ଲାଲୁଙ୍କୁ ନିସ୍ତାର ନାହିଁ, ଚତୁର୍ଥ ମାମଲାରେ ୧୪ ବର୍ଷ ଜେଲ୍


ନୂଆଦିଲ୍ଲୀ, ୨୪ ମାର୍ଚ୍ଚ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସାରା ଜୀବନ ଜେଲରେ କଟାଇବା ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ତିନିଟି ମାମଲାରେ ଲାଲୁଙ୍କୁ ୧୩ ବର୍ଷ ୬ ମାସ ଜେଲ୍ ଦଣ୍ଡ ହୋଇଥିବା ସମୟରେ ଶନିବାର ପ୍ରକାଶ ପାଇଥିବା ଚତୁର୍ଥ ମାମଲାର ରାୟରେ ତାଙ୍କୁ ୧୪ ବର୍ଷ ଜେଲ୍ ଓ ୬୦ ଲକ୍ଷ ଟଙ୍କା ଜରିମାନା ହୋଇଛି । ରାଂଚିର ସ୍ୱତନ୍ତ୍ର ସିବିଆଇ ଅଦାଲତ ବିଚାରପତି ଶିବ ପାଲ ସିଂହ ଆଇପିସି (ଇଣ୍ଡିଆନ ପେନାଲ କୋଡ୍) ଓ ପିସିଏ (ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟ)ରେ ଏହି ଦଣ୍ଡାଦେଶ ଦେଇ ଥିବା ବେଳେ ଜରିମାନା ଅନାଦେୟ ଆଉ ଏକ ବର୍ଷ ଦଣ୍ଡିତ ହେବାକୁ ପଡିବ ବୋଲି ତାଙ୍କ ରାୟରେ ଦର୍ଶାଇଛନ୍ତି ।
ଲାଲୁଙ୍କ ବିରୋଧରେ ଚତୁର୍ଥ ମାମଲା ଥିଲା ନବେ ଦଶକରେ ଅବିଭକ୍ତ ବିହାରର ଦୁମକା କୋଷାଗାର (ଟ୍ରେଜେରୀ)ରୁ ରାଜ୍ୟ ସରକାରଙ୍କ ପଶୁପାଳନ ବିଭାଗର ୩ କୋଟି ୧୩ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଣ ହୋଇଥିବା । ସିବିଆଇ ବିଚାରପତି ସିଂହ ଗତ ସୋମବାର ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ନିଦେ୍ର୍ଦାଶରେ ଖଲାସ କରିଥିଲେ । ସେଦିନ କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରି ଥିଲେ ମଧ୍ୟ ଆଜି (ଶନିବାର) ଦଣ୍ଡାଦେଶ ଶୁଣାଇଛନ୍ତି । ବିଚାରପତି ସିଂହ ଲାଲୁଙ୍କୁ ଆଇପିସିର ୪୨୦ (ଜାଲିଆତି), ୪୦୯ (ସରକାରୀ କର୍ମଚାରୀଙ୍କ ଦ୍ୱାରା ଆପରାଧିକ ବିଶ୍ୱାସ ଭଙ୍ଗ), ୪୬୭, ୪୬୮, ୪୭୧, ୪୭୭ ଓ ୧୨୦ ‘ଖ’ ଦଫାରେ ୭ ବର୍ଷ ଜେଲ ଓ ୩୦ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଥିବା ବେଳେ ପିସି ଆଇନରେ ଆଉ ୭ ବର୍ଷ ଜେଲ ଓ ୩୦ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଦୁଇଟି ଯାକ ଦଣ୍ଡ ଗୋଟିକ ପରେ ଗୋଟିଏ ଲଗାତର ଭାବେ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।
ସିବିଆଇ କୋର୍ଟ ଦୁମକା ମାମଲାରେ ଅନ୍ୟ ୧୮ ଜଣଙ୍କୁ ମଧ୍ୟ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି । ରାଜ୍ୟର ତକ୍ରାଳୀନ ପଶୁପାଳନ ବିଭାଗ ଆଂଚଳିକ ନିଦେ୍ର୍ଦଶକ ଓ.ପି. ଦିୱାରକରଙ୍କୁ ଲାଲୁଙ୍କ ସହ ସମାନ ଦଣ୍ଡରେ ଦଣ୍ଡିତ କରାଯାଇ ଥିବା ବେଳେ ପୂର୍ବତନ ଆଇଏଏସ ଅଧିକାରୀ ଫୁଲଚାନ୍ଦ ସିଂହ ଓ ବିଭାଗର ଅନ୍ୟ ୯ ଜଣ ଅଧିକାରୀଙ୍କୁ ପ୍ରତ୍ୟେକ ସାତ ବର୍ଷ ଜେଲ ଓ ୩୦ ଲକ୍ଷ ଟଙ୍କା ଜରିମାନା ଆଦେଶ ହୋଇଛି । ଜରିମାନା ଅନାଦେୟ ସେମାନେ ଅଧିକ ୧୮ ମାସ ଲେଖାଏଁ ଜେଲ ଦଣ୍ଡ ଭୋଗିବେ । ସାତ ଜଣ ଗୋଖାଦ୍ୟ ଯୋଗାଣକାରୀଙ୍କୁ ମଧ୍ୟ କୋର୍ଟ ସାଢେ ୩ ବର୍ଷ ଲେଖାଏଁ ଜେଲ ଓ ୧୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ।
ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ନବେ ଦଶକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୯୦୦ କୋଟି ଟଙ୍କାରୁ ଅଧିକର ଗୋଖାଦ୍ୟ ଦୁର୍ନୀତି ହୋଇଥିଲା । ସିବିଆଇ ଏହାର ତଦନ୍ତ କରି ଲାଲୁ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଲାଲୁ ଓ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ଏକାଧିକ ଚାରା ଘୋଟାଲା ମାମଲାର ବିଚାରଣା ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଚାଲିଛି । ପ୍ରଥମ ମାମଲାର ରାୟ ୨୦୧୩ରେ ପ୍ରକାଶ ପାଇଥିଲା ଏବଂ ଏଥିରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ଜେଲ ଦଣ୍ଡ ପାଇବାରୁ ଲୋକସଭା ସଭ୍ୟ ପଦ ପାଇଁ ଅଯୋଗ୍ୟ ଘୋଷିତ ହୋଇ ଥିଲେ । ଅବିଭକ୍ତ ବିହାରର ଚାଇଁବସା ସରକାରୀ କୋଷାଗାରରୁ ପଶୁ ପାଳନ ବିଭାଗର ୩୭.୭ କୋଟି ଟଙ୍କା ବେଆଇନ ଉଠାଣ ମାମଲାରେ ସିବିଆଇ କୋର୍ଟ ଏହି ଦଣ୍ଡାଦେଶ ଦେଇଥିଲେ । ସେ ଉପର ଅଦାଲତରେ ଅପିଲ କରି ଜମାନତରେ ଥିବା ସମୟରେ ୨୦୧୭ ଡ଼ିସେମ୍ବରରେ ଦ୍ୱିତୀୟ ଗୋଖାଦ୍ୟ ଦୁର୍ନୀତି (ବିହାରର ଦେଓଗଡ ଟ୍ରେଜେରୀରୁ ଗୋଖାଦ୍ୟ ଖର୍ଦ୍ଦି ସକାଶେ ଥିବା ୮୯.୨୭ କୋଟି ଟଙ୍କା ବେନିୟମ ଭାବେ ଉଠାଣ ହୋଇଥିବା) ମାମଲାରେ ସାଢେ ୩ ବର୍ଷ ଜେଲ ଦଣ୍ଡ ପାଇ ଥିଲା । ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହ ଦଣ୍ଡାଦେଶ ଦେବା ପରେ ଲାଲୁ ଡ଼ିସେମ୍ବର ୨୩ରୁ ରାଂଚିର ବିର୍ସା ମୁଣ୍ଡା ଜେଲରେ ଅଟକ ଅଛନ୍ତି । ଚାଇଁବସା କୋଷାଗାରରୁ ଗୋଖାଦ୍ୟ ସଂପର୍କୀତ ୩୭. ୬୨ କୋଟି ଟଙ୍କା ବେନିୟମ ଭାବେ ଉଠାଣ ହୋଇ ଥିବା ନେଇ ତୃତୀୟ ମାମଲାର ରାୟ ଗତ ଜାନୁୟାରୀ ୨୪ ତାରିଖରେ ପ୍ରକାଶ ପାଇ ଥିଲା ଏବଂ ଲାଲୁଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି । ସଦ୍ୟ ପ୍ରକାଶିତ ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି (ଡ଼ୁମକା ଟ୍ରେଜେରୀରୁ ପଶୁପାଳନ ବିଭାଗର ୩.୧୩ କୋଟି ଟଙ୍କା ହଡପ) ମାମଲାରେ ସିବିଆଇ କୋର୍ଟ ଲାଲୁଙ୍କୁ ୧୪ ବର୍ଷ ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମାନା କରିବା ଦ୍ୱାରା ଲାଲୁଙ୍କ ଦଣ୍ଡାଦେଶ ପରିମାଣ ୨୭ ବର୍ଷ ଛଅ ମାସକୁ ବଢି ଯାଇଛି ।
ରାଂଚିର ଦୋରାଣ୍ଡା କୋଷାଗାରରୁ ପଶୁପାଳନ ବିଭାଗର ୧୩୯ କୋଟି ଟଙ୍କା ବେନିୟମ ଭାବେ ଉଠାଣ ହୋଇଥିବା ସଂପର୍କୀତ ପଂଚମ ଗୋଖାଦ୍ୟ ଦୁର୍ନୀତି ମାମଲା ଏଯାବତ କୋର୍ଟର ବିଚାରାଧିନ ରହିଛି । ତେଣୁ, ଲାଲୁଙ୍କ ବାକି ଜୀବନ ଜେଲରେ କଟିବା ନିଶ୍ଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗତ ସପ୍ତାହରେ ଲାଲୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଆରଆଇଏମଏସ) ଚିକିତ୍ସାଧିନ ଅଛନ୍ତି । ଶନିବାର ଚତୁର୍ଥ ଗୋଖାଦ୍ୟ ମାମଲା ସଂପର୍କୀତ ସିବିଆଇ ଅଦାଲକ ରାୟକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଂଜ୍ କରାଯିବ ବୋଲି ଲାଲୁଙ୍କ ଓକିଲ ପ୍ରଭାତ କୁମାର ରାଂଚିରେ ସାମ୍ବାଦିକମାନଙ୍କୁ କହିଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS