ରାହୁଲ ମଧ୍ୟ ଯୋଗ୍ୟ ପ୍ରଧାନମନ୍ତ୍ରୀ ହୋଇ ପାରିବେ
– ଶିବ ପ୍ରସାଦ ଦାସ –
୧୨ ତାରିଖ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, “୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଯଦି ସଂଖ୍ୟାଗରିଷ୍ଠତା ପାଇ ସର୍ବବୃହତ୍ତ ଦଳ ଭାବେ ଉଭା ହୁଏ ସେ ପ୍ରଧାନମନ୍ତ୍ରୀ ପଦକୁ ସ୍ୱୀକାର କରିବେ” । ଏକଥାକୁ ନେଇ ଜାତୀୟ ରାଜନୀତି ଏବେ ସରଗରମ ହୋଇଛି । ବିଶେଷକରି, ଶାସକ ବିଜେପି ଓ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ରାହୁଲଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ରାହୁଲଙ୍କ ଉପରେ ବର୍ଷିବା ସହ ତାଙ୍କୁ ଅଂହକାରୀ, ଅପରିପକ୍ୱ ଓ ଲଜ୍ଜ୍ୟାହୀନ ବୋଲି ଅଭିହିତ କରିବା ସହ କଡା ଭାଷାରେ ସମାଲୋଚନା କରିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନର ବିଭିନ୍ନ ରାଲିରେ ସେ ଏହାକୁ ଏକ ପ୍ରମୁଖ ମୁଦ୍ଦା କରିଥିବା ଲକ୍ଷ୍ୟ କରାଯାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ନିର୍ବାଚନ ପ୍ରଚାର ଅବସରରେ ରାହୁଲଙ୍କ ବଂଶ ବୁନିଆଦିକୁ ନେଇ ସମାଲୋଚନା କରିବା ସହ ରାହୁଲ ସୁନାର ଚାମଚରେ ଖାଇ ବଢ଼ି ଥିବାରୁ ଗରିବୀ କଣ ଜାଣନ୍ତି ନାହିଁ , ଗରିବୀ ଦେଖିବା ସକାଶେ ତାଙ୍କୁ ସାଙ୍ଗରେ କ୍ୟାମେରା ନେଇ ଯିବାକୁ ପଡୁଛି ବୋଲି କଡା ମନ୍ତବ୍ୟ ଦେଇଛନ୍ତି । ନିଜ ସରକାର ଅମଳର ସ୍ୱଛତା ଅଭିଯାନକୁ ନେଇ ସ୍ୱୟଂକୁ ପ୍ରଶଂସା କରି ସେ କହିଛନ୍ତି, ୭୦ବର୍ଷ ଧରି କଂଗ୍ରେସ ଯାହା କରି ନ ଥିଲା ତାହା ତାଙ୍କ ସରକାର ଗତ ୪ ବର୍ଷ ଭିତରେ କରିଛି ଓ ସ୍ୱଛତା କାର୍ଯ୍ୟକ୍ରମକୁ ଏକ ନୂଆଁ ଦିଗ ଦେଇଛି । ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଟିପପ୍ଣୀରେ କେତେ ଗୁରୁତ୍ୱ ରହିଛି ତାହା ବିଚାର୍ଯ୍ୟ । କାରଣ, କଂଗ୍ରେସ ଦଳ ଏକାକୀ ୭୦ ବର୍ଷ କ୍ଷମତାରେ ରହିବା କଥା ଯେତିକି ଅବାସ୍ତବ, ସ୍ୱଛତା ପାଇଁ ପୂର୍ବ ସରକାରମାନେ କିଛି କରି ନାହାନ୍ତି ବୋଲି କହିବା ମଧ୍ୟ ସେତିକି ଅବିଶ୍ୱସନୀୟ । ଅପରପକ୍ଷେ, ତଳେଇ ଦେଖିଲେ ରାହୁଲ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ହେବାରେ କିଛି ବିଚିତ୍ରତା ନାହିଁ । ଏକଥା କହି ସେ ନିଜକୁ ଏକ ପ୍ରମୁଖ ଜାତୀୟ ରାଜନୈତିକ ଦଳର ନେତା ଭାବେ ପରୋକ୍ଷରେ ଘୋଷଣା କରିବା ମଧ୍ୟ ଅବାନ୍ତର ନୁହଁ ।
ଗତ ତିନି ଦଶନ୍ଧି ଧରି ଗାନ୍ଧୀ ପରିବାର ପରୋକ୍ଷ ଭାବରେ କ୍ଷମତା ଅଳିନ୍ଦରୁ ଦୂରେଇ ରହିଛି । ୧୯୮୯ ନିବାଚନରେ କଂଗ୍ରେସ ଦଳର ପରାଜୟ ସହ ରାଜୀବ ଗାନ୍ଧୀ ସରକାରର ପତନ ଘଟିଥିଲା । ତା’ ପରବର୍ତୀ ସମୟରେ ୧୯୯୧, ୨୦୦୪ ଓ ୨୦୦୯ରେ କଂଗ୍ରେସ ଦଳ କେନ୍ଦ୍ରରେ ସରକାର ଗଢ଼ିବାକୁ ସକ୍ଷମ ହୋଇଥିଲେ ମଧ୍ୟ କଂଗ୍ରେସର ସର୍ବୋଚ୍ଚ ନେତାର ମାନ୍ୟତା ପାଉ ଥିବା ଗାନ୍ଧୀ ପରିବାରର ଏକମାତ୍ର ଉତରାଧିକାରୀ ଶ୍ରୀମତୀ ସୋନିଆ ଗାନ୍ଧୀ ତକ୍ରାଳୀନ ମିଳିତ ସାମ୍ମୁଖ୍ୟର ପ୍ରମୁଖ ନେତା ବିଶ୍ୱନାଥ ପ୍ରତାପ ସିଂହ, ଜ୍ୟୋତି ବସୁ ଓ ଶରଦ ଯାଦବଙ୍କ ଅନୁରୋଧକୁ ନମ୍ରତାର ସହ ପ୍ରତ୍ୟାଖାନ କରି ପ୍ରଧାନମନ୍ତ୍ରୀ ହେବାରୁ ନିଜକୁ ଦୂରେଇ ରଖି ଥିଲେ । ପରବର୍ତୀ ସମୟରେ ସେ ଡ଼କ୍ଟର ମନ ମୋହନ ସିଂହ ପରି ଜଣେ ବିଦ୍ୱାନ ଓ ନିଷ୍କଳଂକ ବ୍ୟକ୍ତିତ୍ୱକୁ ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ମନୋନୀତ କରି ନିରଙ୍କୁଶ ଭାବେ ୧୦ ବର୍ଷ କାଳ ଶାସନ କରିବାର ସୁଯୋଗ ଦେଇଥିଲେ । ପୂର୍ବ ପ୍ରଧାନମନ୍ତ୍ରୀ ଡ଼କ୍ଟର ସିଂହ ପୂର୍ବରୁ ଅର୍ଥନୀତିର ପ୍ରଫେସର, ଅରବିଆଇର ଗଭର୍ଣ୍ଣର, ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ଅର୍ଥମନ୍ତ୍ରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅତ୍ୟନ୍ତ ନିଷ୍ଠାର ସହ ଦାୟିତ୍ୱ ତୁଲାଇ ଥିଲେ । ଡ଼କ୍ଟର ସିଂହ ପ୍ରଧାନମନ୍ତ୍ରୀ ହେବା ପରେ ବିରୋଧୀ ଦଳମାନେ ତାଙ୍କୁ ନାମମାତ୍ର ପ୍ରଧାନମନ୍ତ୍ରୀ ଏବଂ ସୋନିଆଙ୍କୁ ଛାୟା ପ୍ରଧାନମନ୍ତ୍ରୀ କହି ସମାଲୋଚନା କରିବାକୁ ପଛାଇ ନ ଥିଲେ । । ବାସ୍ତବ କ୍ଷେତ୍ରରେ ଏହାକୁ ତର୍ଜମା କଲେ ଆମେ ନିଷ୍କର୍ଷରେ ପଂହଚିବା ଯେ, ସୋନିଆ ଗାନ୍ଧୀ ଶ୍ରୀ ସିଂହଙ୍କ ଠାରୁ କୌଣସି ଗୁଣରେ ଅଧିକ ଗୁଣୀ କିମ୍ବା ଜ୍ଞାନୀ ନୁହଁନ୍ତି । ଡ଼କ୍ଟର ସିଂହ ମଧ୍ୟ କେବେ ବି ୧୦ ବର୍ଷର ଶାସନ କାଳ ମଧ୍ୟରେ ବା ଏବେ ଚାପଗ୍ରସ୍ତ ହୋଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିବା କହି ନାହାନ୍ତି । ସୋନିଆ ଗାନ୍ଧୀ ଡ଼କ୍ଟର ସିଂହଙ୍କ ମାଧ୍ୟମରେ ଦେଶବାସୀଙ୍କୁ ଗୋଟିଏ ସଂଦେଶ ଦେବାକୁ ଚାହିଁ ଥିଲେ ଯେ, କଂଗ୍ରେସ ଦଳ କେବଳ ଗାନ୍ଧୀ ପରିବାରର ନୁହେଁ, ଗାନ୍ଧୀ ପରିବାର ଛଡା ଅନ୍ୟମାନେ ମଧ୍ୟ ଦଳର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇ ପାରିବେ । କିନ୍ତୁ, ତାଙ୍କର ଏହି ରଣନୀତିକୁ ବିରୋଧୀମାନେ ନିଜସ୍ୱ ଶୈଳୀରେ ପ୍ରଚାର କରି କଂଗ୍ରେସ ଦଳ ଓ ଗାନ୍ଧୀ ପରିବାରକୁ ସୁନାମ ପରିବର୍ତେ ଦୁର୍ନାମ ଦେବାକୁ ପଛାଇ ନାହାନ୍ତି ।
ସଂପ୍ରତି ରାହୁଲ ଗାନ୍ଧୀଙ୍କ ରାଜନୈତିକ ପରିପକ୍ୱତାକୁ ଯଦି ବିଚାରକୁ ନିଆଯିବ, ତେବେ ଏକତା ସ୍ପଷ୍ଟ ଯେ ଦୀର୍ଘ ୧୦ ବର୍ଷରୁ ଅଧିକ ହେଲା ସେ କଂଗ୍ରେସ ସାଧାରଣ ସଂପାଦକ, ଉପସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ପରେ ଚଳିତ ବର୍ଷ ଏଆଇସିସି ସଭାପତି ଭାବେ ଦଳର ମଂଗ ଧରିଛନ୍ତି । ଗାନ୍ଧୀ ପରିବାରର ଅନ୍ୟ ସୂରୀଙ୍କ ତୁଳନାରେ, ବିଶେଷକରି ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ତୁଳନାରେ ପ୍ରତ୍ୟକ୍ଷ ରାଜନୀତିରେ ଅଧିକ ଅଭିଜ୍ଞତା ଅର୍ଜନ କରିଥିବା ସ୍ୱକାର୍ଯ୍ୟ । ବାଲ୍ୟକାଳରେ ରାଜନୈତିକ ହିଂସାରେ ନିଜର ଜେଜେମା ଓ ପିତାଙ୍କୁ ହରାଇବା ସହ ମା’ ସୋନିଆଙ୍କ ବିଦେଶିନୀ ମୂଳକୁ ନେଇ ବେଶ ସମାଲୋଚିତ ହୋଇଛନ୍ତି । ସାଂପ୍ରତିକ ରାଜନୀତିକୁ ଦେଖିଲେ ବିଜେପି ନିଜକୁ ଅପରାଜିତ ବୋଲି ଜାହିର କରିଥିବା ବେଳେ ଆଂଚଳିକ ଦଳମାନେ ମଧ୍ୟ ଶକ୍ତଶାଳୀ ହେବାରେ ଲାଗିଛନ୍ତି । ଇତିମଧ୍ୟରେ କଂଗ୍ରେସ ଦଳ ତାର ପୂର୍ବ ସହଯୋଗୀ ମାନଙ୍କ ଦୁର୍ନୀତିର ବୋଝକୁ ମୁଂଡାଇ ଅସ୍ତିତ୍ୱ ସଂକଟ ଦେଇ ଗତି କରୁଥିବା ବେଳେ କିଛି ଆଂଚଳିକ ଦଳ କଂଗ୍ରେସର ଏହି ଦୁର୍ବଳ ସମୟରେ ନିଜକୁ ଜାତୀୟ ସ୍ତରରେ ବିଜେପିର ବିକଳ୍ପ ଭାବେ ଉପସ୍ଥାପନ କରୁଛନ୍ତି, ଯାହା କଂଗ୍ରେସ ପାଇଁ କେବଳ କ୍ଷତିକାରକ ନୁହେଁ, ରାହୁଲଙ୍କ ନେତୃତ୍ୱ ପ୍ରତି ମଧ୍ୟ ଶକ୍ତ ଧକ୍କା ହୋଇଛି । ଯଦିଓ ସାଧାରଣ ନିର୍ବାଚନ ପାଇଁ ଅନେକ ଦିନ ଅଛି, କଂଗ୍ରେସ ଦଳ ଆଗାମୀ ସାଧାରଣ ନିର୍ବାଚନରେ କେଉଁମାନଙ୍କୁ ସାଥୀରେ ନେଇ ନିର୍ବାଚନ ରଣାଙ୍ଗନକୁ ଯିବ ତାହା ନିର୍ଣ୍ଣୟ ହୋଇପାରି ନାହିଁ । କିନ୍ତୁ, ଏକଥା ସ୍ପଷ୍ଟ ଯେ ଦଳ ବିହାର ଓ ଉତ୍ତର ପ୍ରଦେଶ ପରି ଦୁଇ ପ୍ରମୁଖ ରାଜ୍ୟରେ ରାଷ୍ଟ୍ରୀୟ ଜନତା ଦଳ ଓ ସମାଜବାଦୀ ପାର୍ଟିର ସମର୍ଥନ ପାଇବା ନିଶ୍ଚିତ । ଅନ୍ୟପକ୍ଷରେ, ଶରଦ ଯାଦବ ଓ ବାମପନ୍ଥୀମଙ୍କ ସମର୍ଥନ କଂଗ୍ରେସ ପାଇବା ସମ୍ଭବାନା ମଧ୍ୟ ରହିଛି । ଯଦି ରାହୁଲ ପ୍ରଧାନମନ୍ତ୍ରୀ ପଦ ନେଇ ନିଜ ଅଭିମୁଖ୍ୟ ସ୍ପଷ୍ଟ କରି ନଥା’ନ୍ତେ ବିରୋଧୀମାନେ କଂଗ୍ରେସ ନେତୃତ୍ୱାଧୀନ ମେଂଟରେ ସଂକଟ ଥିବା ପ୍ରଚାର କରିବାକୁ ସୁବିଧା ପାଇଥା’ନ୍ତେ ।
ଏବେ କର୍ଣ୍ଣାଟକ ନିର୍ବାଚନକୁ ଦେଖିଲେ ଜାଣି ହେବ ଯେ ଆଂଚଳିକ ଦଳମାନଙ୍କ ଗତିବିଧି କିଭଳି ସୁବିଧାବାଦୀ ରାଜନୀତି ଉପରେ ପ୍ରତିଷ୍ଠିତ । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ଅନ୍ୟତମ ବିରୋଧି ଜନତା ଦଳ (ଏସ୍) ନିଜର ନିର୍ବାଚନୀ ସାଥି ଭାବେ ବହୁଜନ ସମାଜ ପାର୍ଟିକୁ ସାଂଗରେ ରଖି ଥିବା ବେଳେ ବହୁଜନ ସମାଜବାଦୀ ପାର୍ଟି ବିଜେପିକୁ ତାର ପ୍ରମୁଖ ଶତ୍ରୁ ଭାବେ ବିବେଚନା କରି ଉତ୍ତର ପ୍ରଦେଶରେ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ସହ ମେଂଟ ଉଦ୍ୟମ କରୁଛି । ଅନ୍ୟପକ୍ଷରେ, ଏକଦା ନିଜକୁ ସାଂପ୍ରଦାୟିକ ଶକ୍ତି ବିରୋଧି ବୋଲି ଡିଂଡିମ ପିଟୁ ଥିବା ଓ ବିଜେପି ଠାରୁ ଅତୀତରେ ଧୋକା ଖାଇ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ଏସ) ଅଧ୍ୟକ୍ଷ ଦେବ ଗୌଡା ମୋଦୀଙ୍କ ପ୍ରଶଂସାରେ ଶତମୁଖ । ନିର୍ବାଚନ ରଣାଙ୍ଗନରେ ପରସ୍ପର ବିରୋଧରେ ଲଢ଼ୁଥିବା ଦୁଇ ଦଳର ଶୀର୍ଷ ନେତା ପରସ୍ପରର ପ୍ରଶଂସାରେ ଶତମୁଖ ହେବା ନିର୍ବାଚନରେ ଭିତିରି ବୁଝାମଣା ଓ ନିର୍ବାଚନ ପରବର୍ତୀ ମେଂଟର ସ୍ପଷ୍ଟ ସଂଦେଶ ଦେଉଛି । ଓଡିଶାର ବିଜୁ ଜନତା ଦଳ (ବିଜେଡ଼ି) ପରି କିଛି ରାଜନୈତିକ ଦଳ କେନ୍ଦ୍ରରେ କ୍ଷମତାର ଭାଗୀଦାର ନ ହୋଇ ସମଦୂରତା କଥା କହୁଥିବା ବେଳେ ତୃତୀୟ ବିକଳ୍ପ ନେଇ ଦେଶବାସୀଙ୍କ ଆଗରେ ନିଜର ସ୍ପଷ୍ଟ ମତ ରଖୁ ନ ଥିବା ରାଜନୈତିକ ଅଭିସନ୍ଧିର ସୂଚନା ଦେଉଛି । ଶରଦ ପାୱାର, ମମତା ବାନାର୍ଜୀ, ମାୟାବତୀଙ୍କ ପରି କିଛି ନେତା ପରୋକ୍ଷରେ ନିଜକୁ ପ୍ରଧାନମନ୍ତ୍ରୀ ପାର୍ଥୀ ଭାବେ ଉପସ୍ଥାପନା କରିବା ସହ ରାହୁଲଙ୍କ ନେତୃତ୍ୱ ପ୍ରତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । ଏଭଳି ଏକ ସଂକଟ ଦେଇ କଂଗ୍ରେସ ଦଳ ଗତି କରୁଥିବା ବେଳେ ରାହୁଲ ଗାନ୍ଧୀ ନିଜକୁ ଦଳର ନେତୃତ୍ୱ ନେବା ଲାଗି ସକ୍ଷମ ବୋଲି ସଂଦେଶ ଦେବାକୁ ଚାହିଁବା ତାଙ୍କ ରାଜନୈତିକ ପରିପକ୍ୱତାର ସୂଚନା ଦେଉଛି । ତେଣୁ, ସାମ୍ବାଦିକମାନଙ୍କ ପ୍ରଶ୍ନର ଜବାବ ଦେଇ ସେ ୨୦୧୯ରେ ତାଙ୍କ ଦଳ ସରକାର ଗଢ଼ିବାକୁ ସକ୍ଷମ ହେଲେ ସେ ପ୍ରଧାନମନ୍ତ୍ରୀ ପଦକୁ ସ୍ୱୀକାର କରିବେ ବୋଲି କହିବାରେ ଅସୁବିଦା ରହିଲା କେଉଁଠି ? ସେ ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ ବିରୋଧୀମାନେ ଭିନ୍ନ ଅର୍ଥରେ ପ୍ରଚାର କରିଥାନ୍ତେ । ବର୍ତର୍ମାନ ରାହୁଲ ହେଉଛନ୍ତି କଂଗ୍ରେସ ଦଳର ସର୍ବୋର୍ଚ୍ଚ ନେତା । ୨୦୧୯ ସାଧାରଣ ନିର୍ବାଚନରେ ଦଳ ସଂସଦରେ ବୃହତ ଦଳ ଭାବେ ଉଭା ହେଲେ ସେ ସଂସଦୀୟ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ଥିବା କହିବା ଯୁକ୍ତିଯୁକ୍ତ । ଏହା ତାଙ୍କ ରାଜନୈତିକ ପରିପକ୍ୱତାର ପରିଚୟ ଦେଉଛି । ତାହାକୁ ଭୁଲ ଅର୍ଥ କରି ପ୍ରଚାର କରି ବିଜେପି ହିଁ ଲୋକହସା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS