ଭାରତୀୟ ହକି ଦଳର ‘ଲୋଗୋ’ ଓ ‘ଜର୍ସି’ରେ ଓଡ଼ିଶାର କଳା ଓ ସଂସ୍କୃତିର ବାସ୍ନା
ଭୁବନେଶ୍ୱର, ୧୭ ଫେବୃୟାରୀ: ଓଡ଼ିଶାରେ ବିଶ୍ୱ ସ୍ତରୀୟ କ୍ରୀଡ଼ାର ଆୟୋଜନ କରି ସୁନାମ ଅର୍ଜନ କରିଥିବା ରାଜ୍ୟ ବିଜେଡ଼ି ସରକାର ଆସନ୍ତା ନଭେମ୍ବର-ଡ଼ିସେମ୍ବର ମାସରେ ଭୁବନେଶ୍ୱର ଠାରେ ହକି ବିଶ୍ୱ କପ୍ -୨୦୧୮ର ଆୟୋଜନ କରୁଥିବା ଗୌରବର ବିଷୟ । ଏଥି ସହିତ ଆସନ୍ତା ପାଂଚ ବର୍ଷ ପାଇଁ ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରୟୋଜକ ରହିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଟୋପିରେ ଆଉ ଏକ ତାରକା ଖଂଜିଛନ୍ତି । କାରଣ, ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ, ଯିଏ କି କ୍ରୀଡ଼ାର ବିକାଶ ପାଇଁ ଏଭଳି ଏକ ଗୁରୁ ଦାୟିତ୍ୱ ବହନ କରିବାକୁ ଆଗେଇ ଆସିଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଏହି ଘୋଷଣାକୁ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିଛନ୍ତି । ଓଡ଼ିଶାର ସମସ୍ତ ଗଣମାଧ୍ୟମ ମଧ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ତେବେ, ଗୋଟିଏ କଥା ଖଟକା ଲାଗୁଛି । ଏଭଳି ଏକ ଐତିହାସିକ ଘୋଷଣା କରିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ମାଟିକୁ ବ୍ୟବହାର ନ କରି ନୂଆଦିଲ୍ଲୀ ଧାଇଲେ କାହିଁକି? ନୂଆଦିଲ୍ଲୀର ଏକ ସଂଭ୍ରାନ୍ତ ହୋଟେଲରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ଭାରତୀୟ ହକି ଦଳ (ଉଭୟ ପୁରୁଷ ଓ ମହିଳା)ର ନୂଆ ଲୋଗୋ ଓ ଜର୍ସି ଉନ୍ମୋଚନ କରା ଗଲା । ଓଡ଼ିଶା ମାଟିରେ ଏହି କାର୍ଯ୍ୟକ୍ରମ ହୋଇଥିଲେ ବୋଧହୁଏ ଅଧିକ ସମ୍ମାନଜନକ ହୋଇଥା’ନ୍ତା ବୋଲି ଏଠି ଆଲୋଚନା ହେଉଛି ।
ତେବେ, ୨୦୧୮ ବିଶ୍ୱ କପ୍ ର ପ୍ରଚାର ପାଇଁ ନୂଆଦିଲ୍ଲୀର ଦ’ ଲଲିତ ହୋଟେଲରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଗଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ଓଡ଼ିଶା ମାଟିରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରା ନ ଯାଇ ନୂଆଦିଲ୍ଲୀରେ କରାଯାଇଥିଲେ ମଧ୍ୟ ଉତ୍ସବରେ ଓଡ଼ିଶା ସମେତ ଦେଶର ବହୁ ଅଲଂପିଆନ, ତାରକା ଖେଳାଳୀ, ମନ୍ତ୍ରୀ, ରାଜନେତା, ପ୍ରଶାସକ ଓ ପ୍ରଶିକ୍ଷକ ଯୋଗ ଦେଇଥିବା ଜଣାପଡିଛି । ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଓଡ଼ିଶା ଜର୍ସିରେ ସଜାଇ ହୋଇ ଉତ୍ସବରେ ଯୋଗ ଦେଇ ଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟିମ୍ ଇଂଡ଼ିଆର ନୂଆ ଲୋଗୋ ଓ ଜର୍ସିର ଉନ୍ମୋଚନ ହୋଇ ଥିଲା । ଜର୍ସିରେ ବଡ଼ ବଡ଼ ଅକ୍ଷରରେ ‘ଓଡ଼ିଶା’ ଲେଖା ଯାଇଛି ଏବଂ ଲୋଗୋରେ କୋଣାର୍କ ଚକ୍ର ସହିତ ପ୍ରଗତି, ସଶକ୍ତୀକରଣ, ଉଦିତ ସୂର୍ଯ୍ୟ, ଅଲିଭ ରିଡ଼ଲେ, ଓଡ଼ିଶୀ ନୃତ୍ୟ ଆଦିର ନିଖୁଣ ସମାହାର ରହିଛି । ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରତିଟି କାର୍ଯ୍ୟରେ ରହିବ ଓଡ଼ିଶାର ଏହି ବାର୍ତା । ଏଥି ସକାଶେ ହକି ଇଂଡ଼ିଆ ଓଡ଼ିଶାକୁ ସୁଯୋଗ ଦେଇ ଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆନ୍ତର୍ଜାତିକ ହକି ସଂଘ ତଥା ଭାରତୀୟ ଅଲଂପିକ ସଂଘର ସଭାପତି ନରିନ୍ଦର ଧୁବ ବାତ୍ରାଙ୍କୁ ଧନ୍ୟବାଦ ଜଣାଇ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ହକି ‘ଓଡ଼ିଶାର କେବଳ ଖେଳ ନୁହେଁ, ଜୀବନଧାରା’ ବୋଲି କହିବା ସହ ଆଦିବାସୀ ଅଂଚଳର ପିଲାମାନଙ୍କୁ ଏହା ସହ ଯୋଡିବାକୁ ପଛାଇ ନ ଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଦିବାସୀ ଅଂଚଳର ପିଲାମାନେ ହକି ବାଡିରୁ ହିଁ ସବୁ କିଛି ଶିଖିିଛନ୍ତି । ଓଡ଼ିଶା ମାଟି ଅନେକ ଉଚ୍ଚକୋଟିର ହକି ଖେଳାଳୀଙ୍କୁ ସୃଷ୍ଟି କରିଛି । ଦିଲ୍ଲୀପ ତିର୍କି, ଇଗ୍ନେସ ତିର୍କି, ଲାଜରୁସ ବାର୍ଲା, ବିରେନ୍ଦ୍ର ଲାକ୍ରାଙ୍କ ଭଳି ବହୁ ଦକ୍ଷ ହକି ଖେଳାଳୀ ଓଡ଼ିଶାରୁ ବାହାରି ଦେଶ ପାଇଁ ଖେଳିଛନ୍ତି ଓ ସୁନାମ ଅର୍ଜନ କରିଛନ୍ତି । ତେଣୁ, ଓଡ଼ିଶା ସରକାର ଆଉ ସୀମା ସରହଦ ଭିତରେ ନ ରହି ଭାରତୀୟ ହକିକୁ ଗଢି ତୋଳିବାର ଯେଉଁ ପଣ ନେଇଛନ୍ତି ତାହା ହେବ ଦେଶକୁ ଓଡ଼ିଶାର ଉପହାର । କଳିଙ୍ଗ ଲାନସର୍ସ ଦଳକୁ ପ୍ରୟୋଜିତ କରିବାରେ ଓଡ଼ିଶା ଏକମାତ୍ର ରାଜ୍ୟ ଥିଲା । ଏବେ ଆଉ ଏକ ପ୍ରଥମ ଯୋଡି ହେଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ବର୍ଷ ବିଶ୍ୱ ହକି ଲିଗ୍ ଫାଇନାଲ୍ ସଫଳତାର ସହ ଆୟୋଜନ ହୋଇ ଥିଲା । ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ବିଶ୍ୱ କପ୍ ହକି ମଧ୍ୟ ଓଡ଼ିଶା ନା’ରେ ହେବ । ଫଳରେ, ଭାରତୀୟ ହକିର ସ୍ୱର୍ଣ୍ଣିମ ଅଧ୍ୟାୟ ସହିତ ଓଡ଼ିଶା ଭାଗିଦାର ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଦେଶର ସମସ୍ତ ହକି ପ୍ରେମୀ ପରିବାର ସହ ଭୁବନେଶ୍ୱର ଆସି ହକି ବିଶ୍ୱ କପ୍ ଖେଳ ଦେଖିବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଦରବାରରୁ ନିମନ୍ତ୍ରଣ ଜଣାଇଛନ୍ତି ।
ଆନ୍ତର୍ଜାତିକ ହକି ସଂଘ ତଥା ଭାରତୀୟ ଅଲଂପିକ ସଂଘର ସଭାପତି ନରିନ୍ଦର ଧୁବ ବାତ୍ରା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ଓ ଓଡ଼ିଶା ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ସେ ତାଙ୍କ ଭାଷଣରେ କହିଥିଲେ ଯେ, ଭୁବନେଶ୍ୱରକୁ ଦେଶର ‘କ୍ରୀଡା ରାଜଧାନୀ’ର ମାନ୍ୟତା ଦେବା ଲାଗି ଯଥେଷ୍ଟ କାରଣ ରହିଛି । ରାଜ୍ୟ ସରକାର ବିଶ୍ୱ ହକି ଲିଗ୍ ସଫଳତାର ସହ ଆୟୋଜନ କରି ଏହା ପ୍ରମାଣିତ କରିଛନ୍ତି । ଭୁବନେଶ୍ୱରରେ କ୍ରୀଡା ଭିତ୍ତିଭୂମି ଉନ୍ନତ ମାନର ହେବାରେ ଲାଗିଛି । ଦୌଡକୁଦ ପାଇଁ ଉନ୍ନତ ପ୍ରଦର୍ଶନ କ୍ଷେତ୍ର ହେବାକୁ ଯାଉଛି । ଆସନ୍ତା ନଭେମ୍ବର-ଡ଼ିସେମ୍ବରରେ ହୋବାକୁ ଥିବା ହକି ବିଶ୍ୱ କପ୍ ପାଇଁ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଓଡ଼ିଶାରେ ହକି ବିଶ୍ୱ କପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅଲଂପିକ ଶୈଳୀରେ ଉଦଘାଟନୀ ଉତ୍ସବ କରାଯିବ ବୋଲି ବାତ୍ରା ଘୋଷଣା କରି ଥିଲେ ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଜାତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲିପ ତିର୍କି, ଧନରାଜ ପିଲାଇ, କ୍ରିକେଟର୍ ଦବାଶିଷ ମହାନ୍ତି, ଅନୁରାଧା ବିଶ୍ୱାଳ, ୱେଟ୍ ଲିଫ୍ଟର କେ. ରବି କୁମାର, ପ୍ରବୋଧ ତିର୍କି, ଲାଜରୁସ ବାର୍ଲା, ପୂର୍ବତନ ମହିଳା ଫୁଟବଲ ଦଳ ଅଧିନାୟିକା ଶ୍ରଦ୍ଧାଂଜଳୀ ସାମନ୍ତରାୟ, ଦୂତି ଚାନ୍ଦଙ୍କ ସମେତ ବହୁ କ୍ରୀଡ଼ାବିତ୍ ଏବଂ ଓଡ଼ିଶାର ବରିଷ୍ଠ ସାଂସଦ, ପ୍ରଶାସକ ଓ ମିଡ଼ିଆ ମାଲିକ ଉପସ୍ଥିତ ଥିଲେ । ଓଡ଼ିଶା ଜାତୀୟ ହକିର ଏନ୍ତୁଡ଼ିଶାଳ । ରାଜ୍ୟରୁ ଦିଲିପ ତିର୍କି, ପ୍ରବୋଧ ତିର୍କି, ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କାଙ୍କ ଭଳି ପୁରୁଷ ଓ ମହିଳା ବର୍ଗର ୧୬ ଜଣ ଅଲଂପିଆନ୍ ବହାରି ସାରିଲେଣି । ବର୍ତମାନ ଜାତୀୟ ଦଳରେ (ଉଭୟ ପୁରୁଷ ଓ ମହିଳା) ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ ତିର୍କି, ନମିତା ଟପ୍ପୋଙ୍କ ଭଳି ଅନେକ ତାରକା ଖେଳାଳୀ ରହିଛନ୍ତି । କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ରାଜ୍ୟ ପାଂଠିରୁ କ୍ରୀଡ଼ା ଛାତ୍ରାବାସରେ ଉତ୍ତମ ତାଲିମ, ସୁଷମ ଖାଦ୍ୟ ଯୋଗାଇ ଦିଆଯାଉଛି । କଳିଙ୍ଗ ଷ୍ଟାଡ଼ିୟମରେ ୨୦୧୪ରେ ହକି ଚଂପିଅନ୍ସ ଲିଗ୍, ୨୦୧୭ରେ ୨୨ ତମ ଏସୀୟ ଆଥେଲେଟିକ୍ ଚଂପିଆନସିପ୍ ଓ ହକି ବିଶ୍ୱ ଲିଗ୍ ସଫଳତାର ସହ ଆୟୋଜନ ହୋଇଥିବାରୁ ଚଳିତ ବର୍ଷ ହେବାକୁ ଥିବା ହକି ବିଶ୍ୱ କପ୍ ମଧ୍ୟ ସଫଳତାର ସହ ସଂଯୋଜିତ ହେବ । ଏଥିରେ ପାକିସ୍ତାନ ସମେତ ବିଶ୍ୱର ୧୬ଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସଭାରେ ସୂଚନା ଦେଇଛନ୍ତି । ଓଡ଼ିଶାର ବିଶିଷ୍ଟ କଂଠଶିଳ୍ପୀ ସୋନା ମହାପାତ୍ର ଦିଳ୍ଲୀରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS