ଉପ ନିର୍ବାଚନ ସମୟରେ ବି ଚାଷି ଆତ୍ମହତ୍ୟା ସରକାରଙ୍କ ପିଛା ଛାଡୁନି
ଭୁବନେଶ୍ୱର, ୧୯ ଫେବୃୟାରୀ: ଗୋଟିଏ ପଟେ ପଶ୍ଚିମ ଓଡ଼ିଶା ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଆସନରେ ୨୪ ତାରିଖ ଉପ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଓ ବିରୋଧୀ ଦଳର ନେତାମାନେ ସେଠାରେ ଡ଼େରା ପକାଇ ବସି ଥିବା ବେଳେ ସେହି ଜିଲ୍ଲାରେ ଘଟିଛି ଆଉ ଏକ ଚାଷି ଆତ୍ମହତ୍ୟା ଘଟଣା, ଯାହାକି ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ନୟାପଲ୍ଲୀ ଗ୍ରାମର କ୍ଷମାସାଗର ବିଶ୍ୱାଳ ନାମକ ଜଣେ ଚାଷି ଝିଅ ବାହାଘର ପାଇଁ ମହାଜନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଶୁଝି ନ ପାରିବାରୁ ମାନସିକ ଚାପରେ ଥିଲେ । ଗତ ୧୫ ତାରିଖ ଦିନ ସେ ବିଷ ପିଇ ଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ ପରେ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୧୮ ତାରିଖ ତାଙ୍କ ମୃତ୍ୟୁ ଘଟିଛି । ତିନି ବର୍ଷ ହେଲା ଲଗାତର ଫସଲହାନୀ ଯୋଗୁ କ୍ଷମାସାଗରଙ୍କ ଆର୍ତିକ ଅବସ୍ଥା ଉଜୁଡି ଯାିଥିଲା । ଫଳରେ, ସେ ଋଣ ଶୁଝି ନ ପାରି ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର କହିଛନ୍ତି ।
ଇତିମଧ୍ୟରେ ବିଜେପୁରରେ ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ଉପ ନିର୍ବାଚନ ପ୍ରଚାର କାର୍ଯ୍ୟରେ ମାତି ଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ନୟାପଲ୍ଲୀ ଗ୍ରାମକୁ ଯାଇ ମୃତ କ୍ଷମାସାଗରଙ୍କ ପରିବାରକୁ ଭେଟିବା ସହ ସମବେଦନା ଜଣାଇଛନ୍ତି । ସରକାର ଏହି ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । ଗାଇସିଲେଟ ବ୍ଲକ ବିଜେପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଣୟ ସାହୁଙ୍କ ଦୃଢ ଦୁର୍ଗ କୁହାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର ପାଇଁ ୨୦ ତାରିଖ ବରପାଲି ଓ ୨୧ ତାରିଖ ଗାଇସିଲେଟ୍, ପଦ୍ମପୁର ଓ ବିଜେପୁର ବ୍ଲକ ଗସ୍ତରେ ଯାଉ ଥିବାରୁ ଆତ୍ମହତ୍ୟା କରିଥିବା ଚାଷିଙ୍କ ପରିବାରକୁ ଭେଟୁଛନ୍ତି କି ନାହିଁ ଦେଖିବା ସକାଶେ ଅଂଚଳବାସୀ ଅପେକ୍ଷା କରିଛନ୍ତି । ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ବୁଧବାର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇ ଦଳର ପ୍ରାର୍ଥୀ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ସ୍ମୃତିଙ୍କୁ କ୍ଷମାସାଗରଙ୍କ ପରିବାର ସହ ଭୋଟାଇବାକୁ ରାଜ୍ୟ ବିଜେପି ସୁଯୋଗର ହାତଛହା କରିବ ନାହିଁ ବୋଲି ଚର୍ଚ୍ଚା ହେଉଛି ।
୨୪ ତାରିଖ ଏହି ଉପ ନିର୍ବାଚନ ପାଇଁ ଭୋଟ ହେବାକୁ ଥିବାରୁ ବରଗଡ଼ ଜିଲ୍ଲା ନେତା ଓ ଅଭିନେତାଙ୍କ ଘନ ଘନ ଗସ୍ତରେ ଫାଟି ପଡୁ ଥିବା ବେଳେ ଏହି ଚାଷି ଆତ୍ମହତ୍ୟା ଘଟଣା ଶାସକ ବିଜେଡ଼ିର ଅଡୁଆ ବଢାଇଛି । ପୂର୍ବରୁ ମଧ୍ୟ ଏହି ଜିଲ୍ଲାରେ ଫସଲହାନୀ ଯୋଗୁ ଋଣ ଭାରରେ ଛନ୍ଦି ହୋଇ ଚାଷି ଆତ୍ମହତ୍ୟା କରିଥିବାର ନଜିର ରହିଛି । ବିଜେଡ଼ି ସରକାର ‘ବିକାଶ’ କଥା କହି ଉପ ନିର୍ବାଚନ ଲଢୁ ଥିବା ବେଳେ ବିଜେପି ଚାଷି ଆତ୍ମହତ୍ୟା, କୁନ୍ଦୁଲି ଗଣ ଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଏବଂ ସବୁ କ୍ଷେତ୍ରରେ ସରକାରୀ ବିଫଳତାକୁ ଇସ୍ୟୁ କରି ଉପ ନିର୍ବାଚନ ଲଢୁଛି । କଂଗ୍ରେସ ଦଳର ପ୍ରଚାରରେ ବିଜେଡ଼ି ଓ ବିଜେପି ତୁଳନାରେ ପଛୁଆ ଥିଲେ ମଧ୍ୟ ଦଳର ସବୁ ବରିଷ୍ଠ ନେତା ଏକାଠି ହୋଇ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରୁଥିବାରୁ ଦଳ ଏହି ଆସନକୁ ପୁନଃ ଦଖଲ କରିବା ଆଶା ରଖିଛି । ବିଜେପୁର ବିଧାନସଭା ଆସନରୁ ଲଗାତର ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଗତ ବର୍ଷ ଅଗଷ୍ଟ ମାସରେ ମୃତ୍ୟୁ ହେବାରୁ ଏହି ଉପ ନିର୍ବାଚନ ହେଉଛି । ତାଙ୍କ ପତ୍ନୀ ରୀତା ନିଜ ସମର୍ଥକମାନଙ୍କ ସହ ବିଜେଡ଼ିରେ ଯୋଗ ଦେଇ ଉପ ନିର୍ବାଚନରେ ବିଜେଡ଼ିରୁ ପ୍ରାର୍ଥୀ ଥିବା ବେଳେ ୨୦୧୪ରେ ବିଜେଡ଼ିରୁ ଟିକଟ ନ ପାଇ ସୁବଳଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏହି ଉପ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ଅଛନ୍ତି । ୨୮ ତାରିଖ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଏହି ଉପ ନିର୍ବାଚନ ତିନି ରାଜନୈତିକ ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଥିବାରୁ ଲଢେଇ ଘମାସାନ ହେବାରେ ଲାଗିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS