୫୮ ରାଜ୍ୟସଭା ଆସନ ପାଇଁ ଭୋଟ ମାର୍ଚ୍ଚ ୨୩ରେ, ଏଥିରେ ଓଡ଼ିଶାର ୩
ନୂଆଦିଲ୍ଲୀ, ୨୪ ଫେବୃୟାରୀ: ଆସନ୍ତା ଏପ୍ରିଲ ମାସରେ କାର୍ଯ୍ୟକାଳ ସରୁ ଥିବା ୧୬ଟି ରାଜ୍ୟର ୫୮ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୩ ତାରିଖରେ ଭୋଟ ହେବ ବୋଲି ଶୁକ୍ରବାର ଦିନ ନିର୍ବାଚନ କମିସନ ଘୋଷଣା କରିଛନ୍ତି । ଏହି ୫୮ଟି ଆସନ ମଧ୍ୟରେ ଓଡ଼ିଶାର ୩ଟି ଆସନ ରହିଛି । କମିସନ ଧାର୍ଯ୍ୟ କରିଥିବା କାର୍ଯ୍ୟସୂଚୀ ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୧୨ ଧାର୍ଯ୍ୟ ହୋଇଥିବା ବେଳେ ୧୩ ତାରିଖ ଯାଂଚ ଓ ୧୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖା ଯାଇଛି । ମାର୍ଚ୍ଚ ୨୩ ତାରିଖରେ ଭୋଟ ହେବା ସହ ସେହି ଦିନ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।
ଏପ୍ରିଲରେ ରାଜ୍ୟସଭା ସଦସ୍ୟ ପଦରୁ ଅବସର ଗ୍ରହଣ କରିବାକୁ ଥିବା ୫୮ ସଦସ୍ୟଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ ଥିବା ସମୟରେ ଉତ୍ତର ପ୍ରଦେଶର ୧୦ ଜଣ, ବିହାର ଓ ମହାରାଷ୍ଟ୍ରର ୬ ଜଣ ଲେଖାଁଏ, ମଧ୍ୟପ୍ରଦେଶ ଓ ପଶ୍ଚିମ ବଂଗର ୫ ଜଣ ଲେଖାଁଏ, ଗୁଜରାଟ ଓ କର୍ଣ୍ଣାଟକର ୪ ଜଣ ଲେଖାଁଏ ଏବଂ ଆନ୍ଧ୍ର ପ୍ରଦେଶ, ତେଳେଙ୍ଗାନା ଓ ରାଜସ୍ଥାନର ୩ ଜଣ ଲେଖାଁଏ ସଦସ୍ୟ ଅଛନ୍ତି । ଝାରଖଣ୍ଡର ୨ ଜଣ ଏବଂ ଛତିଶଗଡ଼, ହରିଆନା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଜଣେ ଲେଖାଁଏ ରାଜ୍ୟସଭା ସଦସ୍ୟ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ସବୁ ଆସନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ହେବ ବୋଲି କମିସନ ସୂଚନା ଦେଇଛନ୍ତି । ଏହାଛଡା, ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ କାର୍ଯ୍ୟକାଳ ଥିବା କେରଳର ରାଜ୍ୟସଭା ସଦସ୍ୟ ବୀରେନ୍ଦ୍ର କୁମାର ଗତ ଡ଼ିସେମ୍ବର ମାସରେ ଇସ୍ତଫା ଦେଇ ଥିବାରୁ ସେହି ଆସନ ପାଇଁ ମଧ୍ୟ ମାର୍ଚ୍ଚ ୨୩ରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।
ଆସନ୍ତା ଏପ୍ରିଲରେ କାର୍ଯ୍ୟକାଳ ସରୁଥିବା ପ୍ରମୁଖ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ବିହାର), କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ଜେ.ପି. ନଡ୍ଡା, ଥୱରଚାନ୍ଦ ଗେହଲଟ୍ ଏବଂ ରାମଦାସ ଅଥୱାଲେ । ଗଲା ବର୍ଷ ଅଗଷ୍ଟ ମାସ ପୂର୍ବରୁ ରାଜ୍ୟସଭାରେ କଂଗ୍ରେସ ଓ ବିଜେପି ସଦସ୍ୟ ସଂଖ୍ୟା ପାଖାପାଖି ଥିଲା । ମଧ୍ୟ ପ୍ରଦେଶରେ ଏକ ଉପ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ଏମପି ସଂପତିଆ ଉଇକେ ସଦସ୍ୟ ଭାବେ ଶପଥ ନେବା ପରେ ୨୦୧୭ ଅଗଷ୍ଟ ମାସରେ ରାଜ୍ୟସଭାରେ ବିଜେପି ସଦସ୍ୟ ସଂଖ୍ୟା କଂଗ୍ରେସକୁ ଟପିଛି ଏବଂ ଦଳ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଛି । ପାର୍ଲାମେଂଟର ଏହି ସର୍ବୋଚ୍ଚ ଗୃହରେ କଂଗ୍ରେସର ୫୭ ସଭ୍ୟ ଥିବା ସମୟରେ ବିଜେପି ସଭ୍ୟ ସଂଖ୍ୟା ୫୮ ହୋଇଛି । ଆସନ୍ତା ମାର୍ଚ୍ଚ ୨୩ରେ ୫୮ଟି ରାଜ୍ୟସଭା ଆସନ ପାଇଁ ହେଉଥିବା ନିର୍ବାଚନ ବିଜେପିର ସଦସ୍ୟ ସଂଖ୍ୟା ବୃଦ୍ଧିରେ ସହାୟକ ହେବ ଏବଂ ସର୍ବୋଚ୍ଚ ଗୃହରେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା ରଖିଛି । ୨୦୧୪ ମେ’ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଷ୍ଠା ହେବା ପରେ ରାଜ୍ୟସଭାରେ ବିଜେପି ପ୍ରଥମ ଥର ପାଇଁ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS