ଜୟପୁରରେ ଦୁଃଖଦ ରାସ୍ତା ଦୁର୍ଘଟଣା, ତିନି ଜଣ କେଭି ଛାତ୍ରଛାତ୍ରୀଙ୍କ ସମେତ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ
କୋରାପୁଟ, ୨୮ ଫେବୃୟାରୀ: ମଙ୍ଗଳବାର ସନ୍ଧ୍ୟାରେ କୋରାପୁଟ- ଜୟପୁର ୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ତିନି ଜଣ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ହୋଇ ଥିବା ବେଳେ କାର ଚାଳକ ଗୋଟିଏ ଘରୋଇ କଲେଜର ଯୁକ୍ତ ଦୁଇ ଛାତ୍ର ବୋଲି ଜଣାପଡିଛି । ସେମାନେ ସନ୍ଧ୍ୟାରେ କାରରେ ଜୟପୁରରୁ କୋରାପୁଟ ଫେରୁ ଥିବା ସମୟରେ କାରକୁ ଗୋଟିଏ ଟିପ୍ପର ଧକ୍କା ଦେଇ ଥିଲା । କାର (ଓଡ଼ି ୧୦ଡ଼ି ୬୭୫୮) ଚଳାଉ ଥିବା ଯୁକ୍ତ ଦୁଇ ଛାତ୍ର ରାଜୀବ ପାତ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିବା ବେଳେ ତାଙ୍କ ଭାଇ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ରୁବେନ ପାତ୍ର ଓ ତାଙ୍କ ସହପାଠିନୀ କେଭି (କେନ୍ଦ୍ରୀୟ ବିଦ୍ୟାଳୟ) ଛାତ୍ରୀ ଏସ. ଜୟଶ୍ରୀ ଓ ନିହାରିକା ଭଞ୍ଜଙ୍କୁ ସଂକଟାପନ୍ନ ଅବସ୍ଥାରେ କୋରାପୁଟ ସ୍ଥିତ ସହୀଦ ଳକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇ ଥିଲା । ଜୟଶ୍ରୀ ଓ ନିହାରିକା ହସପିଟାଲରେ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ଖବର ଅନୁସାରେ, ରାଜୀବଙ୍କ ଭାଇ ରୁବେନଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥନାନ୍ତର କରାଯିବା ବେଳେ ବାଟରେ ମୃତ୍ୟୁ ଘଟିଛି ।
ଆସନ୍ତା ମାର୍ଚ୍ଚ ୬ ତାରିଖରୁ ସିବିଏସ୍ ସି ୧୦ମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଉ ଥିବାରୁ ରୁବେନ, ଜୟଶ୍ରୀ ଓ ନିହାରିକା ମଙ୍ଗଳବାର ଦିନ ଆଡମିଟ୍ କାର୍ଡ ସଂଗ୍ରହ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇଥିଲେ । ଆଡମିଟ୍ କାର୍ଡ ସଂଗ୍ରହ କରିବା ପରେ ସେମାନେ ସ୍କୁଲ ପକ୍ଷରୁ ଆୟୋଜିତ ଭୋଜି ଖାଇ ଥିଲେ । ଭୋଜି ପରେ ସେମାନେ ରୁବେନଙ୍କ ଭାଇ ରାଜୀବ ସହ କାରରେ ଜୟପୁର ଯାଇ କିଛି ଫଟୋ ଉଠାଇ ସନ୍ଧ୍ୟା ୫ଟାରେ କୋରାପୁଟ ଫେରିବା ବାଟରେ ଜୟପୁର-କୋରାପୁଟ ରାସ୍ତାରେ ଥିବା କଫି ବୋର୍ଡ ସମ୍ମୁଖରେ ଗୋଟିଏ ଟିପ୍ପର ସେମାନଙ୍କ କାରକୁ ଯୋରରେ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ କାର ଚଳାଉ ଥିବା ରାଜୀବଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟି ଥଲା । ଏହି ଦୁର୍ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଯାଇଛି । ଗୋଟିଏ ପରିବାରର ଦୁଇ ଭାଇ ମୃତ୍ୟୁବରଣ କରିଥିବା କିଛି ଦିନ ପରେ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା କେନ୍ଦ୍ରୀୟ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀଙ୍କ ଅସମୟରେ ମୃତ୍ୟୁ ଘଟିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS