ଗଞ୍ଜାମ ଜିଲ୍ଲା କଂଗ୍ରେସ ଶୂନ୍ୟ ନୁହେଁ, ସମୂହ ଉପବାସ ଦିବସରେ ବହୁ କଂଗ୍ରେସ ନେତାଙ୍କ ଯୋଗଦାନ
ବ୍ରହ୍ମପୁର,୦୯ ଏପ୍ରିଲ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ପିସିସି ସଭାପତି ଭଗବାନ ଗନ୍ତାୟତ, ପୂର୍ବତନ ପିସିସି ସଂପାଦକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ବହୁ କଂଗ୍ରେସ ନେତା ଓ ୧୧ ଜଣ କଂଗ୍ରେସ କାଉନସିଲର ଦଳ ଛାଡି ନିକଟରେ ଶାସକ ବିଜେଡ଼ିରେ ଯୋଗ ଦେବା ପରେ ଗଞ୍ଜାମ ଜିଲ୍ଲା କଂଗ୍ରେସ-ଶୂନ୍ୟ ହୋଇ ପଡିଛି ବୋଲି ଯାହା ପ୍ରଚାର ଚାଲିଛି ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ଜିଲ୍ଲାର ଦ୍ୱିତୀୟ ପିଢିର କଂଗ୍ରେସ ନେତାମାନେ । ବିଜେଡ଼ିକୁ ଯାଇ ଥିବା ଉପରୋକ୍ତ ନେତାମାନେ ଗତ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ବିରାଟ ଯୋଗଦାନ ଉତ୍ସବରେ ବିଜେଡ଼ିରେ ଯୋଗ ଦେଉଥିବା ସମୟରେ ଦଳର ଦ୍ୱିତୀୟ ପିଢିର ନେତାମାନେ କଂଗ୍ରେସ ଭବନ ଠାରେ ଏକାଠି ହୋଇ ‘କଂଗ୍ରେସ ବିଜେଡ଼ି-ମୁକ୍ତ’ ହେଲା କହି ନିଜ ଭିତରେ ମିଠା ଖୁଆଖୁଇ ହୋଇ ଥିଲେ । ସୋମବାର (୯ତାରିଖ) ଦିନ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଡାକରାରେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଦେଶବ୍ୟାପୀ ଶାନ୍ତି ଓ ସଂହତିର ସୁରକ୍ଷା ପାଇଁ ‘ସାମୁହିକ ଉପବାସ’ ଦିବସ ପାଳନ କରାଯାଉ ଥିବା ସମୟରେ ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପିଢି କଂଗ୍ରେସ ନେତାମାନେ ବ୍ରହ୍ମପୁର ଗାନ୍ଧି ନଗର ଛକରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତୀ ନିକଟରେ ସମୂହ ଉପବାସରେ ବସି ଜିଲ୍ଲାରେ କଂଗ୍ରେସ ସାମୟିକ ଭାବେ ନିର୍ବଳ ହୋଇଥିଲେ ମଧ୍ୟ ଅସ୍ତିତ୍ୱ ହରାଇ ନାହିଁ ବୋଲି ପ୍ରମାଣିତ କରିଛନ୍ତି । କଂଗ୍ରେସ ଯୁବ ନେତା ଦୀପକ ପଟ୍ଟନାୟକ, ନିରଂଜନ ପାଣିଗ୍ରାହୀ, ପୀତବାସ ପଣ୍ଡା, ରବି ଅଧିକାରୀ, ବୃନ୍ଦାବନ ଖଟେଇଙ୍କ ସମେତ ଜିଲ୍ଲାର ବହୁ ନେତା ଏହି ସମୂହ ଉପବାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS