ଭଗତଙ୍କ ପ୍ରସ୍ତାବରେ ଦମ୍ ଅଛି, କିନ୍ତୁ ରାହୁଲଙ୍କ ହଜମ ହେବ ତ ?
– ପ୍ରସାଦ ରାଓ –
ଭୁବନେଶ୍ୱର, ୧୯ ଫେବୃୟାରୀ: ଦେଶରେ ଆଗୁଆ ନିର୍ବାଚନ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଓ ସଂସଦ ବାହାରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ନେଇ ସୁର୍କି ଚ୍ଛାଡି ଥିବା ବେଳେ ନିର୍ବାଚନ କମିସନ ୨୦୧୮ ସେପ୍ଟେମ୍ବର ପରେ ଯେ କୌଣସି ସମୟରେ ସରକାର ଚାହିଁଲେ ସାଧାରଣ ନିର୍ବାଚନ ପାଇଁ କମିସନ ପ୍ରସ୍ତୁତ କହି କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ପ୍ରତି ସହମତି ଥିବା ସୂଚାଇ ଦେଇଛନ୍ତି । ଦେଶର ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସହମତି ଏବଂ କିଛିଟା ସାଂବିଧାନିକ ସଂଶୋଧନ ଉପରେ ଆଗୁଆ ନିର୍ବାଚନ ନିର୍ଭର କରୁଛି । ଆଗୁଆ ନିର୍ବାଚନ ନ ହେଲେ ବି ଦେଶରେ ୨୦୧୯ରେ ସାଧାରଣ ନିର୍ବାଚନ ହେବା ନିଶ୍ଚିତ । ତେଣୁ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଶାସକ ବିଜେପି ମଧ୍ୟ ବିଭିନ୍ନ ଜାତୀୟ ସମ୍ବାଦ ପରିବେଷଣ ସଂସ୍ଥା ଓ ଜନମତ ଆକଳନକାରୀ ସର୍ବେକ୍ଷଣ ସଂସ୍ଥାଙ୍କୁ ବ୍ୟବହାର କରି ସରକାରଙ୍କ ପ୍ରତି ଜନସାଧାରଣରେ ରହି ଥିବା ସନ୍ତୋଷ ବା ବିତୃଷ୍ଣାର ଆକଳନ ଆରମ୍ଭ କରି ଦେଇଛି ।
ଛଅ ମାସକୁ ଥରେ ଜନସାଧାରଣଙ୍କ ମନସ୍ତତ୍ୱକୁ ପରଖୁ ଥିବା ଏକ ଜାତୀୟ ଖବର ଚ୍ୟାନେଲ ସରକାରଙ୍କ ପ୍ରତି ଜନମତକୁ ନେଇ ନିକଟରେ ଯେଉଁ ପରିସଂଖ୍ୟାନ ଉପସ୍ଥାପନ କରିଛନ୍ତି ତାହା କେନ୍ଦ୍ରରେ ଶାସନ କରୁଥିବା ବିଜେପି ପାଇଁ ଯେତିକି ଆଶ୍ୱସ୍ତିକର, ସେତିକି ଚିନ୍ତାଜନକ । ଆଶ୍ୱସ୍ତିର ବିଷୟ ହେଉଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ତିନି ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟକାଳ ମଧ୍ୟରେ ବିମୁଦ୍ରାକରଣ, ଜିଏସ୍ଟି, ଆଧାର ସହ ବ୍ୟାଙ୍କ ଆକାଉଂଟଠାରୁ ଆରମ୍ଭ କରି ଜାଳେଣୀ ଗ୍ୟାସ୍ ପର୍ଯ୍ୟନ୍ତ ସବୁ ସାଧାରଣ ଉପଭୋକ୍ତା ସାମଗ୍ରୀକୁ ସଂଯୋଗ କରିବା ମାଧ୍ୟମରେ ଖାଉଟୀଙ୍କୁ ଅସନ୍ତୁଷ୍ଟ କରିଥିବା ସତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଜନସମର୍ଥନ ବିଶେଷ କମିନି । ବିଭିନ୍ନ କ୍ଷେତ୍ରରେ ଦକ୍ଷିଣପନ୍ଥୀ ଅସହିଷ୍ଣୁତାର ନଗ୍ନ ପ୍ରଦର୍ଶନ ଏବଂ ଦେଶରେ ଉକ୍ରଟ ବେକାର ସମସ୍ୟା ସତ୍ୱେ ୫୩ ପ୍ରତିଶତ ଭୋଟର ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରୁଛନ୍ତି ଏବଂ ସେ ପରବର୍ତୀ ପ୍ରଧାନମନ୍ତ୍ରୀ ହେବା ମଧ୍ୟ ଚାହିଁଛନ୍ତି । ଅପରପକ୍ଷରେ, ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ମତଦାତାଙ୍କ ସଂଖ୍ୟା ହେଉଛି ୨୨ ପ୍ରତିଶତ । ତୃତୀୟ ସ୍ଥାନରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ (୩ ପ୍ରତିଶତ ମତଦାତା ତାଙ୍କୁ ଚାହୁଁଛନ୍ତି) । ଗୁଜରାଟ ନିର୍ବାଚନ ପରେ ଏହି ସର୍ବେକ୍ଷଣ ରିପୋର୍ଟ ପ୍ରସାରିତ ହୋଇଛି । ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ୨୮ ପ୍ରତିଶତ ମତଦାତା ନରେନ୍ଦ୍ର ମୋଦୀଙ୍କୁ ଦେଶର ସ୍ୱାଧୀନତା ପରବର୍ତୀ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ସ୍ୱୀକୃତି ଦେଇଛନ୍ତି । ତେବେ, ଶାସକ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି – ଦେଶରେ ଦରଦାମ ଆକାଶଛୁଆଁ ବୃଦ୍ଧି ପାଇବା ଏବଂ ବର୍ଷକୁ ଦୁଇ କୋଟି ବେକାର ଯୁବକ, ଯୁବତୀଙ୍କୁ କର୍ମ ନିଯୁକ୍ତି ଦେବାର ପ୍ରତିଶ୍ରୁତି ପାଳନ କରିବାରେ ସରକାର ବିଫଳ ହେବା । ସେ ପ୍ରଧାନମନ୍ତ୍ରୀ ହେଲେ ଦେଶର କିଛି ମୁଷ୍ଠିମେୟ ବ୍ୟକ୍ତି ବିଦେଶରେ ଗଚ୍ଛିତ ରଖି ଥିବା ବିପୁଳ ପରିମାଣର କଳାଧନକୁ ଜବତ କରି ଦେଶକୁ ଫେରାଇ ଆଣିବେ ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରାଯିବ ବୋଲି ୨୦୧୪ ସାଧାରଣ ନିର୍ବାଚନ ସମୟରେ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ । ତାହା ମଧ୍ୟ ଧୂଆଁବାଣରେ ପରଣତ ହୋଇଛି । ବିଭିନ୍ନ ସମୟରେ ଏହିି କଳାଧନ ଓ ବ୍ୟାଙ୍କରେ ୧୫ ଲକ୍ଷ ଜମାକୁ ନେଇ ଦେଶବାସୀ ମୋଦୀଙ୍କୁ ସମାଲୋଚନା କରିବା ସହ ତାଙ୍କୁ ‘ମିଛୁଆ’ କହିବାକୁ ପଛାଉ ନାହାନ୍ତି । ଦେଶରେ ଆକାଶଛୁଆଁ ଦରବୃଦ୍ଧି, ଅର୍ଥନୀତିକ ଅଭିବୃଦ୍ଧିର ପଶ୍ୁାତ ଗତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନ ହେଲେ ବି ତାଙ୍କ ସରକାର ଓ ବିଜେପି ନେତାମାନଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ୨୦୧୯ ନିର୍ବାଚନରେ ବିଜେପି ପାଇଁ ସଂକଟ ସୃଷ୍ଟି କରି ପାରେ ବୋଲି ଜାନୁୟାରୀ ମାସରେ ପ୍ରସାରିତ ଏହି ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି । ୪୭ ପ୍ରତିଶତ ମତଦାତା ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ୨୦୧୯ ସାଧାରଣ ନିର୍ବାଚନରେ ଏକ ବଡ ଇସ୍ୟୁ ହୋଇପାରେ ବୋଲି ମତ ଦେଇଛନ୍ତି ।
ଦେଶର ବଡ଼ ହୀରା ବେପାରୀ ନୀରବ ମୋଦୀ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ପଂଜାବ ନ୍ୟାସନାଲ ବ୍ୟାଙ୍କ ଓ ଅନ୍ୟ ଜାତୀୟକରଣ ବ୍ୟାଙ୍କରୁ ପ୍ରାୟ ୧୮ ହଜାର କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ୍ ପୂର୍ବରୁ ଏହି ସର୍ବେକ୍ଷଣ ହୋଇଥିଲା । ନୀରବ ଏବଂ ତାଙ୍କ ସହଯୋଗୀ ଓ ସଂପର୍କୀୟମାନେ ସେମାନଙ୍କ ବିରୋଧରେ ବ୍ୟାଙ୍କ ପକ୍ଷରୁ ପୁଲିସରେ ଏତଲା ହେବା ପୂର୍ବରୁ ଗତ ଜାନୁୟାରୀ ପ୍ରଥମ ସପ୍ତାହରୁ ଦେଶ ଛାଡି ପଳାଇଛନ୍ତି । ଏହି ବିରାଟ ଘୋଟାଲାରେ ବ୍ୟାଙ୍କ ଅଧିକାରୀମାନେ ସାମିଲ ଅଛନ୍ତି । ସେଥିରୁ କିଛି ଗିରଫ ହେଲେଣି । ପୂର୍ବ ୟୁପିଏ ସରକାର ସମୟରୁ (୨୦୧୧ରୁ) ଏହି ଘୋଟାଲା ଚାଲି ଥିଲା, ମୋଦୀ ସରକାର ତାହାର ପର୍ଦ୍ଦାଫାସ୍ କରିଛନ୍ତି ବୋଲି ବିଜେପି ଦାବି କରି କଂଗ୍ରେସକୁ କାଠଗଡ଼ାକୁ ଟାଣି ଥିବା ବେଳେ ତିନି ବର୍ଷ ହେଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସଂପର୍କରେ ଅବଗତ ଥାଇ କର କରୁଥିଲେ (?) ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି । ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ଦଳୀୟ ମୁଖ୍ୟପାତ୍ରମାନେ କଥା କଟାକଟିରେ ବ୍ୟସ୍ତ ରହି ସରକାରଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି ସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ମୁହଁ ଖୋଲୁ ନ ଥିବାରୁ ବିଜେପି ସରକାରଙ୍କ ସ୍ୱଚ୍ଛତାକୁ ନେଇ ସନେ୍ଦହ ବଢୁଛି । ନୀରବ ମୋଦୀଙ୍କ ଭାଇ ନିଶ୍ଚଲ ମୋଦୀ ଦେଶର ସବୁଠାରୁ ଧନୀ ଉଦ୍ୟୋଗପତି ଆମ୍ବାନୀ ପରିବାର ସହ ସଂପୃକ୍ତ । ପିଏନ୍ବିରୁ ୧୩,୫୦୦ କୋଟି ଟଙ୍କାର ଜାଲିଆତିରେ ନିଶ୍ଚଲ ମଧ୍ୟ ଅନ୍ୟତମ ଅଭିଯୁକ୍ତ । ନୀରବଙ୍କ ପତ୍ନୀ ଆମୀ, ମାମୁଁ ‘ଗୀତାଂଜଳୀ ଜୁଏଲର୍ସ’ ମାଲିକ ମେହୁଲ ଚୌକସି ଏବଂ ଭାଇ ନିଶ୍ଚଲ ଅଂଶୀଦାର ଥିବା ତିନିଟି ବ୍ୟବସାୟ ସଂସ୍ଥା ନା’ରେ ବିଦେଶକୁ ହାଜାର ହଜାର କୋଟି ଟଙ୍କା ଏଲଓୟୁ ମାଧ୍ୟମରେ ସ୍ଥାନାନ୍ତର ହୋଇଥିବା ନରେନ୍ଦ୍ର ମୋଦୀ ସରକାର ଅମଳର ସବୁଠାରୁ ବଡ଼ ଘୋଟାଲା ଭାବେ ବିଚାର କରାଯାଉଛି । ଉଦ୍ୟୋଗପତି ବିଜୟ ମାଲ୍ୟାଙ୍କ ଭଳି ହୀରା ବ୍ୟବସାୟୀ ନୀରବ ଓ ତାଙ୍କ ପରିବାର ପଂଜାବ ନ୍ୟାସନାଲ ବ୍ୟାଙ୍କ ଓ ଅନ୍ୟ ଜାତୀୟକରଣ ବ୍ୟାଙ୍କରୁ ନିବେଶକ ଓ ସାଧାରଣ ଜମାକାରୀଙ୍କ ହଜାର ହଜାର କୋଟି ଟଙ୍କା ହଡପ କରି ବିଦେଶକୁ ଲୁଚି ପଳାଇବା କର ସରକାରଙ୍କ ଅଜାଣତରେ ସମ୍ଭବ ହୋଇଛି କି ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।
ସଂପୃକ୍ତ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜନତାର ମତାମତ ସଂଗ୍ରହ ସମୟରେ ଯଦି ଦେଶରେ ସାଧାରଣ ନିର୍ବାଚନ ହୋଇଥା’ନ୍ତା, ତାହା ହେଲେ ଲୋକସଭାର ୫୪୩ ଆସନରୁ ବିଜେପି ନେତୃତ୍ୱାଧୀନ ମେଂଟ ଏନଡ଼ିଏକୁ ୩୦୯ ଆସନ ମିଳିଥା’ନ୍ତା । ୨୦୧୪ ସାଦାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମେଂଟକୁ ମିଳି ଥିଲା ୩୩୬ ଆସନ । କଂଗ୍ରେସର ସ୍ଥିତି ଦୁଇ ଅଂକରୁ ତିନି ଅଂକକୁ ବଢି ଥା’ନ୍ତା । ଏହାର ଅର୍ଥ ହେଲା, ଦେଶରେ ବିଜେପି ନେତୃତ୍ୱାଧୀନ ମେଂଟ ପ୍ରତି ଜନ ସମର୍ଥନ କିଛି ମାତ୍ରାରେ କମିଛି ଏବଂ ରାହୁଲଙ୍କ ନେତୃତ୍ୱାଧୀନ ୟୁପିଏ ମେଂଟ ପ୍ରତି ସମର୍ଥନ ବଢିଛି । ତେବେ, ୟୁପିଏକୁ ଦେଶରେ ସରକାର ଗଢିଲା ଭଳି ସଂଖ୍ୟା ମିଳିବା ଆଶା ନାହିଁ । ଦେଶର ସାଧାରଣ ଜନତା ପ୍ରତିକୂଳ ବାତାବରଣ ସତ୍ତ୍ୱେ ବିଜେପି ନେତୃତ୍ୱାଧୀନ ମେଂଟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିଶ୍ୱାସ ଅତୁଟ ରଖିଛନ୍ତି । ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ବ୍ୟାଙ୍କ ଜାଲିଆତି ଏବଂ ଦେଶରୁ ଲୁଚି ପଳାଇବା ଘଟଣା ପରେ ଯଦି ଜନମତ ସଂଗ୍ରହ କରାଯିବ ତାହା ନିଶ୍ଚିତ ଭାବେ ଭିନ୍ନ ହେବ । ୨୦୧୯ ସାଧାରଣ ନିର୍ବାଚନ ବେଳକୁ ସ୍ଥିତି କଣ ଥିବ, ତାହା ଆଜି ଠାରୁ କହିବା ସମ୍ଭବ ନୁହେଁ । ତେବେ, ରାହୁଲ ଗାନ୍ଧୀ ନିଜ ଦଳକୁ ସଜାଡିବା ସହ ୟୁପିଏ ମେଂଟକୁ ସୁଦୃଢ କରି ପାରିଲେ ଏବଂ ବେକାର ଯୁବକ, ଯୁବତୀ ଓ ସାଧାରଣ ଜନତା ମଧ୍ୟରେ ଦରଦାମ ଓ ବେକାରୀକୁ ନେଇ ବିଜେପି ବିରୋଧରେ ରହି ଥିବା ଅସନ୍ତୋଷକୁ ନିଜ ସପକ୍ଷରେ ନେବାକୁ ଗଠନମୂଳକ ଉଦ୍ୟମ କଲେ ପରିସ୍ଥିତି କଂଗ୍ରେସ ସପ୪କୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏହି ପରିସ୍ଥିତିରେ, ବିଶିଷ୍ଟ ସ୍ତମ୍ଭକାର ଚେତନ ଭଗତ ଏକ ଜାତୀୟ ସମ୍ବାଦପତ୍ରରେ ଲେଖାଟିଏ ଲେଖି ରାହୁଲ ଗାନ୍ଧୀ ଓ ଭାରତୀୟ ଜାତୀୟ କଂଗ୍ରେସକୁ ଯେଉଁ ପରାମର୍ଶ ଦେଇଛନ୍ତି ତାହା କଂଗ୍ରେସର କଳ୍ପନା ବାହାରେ । କିନ୍ତୁ, ଦଳକୁ ପୁନର୍ବାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଦିଗରେ ତାହା ଏକ ସୁଚିନ୍ତିତ ପରାମର୍ଶ କୁହାଯାଇ ପାରେ । ଚେତନଙ୍କ ପରାମର୍ଶ ହେଉଛି – ରାହୁଲ କଂଗ୍ରେସର ନେତା ରହି ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସଚିନ ପାଇଲଟଙ୍କ ଭଳି ଜଣେ ଯୁବ ନେତାଙ୍କୁ ପୋ୍ରଜେକ୍ଟ କରିବା ଉଚିତ ହେବ । କାରଣ, ଦେଶକୁ ନେତୃତ୍ୱ ଦେବାର ଦକ୍ଷତାକୁ ନେଇ ସନ୍ଦିହାନ ଥିବା ଭୋଟର ମାନେ ଏକ ବିକଳ୍ପ ନେତୃତ୍ୱର ଆଭାସ ପାଇବେ । ପାଂଚ ପ୍ରତିଶତ ଭୋଟ ବି ବୋନସ ଆକାରରେ କଂଗ୍ରେସ ସପକ୍ଷକୁ ଆସିଲେ ଦଳର ବିଜୟ ସମ୍ଭାବନା ବଢି ଯିବ । ରାଜସ୍ଥାନରେ ସଚିନଙ୍କ ଦୃଢ ଭିତ୍ତିଭୂମି ସହ ଜଣେ ନିର୍ମଳ ବ୍ୟକ୍ତିତ୍ୱର ଭାବମୂର୍ତୀ ବି ରହିଛି। ସଚିନଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରି ରାହୁଲ ଦେଶକୁ ଜଣେ ସ୍ୱଚ୍ଛ ଯୁବ ନେତା ଦେବା ଉପହାର ସ୍ୱରୂପ ଦେବାର ଗୌରବ ନିଜ ମୁଣିକୁ ନେଇ ପାରିବେ । ଜଣେ ସ୍ୱଚ୍ଛ ନେତା ଏବଂ ଦେଶର ଅର୍ଥନୀତିକୁ ସଜାଡିବା ସହ କୋଟି କୋଟି ବେକାର ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାର ବିକଳ୍ପ ଯୋଜନା ଉପସ୍ଥାପନ କରି ରାହୁଲ କଂଗ୍ରେସ ପ୍ରତି ଭୋଟରଙ୍କୁ ଆକୃଷ୍ଟ କରି ପାରିବେ । ବର୍ତମାନ କଂଗ୍ରେସର ଯେଉଁ ଅଣ-ହିନ୍ଦୁ ଭାବମୂର୍ତୀ ରହିଛି ତାହା ମଧ୍ୟ କିଛି ମାତ୍ରାରେ ସୁଧୁରି ଯିବ । ୨୦୧୯ରେ ଭାଟ ଦେବାକୁ ସକ୍ଷମ ହେଉଥିବା ସହସ୍ରାଧିକ ନବ-ଭୋଟରଙ୍କୁ ଆଖିରେ ରଖି ବିଜେପି ତାହାର ନିର୍ବାଚନ କୌଶଳପ୍ରସ୍ତୁତ କରୁଛି । ସଚିନଙ୍କ ନେତୃତ୍ୱରେ କଂଗ୍ରେସ କିଛି ନୂଆ ଯୋଜନା ଉପସ୍ଥାପନ କରି ସେଥିରୁ ଅଳ୍ପ କିଛି ଭୋଟ ନିଜ ଆଡକୁ ଟାଣି ପାରିଲେ ବି ଲାଭବାନ ହେବ । ଏହାଛଡା, ୟୁପିଏକୁ ଅଧିକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଭାବେ ଉପସ୍ଥାନ କରିବା ସକାଶେ ଦୁର୍ନୀତିର ଛିଟା ଲାଗି ଥିବା ଅଂଶୀଦାର ଓ ନେତାଙ୍କୁ ଦୂରେଇ ରଖି ଭଲ ଭାବମୂର୍ତୀ ଥିବା ନେତା ଓ ଦଳଙ୍କୁ ନେଇ ୟୁପିଏର ପୁନର୍ଗଠନ କରାଯିବା ଉପରେ ଚେତନ ଗୁରୁତ୍ୱ ଦେଇଛନ୍ତି । ନିର୍ବାଚନ ପ୍ରଚାରରେ ର୍ୟାଲିର ମହତ୍ୱ ରହିଛି । ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ନିର୍ବାଚନରେ ଡ଼ିଜିଟାଲ ପ୍ରଚାରକୁ ସର୍ବାଧିକ ଗୁରୁତ୍ୱ ଦେଇ ସଫଳତା ହାସଲ କରିଥିଲେ । ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନ ପାଇଁ ଅନୁରୂପ କୌଶଳର ବ୍ୟବହାର ଦିଗରେ ବର୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେବା ଆବଶ୍ୟକ ।
ଏକଥା ସତ୍ୟ ଯେ, ବିଜେପି ନେତୃତ୍ୱଧୀନ ଏନଡ଼ିଏ ମେଂଟ ସରକାର ସାଢେ ତିନି ବର୍ଷ ପରେ ଏବେ ଜନତାର ବିଶ୍ୱାସଭାଜନ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାକ୍ ଚାତୁରୀ ସବୁ ଶ୍ରେଣୀର ଭୋଟରଙ୍କୁ ସହଜରେ ପ୍ରଭାବିତ କରି ପାରୁଛି । ତତାପି ଭାରତ ଭଳି ଏକ ବୃହତ ଗଣତନ୍ତ୍ରରେ ବିରୋଧୀଙ୍କ ପାଇଁ ମଧ୍ୟ କ୍ଷମତାକୁ ଫେରିବାର ସୁଯୋଗ ଓ ସମ୍ଭାବନା ରହିଛି । କେବଳ, ଥିବା ସୁଯୋଗର ସଦ୍ ବ୍ୟବହାର ହେବା ଉପରେ ସବୁ କିଛି ନିର୍ଭର କରୁଛି । ଲେଖକ ତଥା ସ୍ତମ୍ଭକାର ଚେତନ ଭଗତ ତାଙ୍କ ଲେଖା ମାଧ୍ୟମରେ ଦେଇ ଥିବା ପରାମର୍ଶ କଂଗ୍ରେସ ଦ୍ୱାରା କେତେଦୂର ଗ୍ରହଣଯୋଗ୍ୟ ହେଉଛି, ତାହା ଦେଖିବା କଥା । ଗାନ୍ଧୀ ପରିବାର ରାଜୀବଙ୍କ ପରେ ରାହୁଲଙ୍କ ହାତରେ ସିଂହାସନକୁ ଟେକି ଦେବାକୁ ବହୁ ବର୍ଷ ହେଲା ପ୍ରତୀକ୍ଷା କରୁଛନ୍ତି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ କଂଗ୍ରେସ ଶାସନ ଥିଲେ ମଧ୍ୟ ଦଳ ବାଧ୍ୟବାଧକତାରେ ଡ. ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରି ଥିଲା । ରାହୁଲ ଶିକ୍ଷାନବିଶ ଭାବେ ରାଜନୀତି ଶିକ୍ଷା କରୁଥିଲେ । ୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ଆଶାତୀତ ସଂଖ୍ୟାଗରିଷ୍ଠତା ପାଇ ଦେଶରେ ସରକାର ଗଢିଛି ଏବଂ କଂଗ୍ରେସ ଗଛ ଉପୁଡି ମାଟି ଛୁଇଁଛି । କିନ୍ତୁ, ରାହୁଲ ପଦୋନ୍ନତି ପାଇ ଏଆଇସିସି ଉପ ସଭାପତିରୁ ସଭାପତି ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ତାଙ୍କରି ନେତୃତ୍ୱରେ ଲଢାଯିବା ନିଶ୍ଚିତ । ମା’ ସୋନିଆ ଗାନ୍ଧୀଙ୍କ ଭଳି ପୁଅ ରାହୁଲ ତ୍ୟାଗର ନିଦର୍ଶନ ହେବେ କି ନିଜେ ପ୍ରଧାନମନ୍ତ୍ରୀ ହେବା ଆଶାରେ କଂଗ୍ରେସକୁ ଅଧିକ ରସାତଳକୁ ନେବେ, ତାହା ସମୟ ହିଁ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS