ଆଲୁଅ ନାହିଁ, ରାସ୍ତା ନାହିଁ – ୩୫ ବର୍ଷ ହେଲା ଏକାନ୍ତ ବାସରେ ରହିଛନ୍ତି ହନୁଗୁଡାର ହନୁମାନ
ଭୁବନେଶ୍ୱର, ଏପ୍ରିଲ ୨୦(ପ୍ରସାଦ ରାଓ): ଓଡ଼ିଶାବାସୀଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । ରାଜ୍ୟର ବିଭିନ୍ନ ଅଂଚଳରେ ଏଭଳି ମନ୍ଦିର ରହିଛି, ଯେଉଁଠି କି ପୂଜାପାଠ ହେଉଛି । ଭକ୍ତଙ୍କ ସମାଗମ ହେଉଛି । କିନ୍ତୁ, ମନ୍ଦିର ନିକଟରେ ପହଂଚିବା ପାଇଁ ଭଲ ରାସ୍ତା ନାହିଁ । ମନ୍ଦିର ସବୁ ଦେବତ୍ତୋର ବିଭାଗ ନଜର ଆଢୁଆଳରେ ରହି ସରକାରୀ ସରକାରୀ ସୁବିଧା, ସୁଯୋଗରୁ ବଂଚିତ ହେଉଛି । ପର୍ଯ୍ୟଟନ ବିଭାଗ ଆଖପାଖ ମଠକୁ ‘ପର୍ଯ୍ୟଟନ କେନ୍ଦ୍ର’ର ମାନ୍ୟତା ଦେଇ ଆର୍ଥିକ ଅନୁଦାନରେ ଖୁନ୍ଦି ଦେଉଥିବା ବେଳେ ଦୀପ ତଳ ଅନ୍ଧାର ଭଳି ପାଖ ମନ୍ଦିର ଗୁଡ଼ିକ ରହି ଯାଉଛି ଅନ୍ଧାର ଭିତରେ । ଏଭଳି ଏକ ଅବହେଳିତ ମନ୍ଦିର ହେଉଛି – କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର କୁଜୀବର ଗାଁ ନିକଟରେ ଥିବା ହନୁଗୁଡା ହନୁମାନ ମନ୍ଦିର ।
ମନ୍ଦିର ଆଖପାଖ ଗ୍ରାମକୁ (କୁଜୀବର ଓ ମୁଣ୍ଡା ସାହି) ରାସ୍ତା ଓ ବିଦ୍ୟୁତ ସଂଯୋଗ ରହିଥିବା ବେଳେ ହନୁହୁଡା ହନୁମାନ ମନ୍ଦିରକୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଦିଆ ଯାଇ ନାହିଁ । ସନ୍ଧ୍ୟା ପରେ ମନ୍ଦିରଟି ଡ଼ୁବି ରହୁଛି ଘନ ଅନ୍ଧକାରରେ । ମନ୍ଦିର ନିକଟରେ ପହଂଚିବା ପାଇଁ ହୁଡା ରାସ୍ତଟିଏ ରହିଛି । ଦୁଇ ଚକିଆ ଯାନ ଶୁଖିଲା ପାଗରେ ମନ୍ଦର ପାଖକୁ ଯାଇ ପାରୁଛି । ତିନି ଚକିଆ ବା ଚାରି ଚକିଆ ଗାଡି କଷ୍ଟେମଷ୍ଟେ ସେଠାରେ ପହଂଚୁଛି । ତେବେ, ଖରାଟିଆ ପାଗରେ ହିଁ ଏହା ସମ୍ଭବ । ସାମାନ୍ୟ ବର୍ଷାରେ ଚିକିଟା ମାଟିରେ ଚପଲ ପିନ୍ଧି ଚାଲି ଚାଲି ଯିବା ମଧ୍ୟ କଷ୍ଟସାଧ୍ୟ । ବର୍ଷା ହୋଇ ଗଲେ ଭକ୍ତମାନେ ଚପଲକୁ ହାତରେ ଧରି ଖାଲି ପାଦରେ ପାଖ ପିଚୁ ରାସ୍ତାକୁ ଆସିଲେ ସେଠାରୁ ଯିବା ସକାଶେ ଅଟୋ ମିଳିବାର ଆଶା ରହିଛି । ମନ୍ଦିର ଠାରୁ କିଛି ଦୂରରେ ଥିବା ବାବା ଶ୍ୟାମ ସୁନ୍ଦର ଦାସଙ୍କ ମଠକୁ ପର୍ଯ୍ୟଟନ ବିଭାଗ ଅନୁଦାନରେ ପୋତି ପକାଉ ଥିବା ବେଳେ ହନୁହୁଡା ସରକାରଙ୍କ ସୁଦୃଷ୍ଟିକୁ ଆସି ନାହିଁ । ଟାଙ୍ଗୀ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଥରେ ମାତ୍ର ମନ୍ଦରକୁ ଯାଇ ସହାୟତାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, ତାହା ପ୍ରତିଶ୍ରୁତିରେ ରହି ଯାଇଛି । ହନୁଗୁଡା ହନୁମାନ ମନ୍ଦିର ପୂର୍ବ ଭଳି ହତାଦର ହୋଇ ରହିଛି । ହନୁମାନ ତ ଭୋଟ ଦେବେ ନାହିଁ । ତେଣୁ, ଆମ ଭୋଟ କାଂଗାଳ ନେତାମାନେ ହନୁଗୁଡା ମନ୍ଦିରକୁ ଅନୁଦାନ ଦେବେ କାହିଁକି ? ଏହା ହେଉଛି ୩୫ ବର୍ଷ ହେଲା ହନୁଗୁଡା ମନ୍ଦିରରେ ସେବା ଦେଇ ଆସୁଥିବା ବାବା ବେଶ ପ୍ରକାଶ ପାଣ୍ଡେଙ୍କ ପ୍ରଶ୍ନ । ୩୫ ବର୍ଷ ତଳେ ସେ ମଥୁରାରୁ ଆସି ମାଟିତଳୁ ହନୁମାନ ଓ ମା’ ଦୁର୍ଗାଙ୍କ ମୂର୍ତୀକୁ ଉଦ୍ଦାର କରି ସେଠାରେ ରହି ସେବା କରି ଆସୁଛନ୍ତି ।
ଗତ ଏପ୍ରିଲ ୧୪ ତାରିଖ (୨୦୧୮) ପବିତ୍ର ପଣା ସଂକ୍ରାନ୍ତୀ ଦିନ କୁଜୀବର ଗ୍ରାମକୁ ଯାଇ ନିକଟରେ ହନୁହୁଡାରେ ଥିବା ହନୁମାନଙ୍କୁ ଦର୍ଶନ କରିବାର ସୁଯୋଗ ମିଳି ଥିଲା । ବାବା ବେଦ ପ୍ରକାଶ ପାଣ୍ଡେ ଓ ତାଙ୍କ ପତ୍ନୀ ପ୍ରମିଳା ପାଣ୍ଡେଙ୍କୁ ଭେଟି ଏହି ମନ୍ଦିର ସଂପର୍କରେ ଜାଣିବାର ସୁଯୋଗ ସୃଷ୍ଟି ହୋଇଥିଲା । ବାବାଙ୍କ ଘର ଉତ୍ତର ପ୍ରଦେଶର ମଥୁରା ସହରରେ । ୩୫ ବର୍ଷ ହେଲା ସେ କୁଜୀବର ଗାଁରେ ଭଡା ଘରେ ସପତ୍ନୀକ ରହି ହନୁହୁଡା ହନୁମାନଙ୍କ ସେବାରେ ଦିନ କାଟୁଛନ୍ତି । ବେଳେ ବେଳେ ଏକାଧିକ ଦିନ ଉପବାସରେ ରହିବାକୁ ପଡୁଛି । କଷ୍ଟେମଷ୍ଟେ ଏହି ଜୀବନକୁ ଆଦରି ନେଇଛନ୍ତି । ଗ୍ରାମ୍ୟ ଜଙ୍ଗଲ ଓ କଂଟାଝଂଟା ଘେରରେ ଥିବା ମନ୍ଦିର ପରିବେଶକୁ ଏକ ସୁରମ୍ୟ ଆଧ୍ୟତ୍ମିକ ପରିବେଶରେ ପରିଣତ କରିବାରେ ତାଙ୍କ ଅବଦାନକୁ ଅସ୍ୱୀକାର କରି ହେବ ନାହିଁ । କଂଟାଝଂଟା ସଫା କରାଇ ପ୍ରତିଦିନ ହନୁମାନଙ୍କ ସେବାପୂଜାର ସମସ୍ତ ବ୍ୟବସ୍ଥା ସେ କରିଛନ୍ତି । ସଂକ୍ରାନ୍ତୀ ଓ ଅନ୍ୟାନ୍ୟ ପୂଜାପାର୍ବଣରେ ଆଖପାଖ ଗ୍ରାମର ଭକ୍ତଙ୍କ ସହ ବାହାରୁ ଆସୁଥିବା ଭକ୍ତଙ୍କ ଭିଡ଼ ଜମୁଛି । ପଣା ସଂକ୍ରାନ୍ତୀ ଦିନ ମନ୍ଦିରରେ ଭଜନ-କୀର୍ତନ, ଜଳାଭିଷେକ ଓ ଅନ୍ନ ଭୋଗରେ ୧୨ରୁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଆଖପାଖ ଅଂଚଳର ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗରୁ ତାହା ସଂଭବ ହେଉଛି । ବାବା ବେଦ ପ୍ରକାଶ ଓ ତାଙ୍କ ପତ୍ନୀ ଆଖପାଖ ଗ୍ରାମକୁ ଯାଇ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ହାତ ପତାଇ ଦାନ ସଂଗ୍ରହ କରିବା ସପକ୍ଷରେ ନୁହନ୍ତି । ତେବେ, ଭକ୍ତମାନେ ନିଜ ଆଡୁ ଯେଉଁ ଦାନ ଦେଉଛନ୍ତି ସେଥିରେ ବର୍ଷ ସାରା କଷ୍ଟେମଷ୍ଟେ ମନ୍ଦିର ପରିଚାଳନା ଓ ଭୋଗରାଗ ସମ୍ଭବ ହେଉଛି । ତେବେ, ଆଜି ସୁଦ୍ଧା କୌଣସି ଅସୁବିଧା ହୋଇ ନାହିଁ । ଯେତବେଳେ ଯାହା ଆବଶ୍ୟକ ତାହା ସେହି ହନୁମାନଙ୍କ ଦୟାରୁ ମିଳି ଯାଉଛି ବୋଲି ବାବା କହିଛନ୍ତି । ସ୍ୱାମୀ, ସ୍ତ୍ରୀ ଖାଇବାକୁ ନ ମିଳିଲେ ଦିନ ଦିନ ଭୋକରେ ବିତାଇ ଦେଉଛନ୍ତି ସିନା କାହାରିକୁ ହାତ ପତାଉ ନାହାନ୍ତି । ସେଇମିତି ଅନୁମାନଙ୍କ ସେବା ଚାଲିଛି ବୋଲି ବାବାଙ୍କ ପତ୍ନୀ ପ୍ରମିଳା ପାଣ୍ଡେ କହିଛନ୍ତି । ବାବା ୟୁପିରୁ ଆସି ଏଠାକାର ବାସିନ୍ଦା ହୋଇ ସାରି ଥିବା ବେଳେ ପତ୍ନୀ ପ୍ରମିଳାଙ୍କ ଘର ଯାଜପୁର । ସେମାନଙ୍କର ମିଳନ ଓ ବିବାହ କେମିତି ହେଲା ତାହା ଏକ ଭିନ୍ନ କାହାଣୀ ।
ବାବା ବେଦ ପ୍ରକାଶଙ୍କ କହିବା ଅନୁସାରେ, ସେ ଲକ୍ଷ୍ନୌରେ ଥିବା ସମୟରେ ରାତିରେ ଏହି ମନ୍ଦିର, ମୂର୍ତୀ ଓ ପରିବେଶର ସ୍ୱପ୍ନ ଦେଖୁଥିଲେ । ମାଟି ତଳୁ ତାଙ୍କ ଉଦ୍ଧାର କରିବା ପାଇଁ ହନୁମାନ ସ୍ୱପ୍ନରେ ନିର୍ଦେଶ ଦେଇ ଥିଲେ । ୩୫ ବର୍ଷ ତଳେ ସେ ସ୍ୱପ୍ନରେ ଦେଖିଥିବା ହନୁମାନଙ୍କ ମୁର୍ତୀର ସନ୍ଧାନରେ ବାହାରି ପହଂଚି ଯାଇ ଥିଲେ ଓଡ଼ିଶାର ଏହି କୁଜୀବର ଗାଁରେ । ସ୍ୱପ୍ନରେ ଦେଖିଥିବା ପରିବେଶ, ଗଛପତ୍ର ଏବଂ ହନୁମାନଙ୍କ ମୂର୍ତୀ ସହ ଗାଁ ନିକଟ ହୁଡାର ପରିଷବଶ, ଗଛପତ୍ର ମିଶି ଯିବାରୁ ସେ ମାଟିରେ ପୋତି ହୋି ରହିଥିବା ହନୁମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଇଟି ମୁର୍ତୀ ମାଟିରେ ୭୫ ଭାଗ ପୋତି ହୋଇ ରହି ଥିଲେ । ମୂର୍ତୀ ଦୁଇଟିକୁ ଉଦ୍ଧାର କରିବା ସକାଶେ ସେ ସେଠାକାର ନନା (ବ୍ରାହ୍ମଣ ପୁରୋହିତ)ମାନଙ୍କୁ ଅନୁରୋଧ କରି ଥିଲେ ମଧ୍ୟ ସେମାନେ ବିଭିନ୍ନ ଆଶଙ୍କା ପ୍ରକାଶ କରି ମନା କରି ଦେଇ ଥିଲେ । ଠିକ୍ ସେହି ସମୟରେ ଯଜ୍ଞ କାମ ପାଇଁ କୁଜୀବର ଗ୍ରାମକୁ ଆସିଥିଲେ ପୁରୀର ୪/୫ ଜଣ ନନା । ବାବା ବେଦ ପ୍ରକାଶ ସେମାନଙ୍କୁ ଭେଟି ସବୁ କଥା ଜଣାଇବା ସହ ଠାକୁରଙ୍କୁ ଉଦ୍ଧାର କରିବାରେ ସହାୟତା ମାଗି ଥିଲେ । ସେମାନେ ରାଜି ହୋଇ ମାଟିରେ ପୋତି ହୋଇ ରହିଥିବା ମୂର୍ତୀଙ୍କୁ ଦେକିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମାଟି ଖୋଳା ଦିନ ୧୦ରୁ ଆରମ୍ଭ ହୋଇ ୧୧ ଟାରେ ସରି ଗଲା ସିନା ୭୫ ଭାଗ ଶୋଇବା ଅବସ୍ଥାରେ ଥିବା ହନୁମାନ ଓ ମା’ ଦୁର୍ଗାଙ୍କ ମୁର୍ତୀକୁ ସଳଖିବା ସମ୍ଭବ ହେଲା ନାହିଁ । ପୁରୀରୁ ଆସିଥିବା ନନାଙ୍କ ସମେତ ଆଖପାଖ ଅଂଚଳର କିଛି ଲୋକ ସେଠାରେ ଖାଇପିଇ ମୁର୍ତୀଙ୍କୁ ସାଳଖିବା ଉଦ୍ୟମ କରିଥିଲେ । ହନୁମାନ ଚାଳିଶା ପାଠ କରା ଯାଇଥିଲା । ତଥାପି, ମୂର୍ତୀ ସଳଖ ନ ହେବାରୁ ଉଦ୍ଧାରକାରୀମାନ ଅପରାହ୍ନ ପର୍ଯ୍ୟନ୍ତ ବିଶ୍ରାମ ନେଇଥିଲେ । ଦିନ ୪ଟା ପାଖାପାଖି ହନୁମାନ ଚାଳିଶା ସହ ରାମ ନାମ ଜପ ଆରମ୍ଭ ହୋଇଥିଲା । ରାମନାମ ଜପ ଆରମ୍ଭ ହେବା ସଂଗେ ସଂଗେ ଦୁଇ ମୂର୍ତୀ ସଳଖି ଯାଇ ଥିଲେ । ଯେଉଁ କାର୍ଯ୍ୟ ଡ଼ଜନେରୁ ଅଧିକ ଲୋକଙ୍କ ଦ୍ୱାରା ସମ୍ଭବ ହୋଇ ପାରୁ ନ ଥିଲା ରାମ ନାମ ଆରମ୍ଭ ହେବା ପରେ ତାହା ମାତ୍ର ୪ ଜଣଙ୍କ ଦ୍ୱାରା ସମ୍ଭବ ହୋଇ ଗଲା ।
ଉଦ୍ଧାର ହୋଇଥିବା ଦୁଇ ମୂର୍ତୀଙ୍କୁ ସଳଖ କରି ଠିଆ କରାଯିବା ପରେ ଗୋଟିଏ ଆଜବେଷ୍ଟସ ଘରେ ସେମାନଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ହନୁମାନଙ୍କ ମୂର୍ତୀ ହୁଡାରୁ ଉଦ୍ଧାର ହୋଇ ଥିବାରୁ ମନ୍ଦର ସ୍ଥାନର ନାମ ହନୁହୁଡା ରଖା ଯାଇଛି । ଠାକୁର ହନୁହୁଡା ହନୁମାନ ଭାବେ ପରିଚିତ ହେଉଛନ୍ତି । ଗାଁ ଳୋକଙ୍କୁ ନେଇ ମନ୍ଦିର ପରିଚାନା କମିଟି ଗଠନ ପାଇଁ ଉଦ୍ୟମ ବିଶେଷ ସଫଳ ହୋଇ ନାହିଁ । ତଥାପି, ୩୫ ବର୍ଷ ହେଲା ଠାକୁର ସେବା କରି ଆସୁଛନ୍ତି ବାବା ବେଦ ପ୍ରକାଶ । ଏହା ହେଉଛି ପ୍ରଥମ ମନ୍ଦିର, ଯେଉଁଠାରେ କି ହନୁମାନ ଓ ମା’ ଦୁର୍ଗା ଗୋଟିଏ ମନ୍ଦରରେ ପାଖାପାଖି ପୂଜା ପାଇ ଆସୁଛନ୍ତି । ମନ୍ଦିରଟି ପର୍ଯ୍ୟଟନ ବିଭାଗର ନଜରକୁ ଆସୁ, ସରକାରୀ ସହାୟତା ପାଉ ଏବଂ ମନ୍ଦିର ସହ ତାହାର ପାରିପାଶ୍ୱିକ ପରିବେଶର ଉନ୍ନତି ହେଉ । ତାହାଛଡା, ମନ୍ଦର ନିକଟରେ ଅଖଣ୍ଡ ନାମଯଜ୍ଞ ଚାଲୁ – ଏହା ହେଉଛି ତାଙ୍କ ଶେଷ ଇଚ୍ଛା ବୋଲି ବାବା ବେଶ ପ୍ରକାଶ ଓ ତାଙ୍କ ପତ୍ନୀ ପ୍ରମିଳା “ମୋ ଅନୁଭବ”କୁ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS