ସିଡ଼ବ୍ଲୁଏସର ବିଧବା ମହିଳା ସମ୍ମିଳନୀ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାବଲମ୍ବୀ ହେବାକୁ ପରାମର୍ଶ
ରାଉରକେଲା (ମୋ ଅନୁଭବ): କମ୍ୟୁନିଟି ୱେଲଫେୟାର ସୋସାଇଟି ପକ୍ଷରୁ ନିକଟରେ ବିଧବା ମା’ ମାନଙ୍କୁ ନେଇ ପିତାମହଲ ଡ୍ୟାମ୍ ନିକଟରେ ଏକତ୍ରୀକରଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଗୋପବନ୍ଧୁପାଲ୍ଲୀ, ମଧୁସୂଦନପାଲ୍ଲୀ, ମାଲଗୋଦାମ, ରେଲଗେଟ, ସେକ୍ଟର-୬ ଜାମଟୋଲୀ ବସ୍ତି,ବିଶ୍ରାନଗର,ସୁବାସପଲ୍ଲୀ,ସମଲେଶ୍ୱରୀ ବସ୍ତି,ସେକ୍ଟର-୨୦ ମିଶ୍ର ଖଟାଲ, ବିବେକାନନ୍ଦ ବସ୍ତି, ଶୀତଲପଡା, ଶକ୍ତିନଗର ପ୍ରଭୃତି ବିଭିନ୍ନ ବସ୍ତିରୁ ୨୦ଟି ବିଧବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ୮୫ ଜଣ ବିଧବା ମା’ ମାନେ ଯୋଗ ଦେଇଥିଲେ । ସମ୍ମିଳନୀରେ ଏହି ବିଧବା ମା’ ମାନଙ୍କୁ ନେଇ ବିଭିନ୍ନ କୌତୁକିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ବିଭିନ୍ନ ଗୃପର ସଦସ୍ୟମାନେ ନୃତ୍ୟ ପରିବେଷଣ କରିଥିଲେ । ସିଡ଼ବ୍ଲୁଏସର ଚେୟାରମ୍ୟାନ ଫାଦର ବେନିଚେନ କେ ପିଟର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧବା ମା’ ମାନଙ୍କ ଦଳ ଗଠନର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମର ଅଂଶ ଭାବେ ବିଧବା ମା’ ମାନଙ୍କୁ ନେଇ ସ୍ୱତନ୍ତ୍ର ଗୋଷ୍ଠି ଗଠନ ମାଧ୍ୟମରେ ପ୍ରତି ମାସରେ ନିୟମିତ ସ୍ୱାସ୍ଥ୍ୟ ଆଲୋଚନା କରାଯିବା ଏବଂ କମ୍ ବୟସର ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବା ସକାଶେ ସେ ପରାମର୍ଶ ଦେଇଥିଲେ । ଏହିପରି ଏକତ୍ରୀକରଣ କାର୍ଯ୍ୟକ୍ରମ ବିଧବା ମହିଳାମାନଙ୍କୁ ପାରିବାରିକ ଓ ମାନସିକ ଚାପରୁ ମୁକ୍ତି ଦେବା ସହ ସେମାନଙ୍କୁ ଆନନ୍ଦ ଦେଇଥାଏ ବୋଲି ଫାଦର ପିଟର ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ବଣ ଭୋଜି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୋଗ୍ରାମ କୋର୍ଡିନେଟର ଶିବ ପ୍ରସାଦ ଦାସ ପୁରସ୍କାର ବିତରଣ କରିଥିଲେ । ଆନିମେଟର ପାର୍ବତୀ ବଡାଇକ, ରୀନା ମହାନ୍ତି, ସୌଭାଗିନୀ ମହାନ୍ତି, ସୁଜାତା ସାମନ୍ତରାୟ, ଉମା ଜେନା, ସୁନିତା ଭଗତ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋର୍ଡିନେଟର ସିଷ୍ଟର କୁସୁମ ଓ ପ୍ରମିଳା ସଂଯୋଜନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS