ତ୍ରିପୁରା, ନାଗାଲାଣ୍ଡ ଭଳି ସଫ୍ଟ ଟାର୍ଗେଟ୍ ନୁହେଁ ଓଡ଼ିଶା..
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ୦୪ ମାର୍ଚ୍ଚ : ଉତ୍ତର ପୂର୍ବାଂଚଳ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଫେବୃୟାରୀ ମାସରେ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ପଳାଫଳ ଶନିବାର ପ୍ରକାଶ ପାଇଛି । ତ୍ରିପୁରାରେ ୨୫ ବର୍ଷ ପୁରୁଣା ବାମପନ୍ଥୀ ଶାସନ ତଥା ୨୦ ବର୍ଷ ଧରି କ୍ଷମତାରେ ରହିଥିବା ବାମପନ୍ଥୀ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ ଗାଦିଚ୍ୟୁତ କରି ଭାରତୀୟ ଜନତା ପାର୍ଟି ଆଇପିଟିଏଫ୍ ସହାୟତାରେ ଏହି ରାଜ୍ୟ ଦଖଲ କରିଛି । ବିଜେପି- ଆଇପିଟିଏଫ୍ ମେଂଟ ରାଜ୍ୟରେ ସର୍ବାଧିକ ୪୩ଟି ଆସନ ପାଇ ଥିବା ବେଳେ ଅନ୍ୟତମ ଉତ୍ତର ପୂର୍ବାଂଚଳ ରାଜ୍ୟ ନାଗାଲାଣ୍ଡରେ ଏନଡ଼ିପିପି ସହ ମେଂଟ କରି ସରକାର ଗଠନ କରିବା ପାଇଁ ସକ୍ଷମ ହୋଇଛି । ମେଘାଳୟରେ କିନ୍ତୁ ବିଜେପି ୬୦ ବିଧାନସଭା ଆସନରୁ ମାତ୍ର ଦୁଇଟି ପାଇଥିବା ବେଳେ ସର୍ବାଧିକ ୨୧ ଆସନ ପାଇ ଥିବା କଂଗ୍ରେସ ମେଘାଳୟରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ପାଇ ନାହିଁ । ଆଂଚଳିକ ଦଳମାନଙ୍କ ସହାୟତାରେ କଂଗ୍ରେସ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି । ଉତ୍ତର ପୂର୍ବାଂଚଳର ତିନିଟି ରାଜ୍ୟ ମଧ୍ୟରୁ ଦୁଇଟିରେ ବିଜେପି ନିଜ ମେଂଟ ଭାଗିଦାରଙ୍କ ସହ ମିଶି ସରକାର ଗଠନ କରିବାକୁ ସକ୍ଷମ ହୋଇ ଥିବାରୁ ଦଳ ଭିତରେ ବେଶ୍ ଉତ୍ସାହ ଲକ୍ଷ୍ୟ କରାଯାଉଛି ।
ବାସ୍ତୁ ଦୃଷ୍ଟିରୁ ଉତ୍ତର ପୂର୍ବାଂଚଳ ରାଜ୍ୟ ତିନିଟି ସଠିକ୍ କୋଣରେ ରହି ଥିବାରୁ ବିଜେପି ଆଗାମୀ ଦିନରେ ଶୁଭ ଫଳ ପାଇବା ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ମତବ୍ୟକ୍ତ କରିଥିଲେ । ଦଳର ପରବର୍ତୀ ଟାର୍ଗେଟ୍ କର୍ଣ୍ଣାଟକ ବୋଲି ମଧ୍ୟ ସେ ଘୋଷଣା କରିଥିଲେ । ଏହି ଉତ୍ତର ପୂର୍ବାଂଚଳରୁ ଆରମ୍ଭ ହୋଇଥିବା ବିଜୟ ଅଭିଯାନ ଓଡ଼ିଶା, ପଶ୍ଚିମ ବଙ୍ଗ ଓ କେରଳ ଦଖଲ ପରେ ହିଁ ଦଳ ପାଇଁ ସୁବର୍ଣ୍ଣ ଯୁଗ ଆସିଲା ବୋଲି ଧରି ନିଆଯିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଦଳୀୟ କର୍ମୀଙ୍କ ଉତ୍ସାହିତ କରିଥିବା ବେଳେ ଓଡ଼ିଶା ଦଖଲ ଆସ୍ଫାଳନ ରାଜ୍ୟବାସୀଙ୍କୁ ବିସ୍ମିତ କରିଛି । ଓଡ଼ିଶାର ବିଜେପୁର ବିଧାନସଭା ଉପ ନିର୍ବାଚନରେ ବିଜେପି ସମସ୍ତ ଶକ୍ତି ଖଟାଇବା ସତ୍ୱେ ଧୁଳି ଚାଟି ଥିବା ବେଳେ ୨୦୧୯ରେ କେମିତି ଓଡ଼ିଶା ଦଖଲର ‘ଦିବାସ୍ୱପ୍ନ’ ଦେଖୁଛି (?) ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି । ଶନିବାର ନୂଆଦିଲ୍ଲୀସ୍ଥିତ ବିଜେପିର ନବ ନିର୍ମିତ ମୁଖ୍ୟ କାର୍ଯ୍ୟାଳୟରେ ଶାହା ଓ ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୃଢୋକ୍ତି ପ୍ରକାଶ କରିଥିଲେ ।
୨୦୧୮ ଫେବୃୟାରୀ ୧୮ରେ ତ୍ରିପୁରା ଏବଂ ଫେବୃୟାରୀ ୨୭ରେ ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା । ଅନ୍ୟ ରାଜ୍ୟ ନିର୍ବାଚନ ବେଳେ ଜାତୀୟ ଗଣ ମାଧ୍ୟମ ଗୁଡ଼ିକ ଯେଭଳି ତତ୍ପରତା ଦେଖାଇ ଥା’ନ୍ତି ସେହିଭଳି ଫୋକସ୍ ମିଳି ନ ଥିଲା ଏହି ତିନି ରାଜ୍ୟର ନିର୍ବାଚନକୁ । ବିଜେପି ଏହି ତିନି ଉତ୍ତର ପୂର୍ବାଂଚଳ ରାଜ୍ୟକୁ ଦଖଲ କରିବା ସକାଶେ ଆଂଚଳିକ ଦଳମାନଙ୍କ ସହ ମୋଂଟ କରି ଯେଉଁ ରଣନୀତି ପ୍ରସ୍ତୁତ କରି ଥିଲା ତାହା ଆଖି ଆଢୁଆଳରେ ଥିଲା । ସେହି ରଣନୀତି ଯୋଗୁ ଦଳ ତ୍ରିପୁରା ଓ ନାଗାଲାଣ୍ଡରେ ବିଜୟ ବାନା ଉଡାଇଛି । ତ୍ରିପୁରାର ୬୦ ବିଧାନସଭା ଆସନରୁ ୫୯ଟିରେ ନିର୍ବାଚନ ହୋଇଥିଲା । ବିଜେପି – ଆଇପିଟିଏଫ୍ (ଇଂଡିଜିନସ ପିପୁଲ୍ସ ଫ୍ରଂଟ ଅଫ୍ ତ୍ରିପୁରା) ମେଂଟ ୪୩ଟି ଆସନ ପାଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ବାମ ଦଳ ୧୬ଟି ଆସନ ପାଇଛି । ତ୍ରିପୁରାରେ ଭାରତୀୟ ଜାତୀୟ କଂଗ୍ରେସର ଖାତା ଖୋଲିନି । ନାଗାଲାଣ୍ଡ ବିଧାନସଭାର ୬୦ ଆସନରୁ ବିଜେପି -ଏନଡ଼ିପିପି ମେଂଟ ୨୯ଟି ଓ ଶାସକ ନାଗା ପିପୁଲ୍ସ ଫ୍ରଂଟ୍ ୨୯ଟି ବିଧାନସଭା ଆସନ ପାଇ ଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସର ଅବସ୍ଥା ତ୍ରିପୁରା ଭଳି ହୋଇଛି । ଗୋଟିଏ ବି ବିଧାନସଭା ଆସନ କଂଗ୍ରେସ ଖାତାକୁ ଆସିନି । ବିଜେପି ଓ ଏନପିଏଫ ଟାଲି ସମାନ ଥିଲେ ମଧ୍ୟ ଜନତା ଦଳ(ୟୁ) ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି-ଏନଡ଼ିପିପି ମେଂଟ ସରକାର ଗଠନ କରିବାକୁ ଯାଉଛନ୍ତି । ମେଘାଳୟ ଅଙ୍କ କିନ୍ତୁ ବିଗିଡ଼ି ଯାଇଛି । ରାଜ୍ୟର ୬୦ ବିଧାନସଭା ଆସନରୁ ୫୯ଟି ପାଇଁ ଭୋଟ ହୋଇ ଥିଲା । କଂଗ୍ରେସ ୨୧ଟି ଆସନରେ ବିଜୟୀ ହୋଇଥିବା ବେଳେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)କୁ ୧୯ ଟି ଏବଂ ଅନ୍ୟାନ୍ୟ ଆଂଚଳିକ ଦଳକୁ ୧୭ଟି ଆସନ ମିଳିଛି । ବିଜେପି ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହୋଇଛି । କଂଗ୍ରେସ ସର୍ବାଧିକ ୨୧ ଆସନ ପାଇ ଥିଲେ ସୁଦ୍ଧା ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନ ଥିବାରୁ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି । ରାଜ୍ୟର ଆଂଚଳିକ ଦଳମାନେ ନିଜ ହାତ ମୁଠାରେ କ୍ଷମତା ବଜାୟ ରଖିବାକୁ ଏକାଠି ହୋଇ ଆଲୋଚନା କରୁ ଥିବା ସୂଚନା ମିଳିଛି । ଅତୀତରେ ତ୍ରିପୁରାରେ କଂଗ୍ରେସର ସ୍ଥିତି ସୁଦୃଢ ଥିଲା । ଦୁଇ ଥର ଦଳ କ୍ଷମତାରେ ଥିଲା ଏବଂ ରାଜ୍ୟ ରାଜନୀତିରେ ଦ୍ୱିତୀୟ କ୍ଷମତାଶାଳୀ ଦଳ ଭାବେ ପରିଚିତ ଥିଲା । ତେବେ, ୨୦୧୮ ବିଧାନସଭା ନିର୍ବାଚନ କଂଗ୍ରେସର ଏହି ସ୍ଥିତିକୁ ବଦଳାଇ ଦେଇଛି । ଦଳ ଖାତା ଖୋଲି ନ ପାର ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହୋଇଛି । ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ପ୍ରାର୍ଥୀମାନେ ନିଜର ଅମାନତ ହରାଇ ଥିବା ଜଣାପଡିଛି ।
ଉତ୍ତର ପୂର୍ବାଂଚଳ ରାଜ୍ୟରେ କଂଗ୍ରେସର ଏଭଳି ଅଧୋଗତି ଦେଖି ବିଜେପି ଉତ୍ସାହିତ । ଶନିବାର ଦିନ ନୂତନ ମୁଖ୍ୟାଳୟରେ ଅନୁଷ୍ଠିତ ବିଜେପି ପାର୍ଲାମେଂଟାରୀ ବୋର୍ଡ ବୈଠକରେ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା କଂଗ୍ରେସକୁ କଟାକ୍ଷ କରିବାର ଏଭଳି ଏକ ସୁଯୋଗକୁ ହାତଛଡା କରି ନାହାନ୍ତି । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଗେରୁଆ ଦଳ ଦେଶରେ କିଭଳି ପକ୍ଷ ବିସ୍ତାର କରି ଚାଲିଛି ତାହାର ତୁଳନାତ୍ମକ ଚିତ୍ର ମଧ୍ୟ ଉପସ୍ଥାପନ କରାଯାଇଥିଲା । ୨୦୧୪ ସାଧାରଣ ନିର୍ବାଚନରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କଂଗ୍ରେସ ମୁକ୍ତ ଭାରତ’ର ସ୍ଲୋଗାନ ଦେଇ ସର୍ବାଧିକ ସଂଖ୍ୟକ ବିଜେପି ଏମ୍ ପିଙ୍କୁ ଲୋକସଭାକୁ ଜିତାଇ ଥିଲେ । ଏନଡ଼ିଏ ସରକାର ପ୍ରତିଷ୍ଠାର ପ୍ରାୟ ଚାରି ବର୍ଷ ମଧ୍ୟରେ ଦେଶ ପ୍ରାୟତଃ କଂଗ୍ରେସ ମୁକ୍ତ ହୋଇ ଥିବା ଦର୍ଶାଯାଇଛି । ଦେଶର ୨୦ଟି ରାଜ୍ୟରେ ବିଜେପି କ୍ଷମତାରେ ଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ୫ଟି ରାଜ୍ୟରେ ସୀମିତ ହୋଇ ଯାଇଛି । କେନ୍ଦ୍ର ଶାସିତ ନୂଆଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଥିବା ବେଳେ ପଶ୍ଚିମ ବଂଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମଲନାଡୁ ଓ ତେଲେଙ୍ଗାନାରେ ଆଂଚଳିକ ଦଳ ଏବଂ କେରଳରେ ବାମ ଦଳର ଶାସନ ଚାଲିଛି । ଦେଶର ୬୭.୮୫ ପ୍ରତିଶତ ଅଂଚଳ ଗେରୁଆ ରଂଗରେ ରଂଗେଇ ଯାଇଥିବା ବେଳେ କଂଗ୍ରେସର ଉପସ୍ଥିତି ୭.୭୮ ପ୍ରତିଶତକୁ ଖସି ଥିବା ଏବଂ୨୪ ପ୍ରତିଶତ ଅଂଚଳ ଅନ୍ୟାନ୍ୟ ଆଂଚଳିକ ଓ ବାମ ଦଳ ହାତରେ ରହିଛି । କର୍ଣ୍ଣାଟକ ଖୁବ୍ ଶୀଘ୍ର ବିଜେପି ଦଖଲକୁ ଆସିବ ଏବଂ ଆସନ୍ତା ସାଧାରଣ ନିର୍ବାଚନରେ କେରଳ, ଓଡ଼ିଶା, ପଶ୍ଚିମ ବଂଗକୁ ବିଜେପି ହାତେଇବ ବୋଲି ଉଭୟ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ଘୋଷଣା କରିଛନ୍ତି ।
ବିଜେପିର ଏହି ଘୋଷଣା କେତେଦୂର ବାସ୍ତବ ରୂପ ନେବ ତାହା ସମୟ କହିବ । ତେବେ, କଂଗ୍ରେସର ସ୍ଥିତି ଯେଭଳି ଭାବ ତଳକୁ ତଳକୁ ଖସୁଛି ତାହା ବିଜେପିର ଦାବିକୁ ଅଧିକ ଗ୍ରହଣୀୟ କରିଛି । ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କରି ଥିବା କଟାକ୍ଷରୁ ଦେଶରେ କଂଗ୍ରେସର ବାସ୍ତବ ସ୍ଥିତି ହୃଦୟଙ୍ଗମ କରି ହେଉଛି । ଶନିବାର ସନ୍ଧ୍ୟାରେ ରାହୁଲଙ୍କ ପ୍ରତି ମୋଦୀଙ୍କ କଟାକ୍ଷ ଥିଲା ଏହି ଭଳି । “ଦେଶରେ କଂଗ୍ରେସ ନେତୃତ୍ୱର ପଦୋନ୍ନତି ହେଉଛି, ଦଳର କାୟା କିନ୍ତୁ ସଂକୁଚିତ ହୋଇ ଚାଲିଛି”- ଏହା ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକ୍ଷେପ । ତ୍ରିପୁରାରେ ରାଜନୈତିକ ହିଂସା ଯୋଗୁ ଶାସକ ଦଳକୁ ଜନସାଧାରଣ ପ୍ରତ୍ୟାଖାନ କରିଛନ୍ତି । ରାଜ୍ୟରେ ବହୁ ସଂଖ୍ୟକ ବିଜେପି କର୍ମୀଙ୍କ ହତ୍ୟା କରାଯାଇଛି । କର୍ଣ୍ଣାଟକରେ ମଧ୍ୟ ଦୁଇ ଡ଼ଜନରୁ ଅଧିକ ବିଜେପି କର୍ମୀଙ୍କୁ ହତ୍ୟା କରା ଗଲାଣି । ଭୋଟର ଗଣତାନ୍ତ୍ରିକ ପଦ୍ଧତିରେ ଏହାର ଜବାବ ଦେବେ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଭୟର ବିସ୍ତାର କରୁଥିବା ଦଳଙ୍କୁ ଲୋକତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଉଚିତ ଜବାବ ମିଳିିବ । ଓଡ଼ିଶା ଦଖଲ ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଶାହା ବାରମ୍ବାର ଦୋହରାଇବା ବିଜେପିର ଆଗାମୀ ଦିନର ରଣନୀତିର ଅଂଶବିଶେଷ କୁହାଯାଇପାରେ । ତେବେ, ତ୍ରିପୁରା, ନାଗାଲାଣ୍ଡ ଭଳି ଓଡ଼ିଶାକୁ ଗେରୁଆ ଦଳ ‘ସଫ୍ଟ୍ ଟାର୍ଗେଟ୍’ କରିବା ସହଜ ହେବ ନାହିଁ । ତାହା ବିଜେପୁର ବିଧାନସଭା ଉପ ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇ ସାରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS