ରୀତାଙ୍କ ବିଜୟ ପରୋକ୍ଷରେ ନବୀନ-କଂଗ୍ରେସର ବିଜୟ !
– ପ୍ରସାଦ ରାଓ –
ଭୁବନେଶ୍ୱର, ୦୧ ମାର୍ଚ୍ଚ: ଓଡ଼ିଶାର ବିଜେପୁର ବିଧାନସଭା ଉପ ନିର୍ବାଚନରେ ରୀତା ସାହୁଙ୍କ ବିଜୟକୁ ନେଇ ବିଜେଡ଼ି ବିଜୟ ଉତ୍ସବ ପାଳନ କରୁଥିବା ବେଳେ ବାସ୍ତବରେ ଏହା ନବୀନ-କଂଗ୍ରେସର ବିଜୟ ବୋଲି ଆଲୋଚନା ହେଉଛି । ଗୋଟଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଅନ୍ୟପଟେ ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଜନସଂପର୍କର ଆଧାର ରୀତାଙ୍କ ବିଜୟର ମୁଖ୍ୟ କାରଣ ବୋଲି ନିଜେ ରୀତା ସ୍ୱୀକାର କରୁ ଥିବାରୁ ଏହି ବିଜୟ ପଛରେ ନିର୍ବାଚନ ମଣ୍ଡଳୀର ବିଜେଡ଼ି ଭୋଟରଙ୍କ ସହ କଂଗ୍ରେସ ଭୋଟରଙ୍କ ମଧ୍ୟ ସର୍ବାଧିକ ଶ୍ରେୟ ରହି ଥିବା ଯେ କେହି ସ୍ୱୀକାର କରିବ । ରୀତା ବିଜେଡ଼ି ପ୍ରାର୍ଥୀ ନ ହୋଇ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ବିଜୟୀ ହୋଇ ଥା’ନ୍ତେ କି ନାହିଁ ଭିନ୍ନ କଥା, ତେବେ ଉପ ନିର୍ବାଚନ ଲଢି ଥିବା କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଠାରୁ ଢେର ଅଧିକ ଭୋଟ ପାଇ ଥା’ନ୍ତେ ଏବଂ କଂଗ୍ରେସକୁ ଅମାନତ ହରାଇବାକୁ ପଡି ନ ଥା’ନ୍ତା, ତାହା ସ୍ୱୀକାର୍ଯ୍ୟ । ବିଜେପିର ମାତ୍ରାଧିକ ଆତ୍ମବିଶ୍ୱାସ ଏବଂ ଉଗ୍ରତା ବିଜେଡ଼ି ଓ କଂଗ୍ରେସର ମିଳିତ ଭୋଟ ରାଜନୀତି ସାମନାରେ ଫିକା ପଡି ଯାଇଛି । ବିଜେଡ଼ିକୁ ଭୋଟରଙ୍କ ସାମନାରେ ନିନ୍ଦିତ କରିବା ସକାଶେ ବିଜେପି ଶେଷ ପର୍ଯ୍ୟନ୍ତ ପଇଁତରା ଜାରି ରଖି ସମୟର ଅପଚୟ କରି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତ ସ୍ୱାଭବ ଦେଖାଇ ସନ୍ତର୍ପଣରେ ଗୋଟି ଚଳାଇ ଥିଲେ, ଯାହାକି ବିଜେଡ଼ି ପ୍ରାର୍ଥୀନୀ ରୀତାଙ୍କୁ ପାଖାପାଖି ୪୨ ହଜାର ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବାରେ ସହାୟକ ହୋଇ ଥିଲା । ଏତେ ଅଧିକ ଭୋଟ ବ୍ୟବଧାନରେ ତାଙ୍କ ସ୍ୱାମୀ ସୁବଳ ସାହୁ ମଧ୍ୟ କେବେ ଜିତି ନ ଥିଲେ ।
ପଶ୍ଚିମ ଓଡ଼ିଶାର ଏହି ବିଧାନସଭା ଆସନ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜୁ ଜନତା ଦଳ ହାତରେ ଥିଲା । ୨୦୧୮ ଉପ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଅଶୋକ ପାଣିଗ୍ରାହୀ ୨୦୦୦ ବିଧାନସଭା ନିର୍ବାଚନରେ ବିଜେଡ଼ି-ବିଜେପି ମେଂଟ ପ୍ରାର୍ଥୀ ଭାବେ ଲଢି ବିଜେପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ଥିଲେ । ତା’ ପର ତିନିଟି ବିଧାନସଭା ନିର୍ବାଚନ ୨୦୦୪,୨୦୦୯ ଓ ୨୦୧୪ରେ କଂଗ୍ରେସ ବିଧାୟକ ସୁବଳ ସାହୁ ଲଗାତର ନିର୍ବାଚିତ ହୋଇ ବିଜେପୁରକୁ କଂଗ୍ରେସ ଗଡ଼ରେ ପରିଣତ କରି ଥିଲେ । ରାଜ୍ୟରେ ବିଜେଡ଼ି ଶାସନ ଚାଲି ଥିବାରୁ ଓ ବିଜେପୁରରେ କଂଗ୍ରେସ ବିଧାୟକ ଥିବାରୁ ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ ହୋଇ ନ ଥିଲା । ତଥାପି, ସୁବଳଙ୍କ ପ୍ରତ୍ୟକ୍ଷ ଜନସଂପର୍କ କଂଗ୍ରେସର ସଂପତ୍ତି ଭାବେ ବିଚାର କରାଯାଉ ଥିଲା । ଗତ ବର୍ଷ ଅଗଷ୍ଟ ମାସରେ ସୁବଳଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁ ରାଜନୀତିକୁ ଆସି ଥିଲେ । କଂଗ୍ରେସ ଦଳ ସୁବଳଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ତୁରନ୍ତ ନିଷ୍ପତ୍ତି ନେଇ ସେ ଛାଡି ଯାଇ ଥିବା ଭୋଟ ବ୍ୟାଙ୍କକୁ ଦଳ ସପକ୍ଷରେ ବିନିଯୋଗ କରିବା ପରିବର୍ତେ ନୀରବ ରହିଲେ । ନେତୃତ୍ୱ କନ୍ଦଳ ଯୋଗୁ ରାଜ୍ୟରେ କଂଗ୍ରେସ ସଂଗଠନ ଦିନକୁ ଦିନ ଅଧିକ ଦୁର୍ବଳ ହେଉ ଥିବା ଦେଖି ସୁବଳଙ୍କ ପତ୍ନୀ ରୀତା ନିଜ ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇ ବୁଦ୍ଧିମତ୍ତାର ପରିଚୟ ଦେଇ ଥିଲେ । ୧୪ ବର୍ଷ ପରେ ମିଳୁ ଥିବା ସୁଯୋଗକୁ ହାତଛଡା ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କୁ ବିଜେଡ଼ିରେ ଗ୍ରହଣ କରିବା ସହ ଦଳରେ ମୁଣ୍ଡ ଟେକୁଥିବା ବିଦ୍ରୋହକୁ ତୁରୀନ୍ତ ଦମନ କରି ରୀତାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରି ଥିଲେ । ଏହା ଥିଲା ବିଜେପି ଓ ରାଜ୍ୟ କଂଗ୍ରେସ ପାଇଁ ବିଜେଡ଼ିର ପ୍ରଥମ ଝଟକା । କଂଗ୍ରେସ ଦଳ ଜିତିବା ପ୍ରାର୍ଥୀଙ୍କୁ ହାତଛଡା କରିବା ସହ ସୁବଳଙ୍କ ଶୁଭେଚ୍ଛୁ ବିଜେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ସମର୍ଥକ ଭୋଟରଙ୍କୁ ମଧ୍ୟ ହାତଛଡା କରିଥିଲା ।
ବିଜେପି ୨୦୧୭ ଫେବୃୟାରୀ ପଂଚାୟତ ନିର୍ବାଚନରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୯୨ ହଜାରରୁ ଅଧିକ ଭୋଟ ପାଇ ବିଜେଡ଼ିକୁ ଶକ୍ତ ଝଟକା ଦେଇଥିଲା । ତେଣୁ, ବିଜେପୁର ବିଧାନସଭା ଉପ ନିର୍ବାଚନରେ ମଧ୍ୟ ତାହା ଦୋହରାଇବାର ଆଶା ରଖି ରଣକୌଶଳ ପ୍ରସ୍ତୁତ କରିଥିଲା । ସୁବଳଙ୍କ ପତ୍ନୀ ବିଜେଡ଼ିକୁ ଯାଇ ଉପ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ଦେଖି ପୂର୍ବତନ ବିଜେଡ଼ି ବିଧାୟକ ଅଶୋକ ପାଣିଗ୍ରାହୀ ବିଦ୍ରୋହ ଘୋଷରା କରିବା ସହ ଦଳ ଛାଡି ବିଜେପିରେ ଯୋଗ ଦେଇ ଥିଲେ । ବିଜେପି ମଧ୍ୟ ତାଙ୍କୁ ପ୍ରାର୍ଥୀ କରିବା ଆଶ୍ୱାସନା ଦେଇ ଜାକଜମକରେ ଦଳରେ ଗ୍ରହଣ କରିଥିଲା । ବିଜେପିର ମୁଖ୍ୟ ଉଦେ୍ଦଶ୍ୟ ଥିଲା ବିଜେଡ଼ି ଭୋଟ ବିଭାଜନ । ଦଳର ରାଜ୍ୟସ୍ତର ନେତାମାନେ ଭୁବନେଶ୍ୱରରେ ବସି କୁନ୍ଦୁଲି ଗଣ ଦୁଷ୍କର୍ମ ଠାରୁ ଆରମ୍ଭ କରି ଛୋଟ, ବଡ ଘଟଣାରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିବା ସହ ସରକାରୀ ଦଳ ବିରୋଧରେ ଜନମତ ସୃଷ୍ଟି କରିବାକୁ ଯେଭଳି ଆକ୍ରମଣାତ୍ମକ ବୟାନବାଜୀ ଚଳାଇ ଥିଲେ,ତାହା ସାମୟିକ ଭାବେ ଜନସାଧାରଣଙ୍କୁ ପ୍ରଭାବିତ କରିଥିଲେ ମଧ୍ୟ ବିଜେପୁର ଭୋଟକୁ ପ୍ରଭାବତି କରି ପାରି ନ ଥିଲା । ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ମଧ୍ୟ କାଟୁ କଲା ନାହିଁ ନବୀନଙ୍କ ଲୋକପ୍ରିୟତା ନିକଟରେ । ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଭାବି ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରି ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟକ୍ଷ ଭାବେ ଯେଭଳି ଆକ୍ରମଣ କଲେ ତାହାକୁ ବିଜେପୁର ଭୋଟର ପ୍ରତ୍ୟାଖାନ କରିଥିବା ଏହି ଭୋଟ ଫଳାଫଳରୁ ସ୍ପଷ୍ଟ ହୋଇ ଯାଇଛି ।
ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ନିଜ ଅମାନତ ରଖି ପାରି ନ ଥିବା ପ୍ରଣୟ ସାହୁଙ୍କୁ କେବଳ ‘ବିଚରା’ କୁହାଯାଇ ପାରେ । ଏକ ମଂଗବିହୀନ ନୌକାରେ ବସି ସେ ବିଜେପୁର ଉପ ନିର୍ବାଚନ ବୈତରଣୀ ପାରି ହେବାର ସ୍ପର୍ଦ୍ଧା କରିଥିଲେ । କେନ୍ଦ୍ର କଂଗ୍ରେସ ନେତୃତ୍ୱର ଆନ୍ତରିକତାହୀନ ମନୋଭାବ, ରାଜ୍ୟ ନେତୃତ୍ୱରେ ଅସ୍ଥିରତା ଏବଂ ଘୋର ଅର୍ଥାଭାବ ତାଙ୍କୁ ଆରମ୍ଭରୁ ଦୁର୍ବଳ କରି ଦେଇ ଥିଲା । ଯେଉଁ ରାଜ୍ୟସ୍ତର ନେତାମାନେ ତାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସାମିଳ ହୋଇଥିଲେ ସେମାନଙ୍କ ମଧ୍ୟରୁ ବାସ୍ତବରେ କିଏ କଂଗ୍ରେସର ବିଜୟ ପାଇଁ କାମ କଲା ଓ କିଏ ବିଜେଡ଼ି ବା ବିଜେପିକୁ ଭିତିରି ସାହାଯ୍ୟ କରିବାକୁ ଯାଇଥିଲା କହିବା ସମ୍ଭବ ନୁହେଁ । ତେବେ, ରାଜ୍ୟର ତିନି ଜଣ ପ୍ରମୁଖ କଂଗ୍ରେସ ନେତା ଦଳକୁ ହରାଇବା ପାଇଁ କାମ କରିଥିଲେ ବୋଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟଙ୍କ ଅଭିଯୋଗରୁ ଷଡଯନ୍ତ୍ରର ଗନ୍ଧ ବାରି ହେଉଛି । ଉପ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ବିଳମ୍ବରେ ପ୍ରାର୍ଥୀ ଚୟନ, ଅର୍ଥାଭାବ ଏବଂ ଏଆଇସିସିର ଅନାଗ୍ରହକୁ ଦଳର ପୂବତନ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ ଦାୟି କରି ଥିବା ବେଳେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶାସକ ବିଜେଡ଼ି ଭୋଟ ପିଛା ୫ ହଜାର ଟଙ୍କା ହିସାବରେ ଶହ ଶହ କୋଟି ଏହି ଉପ ନିର୍ବାଚନରେ ଖର୍ଚ୍ଚ କରିଥିବା ଅଭିଯୋଗ କରି ନିଜ ମୁଣ୍ଡରୁ ଦୋଷ ଛଡାଇବା ଉଦ୍ୟମ କରିଛନ୍ତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଉପ ନିର୍ବାଚନ ପଳାଫଳ ପ୍ରକାଶ ପାଇବା ପରେ ପରେ ତାଙ୍କ ପଦରୁ ଇସ୍ତଫା ଦେଇ ଇସ୍ତଫାପତ୍ର ଏଆଇସିସିକୁ ପଠାଇ ଦେଇ ଥିବା ସଂପର୍କରେ ପ୍ରଚାର କରି ରାଜ୍ୟ କଂଗ୍ରେସର ହତାଶା ଭାବକୁ ପଦାରେ ପକାଇଛନ୍ତି । ଏଥିରୁ ରାଜ୍ୟ ରାଜନୀତିରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇ ରହି ଥିବା ତିନି ପ୍ରମୁଖ ରାଜନୈତି ଦଳର ବାସ୍ତବ ସ୍ଥିତି ଆକଳନ କରି ହେଉଛି ।
ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୨.୨୧ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୮୧ ହଜାର ୭୧୬ (୮୨.୧୭ ପ୍ରତିଶତ) ଭୋଟର ଫେବୃୟାରୀ ୨୪ ତାରିଖ ଉପ ନିର୍ବାଚନରେ ଭୋଟ ଦେଇ ଥିଲେ । ସେଥିରୁ ୧ ଲକ୍ଷ ୦୨ ହଜାର ୮୭୧ ଭୋଟର ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କୁ ଭୋଟ ଦେଇ ଥିବା ବେଳେ ୬୦ ହଜାର ୯୩୮ ଭୋଟର ବିଜେପି ପ୍ରାର୍ଥୀ ଆଶୋକ ପାଣିଗ୍ରାହୀଙ୍କୁ ଭୋଟ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦ ହଜାର ୨୭୪ ଭୋଟ ପାଇଛନ୍ତି । ୧୬୮୪ ଭୋଟର କୌଣସି ପ୍ରାର୍ଥୀଙ୍କ ପ୍ରତି ସେମାନଙ୍କ ସମର୍ଥନ ନ ଥିବା ଦର୍ଶାଇ ‘ନୋଟା’ ବୋତାମ ଟିପିଛନ୍ତି । ମୋଟ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ସମୟରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟଙ୍କ ସମେତ ୧୧ ଜଣ ଅମାନତ ହରାଇଛନ୍ତି । ୨୦୧୪ ନିର୍ବାଚନରେ କଂଗ୍ରେସର ଦିବଙ୍ଗତ ବିଧାୟକ ସୁବଳ ସାହୁ ୫୩, ୨୯୦ ଭୋଟ; ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ୫୨, ୮୩୨ ଭୋଟ ପାଇ ଥିବା ବେଳେ ବିଜେପି ୩୦ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ଥିଲା । ୨୦୧୮ ଉପ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନକୁ ଉଠିଛି । ଏହି ନିର୍ବାଚନରେ ବିଜେଡ଼ିକୁ ୫୬. ୬୧ ପ୍ରତିଶତ ଭୋଟ ମିଳି ଥିବା ସମୟରେ ବିଜେପିକୁ ୩୩.୫୩ ଓ କଂଗ୍ରେସକୁ ୫.୬୫ ପ୍ରତିଶତ ଭୋଟ ମିଳିଛି । ବିଜେପିର ଭୋଟ ହାର ୨୦୧୪ରେ ୧୮.୧ ପ୍ରତିଶତ ଥିବା ବେଳେ ୨୦୧୮ ଉପ ନିର୍ବାଚନରେ ୩୩.୫୩କୁ (୧୫.୪୩ ପ୍ରତିଶତ ବୃଦ୍ଧି) ବୃଦ୍ଧି ପାଇବା ଉଲ୍ଲେଖନୀୟ । ତଥାପି, ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କୁ ବିଜେପି ତୁଳନାରେ ୨୩.୦୮ ପ୍ରତିଶତ ଅଧିକ ଭୋଟ ମିଳିଛି ଏବଂ ସେ ୪୧ ହଜାର ୯୩୩ ଭୋଟ ବ୍ୟବଧାନରେ ବିଜେପିକୁ ପରାଜିତ କରିଛନ୍ତି । କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ଆନ୍ତରିକତାର ସହ ନିର୍ବାଚନ ପ୍ରଚାର କରିଥିଲେ ଏବଂ ସାଧନରେ ବିଜେଡ଼ି, ବିଜେପି ସହ ତାଳ ଦେଇ ପାରି ଥିଲେ ବୋଧହୁଏ ଭୋଟ ବ୍ୟବଧାନ କିଛି ମାତ୍ରାରେ କମି ଥାନ୍ତା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS