ଶାନ୍ତିରେ ବିଜେପୁର ଭୋଟ ସରିଲା, ଶନିବାର ୮୨ ପ୍ରତିଶତ ମତଦାତା ନିଜ ଅଧିକାର ସାବ୍ୟସ୍ତ କଲେ
-ପ୍ରସାଦ ରାଓ –
ଭୁବନେଶ୍ୱର, ୨୫ ଫେବୃୟାରୀ: ଓଡ଼ିଶାର ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ନିର୍ବାଚନ ମଣ୍ଡଳୀର ୨.୨୧ ଲକ୍ଷ ଭୋଟରଙ୍କ ମଧ୍ୟରୁ ୮୨.୧୭ ପ୍ରତିଶତ ମତଦାନ କରିଛନ୍ତି । ୨୮୧ଟି ବୁଥ୍ ରେ ଭୋଟ ଗ୍ରହଣ ହୋଇଥିଲା । ୧୫୫ଟି ବୁଥ୍ ଅତ୍ୟନ୍ତ ସ୍ପର୍ଶକାତର ବୋଲି ଚିହ୍ନଟ ହୋଇଥିଲେ ସୁଦ୍ଧା କୌଣସି ପ୍ରକାର ଅପ୍ରିତିକର ଘଟଣା ଘଟି ଥିବାର ଖବର ମିଳି ନାହିଁ । କିଛି ଦିନ ହେଲା ନିର୍ବାଚନ ମଣ୍ଡଳୀର ବାତାବରଣ ଯେଭଳି ଉତ୍ତେଜନାପୂର୍ଣ୍ଣ ଥିଲା, ତାହାକୁ ଦେଖି ଭୋଟ ଗ୍ରହଣ ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୋଟ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଥିଲେ ମଧ୍ୟ ମୁଖ୍ୟତଃ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହୋଇଛି । ବିଜେପୁରବାସୀ ନିର୍ଭୟରେ ଏତେ ସଂଖ୍ୟାରେ ଆସି ଭୋଟ ଦେବା ପ୍ରଶାସନର ବଡ ସଫଳତା ବୋଲି କୁହାଯାଉଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀମାନେ ମଧ୍ୟ ବେଶ୍ ଉତ୍ସାହିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଦିନିଆ ବିଜେପୁର ଗସ୍ତ ସମୟରେ ମିଳି ଥିବା ବିପୁଳ ଜନ ସମର୍ଥନ ଦୃଷ୍ଟିରୁ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ନିଜ ବିଜୟ ନେଇ ବେଶ୍ ଆଶାବାଦୀ ଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ମଧ୍ୟ ବିଜେପିର ଆକ୍ରମଣାତ୍ମକ ପ୍ରଚାରକୁ ନେଇ ସନ୍ତୁଷ୍ଟ । ଭଲ ଭୋଟ ବ୍ୟବଧାନରେ ସେ ବିଜୟୀ ହେବେ ବୋଲି ଆଶା ଭୋଟ ପରେ ଆଶା ପ୍ରକାଶ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ନିର୍ବାଚନ ପ୍ରଚାର ଲୋ-ପ୍ରୋଫାଇଲ୍ ଥିଲା । ତଥାପି ସେ ନିର୍ବାଚନ ମଣ୍ଡଳୀର ମୌଳିକ ସମସ୍ୟା ଉତ୍ ଥାପନ କରି ଭୋଟରଙ୍କ ନିକଟତର ହୋଇଥିବା ଦର୍ଶାଇ କଂଗ୍ରେସ ପୁନର୍ବାର କ୍ଷମତାସୀନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
କଂଗ୍ରେସ ଦଳ ଏହି ନିର୍ବାଚନ ମଣ୍ଡଳୀ ୨୦୦୪ରୁ ଲଗାତର ଭାବେ ତିନିଟି ବିଧାନସଭା ନିର୍ବାଚିତ ହୋଇଛି । କଂଗ୍ରେସ ବିଧାୟକ ସୁବଳ ସାହୁ ନିର୍ବାଚନ ମଣ୍ଡଳୀରେ ଯଥାସମ୍ଭବ ଉନ୍ନୟନ କାର୍ଯ୍ୟ କରି ଭୋଟରଙ୍କ ପ୍ରିୟଭାଜନ ହୋଇ ପାରି ଥିଲେ । ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କ ଦେହାନ୍ତ ହେବା ଯୋଗୁ ବିଜେପୁର ବିଧାନସଭା ଆସନରେ ଶନିବାର ଉପ ନିର୍ବାଚନ ହୋଇଛି । ରାଜ୍ୟ କଂଗ୍ରେସରେ ନେତୃତ୍ୱକୁ ନେଇ ଗୋଷ୍ଠୀ କନ୍ଦଳ ତୀବ୍ର ଥିବାରୁ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ନିରାପଦ ନୁହେଁ ବୋଲି ଭାବି ବିଜେଡ଼ିର ଦ୍ୱାରସ୍ଥ ହୋଇଥିଲେ । ବିଜେଡ଼ି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରୀତାଙ୍କ ପ୍ରତି ଭୋଟରଙ୍କ ମଧ୍ୟରେ ଅନୁକଂପା ରହି ଥିବା ଅନୁମାନ କରି ତାଙ୍କୁ ଉପ ନିର୍ବାଚନରେ ପ୍ରାର୍ଥୀ କରିବାକୁ ପ୍ରତିଶ୍ରୁତି ଦେଇ ବିଜେଡ଼ିରେ ସାମିଲ କରିଥିଲେ । ରୀତାଙ୍କୁ ନେଇ ପ୍ରଥମେ ଦଳ ଭିତରେ ଅସନ୍ତୋଷ କୁହୁଳି ଥିଲା ସିନା ପରେ ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମସ୍ତେ ମାନି ନେଇ ଥିଲେ । ମୁଖ୍ୟମନ୍ତ୍ରୀ ନିଜେ ରୀତାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିବା ସହ ଦଳର ଅସନ୍ତୁଷ୍ଟ ନେତାମାନଙ୍କ ହାତରେ ନିର୍ବାଚନ ପରିଚାଳନା ଦାୟିତ୍ୱ ଛାଡି ଦେଇ ଥିଲେ । ସେହିପରି, ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ଟିକଟ ନ ପାଇ ଦଳର ପ୍ରାର୍ଥୀ ତକ୍ରାଳୀନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଥିବା ଦଳ ପାଇଁ ପରାଜୟର କାରଣ ହୋଇଥିବା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏଥର ମଧ୍ୟ ଦଳୀୟ ଟିକଟରୁ ବଂଚିତ ହେବାରୁ ଓ ତାଙ୍କୁ ଟିକଟ ଦିଆ ନ ଯାଇ ଅନୁକଂପା ଭୋଟ ଆଶାରେ କଂଗ୍ରେସ ଛାଡି ବିଜେଡ଼ିକୁ ଆସିଥିବା ରୀତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବାରୁ ଉତ୍ କ୍ଷୀପ୍ତ ହୋଇ ବିଜେପିକୁ ଲଂପ ଦେଇଥିଲେ । ବିଜେପି ମଧ୍ୟ ଦଳ ଭିତରେ ଦୃଢ ବିରୋଧ ସତ୍ୱେ ପ୍ରତିଶ୍ରୁତି ରକ୍ଷା କରି ତାଙ୍କୁ ପ୍ରାର୍ଥୀ କରିଛି । ତେବେ, ବହୁଦା ବିଭାଜିତ କଂଗ୍ରେସ ଦଳ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ବିଳମ୍ବ କରି ମୂଳରୁ ନିଜର ଦୁର୍ବଳତା ପ୍ରଦର୍ଶନ କରି ସାରିଛି । ନାମାଂକନ ଦାଖଲ ସମୟରେ ଦଳର ଆଂଚଳିକ ନେତା ପ୍ରଣୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । ବିଳମ୍ବରେ ହେଲେ ବି ରାଜ୍ୟ କଂଗ୍ରେସର ସବୁ ଗୋଷ୍ଠୀର ନେତା ବିଜେପୁର ଯାଇ ଦଳର ପ୍ରାର୍ଥୀ ପ୍ରଣୟଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବା ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିଛି ।
ତେବେ, ଶନିବାର ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ପାଇଁ ଶାସକ ବିଜେଡ଼ି ଓ ବିଜେପି ପକ୍ଷରୁ ଯେଭଳି ହାଇ-ପ୍ରୋଫାଇଲ୍ ପ୍ରଚାର ହେଲା ତାହା ସମଗ୍ର ରାଜ୍ୟର ଦୃଷ୍ଟି ଆକର୍ଷଣ କରିଛି । ବିଜେଡ଼ି ଓ ବିଜେପି ମଧ୍ୟରେ ଏହା ନିର୍ବାଚନ ଲଢେଇ ନୁହେଁ, ପରସ୍ପର ପ୍ରତି ‘ଘୃଣା’ର ପରିପ୍ରକାଶ ଥିଲା ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ । ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଦୁଇ ଦଳ ଶିଂଗ ଲଢେଇ ଆରମ୍ଭ କରି ଦେଇଥିଲେ । ପରସ୍ପର ବିରୋଧରେ କାଦୁଅ ଫିଙ୍ଗା ରାଜନୀତି ସହ ହିଂସାର ଖୋଲା ପ୍ରଚାର ବାତାବରଣକୁ ସରଗରମ ରଖି ଥିଲା । କେନ୍ଦ୍ରରେ ଦଳର ସରକାର ଥିବାରୁ ବିଜେପି ଅତ୍ୟନ୍ତ ଆକ୍ରମଣାତ୍ମକ ରାଜନୀତିର ଆଶ୍ରୟ ନେଇଥିବା ବେଳେ ରାଜ୍ୟରେ ପାଖାପାଖି ୧୮ ବର୍ଷ ହେଲା କ୍ଷମତାସୀନ ଥିବା ବିଜେଡ଼ି ଏହି ଉଗ୍ରତାକୁ ‘ଉଗ୍ର’ ଭାବେ ମୁକାବିଲା କରିବାକୁ ପଛାଇ ନ ଥିଲା । ଭୋଟ ତାରିଖ ଘୋଷଣା ପୂର୍ବରୁ ବିଜେପି କର୍ମୀଙ୍କ ଉପରେ ଗୁଳି ମାଡ ହେବା ଅଭିଯୋଗ ଏବଂ ଭୋଟ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଭା ସ୍ଥଳରେ ଯୋତା ଫିଙ୍ଗା ଯିବା ଘଟଣା ନିନ୍ଦନୀୟ ଥିଲା । ଭୋଟ ହେବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟର ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଓ ତାଙ୍କ ସହଯୋଗୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବା ଏହି ନିର୍ବାଚନରେ ହିଂସାର ପ୍ରୟୋଗ ମାତ୍ରାକୁ ସ୍ପଷ୍ଟ ସୂଚିତ କରୁଛି । ଯୋତା ପିଙ୍ଗା ଓ ମନ୍ତ୍ରୀଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ପଛରେ ବିଜେପିର ହାତ ଥିବା ଶାସକ ବିଜେଡ଼ି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ନିଜେ ହିଂସାର ତୀବ୍ର ନିନ୍ଦା କରିଛନ୍ତି । ଅପରପକ୍ଷରେ, ବିଜେପି ରାଜ୍ୟର ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଜଣେ ଅପରାଧୀ ବୋଲି ଆକ୍ଷେପ କରି ତାଙ୍କୁ ଭୋଟ ସମୟରେ ତଡ଼ିପାର କରାଯିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ନିକଟରେ ଦାବି କରିଥିଲା । ବିଜେପି ନିର୍ବାଚନ ପ୍ରଚାରର ନେତୃତ୍ୱ ନେଇ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ ପୂର୍ବ ଦିନ ବରଗଡ଼ ଠାରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ‘ହିଂସାର ପୂଜାରୀ’ ବୋଲି ଆକ୍ଷେପ କରିବା ସହ ‘କେନ୍ଦ୍ର ସରକାର ବେନାମୀ ସମ୍ପତ୍ତି ନେଇ ନୂଆ ଆଇନ ଆଣୁଛନ୍ତି, ତୁମକୁ କିଏ ରକ୍ଷା କରିବ ଦେଖିବା’ ବୋଲି ରାଜ୍ୟ ବିଜେଡ଼ି ନେତା ମାନଙ୍କୁ ଧମକ ଦେବା ଏବଂ ଚିଟ୍ ଫଣ୍ଡ୍ ଦୁର୍ନୀତି ନେଇ ନିଦ୍ଧିଷ୍ଟ ଭାବେ କିଛି ବିଜେଡ଼ି ନେତାଙ୍କୁ ଆକ୍ଷେପ କରିବା ତାଙ୍କ ବିବ୍ରତ ଅବସ୍ଥାକୁ ସୂଚାଇ ଥିବା ବେଳେ କିଛି ବରିଷ୍ଟ ବିଜେଡ଼ି ନେତାମାନେ ପାଲଟା ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ କଟକର କୁଖ୍ୟାତ ଡ଼ି’ ବ୍ରଦର୍ସଙ୍କ ସହ ଯୋଡି ପାଲଟା ଆକ୍ରମଣ କରିବା ରାଜ୍ୟବାସୀଙ୍କୁ ଆଚମ୍ବିତ କରିଛି । ଗୋଟିଏ ବିଧାନସଭା ଉପ ନିର୍ବାଚନରେ ଯଦି ଦୁଇ ଦଳ ମଧ୍ୟରେ ଏତେ ନୀଚ ସ୍ତରର ରାଜନୀତି ଓ ଘୃଣାର ଖୋଲା ପ୍ରଦର୍ଶନ ହେଉଛି, ଆଗାମୀ ସାଧାରଣ ନିର୍ବାଚନରେ କି ଅବସ୍ଥା ନ ହେବ (?) ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ପୂର୍ବରୁ ରାଜ୍ୟରେ ଅନେକ ଉପ ନିର୍ବାଚନ ହୋଇଛି । କିନ୍ତୁ, ଏଭଳି ଘୃଣାର ପରିପ୍ରକାଶ କେବେ ହୋଇ ନଥିଲା ବୋଲି ପୁରୁଖା ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି । ଏହି ପରିସ୍ଥିତିରେ ଶନିବାର ବିଜେପୁରରେ ଶୃଙ୍ଖଳିତ ଭାବେ ଭୋଟ ହେବ ବୋଲି ଜିଲ୍ଲା ପ୍ରଶାସନ ବି ଆଶା କରି ନଥିଲା । କିନ୍ତୁ, କୌଣସି ପ୍ରକାର ହିଂସା ନ ହୋଇ ଶୃଙ୍ଖଳିତ ଭାବେ ଭୋଟ ସରିବା ଏବଂ ୭୨ ପ୍ରତିଶତ ଭୋଟଦାତା ନିର୍ଭୟରେ ଘରୁ ବାହାରି ଭୋଟ ଦେବା ପ୍ରଶାସନର ସବୁଠାରୁ ବଡ ସଫଳତା ଭାବେ ବିଚାର କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS