‘ସ୍ୱସ୍ତି ଝଙ୍କାର’ର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସମାପିତ : ପଂଚମ ସନ୍ଧ୍ୟାରେ ନାଟକ ‘ଦିବା ସପନ୍’ ଓ ଅନ୍ତିମ ସନ୍ଧ୍ୟାରେ ନାଟକ ‘ଅବସର ପରେ’ ପରିବେଷିତ
ରାଉରକେଲା (ମୋ ଅନୁଭବ): ରାଉରକେଲା ସିଭିକ ସେଂଟର ପ୍ରେକ୍ଷାଳୟରେ ‘ସ୍ୱସ୍ତି ଝଙ୍କାର’ ପକ୍ଷରୁ ଚାଲି ଥିବା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସମାପିତ ହୋଇଯାଇଛି । ମହୋତ୍ସବର ପଂଚମ ସନ୍ଧ୍ୟାରେ ସମ୍ବଲପୁରୀ ନାଟକ ‘ଦିବା ସପନ୍’ ପରିବେଷିତ ହୋଇଥିବା ବେଳେ ଓ ଅନ୍ତିମ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ରାଉରକେଲା କଳାକାର ମହାସଂଘର ନାଟକ ‘ଅବସରପରେ’ ।
ମହୋତ୍ସବର ପଂଚମ ସନ୍ଧ୍ୟାରେ ସମ୍ବଳପୁରର ନାଟ୍ୟ ସଂସ୍ଥା ‘କଖଗ’ ପକ୍ଷରୁ ପରିବେଷିତ ନାଟକ ‘ଦିବା ସପନ୍’ର କାହାଣୀ ନାଟ୍ୟକାର ବ୍ରଜେନ୍ଦ୍ର ନାୟକ ଦ୍ୱାରା ରଚିତ ହୋଇ ଥିବା ବେଳେ ସେ ନିଜେ ଏହାର ନିର୍ଦେଶନା ଦେଇଥିଲେ । ନାଟକଟିର ମୁଖ୍ୟ ଚରିତ୍ର ହେଉଛନ୍ତି ଏକ ଦମ୍ପତି । ବୟସର ଶେଷ ସମୟରେ ନିଜ ଚିକିତ୍ସା ଲାଗି ବିଦେଶରେ ଚାକିରୀ କରୁଥିବା ନିଜ ପୁଅ ଓ ଝିଅଙ୍କୁ ଅପେକ୍ଷା କରିଛନ୍ତି । କିନ୍ତୁ, ପୁଅ, ଝିଅ ନିଜ କାମରେ ବ୍ୟସ୍ତ ଥିବା କହି ବାପା ଓ ମାଙ୍କ ଅନୁରୋଧକୁ ଏଡାଇ ଦେଇଛନ୍ତି । ଏହି ସମୟରେ ପୁଅର ସାଙ୍ଗ ତା’ ସାଙ୍ଗର ମା’ଙ୍କ ଚିକିତ୍ସା ଲାଗି ସହଯୋଗର ହାତ ବଢ଼ାଇଛି । ନାଟକର ମୁଖ୍ୟ ଚରିତ୍ରରେ ବର୍ଷିଆନ ଅଭିନେତା ରାଜ କିଶାରେ ପଣ୍ଡା ଓ ସଂଯୁକ୍ତା ପଣ୍ଡାଙ୍କ ଅଭିନୟ ପ୍ରେକ୍ଷାଳୟକୁ ସ୍ତବ୍ଧ କରି ଦେଇଥିଲା । ଶ୍ରୀ ପଣ୍ଡା ଦୀର୍ଘ ୩୦ବର୍ଷ ପରେ ପୁଣି ନାଟ୍ୟ ଜଗତରେ ପାଦ ଦେବା ସହ ରାଉରକେଲାର ଏହି ନାଟକ ମହୋସôବରେ ଭାଗ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସେହି ପରିଣତ ବୟସରେ ତାରୁଣ୍ୟର ଛବି ଦର୍ଶକଙ୍କୁ ମୋହିତ କରିଥିଲା । ନାଟକଟି ସାଂପ୍ରତିକ ସମାଜରେ ବିଶ୍ୱାୟନ ପ୍ରଭାବରେ ଅଧିକାଂଶ ନିମ୍ନ ମଧ୍ୟବିତ ପରିବାରର ସନ୍ତାନମାନେ ବିଦେଶରେ ଚାକିରୀ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ସେମାନଙ୍କ ପରିଣତ ବୟସରେ ବାପା, ମାଙ୍କ ନିସଙ୍ଗତା ଓ କରୁଣ ବେଦନା ଏହି ନାଟକରେ ପ୍ରତିଫଳିତ ହୋଇଛି । ‘ଦିବା ସପନ୍’ ମାଧ୍ୟମରେ ନାଟ୍ୟକାର ସମାଜକୁ ଏକ ସ୍ପଷ୍ଟ ବାର୍ତା ଦେବରେ ସଫଳ ହୋଇଛନ୍ତି ।
ସେହିପରି, ଅନ୍ତିମ ସନ୍ଧ୍ୟାରେ ରାଉରକେଲାର ସୁନାମଧନ୍ୟ ନାଟ୍ୟ ସଂସ୍ଥା କଳାକାର ମହାସଂଘ ତରଫରୁ ରାମ ପ୍ରସାଦ ମହାନ୍ତିଙ୍କ ରଚିତ ଓ ପ୍ରଶାନ୍ତ ଷଡଙ୍ଗୀଙ୍କ ନିର୍ଦେଶିତ ନାଟକ ‘ଅବସର ପରେ’ ପରିବେଷିତ ହୋଇଥିଲା । ସମ୍ବଲପୁରୀ ନାଟକ ‘ଦିବା ସପନ୍’ ସହ ଏହି ନାଟକର କିଛିଟା ସାମଂଜସ୍ୟ ଥିବା ପରି ମନେ ହୋଇଥିଲା । ନାଟକର ମୁଖ୍ୟ ଚରିତ୍ର ଘନ ସାର୍ ଆଇଏଏସ୍ ଚାକିରୀକୁ ପଦାଘାତ କରି ଗାଁ ସ୍କୁଲରେ ପିଲାଙ୍କୁ ଶିକ୍ଷିତ କରିବା ଲାଗି ଶିକ୍ଷକତା କରିବା ସହ କମ୍ ଦରମାରେ ନିଜର ଏକମାତ୍ର ପୁତ୍ରକୁ ଇଂଜିନିୟରିଂ ସହ ଏମବିଏ ପଢ଼ାଇ ଥିଲେ । ବିଦେଶରେ ଚାକିରି କିରିବା ଲାଗି ସେ ପୁଅକୁ ସକ୍ଷମ କରିଥିବା ବେଳେ ପୁଅ ବିଦେଶରେ ଚାକିରି କରିବା ପରେ ନିଜ ଇଛାରେ ବିବାହ କରି ବାପା, ମା’ଙ୍କ ଠାରୁ ଦୂରେଇ ଯାଇଥିଲା । ଏଭଳି ଦୁଃସ୍ଥିତି ସମୟରେ ଘନ ସାର୍ ଙ୍କ ଧର୍ମପତ୍ନୀଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବା ସହ ଚିକିତ୍ସା ନିମନ୍ତେ ବହୁ ଅର୍ଥର ଆବଶ୍ୟକତା ପଡେ । ସାର୍ଙ୍କ ଜଣେ ପ୍ରାକ୍ତନ ଛାତ୍ର ଓ ତାଙ୍କ ସ୍ତ୍ରୀ ଚିକିତ୍ସାର ସମସ୍ତ ଖର୍ଚ୍ଚର୍ ବହନ କରିବା ସହ ତାଙ୍କୁ ଆପଣେଇବା ଲାଗି ଆଗେଇ ଆସିଛନ୍ତି । ‘ଅବସର ପରେ’ ନାଟକରେ ମଣିଷର ଅନ୍ତର୍ଦହନ ଓ ଉଚ୍ଚଶିକ୍ଷିତ କୁହା ଯାଉଥିବା ଆଜି କାଲିର ସନ୍ତାନମାନଙ୍କ ସ୍ୱାର୍ଥପର ଆଚରଣକୁ ନିଚ୍ଛକ ଭାବେ ଉପସ୍ଥାପନ କରାଯାଇଛି ।
ମହୋତ୍ସବର ଶେଷ ଦିନ ଆରଏସପିର ମହାନିଦେ୍ର୍ଦଶକ ଶୁଭେନ୍ଦ୍ର ଦାସ, ଉପ ମହାପ୍ରବନ୍ଧକ ହୀରାଲାଲ ମହାପାତ୍ର, ବିଶିଷ୍ଟ ସାହିତି୍ୟକ ଡ. ହୁସେନ ରବି ଗାନ୍ଧୀ ବିଶିଷ୍ଟ ଦର୍ଶକ ଭାବେ ଯୋଗ ଦେଇ ରାଉରକେଲା କେବଳ ଇସ୍ପାତ ସହର ନୁହେଁ, ଏହା କଳା ଓ ସଂସ୍କୃତିର ସହର ଭାବେ ପରିଚିତି ଲାଭ କରିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥି ସକାଶେ ରାଉରକେଲା ଇସ୍ପାତ କାରଖାନାର ପ୍ରେରଣା ମଧ୍ୟ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ। ଏହି ଅବସରରେ ଡ. ହୁସେନ ରବି ଗାନ୍ଧୀଙ୍କୁ ‘କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି’ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନୁ ତରଫରୁ ସ୍ୱର୍ଗତ ମହାନ୍ତିଙ୍କ କନ୍ୟା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ଏହି ସମ୍ମାନ ପ୍ରଦାନ କରିଥିଲେ । ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ନାଟ୍ୟକାର ସୁବୋଧ ପଟ୍ଟନାୟକଙ୍କୁ ମଧ୍ୟ ନାଟ୍ୟକାର ସୁରେନ୍ଦ୍ର ନାଥ ଦ୍ୱିବେଦୀ ସମ୍ମାନ ସଂସ୍ଥା ତରଫରୁ ସ୍ୱର୍ଗତ ଦ୍ୱିବେଦୀଙ୍କ ନାତି ଗୌତମ ମିଶ୍ର ପ୍ରଦାନ କରିଥିଲେ । ନାଟ୍ୟକାର ଗଙ୍ଗାଧର ଜେନାଙ୍କୁ ଡ. ଧୋବେଶ ଚନ୍ଦ୍ର ମିଶ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ‘ସ୍ୱସ୍ତି ଝଙ୍କାର’ର ଉପ ସଭାପତି ପରେଶ୍ୱର ବିଶ୍ୱାଳ ଏହି ଅବସରରେ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସଭାପତି ମହେନ୍ଦ୍ର ପଟ୍ଟନାୟକ, ସାଧାରଣ ସଂପାଦକ ରାଜୀବ ପାଣି, ଅଙ୍ଗୁରବାଳା ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ, ସଂସ୍ଥାର କୋଷାଧ୍ୟକ୍ଷ ରାଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS