ପୁଲିସ ଗୁଳିରେ ଗୁରୁତର ଆହତ ଶ୍ରୀକାନ୍ତର ମୃତ, ଗୌରୀ ଚିକିତ୍ସାଧୀନ; ଦୁହିଁଙ୍କ ଅପରାଧର ଲମ୍ବା ରେକର୍ଡ ରହିଛି
ବେଲଗୁଣ୍ଠା, ୦୭ ମେ’ (ପ୍ରଦ୍ୟୁମ୍ନ ପାତ୍ର): ଶନିବାର ବିଳମ୍ବ ରାତ୍ରିରେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବାଘୁଆ ନିକଟରେ ପୁଲିସ ଏନକାଉଂଟରରେ ଗୁରୁତର ଆହତ ହୋଇ ଥିବା ଦୁଇ ଦୁର୍ଦ୍ଦର୍ାନ୍ତ ଅପରାଧୀ ଶ୍ରୀକାନ୍ତ ଓ ଗୌରୀ ମଧ୍ୟରୁ ଶ୍ରୀକାନ୍ତର ବ୍ରହ୍ମପୁର ବଡ ମେଡ଼ିକାଲରେ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । ଏହା ପୁଲିସର ‘କୋଲ୍ଡ ବ୍ଲଡେଡ୍ ମର୍ଡର’ବୋଲି ମୃତ ଅପରାଧୀର ପରିବାର ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ଗୋଟିଏ ଗୋଡରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଶ୍ରୀକାନ୍ତର ବ୍ରହ୍ମପୁର ବ୍ରହ୍ମପୁର ବଡ ମେଡ଼ିକାଲରେ ମୃତ୍ୟୁ ଘଟି ଥିବା ପୁଲିସ କହିଛନ୍ତି ।
ଶନିବାର ରାତି ପ୍ରାୟ ୧୧ଟା ୦୫ ମିନିଟ ସମୟରେ ଗଞ୍ଜାମ ପୁଲିସ ଦ୍ୱାରା ବାଘୁଆ ଜଙ୍ଗଲ ନିକଟରେ ଏହି ଏନକାଉଣ୍ଟ ହୋଇଥିଲା । ଏନକାଉଂଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଥିଲେ । ଦୁହିଁଙ୍କ ଗୋଡରେ ଦୁଇଟି ଲେଖାଏଁ ଗୁଳି ବାଜିଛି । ପୁଲିସ ରକ୍ତାକ୍ତ ଅବସ୍ଥାରେ ଦୁଇ ଅପରାଧୀଙ୍କୁ କାବୁ କରି ବୁଗୁଡା ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିବାରୁ ପରେ ଦୁହିଁଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇ ଥିଲା । ମୃତ ଶ୍ରୀକାନ୍ତର ଘର ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁରରେ । ଦୁର୍ଦ୍ଦାନ୍ତ ଅପରାଧୀ ଶ୍ରୀକାନ୍ତ ରଣା ଓରଫ ଟେରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ପ୍ରାର ହରାଇ ଥିବା ବେଳେ ତା’ ସହ ଥିବା ଅନ୍ୟତମ ଅପରାଧୀ ଗୌରୀ ସ୍ୱାଇଁର ଚିକିତ୍ସା ଚାଲିଛି । ଟେରୁର ଦୁଇ ଗୋଡରେ ଗୋଟିଏ ଲେଖାଏଁ ଗୁଳି ବାଜି ଥିଲେ ମଧ୍ୟ ବାମ ଗୋଡ଼ରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟି ଥିବା ପୁଲିସ କହିଛି । ଟେରୁର ଶବ ବ୍ରହ୍ମପୁରରେ ବ୍ୟବଚ୍ଛେଦ କରାଯିବା ପରେ ତା’ ପରିବାରକୁ ହସ୍ତାନ୍ତର କରାଯାଇ ଥିଲା । ତେବେ, ପରିବାର ଲୋକମାନେ ଟେରୁର ଶବକୁ ଭରତପୁର ଗାଁକୁ ନ ଆଣି ବ୍ରହ୍ମପୁରରେ ସଂସ୍କାର କରି ଦେଇଥିବା ସୂଚନା ମିଳିିଛି ।
ଟେରୁ ନା’ରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମାଣିତରା ବ୍ୟାଙ୍କ ଡ଼କାୟତି ସମେତ ଜଗନ୍ନାଥପ୍ରସାଦ, ତାରସିଂ, ନୟାଗଡ଼, ଫୁଲବାଣୀ ଜିଲ୍ଲାର ଚକାପାଦ ଓ ଭୁବନେଶ୍ୱରର ତମାଣ୍ଡୋ ଥାନାରେ ୮ରୁ ଉଧ୍ୱର୍ ସଂଗୀନ ମାମଲା ଥିବା ପୁଲିସ କହିଛି । ସେହିପରି , ଗୁରୁତର ଆହତ ତା’ର ସାଥୀ ଭଂଜନଗର ଥାନା ମୁଦୁଲିପଲ୍ଳୀ ଗ୍ରାମର ଗୌରୀ ସ୍ୱାଇଁ ଗଞ୍ଜାମ, ନୟାଗଡ଼ ଓ ଭୁବନେଶ୍ୱର ପୁଲିସର ‘ମୋଷ୍ଟ୍ ୱାଣ୍ଟେଡ’ ତାଲିକାରେ ଥିଲା । ୧୬ବର୍ଷ ବୟସରୁ ସେ ଏକ ନାବାଳକ ଅପରାଧୀ ଗ୍ୟାଙ୍ଗ୍ ଗଢ଼ି ୨୦୧୨ ମସିହାରେ ଗାଙ୍ଗପୁର, ଭଂଜନଗର ଓ ତାରସିଂ ଥାନା ଅଂଚଳରେ ଗୋଟିଏ ରାତିରେ ୧୦ରୁ ଅଧିକ ଡ଼କାୟତି, କାତିମାଡ଼ ଓ ଗାଡ଼ି ଚୋରି ଘଟଣା ଘଟାଇ ପୁଲିସର ନିଦ ହଜାଇ ଦେଇଥିଲା । ଗୌରୀ ନା’ରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ, ଭଂଜନଗର, ବୁଗୁଡ଼ା, ଗାଙ୍ଗପୁର, ତାରସିଂ, ଆସ୍କା, ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି । ଗୌରୀର ଅପରାଧ ପୃଷ୍ଣଭୂମି ବେଶ୍ ବିସ୍ତୃତ ବୋଲି ପୁଲିସ କହିଛି ।
ପୂର୍ବରୁ ଏହି ଅପରାଧୀମାନେ ପୁଲିସର ମୋବାଇଲ ଟ୍ରାକିଂରେ ଥିଲେ । ଶନିବାର ସନ୍ଧ୍ୟା ୬ଟା ସମୟରେ ବୁଗୁଡ଼ା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳଙ୍କୁ କେହି ଜଣେ ଫୋନରେ ଖବର ଦେଇଥିଲା ଯେ ଦୁଇଟି ମୋଟର ସାଇକେଲରେ ଗ୍ୟାଙ୍ଗର ୫ଜଣ ସଦସ୍ୟ ବୁଗୁଡ଼ା ଆସୁଛନ୍ତି । ଏହି ଖବରକୁ ଭିତ୍ତି କରି ଭଂଜନଗର ପୁଲିସର ଭାରପ୍ରାପ୍ତ ଡ଼ିଏସପି ଅଶ୍ୱିନୀ କୁମାର ସାହୁ, ବୁଗୁଡ଼ା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ, ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ, ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ଓ ଏସ୍ ଆଇ କିଶୋର ଚନ୍ଦ୍ର ଚୌଧୁରୀ ମିଳିତ ଭାବେ ରାତ୍ର ୯ଟାରୁ ବୁଗୁଡ଼ା ଥାନାର ବାଘୁଆ ଜଙ୍ଗଲ ନିକଟରେ ଛକି ରହିଥିଲେ । ପ୍ରଥମ ଆପାଚି ବାଇକ୍ ରେ ଗୌରୀ ଓ ଟେରୁ ଆସୁଥିବା ବେଳେ ବାଘୁଆ ପ୍ରକଳ୍ପ ନିକଟରେ ପୁଲିସ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା । ଟେରୁ ପ୍ରଥମେ ପୁଲିସ ଉପରକୁ ବୋମା ଫିଙ୍ଗି ଗାଡ଼ି ଛାଡ଼ି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇବାକୁ ଉଦ୍ୟାମ କଲା ବେଳେ ପୁଲିସ ଗୁଳି ଚଳାଇ ଥିଲେ । ପୁଲିସର ୬ ରାଉଣ୍ଡ ଗୁଳି ଟେରୁ ଓ ଗୌରୀର ଦୁଇ ଗୋଡରେ ବାଜିବା ସହ ସେମାନଙ୍କୁ ଧରାଶାୟୀ କରିଥିଲା । ପୁଲିସ ସେମାନଙ୍କୁ କାବୁ କରି ବୁଗୁଡ଼ା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇ ଥିଲା । ଟେରୁ ଓ ଗୌରୀ ପୁଲିସ ହାବୁଡରେ ପଡି ଯିବା ଦେଖି ପଛରେ ଆସୁଥିବା ଅନ୍ୟ ତିନି ଜଣ ସହଯୋଗୀ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।
ପୁଲିସ ଫେରାର ଅପରାଧୀଙ୍କ ପରିଚୟ ଜାଣି ଥିଲେ ମଧ୍ୟ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ସୋମାନଙ୍କ ନାମ ପ୍ରକାଶ କରି ନାହିଁ । ପ୍ରଥମେ ଟେରୁ ପୋଲିସ ଉପରକୁ ଦେଶୀ ବୋମା ଫିଙ୍ଗବାରୁ ପୁଲିସ ଗୁଳି ଚଳାଇ ଥିଲେ । ଟେରୁର ବୋମା ମାଡ଼ରେ ବୁଗୁଡ଼ା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ, ଜଗନ୍ନାଥ ପ୍ରସାଦ ଆଇଆଇସି ଅନିରୁଦ୍ଧ ମୁଦୁଲି, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚ୍ଚୀ ମଲ୍ଳ, ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୁଜାରୀଙ୍କ ସମେତ ୩ ଜଣ କନଷ୍ଟେବଲ ଆହତ ହୋଇ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗୁରୁତର ଆହତ ଗୌରୀ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଥିବାରୁ ତା’ ଅବସ୍ଥା ସୁଧୁରିବା ପରେ ପୁଲିସ ଜେରା କରି ସେମାନଙ୍କ ଅପରାଧ ସାମ୍ରାଜ୍ୟ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବ ବୋଲି ଆଶା ରଖିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS