନ୍ତି । ଯେଉଁ ଅଭିମୁଖ୍ୟ ନେଇ ୨୦ ବର୍ଷ ତଳେ ବିଜେଡ଼ି ଗଠନ କରାଯାଇଥିଲା ତାହା ଏଭଳି (କୁ)ପରାମର୍ଶଦାତାଙ୍କ ଯୋଗୁ କିଛି ବର୍ଷ ହେଲା ବାଟବଣା ହୋଇଛି ବୋଲି ବୈଜୟନ୍ତ ଅଭିଯୋଗ କରିବା ପରେ ଭାଷା ଆନେ୍ଦାଳନ ଓ ଅନ୍ୟ ଆଳ ଦେଖାଇ ଅନ୍ୟ କିଛି ନେତା ତାହାକୁ ଦୋହରାଇଛନ୍ତି । ନିକଟରେ ବିଜେଡ଼ି ନେତ୍ରୀ ହେମା ଗମାଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ଯାଇ ତାଙ୍କ (ମୁଖ୍ୟମନ୍ତ୍ରୀଙ୍କ) ବ୍ୟକ୍ତିଗତ ସଚିବ ପାଂଡିଆନଙ୍କ ଉପରେ ଖୋଲାଖୋଲି ବର୍ଷିବା ଘଟଣା ରାଜନୈତିକ ମହଲରେ ଅଲୋଡନ ସୃଷ୍ଟି କରିଥିଲା । ତେବେ,ଶାସକ ବିଜେଡ଼ି ଓ କଂଗ୍ରେସରେ ଅସ୍ଥିରତା ସୃଷ୍ଟି କରି ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ କରିବା ସକାଶେ ବିଜେପିର ଏହା ଏକ ସୁଚିନ୍ତିତ ଗୋଟି ଚାଳନା ବୋଲି ସମସ୍ତେ ଧରି ନେଇ ଥିଲେ । ବିଜେପୁର ବିଧାନସଭା ଉପ ନିର୍ବାଚନ ଭୋଟ ପୂର୍ବରୁ ଏଭଳି ଅନେକ ନାଟକ ଦେଖିବାକୁ ମିଳିବ ବୋଲି ଜାଣିଥିବା ରାଜନୀତିକ ସମୀକ୍ଷକମାନେ ହେମା ଗମାଂଗ, ରମା ରଂଜନ ବଳିଆରସିଂହ ବା ବୈଷ୍ଣବ ପରିଡାଙ୍କ ମତ, ମନ୍ତବ୍ୟକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ । ତଥାପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ରାଜ୍ୟ କ୍ୟାବିନେଟ୍ ବୈଠକ ଡାକି ସଂସ୍କୃତି ବିଭାଗକୁ ପର୍ଯ୍ୟଟନ ବିଭାଗରୁ ଅଲଗା କରିବା ସହ ସ୍ୱତନ୍ତ୍ର ଭାବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଗଠନ କରିବାକୁ ନିଷ୍ପତ୍ତି ନେଇ ବୈଷ୍ଣବ ପରିଡାଙ୍କୁ ସନ୍ତୁଷ୍ଟ କରିଛନ୍ତି । ରମା ରଂଜନ ବିଜେପିକୁ ଚାଲି ଗଲେଣି । ହେମା ତାଙ୍କ ସ୍ୱାମୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗିରିଧର ଗାମାଂଗ ଓ ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଂଗିଙ୍କ ପଦାଙ୍କ ଅନୁସରଣ କରି ବିଜେପିକୁ ମୁହାଁଇବାର ସମ୍ଭାବନା ଅଧିକ। ତେଣୁ, ସେ ପାଂଡ଼ିଆନଙ୍କ କାନ୍ଧକୁ ବ୍ୟବହାର କରି ନବୀନଙ୍କୁ ଗୁଳି ଫୁଟାଇଲେ ବି ଦଳ କୌଣସି ଗୁରୁତ୍ୱ ଦେଇ ନାହିଁ । ଏଭଳି ପରିସ୍ଥିତିରେ ନବୀନଙ୍କୁ ବିରୋଧ ପାଂଡିଆନଙ୍କ ପ୍ରତି ବିରୋଧୀଙ୍କ ଆକ୍ଷେପୋକ୍ତି ମଧ୍ୟରେ ସୀମିତ ରହିବ ଏବଂ ବିଜେଡ଼ିର କିଛି ଅସନ୍ତୁଷ୍ଟ ଓ ନବୀନ-ବିରୋଧୀ ବିଜେପୁର ଉପ ନିର୍ବାଚନ ଓ ପରବର୍ତୀ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏହି ଧାରାକୁ ଚାଲୁ ରଖି ପରେ ନୀରବ ହୋଇଯିବେ ବୋଲି ସମସ୍ତେ ଧରି ନେଇ ଥିଲେ । ପାଂଡିଆନ ମଧ୍ୟ ବିରୋଧୀଙ୍କ ଖେଳ ବ୍ୟକ୍ତିଗତ ଆକ୍ଷେପ ମଧ୍ୟରେ ସୀମିତ ବୋଲି ଧରି ନେଇ ଥିଲେ । ତେବେ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର କିଛି କର୍ମୀ ଶନିବାର ଦିନ ପାଂଡିଆନଙ୍କ ବାସଭବନରେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରି ବିରୋଧର ପରିଭାଷା ବଦଳାଇ ଦେଇଛନ୍ତି ।
ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ଶନିବାର ପୂର୍ବାହ୍ନରେ ଆଇଏଏସ ଅଧିକାରୀ ପାଂଡିଆନଙ୍କ ସରକାରୀ ବାସଭବନକୁ ଧସେଇ ପଶି ଗୋବର ଫିଙ୍ଗିବା, ଭଙ୍ଗାରୁଜା କରିବା ଘଟଣାକୁ ବିଜେପି ବ୍ୟତୀତ ଅନ୍ୟ ବିରୋଧୀମାନେ ନାପସନ୍ଦ କରଛନ୍ତି । ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହାକୁ ନିନ୍ଦା କରି ବିଜେପି ଗୁଜରାଟରୁ ଯେଉଁ ଅସହିଷ୍ଣୁତାର ଧାରା ଆରମ୍ଭ କରିଥିଲା ତାହା ଅନ୍ୟ କିଛି ରାଜ୍ୟ ଦେଇ ଓଡ଼ିଶାରେ ପହଂଚାଇବା ପ୍ରୟାସ କରୁଛି ବୋଲି ସେ କହିଛନ୍ତି । ବିଜେପି ଯୁବ ମୋର୍ଚ୍ଚାର ଏହି ହିସାତ୍ମକ ପ୍ରଦର୍ଶନକୁ ବିରୋଧ କରି ବିଜେଡ଼ି ପକ୍ଷରୁ ମଧ୍ୟ ରାଜ୍ୟ ବିଜେପି କାର୍ଯ୍ୟାଳୟ ନିକଟରେ ପ୍ରଦର୍ଶନ କରାଯାଇଛି । ଆଇଏଏସ ଓ ଓଏଏସ ଅଫିସର ସଂଘ ବିଜେପିର ଏଭଳି ହିଂସାକୁ ନିନ୍ଦା କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ରାଜ୍ୟର ବୁଦ୍ଧିଜୀବୀ ମହଲରେ ମଧ୍ୟ ବିଜେପିର ଏଭଳି ବିଶୃଂଖଳ ଆଚରଣର ନିନ୍ଦା କରାଯାଇଛି । ପୂର୍ବରୁ ବିରୋଧ ସବୁ ‘ଅଣ୍ଡା ମାଡ’ରେ ସୀମିତ ଥିଲା । ରାଜ୍ୟରେ ଭଗୁଆ ରାଜନୀତି କ୍ରୀୟାଶୀଳ ହେବା ପରେ ‘ଗୋବର ପିଙ୍ଗା’ ବିରୋଧ ତାହାର ସ୍ଥାନ ନେଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ପାଂଡିଆନଙ୍କ ସରକାରୀ ବାସଭବନରେ ଏହି ହିଂସାତ୍ମକ ପ୍ରଦର୍ଶନ ଚାଲି ଥିବା ସମୟରେ ପୁଲିସ ସେଠାରେ ପହଂଚି ବିକ୍ଷୋଭକାରୀଙ୍କୁ ଘଉଡାଇବା ସହ ଆଇପିସିର ଧାରା ୧୦ ସମେତ ୩୦୭ (ହତ୍ୟା ଉଦ୍ୟମ) ଦଫାରେ ୪ଜଣ ଯୁବ ମୋର୍ଚ୍ଚା ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ୪ ଯୁବ ମୋର୍ଚ୍ଚା ନେତା ଯୁଗଳ ଜ୍ୟୋତି ସ୍ୱାଇଁ, ରଶ୍ମୀରଂଜନ ମୁଦୁଲି, ବିଭୂତି ଭୂଷଣ ପୃଷ୍ଟି ଓ ବିଶ୍ୱ ଭୂଷଣ ବଡଜେନାଙ୍କ ବିରୋଧରେ ଆଇପିସିର ୫୦୬, ୩୨୭, ୧୪୯, ୧୨୪, ୧୪୭, ୨୯୪, ୪୫୨,୩୫୩ ଦଫା ମଧ୍ୟ ଲାଗିଛି । ସେମାନଙ୍କୁ ଭୁବନେଶ୍ୱର ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଂଜୁର ହେବାରୁ ଝାରପଡା ସ୍ୱତନ୍ତ୍ର ଜେଲ୍ କୁ ପଠାଇ ଦିଆଯାଇଛି । ତେବେ, ବିଜେପି ଏହାକୁ ନିନ୍ଦା କରି ଯୁବ ମୋର୍ଚ୍ଚା ନେତାଙ୍କୁ ହାରାଶ କରିବା ସକାଶେ ଏଭଳି କଡା ଦଫାମାନ ଲଗା ଯାଇଛି ବୋଲି ପାଲଟା ଅଭିଯୋଗ କରିଛି ।
ତେବେ, ଇତିଶ୍ରୀ ପ୍ରଧାନ ଓ କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣା ଠାରୁ ଆରମ୍ଭ କରି ବିଭିନ୍ନ ଇସ୍ୟୁରେ ‘ନବୀନ ନିବାସ’କୁ ଟାର୍ଗେଟ୍ କରି ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗୁ ନିରାଶ ହୋଇଥିବା ରାଜ୍ୟ ବିଜେପି ନେତାମାନେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଂଡିଆନଙ୍କ ସରକାରୀ ବାସଭବନକୁ ହିଂସାତ୍ମକ ପ୍ରଦର୍ଶନର ‘ଟାର୍ଗେଟ୍’ କଲେ ବୋଲି ତଥ୍ୟାଭିଜ୍ଞ ମହଲରେ ଅଭିଯୋଗ ହେଉଛି । ଏଭଳି ହିଂସାତ୍ମକ ପ୍ରଦର୍ଶନ ଦ୍ୱାରା ବିଜେପି କେତେଦୂର ଲାଭବାନ ହେବ କହି ହେଉ ନାହିଁ । ତେବେ, ଦଳର ଭାବମୂର୍ତୀ କ୍ଷୁର୍ଣ୍ଣ ହୋଇଥିବା ଅନୁମାନ କରାଯାଉଛି । କେନ୍ଦ୍ରପଡା ସାଂସଦ ବୈଜୟନ୍ତଙ୍କୁ ମାହାଙ୍ଗାରେ ଅଣ୍ଡାମାଡ଼ ହେବାର ଚାରି ମାସ ପର୍ଯ୍ୟନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ପାଂଡିଆନଙ୍କ ପାଇଁ ଶାସକ ବିଜେଡ଼ିର ଏଭଳି ଦରଦ କାହିଁକି (?) ବୋଲି ରାଜ୍ୟ ବିଜେପି ନେତୃବର୍ଗ ଶନିବାର ଘଟଣା ପରେ ପ୍ରଶ୍ନ ଉଠାଇଛନ୍ତି । ଏହାଦ୍ୱାରା ସେମାନେ ବୈଜୟନ୍ତଙ୍କୁ ହିଁ କାଠଗଡ଼ାକୁ ଟାଣିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ତଳସରା ସଭାରେ ଅଣ୍ଡାମାଡ଼ କରି ପୁଲିସ ଓ ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଜେଲ୍ ଯାଇଥିବା ମହିଳାଙ୍କ ପ୍ରତି ସମବେଦନା ସ୍ୱରୂପ ପାଂଡିଆନଙ୍କ ସରକାରୀ ବାସଭବନରେ ଏହି ଆକ୍ରମଣ ହୋଇ ନାହିଁ ତ (?) ବୋଲି ଏବେ ପ୍ରଶ୍ନ ହେଲାଣିି । ତେବେ, ଯେଉଁ କାରଣରୁ ଏହା ହୋଇ ଥାଉ ନା କାହିଁକି ପାଂଡିଆନ ବିଜେଡ଼ିର ନୂଆ ‘ହିରୋ’ ଭାବେ ଉଭା ହେଉଥିବା ନିଶ୍ଚିତ ହୋଇ ଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS