ନିରଂଜନଙ୍କୁ ପିସିସି ସଭାପତି କରି ରାହୁଲ ପରିପକ୍ୱତାର ପରିଚୟ ଦେଇଛନ୍ତି ?
ଭୁବନେଶ୍ୱର (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶା କଂଗ୍ରେସକୁ ପ୍ରାଣବନ୍ତ କରିବା ପାଇଁ ପଦକ୍ଷେପ ନେବାରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ବିଲମ୍ବ କରିଛନ୍ତି ବୋଲି ରାଜନୈତିକ ସମାଲୋଚକମାନେ ଆଲୋଚନା କରୁଥିଲେ ମଧ୍ୟ ଅନେକ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ରାହୁଲ ବର୍ଷେ ବା ଦୁଇ ବର୍ଷ ଆଗରୁ ଏହି ପଦକ୍ଷେପ ନେଇଥିଲେ ଦଳ ଛାଡି ଥିବା ନେତାମାନେ କଂଗ୍ରେସ ଠାରୁ ଦୂରେଇ ନ ଥା’ନ୍ତେ । ବିଜେପି ଓଡ଼ିଶାରେ ତାହାର କାୟା ବିସ୍ତାର କରିବାରେ ଏତେଦୂର ସଫଳ ହୋଇ ନ ଥା’ନ୍ତା ଏବଂ ବିଜେପୁର ବିଧାନସଭା ଉପ ନିର୍ବାଚନରେ ଦଳ ଲଜ୍ୟାଜନକ ପରାଜୟ ଭୋଗି ନ ଥା’ନ୍ତା । ଏଭଳି ସମାଲୋଚନାର ଭିତ୍ତି ରହିଛି ସତ, କିନ୍ତୁ ଆଉ ଏକ ସତ୍ୟ ହେଉଛି ୨୦୧୯ ନିର୍ବାଚନ ପୂର୍ବରୁ ଏଆଇସିସିକୁ ନେତୃତ୍ୱ ପରିବର୍ତର୍ନ ପାଇଁ ପୁଣି ଥରେ ଚାପଗ୍ରସ୍ତ ହେବାକୁ ପଡି ଥା’ନ୍ତା ଏବଂ ଥରେ ରାଜ୍ୟ ନେତାଙ୍କ ଚାପରେ ମୁଣ୍ଡ ନୁଆଇଁ ଥିଲେ ରାହୁଲ ପୁନର୍ବାର ମୁଣ୍ଡ ନୁଆଁଇବା ବାଧ୍ୟ ହେଲା ଭଳି ପରିସ୍ଥିତି ସୃଷ୍ଟି କରାଯାଇ ଥା’ନ୍ତା । ତେଣୁ, ନିର୍ବାଚନ ହେବାକୁ ମାତ୍ର ଗୋଟିଏ ବର୍ଷ ଥିବା ସମୟରେ ରହୁଲ ଓଡ଼ିଶା ପ୍ରଦେଶ କଂଗ୍ରେସର ନେତୃତ୍ୱ ପରିବର୍ତର୍ନ କରି ନିର୍ବାଚନ ସରିବା ପର୍ଯ୍ୟନ୍ତ ଆଉ ଚାପଗ୍ରସ୍ତ ନ ହେବାର ସୁଚିନ୍ତିତ ନିଷ୍ପତ୍ତି ନେଇଛନ୍ତି ବୋଲି କେତେକ ମହଲ ବିଶ୍ୱାସ କରୁଛନ୍ତି ।
ରାଜ୍ୟରେ ବିଜେଡ଼ି ଏକକାଳୀନ ୧୮ ବର୍ଷରୁ ଅଧିକ କ୍ଷମତାରେ ରହିବା ଏକ ରେକର୍ଡ କହିବା ଭୁଲ ହେବ ନାହିଁ । ପୂର୍ବରୁ ଓଡ଼ିଶାର କୌଣସି ରାଜନୈତିକ ଦଳ ଏଭଳି ରେକର୍ଡ କରିବା ସୁଯୋଗ ପାଇ ନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ଦଳ ପାଖାପାଖି ୧୫ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ ଏକକାଳୀନ ୧୫ ବର୍ଷ ଶାସନ କରିପାରି ନାହିଁ । ୧୯୮୦ରୁ ୧୯୯୦ – ଦଶ ବର୍ଷ ଜାନକୀ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ, ୧୯୯୦ରୁ ୧୯୯୫ ରାଜ୍ୟରେ ଜନତା ଦଳର ସରକାର ରହିଲା ଓ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ । ପୁନର୍ବାର ୧୯୯୫ରେ କଂଗ୍ରେସ ଦଳ କ୍ଷମତାକୁ ଫେରିଲା ଏବଂ ଜାନକୀ ବାବୁ ବିଧାନସଭା ନିର୍ବାଚନ ନ ଲଢି ପଛ ଦୁଆର ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ମୁଖ୍ୟମନ୍ତ୍ରୀ ଥାଇ ସେ ଉପ ନିର୍ବାଚନ ଲଢିବା ମାଧ୍ୟମରେ ବିଧାନସଭାକୁ ଆସିଲେ । ତେଣୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରେକର୍ଡ ସହ ଭଳି କଂଗ୍ରେସ ବା ଜାନକୀ ବାବୁଙ୍କ ରେକର୍ଡ ସମତୁଲ ହୋଇପାରି ନାହିଁ । ଓଡ଼ିଶାରେ କଂଗ୍ରେସ କେବଳ ରେକର୍ଡ କରିଛି ବାରମ୍ବାର ନେତୃତ୍ୱ ପରିବର୍ତର୍ନ ପାଇଁ ଏଆଇସିସି ଉପରେ ଚାପ ପକାଇବାରେ । ଜଣକ ପରେ ଜଣେ ନେତା ପିସିସି ସଭାପତି ହୋଇ ବିରୋଧୀ ଗୋଷ୍ଠୀ ଦ୍ୱାରା ପ୍ରତ୍ୟାଖାତ ହୋଇଛନ୍ତି । ସଦ୍ୟ ପ୍ରତ୍ୟାଖାତ ହୋଇଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସେଥିରୁ ଅନ୍ୟତମ । ପୂର୍ବରୁ ଦଳୀୟ ନେତାଙ୍କ ଦ୍ୱାରା ପ୍ରତ୍ୟାଖାତ ହୋଇ ପିସିସି ସଭାପତି ପଦ ହରାଇ ଥିବା ନିରଂଜନ ପଟ୍ଟନାୟକ ପୁଣି ଥରେ ସଭାପତି ହୋଇ ଏବେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ବିଜେଡ଼ିର ଲମ୍ବା ଶାସନ ଓଡ଼ିଶାରେ କଂଗ୍ରେସ ଦଳକୁ ଶିଥିଳ ବା ସ୍ଥାଣୁ କରି ଦେଇଛି । ତେଣୁ, ନେତୃତ୍ୱ ପରିବର୍ତର୍ନ ମାଧ୍ୟମରେ ହିଁ ଏହି ଶିତିଳତା ଦୂର କରିହେବ ବୋଲି ଅନୁଭବ କରିବା ପରେ ଏଆଇସିସି ପ୍ରସାଦଙ୍କୁ ହଟାଇ ନିରଂଜନଙ୍କୁ ପୁନଃ ଅବସ୍ଥାପିତ କରିଛି ।
ଓଡ଼ିଶା କଂଗ୍ରେସର ବିଡମ୍ବନା ହେଉଛି, ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଦଳର ନେତୃତ୍ୱ ପରିବର୍ତନ ଦାବି ଉଠାଇ କିଚି ନେତା ଏଆଇସିସିକୁ ଚାପଗ୍ରସ୍ତ କରି ରଖିବା । ବାରମ୍ବାର ପିସିସି ନେତୃତ୍ୱ ପରିବର୍ତନ ହେବା ଦ୍ୱାରା ଦଳ ଅଧିକ ଦୁର୍ବଳ ହୋଇଛି । ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଭିତରେ ଓଡିଶାରେ କଂଗ୍ରେସ ଦଳ ତାହାର ଅସ୍ତିତ୍ୱ ହରାଇବା ସାର ହୋଇଛି । ଦଳରେ ନେତୃତ୍ୱକୁ ନେଇ କନ୍ଦଳ ଓ ନେତାମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଆକ୍ଷେପ, ପ୍ରତ୍ୟାକ୍ଷେପ ଯୋଗୁ ନିରାଶ ହୋଇ ଦଳର ବହୁ ତୁଙ୍ଗ ନେତା ଦଳ ଛାଡିଛନ୍ତି । ଏଆଇସିସି ସବୁ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁହାଇଲା ଭଳି ଜଣେ ନେତାଙ୍କୁ ଓଡ଼ିଶା ପିସିସି ଦାୟିତ୍ୱ ଦେଇ ଆସିଛି ବୋଲି ପୂର୍ବରୁ ଅପବାଦ ରହିଛି । ଖୋଦ୍ କଂଗ୍ରେସ ନେତାମାନେ ଏଭଳି ଆରୋପ କରି ଆସିଛନ୍ତି । ଏବେ ମଧ୍ୟ ସେଭଳି ଅଭିଯୋଗର ସୁଯୋଗ ରହିଛି । କାରଣ, ଓଡିଶାରେ ପିସିସି ସଭାପତି ଦାୟିତ୍ୱ ନେଇଥିବା ନିରଂଜନ ବାବୁଙ୍କ ସାନ ଭାଇ ସୌମ୍ୟ ରଂଜନ ଠିକ୍ ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ତାଙ୍କ ଦ୍ୱାରା ଗଠିତ ‘ଆମ ଓଡ଼ିଶା’ ରାଜନୈତିକ ଦଳରେ ତାଲା ଲଗାଇ ବିଜେଡ଼ିରେ ଯୋଗ ଦେବା ସହ ରାଜ୍ୟ ସଭାକୁ ଯାଇଛନ୍ତି । ସାନ ଭାଇ ବିଜେଡ଼ିର ରାଜ୍ୟସଭା ସଦସ୍ୟ ଥିବା ବେଳେ ବଡ଼ ଭାଇ (ନିରଂଜନ)ଙ୍କୁ ପିସିସି ସଭାପତି ଭାବେ ଏଆଇସିସି ନିଯୁକ୍ତ ଦେବା ବିଭିନ୍ନ ମହଲରେ ଭୃକୁଂଚନ ସୃଷ୍ଟି କରିଛି । ତେବେ, ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶାର କଂଗ୍ରେସ ବିଧାୟକ ଓ କିଛି ବରିଷ୍ଠ ନେତାଙ୍କ ଚାପରେ ନିରଂଜନଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେଇ ତାଙ୍କର ଅତି ଘନିଷ୍ଟ ସହଯୋଗୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଏଆଇସିସିର ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ ଦେବା ଏବଂ ରାଜ୍ୟର ଅନ୍ୟ ସମସ୍ତ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ପିସିସିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ କରାଇ ଭଣ୍ଡାର ଘର ଚାବି ନିଜ ହାତରେ ରଖିବା ରାହୁଲଙ୍କ ରାଜନୈତିକ ପରିପକ୍ୱତାର ପରିଚୟ ଦେଉଛି ବୋଲି ଅନେକ ସମାଲୋଚକ ମତବ୍ୟକ୍ତ କରିଛନ୍ତି ।
ନିରଂଜନ-ବିରୋଧୀ କଂଗ୍ରେସ ନେତାଙ୍କ ମତରେ, ଓଡ଼ିଶା ପାଇଁ ଏଆଇସିସିର ପ୍ରଭାରୀ ଭାବେ ଜିତେନ୍ଦ୍ର ସିଂହଙ୍କ ନିଯୁକ୍ତି ସହ ତାଙ୍କୁ ସହାୟତା କରିବା ସକାଶେ ସହପ୍ରଭାରୀ ଭାବେ ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଦିଲ୍ଲୀର ପୂର୍ବତନ ବିଧାୟକ ଅନିଲ ଚୌଧୁରୀ ଓ ଶେଖ୍ ମସ୍ତାନା ୱାଲିଙ୍କୁ ଏବଂ ସାଧାରଣ ସଂପାଦକ ଭାବେ ଆଦିତ୍ୟ ଶର୍ମାଙ୍କୁ ନିଯୁକ୍ତି ଦିଆଯିବା ଏଆଇସିସିର ଏକ ନୂତନ ରରକୌଶଳ । ସିଧାସଳଖ ଓଡ଼ିଶା କଂଗ୍ରେସ ରାଜନୀତିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଏଆଇସିସି ଏଭଳି କରିଛି । ଏହାଛଡା, ନେତୃତ୍ୱ କନ୍ଦଳକୁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଏଡାଇବା ସକାଶେ ଆଦିବାସୀ ଯୁବ ନେତା ପ୍ରଦୀପ ମାଝୀ, ସିଏଲ୍ ପି ଉପ ନେତା ଚିରଂଜୀବୀ ବିଶ୍ୱାଳ ଓ ବିଧାୟକ ନବ ଦାସଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଚି । ଏହା ମାଧ୍ୟମରେ ଏଆଇସିସି ନିରଂଜନ ଏକାକୀ କୌଣସି ନିଷ୍ପତ୍ତି ନେବାରେ ବାଟ ଓଗାଳିଛି । ରାଜ୍ୟ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଭକ୍ତ ଚରଣ ଦାସ, ହେମାନନ୍ଦ ବିଶ୍ୱାଳ, ଶରତ ପଟ୍ଟନାୟକ, ଶରତ ରାଉତ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ ଓ ଶ୍ରୀକାନ୍ତ ଜେନା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ ହୋଇ ୨୦୧୯ ନିର୍ବାଚନ ପରିଚାଳନା ସୁଗମ ହେବାକୁ ଦାୟିତ୍ୱ ନେଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଂଗଠିତ କରିବାକୁ ଏଭଳି ରଣନୀତି କାର୍ଯ୍ୟକାରୀ କରି ରାହୁଲ ରାଜନୈତିକ ପରିପକ୍ୱତା ହାସଲ କରୁଥିବାର ପରିଚୟ ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ଦଳ ଯେଭଳି ଆର୍ଥିକ ସଂକଟ ଦେଇ ଗତି କରୁଛି ସେଥିରୁ ମୁକୁଳିବା ସହ ସଂଗଠନକୁ ନୂଆ ଜୀବନ ଦେବା ସକାଶେ ଏଆଇସିସି ନିରଂଜନଙ୍କୁ ‘ସଂକଟମୋଚକ’ ଭାବେ ବ୍ୟବହାର କରିବାକୁ ଚାହୁଁଥିବା ସ୍ପଷ୍ଟ ହେଉଛି । ବର୍ତର୍ମାନ ନିରଂଜନଙ୍କ ପାଇଁ ବଡ ଆହ୍ୱାନ ହୋଇଛି ଦଳୀୟ ବିଦ୍ରେହୀଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ସହ ଯୁବ ନେତୃତ୍ୱକୁ ପ୍ରଧାନ୍ୟ ଦେଇ ଓଡ଼ିଶାରେ ‘ମୋଦୀ ହାୱା’ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚମକକୁ ପରାହତ କରିବା ଏବଂ ପୁନର୍ବାର ଓଡ଼ିଶା ରାଜନୀତିରେ କଂଗ୍ରେସକୁ ପ୍ରତିଷ୍ଠିତ କରିବା ।
ଦେଶରେ କଂଗ୍ରେସର ଅଧୋଗତିର ସୁଯୋଗ ନେଇ ବିଜେପି ତାହାର ବିସ୍ତାରକୁ ଦୃତତର କରିଥିବା ବେଳେ ବିରୋଧୀ ଦଳ ଓ ଆଂଚଳିକ ଦଳମାନଙ୍କ ପ୍ରତି ତାହାର ଆଭିମୁଖ୍ୟ କମ୍ୟୁନିଷ୍ଟ, ସପା, ବସପା, ରାଜଦ, ଏନସିପି, ଡିଏମକେ ପରି ପ୍ରମୁଖ ଜାତୀୟ ଓ ଆଂଚଳିକ ଦଳମାନଙ୍କୁ ଅତିଷ୍ଟ କଲାଣି । ଆପ୍, ବିଜେଡି, ଟିଏମ୍ ସି, ଟିଡିପି, ୱାଇଏସ୍ ଆର୍ କଂଗ୍ରେସ ଓ ଟିଆର୍ ଏସ୍ ଭଳି ଆଂଚଳିକ ଦଳଙ୍କ ଆଭିମୁଖ୍ୟ ଅସ୍ପଷ୍ଟ ଥିଲେ ମଧ୍ୟ ୨୦୧୯ ନିର୍ବାଚନରେ ସେମାନେ ବିଜେପିକୁ ସମର୍ଥନ ଦେବା ଆଶା କ୍ଷୀଣ । ବିଜେପି ପ୍ରତି ଆଂଚଳିକ ଦଳମାନଙ୍କ ମନରେ ରହିଥିବା କ୍ରୋଧରୁ କଂଗ୍ରେସ ଫାଇଦା ପାଇବାର ଯଥେଷ୍ଟ ସୁଯୋଗ ରହିଛି । ଶିବସେନା ଭଳି କଂଗ୍ରେସର କଟ୍ଟର ସମାଲୋଚକ ନିକଟରେ ରାହୁଲ ଗାନ୍ଧୀଙ୍କ ରାଜନୈତିକ ପରିପକ୍ୱତାକୁ ପ୍ରଶଂସା କରିବା ଜାତୀୟ ରାଜନୀତିରେ ଏକ ବିରଳ ଘଟଣା ଭାବେ ବିଚାର କରାଯାଉଛି । ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ କଂଗ୍ରେସ ଭିତରେ ଥିବା ଆଭ୍ୟନ୍ତରୀଣ ନେତୃତ୍ୱ କନ୍ଦଳକୁ ପ୍ରସମିତ କରି ଓ ଆଂଚଳିକ ଦଳମାନଙ୍କୁ ନିଜ ସପକ୍ଷକୁ ଟାଣି କଂଗ୍ରେସକୁ ଏକ ସକ୍ଷମ ବିକଳ୍ପ ଭାବେ ିଂଆ କରାଇବାକୁ ରାହୁଲ ଗାନ୍ଧୀ ପ୍ରୟାସ ଆରମ୍ଭ କରିଥିବା କୁହାଯାଉଛି । ଓଡ଼ିଶା ମଧ୍ୟ ଏହାର ଏକ ପ୍ରୟୋଗଶାଳା ହୋଇଛି । ତେଣୁ, ନିରଂଜନଙ୍କ ପାଇଁ ବଡ ଆହ୍ୱାନ ହେବ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଉପରେ ନିରଂଜନଙ୍କଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS