ମହାଶ୍ୱେତାଙ୍କ ପରେ ଅପରାଜିତା ବିଜେପିରେ…
ଭୁବନେଶ୍ୱର, ୨୦ ଫେବୃୟାରୀ: ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତି ସୋମବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ମହାନ୍ତି ହେଉଛନ୍ତି ୮୦ ଦଶକର ଗ୍ଲାମରସ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ପତ୍ନୀ ଏବଂ ଏବେକାର ଅଭିନେତା ବାବୁସାନଙ୍କ ମା’ । ଅପରାଜିତା ମଧ୍ୟ ୮୦ ଦଶକର ଗ୍ଲାମରସ୍ ଅଭିନେତ୍ରୀ । ‘ଫୁଲ ଚନ୍ଦନ’ର ଚୁଲବୁଲି ନାୟିକା ଭାବେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ପାଦ ଦେଇ ସେ ଦୀର୍ଘ ବର୍ଷ ଧରି ଫିଲ୍ମ ପରଦା ଓ ଛୋଟ ପରଦାରେ ରାଜତ୍ୱ କରି ଆସିଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ କଟକ ଲୋକସଭା ଆସନରୁ ନିର୍ବାଚନ ଲଢି ଥିଲେ । ପରାଜୟ ପରେ ରାଜନୀତିରେ ତାଙ୍କର ସକ୍ରୀୟତା ନ ଥିଲା । ନିକଟରେ, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଜଣାଶୁଣା ନାୟିକା ମହାଶ୍ୱେତା ରାୟ ବିଜେପିରେ ଯୋଗ ଦେବା ପରେ ଅପରାଜିତା କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଉଥିବାର ଥିବାର ଆଭାସ ମିଳି ଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେ ୧୯ ତାରିଖ ସୋମବାର ଦିନ ସ୍ଥାନୀୟ ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭବେ ଗେରୁଆ ଆଙ୍ଗବସ୍ତ୍ର ଓ ଟୋପି ପିନ୍ଧି ବିଜେପିରେ ଯୋଗ ଦେଇଥିଲେ । ଅପରାଜିତାଙ୍କ ବିଜେପିରେ ଯୋଗଦାନ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ମହାଶ୍ୱେତାଙ୍କ ଭଳି ଅପରାଜିତା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା ଖବରଦାତାଙ୍କୁ ସୂଚନା ଦେଇଛନ୍ତି । ମହାଶ୍ୱେତା ବିଜେଡ଼ିରୁ ରାଜନୀତି ଆରମ୍ଭ କରି ବିଜେପିକୁ ଆସିଥିବା ବେଳେ ଅପରାଜିତା କଂଗ୍ରେସରୁ ବିଜେପିକୁ ଆସିଛନ୍ତି । ଏହି ଦୁଇ ଅଭିନେତ୍ରୀଙ୍କ ପୂର୍ବରୁ ଅଭିନେତା ମିହିର ଦାସ ବିଜେଡ଼ି ଛାଡ଼ି ବିଜେପିକୁ ଆସି ଥିବା ବେଳେ ନିକଟରେ ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବିଜେପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ଏହି ଅଭିନେତା ଓ ଅଭିନେତ୍ରୀମାନେ ବିଜେପିରେ ଯୋଗ ଦେବା ‘ଗ୍ଲାମର ଯୁଦ୍ଧ’ର ଅଂଶ ହୋଇଛି । ବିଜେଡ଼ି ବ୍ରହ୍ମପୁର ସାଂସଦ ଥିବା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ରାଜ୍ୟସଭା ସାଂସଦ ଥିବା ଅଭିନେତା ଅନୁଭବ ମହାନ୍ତି, ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ, ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ଥିବା ଅଭିନେତା ମୁନା ଖାନ ପ୍ରମୁଖଙ୍କୁ ନିର୍ବାଚନ ମଇଦାନରେ ଛାଡି ଥିବା ବେଳେ ମହାଶ୍ୱେତା, ଅପରାଜିତା, ମିହିର ଦାସ, ଅନୁ ଚୌଧୁରୀ ପ୍ରମୁଖ ବିଜେପିର ‘କ୍ରାଉଡ୍ ପୁଲର’ ହୋଇଛନ୍ତି । କଂଗ୍ରେସ ପାଖରେ ଏକମାତ୍ର ପୁରୁଖା ଅଭିନେତା ବିଜୟ ମହାନ୍ତି ବଳକା ରହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS