ସନ୍ତାନ କୁଳାଙ୍ଗାର ହେଲେ ତାକୁ ଭୁଲି ଯିବା ଉଚିତ, ଏହା ହେଉଛି ‘୧୦୨ ନଟ୍ ଆଉଟ୍’ର ବାର୍ତା
– ପ୍ରସାଦ ରାଓ –
“ଅଉଲାଦ୍ ନାଲାୟକ୍ ହୋ ତୋ ଉସ୍କୋ ଭୁଲ୍ ଯାନା ଚାହିଏ, ସିର୍ଫ ଉସ୍କା ବଚ-ପନ୍ ୟାଦ୍ ରଖନା ଚାହିଏ”- ଏହା ହେଉଛି ଅମିତାଭ ବଚ୍ଚନ, ରିଷି କପୁର ଓ ଜିମିତ ତ୍ରିଭେଦିଙ୍କୁ ନେଇ ପ୍ରାୟ ଦୁଇ ଘଂଟା ଧରି ଦର୍ଶକଙ୍କୁ ଖୁସୀ ଓ ଦୁଃଖ ଭିତରେ ବାନ୍ଧି ରଖି ଥିବା ନୂଆ ହିନ୍ଦୀ ଫିଲ୍ମ ‘୧୦୨ ନଟ୍ ଆଉଟ୍’ର କହାଣୀ । ଉମେଶ ଶୁକ୍ଳାଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମରେ କମେଡି ସହିତ ଆଜିର ଆଧୁନିକ ସମାଜରେ ବାପ, ପୁଅ ଓ ନାତିର ସଂପର୍କ କିଭଳି ସ୍ୱାର୍ଥପରତାରେ ସୀମିତ ହୋଇ ଯାଇଛି, ତାହା ମଧ୍ୟ ନିଖୁଣ ଭାବେ ଉପସ୍ଥାପିତ କରିଛନ୍ତି । ତେବେ, କାହାଣୀର ପ୍ରାରମ୍ଭରେ ବାପ, ପୁଅ ଓ ଅନ୍ୟ ଜଣେ ବାହାର ଯୁବକକୁ ନେଇ କମେଡି ଜୀବନର ବାସ୍ତବତାକୁ ଏଭଳି ଭାବେ ଚିତ୍ରଣ କରାଯାଇଛି ଯେ ଦର୍ଶକ ପ୍ରେକ୍ଷାଳୟରେ ହସି ହସି ଗଢିବାକୁ ବାଧ୍ୟ ହେବେ । ଚଳଚ୍ଚିତ୍ରରେ ସ୍ୱାର୍ଥପର ନାତିର ଚରିତ୍ର ଆସୁଛି ଦ୍ୱିତୀୟାର୍ଦ୍ଧରେ ।
‘୧୦୨ ନଟ୍ ଆଉଟ୍’ କାହାଣୀଟି ଏହି ଭଳି । ୧୦୨ ବର୍ଷ ବୟସର ବୁଢା ବାପା ଦତ୍ତାତ୍ରେୟ ଭାକାରିୟା (ଅମିତାଭ ବଚ୍ଚନ) ଓ ତାଙ୍କ ୭୫ ବର୍ଷର ପୁଅ ବାବୁଲାଲ (ରିଷି କପୁର) ଗୋଟିଏ ଛାତ ତଳେ ରହୁ ଥିଲେ ମଧ୍ୟ ସେମାନଙ୍କ ଚରିତ୍ର ପରସ୍ପର ଠାରୁ ସଂପୂର୍ଣ୍ଣ ଭିନ୍ନ । ୧୦୨ ବର୍ଷୀୟ ଦତ୍ତାତ୍ରେୟ ଦୀର୍ଘ ଜୀବନ ବଂଚିବାରେ ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଚାହୁଁଥିବା ବେଳେ ୭୫ ବର୍ଷ ବୟସର ଅବସରପ୍ରାପ୍ତ ଅଧ୍ୟାପକ ପୁଅ ବାବୁଲାଲ ଜୀବନ ପ୍ରତି ବିତସ୍ପୃହ ହୋଇ ଏଭଳି ସ୍ଥାଣୁ ଜୀବନ ବିତାଉଛି ଯେ ଦତ୍ତାତ୍ରେୟ ଭାବୁଛନ୍ତି ପୁଅ ତାଙ୍କ ଦୀର୍ଘ ଜୀବନ ବଂଚିବାର ନୂଆ ରେକର୍ଡ ସୃଷ୍ଟି କରିବାରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି । ତେଣୁ, ପୁଅକୁ ଚଳଚଂଚଳ କରିବା ସକାଶେ ସେ ନୂଆ ଉପାୟ ଚିନ୍ତା କରିଛନ୍ତି । ଡାକ୍ତର, ଓøଷଧ ଓ ସମୟାନୁବର୍ତିତା ଭିତରେ ବାଂଧି ହୋଇ ଜୀବନର ପ୍ରକୃତ ସୁଖ ଠାରୁ ଦୂରେଇ ଯାଇ ଥିବା ପୁଅ ବାବୁଲାଲକୁ ଚଳଚଂଚଳ କରିବା ସକାଶେ ସେ ଦିନ ଘରକୁ ନେଇ ଆସିଛନ୍ତି ଜଣେ ଚୀନୀ ବ୍ୟକ୍ତିର ଫୁଲ ସାଇଜ୍ କଟ୍ ଆଉଟ୍ । ପୁଅ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଏହି ଚୀନୀ ବ୍ୟକ୍ତି ସର୍ବାଧିକ ୧୧୮ ବର୍ଷ ବଂଚିବାରେ ରେକର୍ଡ କରିଛି । ସେ ଏହି ରେକର୍ଡ ଭାଂଗିବାକୁ ଚାହୁଁଛନ୍ତି । ବାବୁଲାଲ ଏଥିରେ ପ୍ରତିବନ୍ଧକ ସାଜି ଥିବାରୁ ସେ ତାଙ୍କୁ (ବାବୁଲାଲଙ୍କୁ) ଏକ ବୃଦ୍ଧାଶ୍ରମକୁ ପଠାଇ ଦେବାର ସମସ୍ତ ବ୍ୟବସ୍ଥା କରି ଆସିଛନ୍ତି ।
ଆଜିର ସମାଜରେ ଯବାନ, ରୋଜଗାରିଆ ପୁଅ ବୁଢା ବାପାକୁ ବୃଦ୍ଧାଶ୍ରମରେ ଛାଡି ଦେବାର ଅସଂଖ୍ୟ ନଜିର ରହିଛି । କିନ୍ତୁ, ୧୦୨ ବର୍ଷ ବୟସର ବୁଢା ବାପା ୭୫ ବର୍ଷ ବୟସର ପୁଅକୁ ବୃଦ୍ଧାଶ୍ରମକୁ ପଠାଇ ଦେବାକୁ ନିଷ୍ପତ୍ତି ନେବା ନିଶ୍ଚିତ ଭାବେ ବ୍ୟତିକ୍ରମ । କାହାଣୀ ଗଡୁଛି ବାବୁଲାଲଙ୍କୁ ବୃଦ୍ଧାଶ୍ରମକୁ ପଠାଇବାକୁ ବାପା ଦତ୍ତାତ୍ରେୟଙ୍କ ଘୋଷଣାକୁ ନେଇ । ବାପା, ପୁଅଙ୍କ ସହ ଆଉ ଗୋଟିଏ ଚରିତ୍ର ଧୀରୁ (ଜିମିତ ତ୍ରିଭେଦ) ଏହି ନାଟକୀୟ ବାତାବରଣର ପ୍ରମୁଖ ଚରିତ୍ର ଭାବେ ଉପସ୍ଥାପିତ ହୋଇଛି । ଧୀରୁ ନାମକ ଯୁବକ ନିକଟସ୍ଥ ଏକ ଔଷଧ ଦୋକାନରେ ନିଷ୍ଠା ଓ ସାଧୁତାର କାର୍ଯ୍ୟ କରେ ଏବଂ ବାବୁଲାଲଙ୍କୁ ନିୟମିତ ଔଷଧ ପହଂଚାଇ ଥାଏ । ତେବେ, ତା’ର ନିର୍ବୁଦ୍ଧିପଣ ହିଁ ଫିଲ୍ମରେ ହାସ୍ୟରସର ଫୁଆରା ସୃଷ୍ଟି କରିଛି । ଏହି ତିନିଟି ଚରିତ୍ର ଫିଲ୍ମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ହସାଇଛନ୍ତି ଓ କନ୍ଦାଇଛନ୍ତି । ବାପା ତାଙ୍କୁ ବୃଦ୍ଧାଶ୍ରମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରି ଆସି ଥିବା ଜଣାଇବା ପରେ ବାବୁଲାଲ ପ୍ରଥମେ ତାହାକୁ ବିଶ୍ୱାସକୁ ନେଇ ନାହାନ୍ତି । ତେବେ, ପରଦିନ ସକାଳେ ଦତ୍ତାତ୍ରେୟ ଟେଲିଫୋନରେ ବୃଦ୍ଧାଶ୍ରମ ଅଧିକାରୀଙ୍କ ସହ କଥା ହେଉଥିବା ଏବଂ ବାବୁଲାଲଙ୍କ କିଭଳି ଯତ୍ନ ନିଆଯିବା ଆବଶ୍ୟକ ବୁଝାଉ ଥିବା ଶୁଣିବା ପରେ ବାବୁଲାଲ ପୂର୍ବ ରାତି କଥାକୁ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛନ୍ତି । ତାଙ୍କୁ ବୃଦ୍ଧାଶ୍ରମକୁ ନ ପଠାଇବା ସକାଶେ ସେ ଦତ୍ତାତ୍ରେୟଙ୍କ ସବୁ ସର୍ତର୍ ମାନିବାକୁ ପ୍ରସ୍ତୁତ ଥିବା ଜଣାଇବା ପରେ କାହାଣୀରେ ଅଧିକ ହାସ୍ୟରସ ଆସିଛି । ବାପା ଦତ୍ତାତ୍ରେୟ ପୁଅ ବାବୁଲାଲଙ୍କୁ ଏଭଳି ସବୁ ସର୍ତ ମାନିବାକୁ ବାଧ୍ୟ କରିଛନ୍ତି, ଯାହା ସବୁ ବାବୁଲାଲଙ୍କୁ ପୁନର୍ବାର ନୂଆଜୀବନର ସ୍ପର୍ଶ ଦେଇଛି । ସେ (ବାବୁଲାଲ) ତାଙ୍କ ଅତୀତର ସ୍ମୃତି ସବୁକୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି । ପୁଅ ଭିତରେ ଜୀବନକୁ ନୂଆ କରି ଦେଖିବାର ଉତ୍ସାହ ଓ ସ୍ପୃର୍ତି ଆଣି ପାରି ଥିବାରୁ ଦତ୍ତାତ୍ରେୟ ମଧ୍ୟ ଖୁବ୍ ଖୁସୀ । ଧୀରୁ ତା’ର ସରଳ ସ୍ୱଭାବ ଭିତରେ ବାପା, ପୁଅଙ୍କ ଏହି ନାଟକର ମୁଖ୍ୟ ଭାଗିଦାର ହୋଇଛି ।
ଦତ୍ତାତ୍ରେୟ ଶେଷ ସର୍ତ କିନ୍ତୁ ବାବୁଲାଲଙ୍କୁ ଉତକ୍ଷୀପ୍ତ କରିଛି । ବାବୁଲାଲଙ୍କ ପୁଅ ଅମୋଲ ଆମେରିକାରେ ଚାକିରି କରେ । ବାପା ବାବୁଲାଲ ପୁଅକୁ ଉଚ୍ଚଶିକ୍ଷିତ କରିବା ସକାଶେ ନିଜର ସର୍ବସ୍ୱ ବିନିଯୋଗ କରିଛନ୍ତି । ଅମୋଲ ବିଦେଶରେ ଭଲ ଚାକିରି କରିବା ସହ ବାପା, ମା’ଙ୍କୁ ନ ଜଣାଇ ବିବାହ କରି ନେଇଛି । ସ୍ତ୍ରୀ, ପିଲାଙ୍କ ସହ ବିଦେଶରେ ରହି ବାପା, ମା’ଙ୍କ ପ୍ରତି ତା’ର କର୍ତବ୍ୟ ଭୁଲି ଯାଇଛି । ବାପା ବାବୁଲାଲ ଓ ମା’ ଚନ୍ଦି୍ରକା ପୁଅ, ବୋହୂ, ନାତି, ନାତୁଣୀଙ୍କୁ ଥରେ ଦେଖିବା ପାଇଁ ଗୁମୁରି ଗୁମୁରି କାନ୍ଦୁ ଥିବା ବେଳେ ପୁଅ ଅମୋଲ ବିଭିନ୍ନ ବାହାନା କରି ସେମାନଙ୍କୁ ଭଣ୍ଡାଇ ଚାଲିଛି । ଚନ୍ଦ୍ରିକା ଆଲଜାଇମର ରୋଗରେ ଆକ୍ରାନ୍ତ ହୋଇ ସମସ୍ତଙ୍କୁ ଭୁଲି ଯାଇଛନ୍ତି ସିନା ପୁଅ ଅମୋଲକୁ ଭୁଲି ନାହାନ୍ତି । ମୃତ୍ୟୁ ପର୍ଯ୍ୟନ୍ତ ଅମୋଲକୁ ଖୋଜିଛନ୍ତି । ଜେଜେବାପା ଦତ୍ତାତ୍ରେୟ ଓ ବାପା ବାବୁଲାଲ ୨୮ ଦିନ କାଳ ଆମେରିକା ଫୋନ୍ କରି ଚନ୍ଦ୍ରିକାଙ୍କ ଆତୁରତା ଜଣାଇବା ସତ୍ୱେ ଅମୋଲ ମା’ଙ୍କୁ ଦେଖିବାକୁ ଆସି ନାହିଁ । ମା’ ମରିବାର ବର୍ଷକ ପରେ ମଧ୍ୟ ପୁଅ ଅମୋଲ ଘରକୁ ନ ଆସିବାରୁ ବାବୁଲାଲ ଚନ୍ଦି୍ରକାଙ୍କ ଅସ୍ତିକୁ ସାଇତି ରଖିଛନ୍ତି ପୁଅ ଆସିବା ଅପେକ୍ଷାରେ । ପୁଅ ଠାରୁ ସବୁ କଥାରେ ଉତ୍ତର ପାଇଛନ୍ତି, ଛୁଟି ମିଳୁନି – ‘ହୋପ୍, ୟୁ ଅଣ୍ଡର୍ଷ୍ଟାଣ୍ଡ୍…’ । ଏଭଳି ପୁଅକୁ ବାପା ଏତେ ଭଲ ପାଏ ଯେ ବର୍ଷ ବର୍ଷ ଧରି ଦେଖିବାକୁ ଅପେକ୍ଷା କରି ଝାଉଁଳି ଯାଇଛି । ପୁଅ ଆସିବ ଆସିବ କହି ଠକି ଚାଲିଛି । ଜେଜେବାପା ଦତ୍ତାତ୍ରେୟ ନାତିକୁ ଉଚିତ ଶିକ୍ଷା ଦେବା ସକାଶେ ପୁଅ ବାବୁଲାଲଙ୍କ ଜୀବନରେ ପୁନର୍ବାର ସ୍ଫୁର୍ତି ଭରି ଦେବା ସହ ଶେଷ ସର୍ତର୍ ରଖିଛନ୍ତି – ପୁଅ ଅମୋଲକୁ ଡକାଇ ଘର ଦୁଆର ମୁହଁରୁ ତଡିବାକୁ ।
ବାପା ଦତ୍ତାତ୍ରେୟଙ୍କ ଏହି ସର୍ତ ମାନିବାକୁ ରାଜି ହୋଇ ନାହାନ୍ତି ବାବୁଲାଲ । ପୁଅ ମାସେ ପରେ ଆସିବ କହି ଥିବାରୁ ଘର ସଜାଇଛନ୍ତି । ପୁଅର ସବୁ ପୁରୁଣା ଜିନିଷକୁ ଦେଖି ଅତୀତକୁ ମନେ ପକାଇଛନ୍ତି । ମାଟି ଘଡିରେ ପୁଅ ରଖି ଥିବା ୪୨ ଟଙ୍କାକୁ ମଧ୍ୟ ସେ ସାଇତିଛନ୍ତି । ବାପା ଦତ୍ତାତ୍ରେୟଙ୍କୁ କହିଛନ୍ତି, ସେ ପୂର୍ବର ସବୁ ସର୍ତକୁ ମାନିଛନ୍ତି, କିନ୍ତୁ ଏହି ସର୍ତର୍କୁ ନୁହେଁ । ପୁଅ, ବୋହୁ, ନାତି, ନାତୁଣୀଙ୍କୁ ଥରେ ଆଖି ପୁରାଇ ଦେଖିବାକୁ ଚାହାନ୍ତି ସେ । ଦତ୍ତାତ୍ରେୟ ବୁଝାଇଛନ୍ତି, ସେମାନେ ଦୁହେଁ ଏତେଦୂର ବୁଢା ହୋଇ ଗଲେଣି ଯେ, କେଉଁ ଦିନ ଝଡି ଯିବେ । ଏକଥା ନାତି ଅମୋଲ ଭଳ ଭାବେ ଜାଣିଛି । ତେଣୁ, ସଂପତ୍ତିର ଫଇସଲା ପାଇଁ ମାସକ ପରେ ଆସିବ ବୋଲି କହିଛି । ଏକଥାକୁ ପୁଅ ବାବୁଲାଲଙ୍କୁ ଭଲ ଭାବେ ବୁଝାଇବା ସକାଶେ ସେ ନାତି ଅମାଲକୁ ଫୋନ୍ କରିଛନ୍ତି । କହିଛନ୍ତି, ସଂପତ୍ତି ବିଷୟରେ କଥା ହେବା, ମାସକ ପରେ ଆସିଲେ ଡେରି ହୋଇଯିବ, ତେଣୁ ତୁରନ୍ତ ଆସ । ନାତି ମଧ୍ୟ ଆଉ ଛୁଟି ମିଳୁନି ବୋଲି ନ କହି ତୁରନ୍ତ ଆସିବାକୁ ପ୍ରସ୍ତୁତ ହୋଇଯାଇଛି । ବାବୁଲାଲ ନିଜ ପୁଅର ମତିଗତି ଠଉରାଉ ଥିଲେ ବି ପୁତ୍ର ମୋହରେ ଏତେଦୂର ଅନ୍ଧ ଥିଲେ ଯେ ପୁଅ ଅମୋଲକୁ ସଂପତ୍ତିର ଭାଗ ନ ମିଳିଲେ ସେ କୋର୍ଟକୁ ଯିବେ ବୋଲି ବାପାଙ୍କୁ ଧମକ ଦେଇଛନ୍ତି ।
ଏଇଠାରୁ ଆରମ୍ଭ ହୋଇଛି ଦୁଃଖର କାହାଣୀ । ଦତ୍ତାତ୍ରେୟ ପୁଅ ବାବୁଲାଲଙ୍କୁ ଦେଖାଇଛନ୍ତି ତାଙ୍କୁ ହୋଇଥିବା ବ୍ରେନ୍ ଟ୍ୟୁମର୍ର ଏକ୍ସରେ । ଦେଶର ସର୍ବୋଚ୍ଚ ସ୍ଥାନରୁ ନିଜ ଲୋକଙ୍କୁ ବାର୍ତା ପଠାଇ ରେକର୍ଡ କରିବାକୁ ଚାହୁଥିବା ଦତ୍ତାତ୍ରେୟ ଏଭଳି ଏକ ସ୍ଥାନରୁ ବ୍ରେନ୍ ଟ୍ୟୁମର୍କୁ ଆପଣାଇଛନ୍ତି । ବ୍ରେନ୍ ଟ୍ୟୁମର୍ କଥା ଜାଣିବା ପରେ ସେ ଭିତରେ ଭିତରେ ମରି ଯାଉଥିବା ପୁଅ ବାବୁଲାଲ ମନରେ ଜୀବନ ସହ ସଂଗ୍ରାମ କରିବା ଯୋଶ୍ ଭରିବାକୁ ବୃଦ୍ଧାଶ୍ରମ ଖେଳ ଆରମ୍ଭ କରିଥିଲେ । ଦତ୍ତାତ୍ରେୟ ପ୍ରତିଦିନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସତ୍ୱେ ସର୍ବାଧିକ ବର୍ଷ ବଂଚିବାର ରେକର୍ଡ ସୃଷ୍ଟି କରିବା ନା’ରେ ବାବୁଲାଲଙ୍କ ମନରେ ଯୋଶ୍ ଭରିବାକୁ ଚାହିଁ ଥିବା ବାବୁଲାଲ ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ମତାନ୍ତର ଦୂର ହୋଇଛି । ଇତିମଧ୍ୟରେ, ଅମୋଲ ଆସି ପହଂଚିଛନ୍ତି ଏକୁଟିଆ । ପତ୍ନୀଙ୍କୁ ଛୁଟି ମିଳି ନଥିବା ଦଲିଲ ଦେଇ ପରେ ପତ୍ନୀ ଓ ପିଲାମାନଙ୍କୁ ଆଣି ଆସିବେ ବୋଲି ବାପା ବାବୁଲାଲଙ୍କୁ ବୁଝାଇଛନ୍ତି ଏୟାରପୋର୍ଟରେ । କିନ୍ତୁ, ବାବୁଲାଲ ପୁଅ ଅମୋଲକୁ ଭର୍ତ୍ସନା କରି ମାଟି ଘଡିରେ ଥିବା ୪୨ ଟଙ୍କା ହିଁ ତା’ର ସଂପତ୍ତି କହି ଅମୋଲକୁ ବିମାନ ବନ୍ଦରରୁ ହିଁ ଆମେରିକା ଫେରି ଯିବାକୁ କହିଛନ୍ତି । ଘରକୁ ଫେରିବା ପରେ ସେ ବାପା ଦତ୍ତାତ୍ରେୟଙ୍କ ସେବା କରିଛନ୍ତି । ଦତ୍ତାତ୍ରେୟଙ୍କ ମୃତ୍ୟୁ ପରେ ସର୍ବାଧିକ ବର୍ଷ ବଂଚିବାର ଯୋଶ୍ ଦେଖାଇଛନ୍ତି ।
କାହାଣୀଟି ସାଧାରଣ ହେଲେ ବି ନିର୍ଦେଶକ ଉମେଶ ତାହାକୁ ନିଆରା ଢଙ୍ଗରେ ପରିବେଷଣ କରିଛନ୍ତି । ବାସ୍ତବ ଜୀବନରେ ୭୬ ବର୍ଷ ବୟସ୍କ ଅମିତାଭ ବଚ୍ଚନ ଓ ୬୫ବର୍ଷ ବୟସର ରିଷି କପୁରଙ୍କ ସହ ଯୁବକ ଜିମିତ ତିଭେଦିଙ୍କ ଅଭିନୟ ଫିଲ୍ମକୁ ଅଧିକ ଜୀବନ୍ତ କରିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS