ଓଡ଼ିଶା: ସ୍ୱେଚ୍ଛାଚାରରେ ଶାସକ ବିଜେଡ଼ି ଏବେ ବିଜେପି ରାସ୍ତାରେ
– ପ୍ରସାଦ ରାଓ –
ଭୁବନେଶ୍ୱର, ଏପ୍ରିଲ ୨୭: କଥାରେ ଅଛି, ବିରୋଧୀ ଦୁର୍ବଳ ହେଲେ ଶାସକ ସ୍ୱେଚ୍ଛାଚାରୀ ହୋଇଯାଏ । ଏହି ବାସ୍ତବିକତା ଦେଖିବାକୁ ମିଳୁଛି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ଷେତ୍ରରେ । କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ଲୋକସଭାରେ ନିରଙ୍କୁଶ କ୍ଷମତା ଭୋଗ କରୁଥିବା ବେଳେ ଓଡ଼ିଶାରେ ୧୮ ବର୍ଷ ହେଲା କ୍ଷମତାସୀନ ଥିବା ବିଜୁ ଜନତା ଦଳ (ବିଜେଡ଼ି) ଅନୁରୂପ ଭାବେ ନିରଙ୍କୁଶ କ୍ଷମତା ଭୋଗ କରୁଛି । ରାଜ୍ୟ ବିଧାନସଭାର ୧୪୭ ରୁ ୧୧୮ ଆସନ ବିଜେଡ଼ି ହାତରେ ଥିବା ସମୟରେ କଂଗ୍ରେସ ୧୫ ଓ ବିଜେପି ୧୦ରେ ସୀମିତ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଭାରତକୁ ‘କଂଗ୍ରେସ ମୁକ୍ତ’ କରିବା ସ୍ଲୋଗାନ ଦେଇ ୨୦୧୪ ସାଧାରଣ ନିର୍ବାଚନରେ ‘କଂଗ୍ରେସ ବିରୋଧୀ ହାୱା’ର ସୁଯୋଗ ନେଲେ ଏବଂ ମେଂଟ ସହଯୋଗୀଙ୍କ ସହ ମିଶି ୩୦୦ରୁ ଅଧିକ ଲୋକସଭା ଆସନ ଦଖଲ କରି କଂଗ୍ରେସକୁ ଦୁଇ ଅଙ୍କରେ ସୀମିତ କରି ଦେଲେ । ଗଲା ଚାରି ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶକୁ କଂଗ୍ରେସ ମୁକ୍ତ କରିବା ରାସ୍ତାରେ ହିଁ ଚାଲିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା କଳେ, ବଳେ, କୌଶଳେ ଦେଶରେ କଂଗ୍ରେସ ଓ ଅଣ-ବିଜେପି ଶାସିତ ରାଜ୍ୟ ସରକାର ମାନଙ୍କୁ କ୍ଷମତାରୁ ହଟାଇ ଗେରୁଆ ଶାସନର ବିସ୍ତାରରେ ଲାଗି ପଡିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ସୀମିତ ହୋଇ ଯାଇଛି ପଂଜାବ, ମିଜୋରାମ, କର୍ଣ୍ଣାଟକ ଓ କେନ୍ଦ୍ର ଶାସିତ ପଣ୍ଡିଚେରୀରେ ।
ମେ’ ୧୫ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଉଭୟ କଂଗ୍ରେସ ଓ ବିଜେପି ସେଠି ନିଜର ସମସ୍ତ ଶକ୍ତି ଲଗାଇଛନ୍ତି । କାରଣ, କର୍ଣ୍ଣାଟକକୁ ଜିତିଲେ ହିଁ ବିଜେପି ପାଇଁ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟକୁ ପ୍ରବେଶ କରିବାର ବାଟ ଖୋଲିବ। ଭାରତୀୟ ରାଜନୀତିରେ କଂଗ୍ରେସର ସ୍ଥିତି ଅତି ଗୌଣ ହୋଇଯିବ । ସେହିପରି, ଭାରତୀୟ ଜାତୀୟ କଂଗ୍ରେସ ଦଳ ଗୁଜୁରାଟ ନିର୍ବାଚନରେ ବିଜେପିକୁ କଡା ମୁକାବିଲା କରିବା ପରେ ଏବେ କର୍ଣ୍ଣାଟକରେ ମୁହାଁମୁହିଁ ହୋଇଛି । ଏହି ଦକ୍ଷିଣ ଭାରତ ରାଜ୍ୟରେ ଦଳ କ୍ଷମତାରେ ଅଛି । ନିଜ ସ୍ଥିତାବସ୍ଥା ବଜାୟ ରଖିଲେ ହିଁ ୨୦୧୯ ସାଧାରଣ ନିର୍ବାଚନରେ ଦଳ ବିଜେପି ବିରୋଧରେ ମେଂଟ ଗଠନ ବେଳେ ମୂଲଚାଲ କରିବା ସ୍ଥିତିରେ ରହିବ । କର୍ଣ୍ଣାଟକରେ ହାରିଲେ କଂଗ୍ରେସ ଦଳ ଭାରତୀୟ ରାଜନୀତିରୁ ଅପସରି ଗଲା ଭଳି ସ୍ଥିତିରେ ପହଂଚି ଯିବ । କର୍ଣ୍ଣାଟକ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡ଼ି. ଦେବାଗୌଡାଙ୍କ ଜନତା ଦଳ (ଏସ) ଏକ ନିର୍ଣ୍ଣାୟକ ଭୂମିକାରେ ରହୁ ଥିବ ଏବେ ଚର୍ଚ୍ଚା ହେଉଛି । ଝୁଲା ପରିସ୍ଥିତିରେ ଦେବାଗୌଡା କଂଗ୍ରେସ ଆଡକୁ ଢଳିବେ କି ବିଜେପିକୁ ସହାୟତା କରିବେ ତାହା ସେତେବେଳର ପରିସ୍ଥିତି ଉପରେ ନିର୍ଭର କରୁଛି ।
ଏହା ହେଉଛି ଭାରତୀୟ ରାଜନୀତିର ଦୁଇ ବୃହତ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସର ବର୍ତମାନର ସ୍ଥିତି । ଓଡ଼ିଶାର ବିଜେଡ଼ି ସର୍ବଭାରତୀୟ ନ ହେଲେ ବି ୧୮ ବର୍ଷ ହେଲା ରାଜ୍ୟକୁ ‘କଂଗ୍ରେସ ମୁକ୍ତ’ ରଖି ଆସି ଥିବାରୁ ଭାରତୀୟ ରାଜନୀତିରେ ଗୁରୁତ୍ୱ ପାଇଛି । ୨୦ ବର୍ଷର ଏହି ଦଳ ପାଖାପାଖି ୧୯ ବର୍ଷ ହେଲା ଓଡ଼ିଶାରେ ଶାସନରେ ରହିଛି । ୨୦୧୯ ସାଧାରଣ ନିର୍ବାଚନ ବେଳକୁ ତାହା ୨୦ ବର୍ଷରେ ପହଂଚି ଯିବ । ୨୦୦୦ ମସିହାରେ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କ୍ଷମତାସୀନ ହେଲା । ପ୍ରଥମ ୧୦ ବର୍ଷ (୨୦୦୦ରୁ ୨୦୦୯) ବିଜେପି ସହ ମେଂଟରେ ଶାସନ ଚଳାଇବା ପରେ କନ୍ଧମାଳ ଦଂଗାକୁ ଆଳ କରି ୨୦୦୯ ନିର୍ବାଚନ ସମୟରେ ବିଜେପିକୁ ଦୂରେଇ ଏକାକୀ ନିର୍ବାଚନ ଲଢିଲା । ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଲେ କଂଗ୍ରେସ ଫାଇଦାରେ ରହିବା ଥିଓରୀ ଇତିମଧ୍ୟରେ ବଦଳି ଯାଇଛି । ଏକାକୀ କଂଗ୍ରେସ ଓ ବିଜେପି ବିରୋଧରେ ଲଢେଇ କରି ବିଜେଡ଼ି ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ପୁନଃ କ୍ଷମତାସୀନ ହେବା ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚକିତ କଲା ଭଳି ଭାବମୂର୍ତୀ (କରିସ୍ମା) ଦଳରେ ଅଧିକ ଗ୍ରହଣୀୟ ହୋଇ ପାରିଛି । ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ଦେଶବ୍ୟାପୀ ‘ମୋଦୀ ହାୱା’ର ବାତଚକ୍ରକୁ ଭେଦ କରି ଓଡ଼ିଶାର ୧୪୭ରୁ ୧୧୭ ବିଧାନସଭା ଆସନରେ ନିଜର ପତାକା ଉଡାଇବା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପ୍ରତି ଏକ ଶକ୍ତ ଧକ୍କା ଲାଗି ଥିଲା । ତେଣୁ, ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ୨୧ ଲୋକସଭା ଆସନରୁ ଗୋଟିଏ ମାତ୍ର ପାଇ ଥିବା ସତ୍ତ୍ୱେ ରାଜ୍ୟରୁ ଦୁଇ ଜଣଙ୍କୁ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସ୍ଥାନ ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ବିଜୟୀ ହୋଇ ଥିବା ଜୁଏଲ ଓରାମ କେନ୍ଦ୍ରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଥିଲେ । ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଥମେ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ଓ ପରବର୍ତୀ ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଅବସ୍ଥିପିତ କରାଯାଇ ଓଡ଼ିଶା ଦଖଲର ନୀଳନକ୍ସା ପ୍ରସ୍ତୁତ କରାଯାଇଛି । ଧର୍ମେନ୍ଦ୍ର ବିହାର ଛାଡି ନିକଟରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି ।
ଧର୍ମେନ୍ଦ୍ରଙ୍କ ମାଧ୍ୟମରେ ଓଡ଼ିଶା ରାଜନୀତିକୁ ହାତେଇବା ସକାଶେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀ ଗଲା ଚାରି ବର୍ଷ ହେଲା ଯେଉଁ କସରତ କରୁଛନ୍ତି ତାହା ବିଜେଡ଼ର ସ୍ଥିତିିକୁ ଦୋହଲାଇ ଦେଇଛି । ଗୋଟିଏ ପଟେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ୧୮ ବର୍ଷର ଶାସନ ପ୍ରତି ରାଜ୍ୟରେ ସୃଷ୍ଟି ହୋଇ ଥିବା ‘ନକାରାତ୍ମକ ହାୱା’, ଅନ୍ୟପଟେ ବିଜେଡ଼ି ସରକାରକୁ ଅସ୍ଥିର କରିବା ସକାଶେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଗୋଟି ଚାଳନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଚଳିତ କରିବାକୁ ଯଥେଷ୍ଟ । ଫଳରେ, ଏହି ଚତୁର୍ଥ ପାଳିରେ ନବୀନ ଏକପ୍ରକାର ଆକ୍ରମଣାତ୍ମକ ରଣନୀତି ଆପଣାଇବାକୁ ବାଧ୍ୟ ହୋଇଛନ୍ତି । ଦଳରେ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ସ୍ଥିତି ପୂର୍ବାପେକ୍ଷା ଅଧିକ ସ୍ପର୍ଶକାତର୍ର ହୋଇ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ସରକାରୀ ଅଧିକାରୀମାନେ ତୃତୀୟ ମହଲାରେ ବସି ବିରୋଧୀଙ୍କୁ ମୁକାବିଲା କରିବାର ରଣନୀତି ପ୍ରସ୍ତୁତ କରୁଥିବା ଦଳ ଭିତରେ ଏକ ଅଶ୍ୱସ୍ତିର ବାତାବରଣ ସୃଷ୍ଟି କରିଛି । ସରକାର ବିରୋଧରେ କେହି ମୁହଁ ଖୋଲିବାକୁ ସାହାସ କରୁ ନାହାନ୍ତି । ଯେଉଁମାନେ ମୁହଁ ଖୋଲୁଛନ୍ତି ସେମାନଙ୍କୁ ସାବାଡ କରିବାକୁ ସରକାରୀ ଅଧିକାରୀମାନେ ପଚାୁ ନାହାନ୍ତି । ଫଳରେ, ବିଜେଡ଼ିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ବିପନ୍ନ ହୋଇ ସ୍ୱେଚ୍ଛାଚାର ଚାଲି ଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦୟନୀୟ ଅବସ୍ଥାରୁ ସ୍ପଷ୍ଟ ହେଉଛି ।
ବିଭିନ୍ନ ସମୟରେ ସରକାରଙ୍କ ବିରୋଧରେ ମୁହଁ ଖୋଲି ବିଜେଡ଼ିର ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ, କଟକ ସାଂସଦ ଭର୍ତୃହରି ମହତାବ ଓ ପୁରୀ ସାଂସଦ ପିନାକୀ ମିଶ୍ର ନବୀନଙ୍କ ତାଗିଦ ପରେ ‘ଲୁଣ ଖାଇ ଥିବା ଜୋକ’ ଭଳି ରହିଛନ୍ତି । ବଡ ପାଟିଆ ହୋଇ ସର୍ବଦା ପ୍ରତ୍ୟକ୍ଷ ବା ପରୋକ୍ଷରେ ସରକାରକୁ ସମାଲୋଚନା କରି ଆସିଥିବା ଦଳର ପୂର୍ବତନ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦାମ ରାଉତ ଉଭୟ ପଦ ହରାଇ ଏବେ ଦଳରେ ଅଳୋଡା ଅବସ୍ଥାରେ । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଦେଖି ଚାରି ବର୍ଷ ହେଲା ତାଙ୍କ ଆଡକୁ ଢଳିବା ସହ ନିଜ ଦଳର ନେତୃତ୍ୱ ଓ ସରକାର ବିରୋଧରେ କଟୁ ମନ୍ତବ୍ୟ ଦେଉଥିଲେ । ତାହାର ପରିଣତି ଏବେ ତାଙ୍କୁ ଓ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ ଭୋଗିବାକୁ ପଡୁଛି । ବୈଜୟନ୍ତଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ପଦ, ପଦବୀରୁ ହଟାଇ ଦିଆଯିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୂୁ ନିଲମ୍ବିତ କରା ଯାଇଛି । ଦଳରୁ ଇସ୍ତଫା ଦେବାକୁ ଚାପ ସ୍ୱରୂପ ତାଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ କୌଣସି କାର୍ଯ୍ୟ କରିବାକୁ ଦିଆଯାଉ ନାହିଁ। ପୁଲିସ ଉପସ୍ଥିତିରେ ତାଙ୍କରି ଦଳର ମନ୍ତ୍ରୀ ଓ ନେତାମାନେ ତାଙ୍କୁ ଅଣ୍ଡାମାଡ କରାଉ ଥିବା ଅଭିଯୋଗ ହେଉଛି ।
ଏସବୁ ପଛରେ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତମ ପ୍ରଶାସକ ‘ପି’ଙ୍କ ହାତ ଥିବା ନିଜେ ବୈଜୟନ୍ତ ଅଭିଯୋଗ କରୁଛନ୍ତି । ‘ପି’ଙ୍କ ପୋଲ ଖୋଲିବାକୁ ସେ ନିଜ ପରିବାରର ମାଲିକାନାରେ ଥିବା ନ୍ୟୁଜ୍ ଚ୍ୟାନେଲକୁ ଲଗାଇବା ପରେ ସ୍ଥିତି ଅଧିକ ସଂଗୀନ ହୋଇଛି। ବିଜେଡ଼ି ଏହି ନ୍ୟୁଜ୍ ଚ୍ୟାନେଲକୁ ବର୍ଜନ କରିବା ସହ ମିଥ୍ୟା ଖବର ପ୍ରସାରଣ କରୁଥିବା ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିବାକୁ ପଛାଇ ନାହିଁ । ଏବେ, ବୈଜୟନ୍ତଙ୍କ ମଲିକାନାରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ‘ଇମ୍ପା’ର ରାୟଗଡା ଜିଲ୍ଲା ଥେରୁବାଲିରେ ଥିବା କାରଖାନରେ ଶ୍ରମିକ ଅଶାନ୍ତି ନା’ରେ ଆତଙ୍କରାଜକୁ ପ୍ରଶ୍ରୟ ଦିଆଯାଇଛି । ସଶସ୍ତ୍ର ଶ୍ରମିକ(!)ମାନେ ବିଭିନ୍ନ ଦାବି ଉପସ୍ଥାପନ କରି ପୁଲିସ ଓ ପ୍ରଶାସନର ଉପସ୍ଥିତିରେ କିଛି ଦିନ ହେଲା ଯେଭଳି ଆତଙ୍କରାଜ ଓ ଭଙ୍ଗାରୁଜା ଚଳାଇଛନ୍ତି ତାହା ସରକାରଙ୍କ ଭାବମୂର୍ତୀକୁ ବିପନ୍ନ କରୁଥିଳେ ମଧ୍ୟ କେମିତି ପ୍ରଶ୍ରୟ ଦିଆଯାଉଛି, ତାହା ପ୍ରଶ୍ନବାଚୀ ହୋଇଛି । ଯେଉଁ ପ୍ରଶାସନିକ ଅଧିକାରମାନେ ‘ଓଟିଭି’ ବୁମ୍ ଦେଖିବା ପରେ ହିଁ ନିଜ କାର୍ଯ୍ୟକ୍ରମ ଆରମ୍ଭ କରୁଥିଲେ ସେମାନେ ଏବେ ‘ଓରଟେଲ୍’ର ଟ୍ରେଡ୍ ଲାଇସେନ୍ସ ନ ଥିବା ଦର୍ଶାଇ ଏହାର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରୁଥିବା ସମସ୍ତଙ୍କୁ ଚକିତ କରୁଛି ।
କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ଅସହିଷ୍ଣୁତା ଓ ବିରୋଧୀଙ୍କୁ ଦମନ କରିବା ପାଇଁ ଆତଙ୍କରାଜ ସମସ୍ତଙ୍କୁ ବିଚଳିତ କରୁଥିଲା । ଏବେ ସେହି ଏକାଧରଣର ଅସହିଷ୍ଣୁତା ଓ ଆତଙ୍କର ଛାଇ ଓଡ଼ିଶାରେ ବିଜେଡ଼ି ଶାସନରେ ଦେଖିବାକୁ ମିଳୁଛି । ରାଜ୍ୟରେ ପିସିସି ସଭାପତି ପରିବର୍ତନ ହୋଇ ନିରଂଜନ ପଟ୍ଟନାୟକଙ୍କୁ ସଭାପତି କରାଯିବା ପରେ କଂଗ୍ରେସରେ ସାମାନ୍ୟ ହଲଚଲ ସୃଷ୍ଟି ହୋଇଛି ସିନା ବିଜେଡ଼ିର କୁମାବିଲା କରିବା ଭଳି ସ୍ଥିତି ନାହିଁ । ବିଜେପି କେବଳ କୁହୁଡିରେ ପହଁରୁଛି । ରାଜ୍ୟର ବୃହତ୍ ମିଡ଼ିଆ ସଂସ୍ଥାମାନେ ନବୀନଙ୍କ ନିକଟରେ ଆତ୍ମସମର୍ପଣ କରି ସାରି କ୍ଷମତା ଉପଭୋଗ କରୁଛନ୍ତି । କ୍ଷମତା ଲାଳସାରେ ଅନ୍ୟ ବିରୋଧୀ ନେତାମାନେ ଏବେ ବିଜେଡ଼ି ନେତୃତ୍ୱ ନିକଟରେ ନତମସ୍ତକ ହୋଇ ଗୁଣଗାନ କରୁଛନ୍ତି । ଏଭଳି ପରିସ୍ଥିତିରେ ରାଜା ସ୍ୱେଚ୍ଛାଚାରୀ ହେବା ସ୍ୱାଭାବିକ । ଓଡ଼ିଶାର ସ୍ୱାର୍ଥ କଥା କହି ଯେଉମାନେ ରାଜନୀତି କରୁଥିଲେ ବା କରୁଛନ୍ତି ସେମାନେ ଏବେ ସ୍ୱେଚ୍ଛାଚାରର ଗୋଲାମ ପାଳଟି ଥିବାରୁ ଆଗକୁ ରାଜ୍ୟର ଗତି କୁଆଡେ ତାହା ଅନୁମାନ କରିବା କଠିନ ନୁହେଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS