ରାଜ୍ୟସଭା କାଦୁଅ ଫିଙ୍ଗା, ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ପରିବାର ପ୍ରଥମ ଟାର୍ଗେଟ୍ !
– ପ୍ରସାଦ ରାଓ –
ଭୁବନେଶ୍ୱର,୨୬ ଫେବୃୟାରୀ: ବିଜେପୁର ବିଧାନସଭା ଉପ ନିର୍ବାଚନ ଭୋଟ ସରୁ ସରୁ ଓଡ଼ିଶା ରାଜନୀତିର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବଦଳିଛି । କିଛି ମାସ ହେଲା ବିଜେପୁରକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା । ଶାସକ ବିଜେଡ଼ି ଓ ବିଜେପି ଅଭିଯୋଗ ଓ ପ୍ରତ୍ୟାଭିଯୋଗର ଲମ୍ବା ତାଲିକା ଧରି ଗଣମାଧ୍ୟମ ସାମନାରେ ପରସ୍ପରକୁ ଅପଦସ୍ତ କରିବାର କୌଣସି ସୁଯୋଗ ହାତଛଡା କରି ନ ଥିଲେ । ଫେବୃୟାରୀ ୨୪ ତାରିଖ ଭୋଟ ସରିବା ପରେ ଅଭିଯୋଗର ଝଡ କିଛି ମାତ୍ରାରେ ଥମିଛି । ତେବେ, ସଂପୂର୍ଣର୍ ଭାବେ ଥମି ନାହିଁ । ଭୋଟ ପ୍ରଚାର ସମୟରେ ହୋଇଥିବା ହିଂସାକୁ ନେଇ ଦୁଇ ପକ୍ଷ ଆରୋପ, ପ୍ରତ୍ୟାରୋପରେ ବ୍ୟସ୍ତ । ୨୮ ତାରିଖ ଭୋଟ ଫଳାଫଳ ପ୍ରକାଶ ପାଇବା ପରେ ହିଁ ଏହି ଝଡର ଅବସାନ ଘଟିବା ଆଶା କରାଯାଉଛି । ଗଣମାଧ୍ୟମ ନଜର ଏବେ ବିଜେପୁରରୁ ହଟି ମାର୍ଚ୍ଚ ୨୩ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଆଡକୁ ଢଳୁ ଥିବା ଲକ୍ଷ୍ୟ କରାଯାଉଛି । ଫୋକସ୍ ବଦଳିବା ସହ ଆରମ୍ଭ ହୋଇଯାଇଛି ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା । ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ହେବ ବୋଲି ଦେଶର ମୁଖ୍ୟ ନିର୍ବାଚନ ଆୟୋଗ ଘୋଷଣା କରିବା ପରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ ପ୍ରାର୍ଥୀ କରିବେ, ସେ ନେଇ ଆକଳନ ଆରମ୍ଭ ହୋଇ ଯାଇଛି । ଶାସକ ଦଳରେ ଛକାପଂଝା ଓ କାଦୁଅ ଫିଙ୍ଗାର ନୂଆ ପର୍ବ ମଧ୍ୟ ଆରମ୍ଭ ହୋଇଯାଇଛି ।
ରାଜ୍ୟ ବିଧାନସଭାରେ ବିଜେଡ଼ି ବିଧାୟକଙ୍କ ସଂଖ୍ୟା ହେଉଛି ୧୧୭ । କଂଗ୍ରେସର ୧୬ ଓ ବିଜେପିର ୧୦ ଜଣ ବିଧାୟକ ଥିବା ସମୟରେ ୨ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି । ସମତାକ୍ରାନ୍ତି ଓ ସିପିଆଇର ଜଣେ ଲେଖାଏଁ ବିଧାୟକ ରହିଛନ୍ତି । ଗୋଟିଏ ରାଜ୍ୟସଭା ଆସନ ଜିତିବା ପାଇଁ ୩୭ ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ ଆବଶ୍ୟକ । ବିଜେଡ଼ି ହାତରେ ତିନିଟି ଯାକ ରାଜ୍ୟସଭା ଆସନ ଜିତିବା ପାଇଁ ଆବଶ୍ୟକତା ଠାରୁ ଅଧିକ ପ୍ରଥମ ପସନ୍ଦ ଭୋଯ ରହିଛି । ଦଳ ଯାହାକୁ ପ୍ରାର୍ଥୀ କରିବା ସେ ଜିତିବାରେ କୌଣସି ପ୍ରତିବନ୍ଧକ ନ ଥିବାରୁ ଛକାପଂଝା ଯୋର ଧରିଛି । ପ୍ରାର୍ଥୀ ହେବାକୁ ଆଶାୟୀଙ୍କ କଂଗ୍ରେସ ବା ବିଜେପି ଆଡୁ ନୁହେଁ, ନିଜ ଦଳ ଭିତରୁ କାଦୁଅ ପିଙ୍ଗାର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟ ସଚିବାଳୟର ତୃତୀୟ ମହଲା (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ) ମଧ୍ୟ ଏବେ ଶାସକ ଦଳର ଟାର୍ଗେଟରେ । ନିକଟରେ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ ପାଂଡ଼ିଆନଙ୍କୁ ଖୋଲା ସମାଲୋଚନା କରିବା ଏବଂ କାକଟପୁର ବିଧାନସଭା ଆସନର ଆଳ ଦେଖାଇ ତାଙ୍କ ନିର୍ବାଚନ ମଂଡଳୀରେ ବାହାରୁ କାହାକୁ ପ୍ରାର୍ଥୀ କରା ଗଲେ ଦୃଢ ବିରୋଧ କରାଯିବ ବୋଲି ସଂକେତ ଦେବା ରାଜ୍ୟସଭା ରାଜନୀତିର ଅଂଶ ଭାବେ ବିଚାର କରାଯାଉଛି ।
୨୦୧୮ ଏପ୍ରିଲରେ ରାଜ୍ୟସଭା ସଭ୍ୟ ପଦରୁ ଅବସର ନେବାକୁ ଯାଉ ଥିବା ବିଜେଡ଼ିର ତିନି ଏମ୍ ପି ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଡ଼ୁନ୍ ସ୍କୁଲ ସାଥୀ ତଥା ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓ, ଭାରତୀୟ ହକିର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କି ଓ ବିଜେଡ଼ି ସମର୍ଥନରେ ସ୍ୱାଧୀନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଥିବା ସ୍ୱେଚ୍ଚାସେବୀ ଏ.ଭି. ସ୍ୱାମୀ । ଏହି ତିନି ଜଣଙ୍କ ମଧ୍ୟରୁ ଅନଙ୍ଗ ଉଦୟ ହେଉଛନ୍ତି ବାସ୍ତବରେ ଜଣେ ରାଜନେତା । ଦିଲ୍ଲୀପ ତିର୍କି ଭାରତୀୟ ହକିର କିମ୍ବଦନ୍ତୀ ଖେଳାଳୀ ଭାବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦୃଷ୍ଟିକୁ ଆସି ଥିଲେ ଏବଂ ତାଙ୍କୁ ବିଜେଡ଼ିରେ ସାମିଲ କରାଯାଇ ରାଜ୍ୟସଭାକୁ ପଠା ଯାଇଥିଲା । ସେହିପରି, ଏଭି ସ୍ୱାମୀଙ୍କୁ ସ୍ୱେଚ୍ଛାସେବା ପାଇଁ ପୁରସ୍କାର ସ୍ୱରୂପ ବିଜେଡ଼ି ରାଜ୍ୟସଭା ନିର୍ବାଚନରେ ସମର୍ଥନ ଯୋଗାଇ ନିର୍ବାଚିତ କରାଇ ଥିଲା । ସ୍ୱାସ୍ଥ୍ୟଗତ କାରଣରୁ ନବୀନ ଏଥର ଏଭି ସ୍ୱାମୀଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବାକୁ ଚାହିଁ ନ ପାରନ୍ତି । ତେବେ, ଅନଙ୍ଗ ଉଦୟ ସିଂହଦେଓ ଓ ଦିଲ୍ଲିପ ତିର୍କିଙ୍କୁ ପୁନର୍ବାର ରାଜ୍ୟସଭା ପ୍ରାର୍ଥୀ କରାଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ତେବେ, ମାର୍ଚ୍ଚ ୨୩ରେ ନିର୍ବାଚନ ହେବାକୁ ଥିବା ତିନିଟି ରାଜ୍ୟସଭା ଆସନ ଉପରେ ଆଖି ରଖି ଥିବା ଶାସକ ଦଳ ଓ ଦଳ ବାହାରର ନେତାମାନେ ଦିଲ୍ଲିପ ତିର୍କିଙ୍କ ପ୍ରାର୍ଥୀତ୍ୱକୁ ନେଇ ଭିନ୍ନ ପ୍ରକାର ଅଙ୍କ କଷୁଛନ୍ତି । ସେମାନଙ୍କ ହିସାବରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ହକିର ସର୍ବାଙ୍ଗୀନ ବିକାଶ ପାଇଁ ଅଂଟା ଭିଡିଛନ୍ତି। ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ଖସଡା ପ୍ରସ୍ତୁତ ହେଲାଣି । ଆସନ୍ତା ପାଂଚ ବର୍ଷ ପାଇଁ ରାଜ୍ୟ ଭାରତୀୟ ହକିର ପ୍ରୟୋଜକ ରହିବା ସହ ହକିର ବିକାଶ ପାଇଁ ସଂପୂର୍ଣ୍ଣ ସମର୍ପିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଆଡୁ ନିକଟରେ ନୂଆଦିଲ୍ଲୀରେ ଭାରତୀୟ ହକି ଦଳର ଲୋଗୋ ଓ ଜର୍ସି ଉନ୍ମୋଚନ ଉତ୍ସବରେ ଘୋଷଣା କରଛନ୍ତି । ଏତେ ବଡ଼ ପ୍ରୋଜେକ୍ଟ ଦିଲ୍ଲିପଙ୍କୁ ଆଖିରେ ରଖି ହିଁ ପ୍ରସ୍ତୁତ କରାଯାଇ ଥିବ । ତେଣୁ, ଏଥର ଦିଲ୍ଲିପ ଓ ଏଭି ସ୍ୱାମୀଙ୍କ ସ୍ଥାନରେ ବିଜେଡ଼ି ମୁଖ୍ୟ ନୂଆ ମୁହଁ ରାଜ୍ୟସଭାକୁ ପଠାଇ ପାରନ୍ତି ବୋଳି ସେମାନେ ଭାବୁଛନ୍ତି ।
ଏହି ଆକଳନକୁ ଦୃଷ୍ଟିରେ ରଖି ଯେଉଁ ଘୋଡାଦୌଡ ଆରମ୍ଭ ହୋଇ ଯାଇଛି । ଏଥର ରାଜ୍ୟସଭା ଟିକଟ ପାଇଁ କେବଳ ରାଜନେତାଙ୍କୁ ପ୍ରାଥମିକତା ଦିଆ ଯିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋଙ୍କ ଇଂଗିତ ପରେ ଅଣ-ରାଜନେତାଙ୍କ ମଧ୍ୟରେ ନୈରାଶ୍ୟ ଦେଖା ଦେଇଥିବା ବେଳେ ବିଜେଡ଼ି ବାହାରୁ କିଛି ରାଜନେତା ଦୌଡ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି । କେନ୍ଦ୍ରାପଡା ସାଂସଦ (ଲୋକସଭା) ବୈଜୟନ୍ତ ପଣ୍ଡା ବିଜେପି ମୁହାଁ ହୋଇ ଥିବାରୁ ତାଙ୍କ ପରିବାର ଦ୍ୱାରା ପରିଚାଳିତ ମିଡ଼ିଆ କିଛି ଦିନ ହେଲା ନବୀନଙ୍କୁ ଘାଇଲା କଲାଣି । ତେଣୁ, ନବୀନ ବୈଜୟନ୍ତଙ୍କ ମିଡ଼ିଆକୁ ଝଟକା ଦେବା ପାଇଁ ଏକ ପ୍ରତିଦ୍ୱନ୍ଦ୍ୱୀ ମିଡ଼ିଆର ହାତ ଧରିଛନ୍ତି । ନିଜ ସପକ୍ଷରେ ପ୍ରଚାରକୁ ସଳଖିବା ପାଇଁ ସେ ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ହକିର ଲୋଗୋ ଓ ଜର୍ସି ଉନ୍ମୋଚନ ଉତ୍ସବ ଅବସରରେ ତାଙ୍କ ବ୍ୟକ୍ତିଗତ ସଚିବ ପାଂଡିଆନଙ୍କ ମାଧ୍ୟମରେ ଗୋଟି ଚଳାଇ ଥିଲେ । ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ଏହି ସଂପର୍କକୁ ନେଇ ଅଟକଳ ଆରଂଭ ହୋଇ ଯାଇଛି । କିଛି ବିଜେଡ଼ି ନେତା ଏହାର ଆଭାସ ପାଇବା ପରେ ସଂପୃକ୍ତ ମିଡ଼ିଆ ମାଲିକଙ୍କ ଆଡକୁ ବଂଧୁକ ସଳଖି ଦେଲେଣି । ଫେବୃୟାରୀ ୨୬ ତାରିଖ ଦିନ ରାଜ୍ୟର ଏକ ପ୍ରତିଷ୍ଠିତ ସମ୍ବାଦପତ୍ରରେ ପ୍ରକାଶିତ ଅଗ୍ରଲେଖାରୁ ଏହାର ସ୍ପଷ୍ଟ ସୂଚନା ମିଳୁଛି । ଅଗ୍ରଲେଖାଟି ଲେଖିଛନ୍ତି ସେହି ସଂବାଦପତ୍ରର ସଂପାଦକ ତଥା ଶାସକ ବିଜେଡ଼ିର ଜଣେ ପୁରୁଖା ସାଂସଦ । ବିଜେପୁର ହିଂସା ପାଇଁ ବିଜେପିକୁ ଚେତାଇ ଦେବା ଆଳରେ ସେ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ (କଂଗ୍ରେସର) ଓ ତାଙ୍କ ପରିବାରକୁ ଯେଭଳି ତୀର ମାରିଛନ୍ତି ତାହା ନିଜ ଦଳର ମୁଖିଆଙ୍କୁ ପରୋକ୍ଷ ଚେତାବନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟମନ୍ତ୍ରୀ ଏଥିରୁ କଣ ବୁଝୁଛନ୍ତି ଭିନ୍ନ କଥା, କିନ୍ତୁ,ଏହାକୁ ନେଇ ଯେ ଆଗାମୀ ଦିନରେ ଚର୍ଚ୍ଚା ଯୋର ଧରିବ, ଏଥିରେ କୌଣସି ସନେ୍ଦହ ନାହିଁ । ୧୨ ତାରିଖ ରାଜ୍ୟସଭା ନିର୍ବାଚନ ପାଇଁ ନାମାଂକନପତ୍ର ଦାଖଲର ଶେଷ ଦିବସ ଥିବାରୁ ସେ ପର୍ଯ୍ୟନ୍ତ ଏଭଳି ଅନେକ ଖେଳ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS