ଧୀରେ କଥା କହୁଥିବା ଝିଅଟି ଜଗତ ଜିତିଛି
http://https://youtu.be/7XtLxF6SbsI
– ପ୍ରସାଦ ରାଓ –
ଭୁବନେଶ୍ୱର ମେ’୧୫: ଶ୍ରଦ୍ଧାଂଜଳୀ ସାମନ୍ତରାୟ । କେବଳ ଓଡ଼ିଶା ନୁହେଁ, ଭାରତୀୟ ମହିଳା ଫୁଟବଲ ଜଗତରେ ଏକ ପରିଚିତ ନାମ । ଧୀରେ ଧୀରେ କଥା କହୁଥିବା ଝିଅଟି ଯେ ନିଜର କଠିନ ପରିଶ୍ରମ ଯୋଗୁ ଜଗତ ଜିତିଛି, ଏହା ପ୍ରମାଣିତ ହୁଏ ଶ୍ରଦ୍ଧାଂଜଳୀଙ୍କ ଡ୍ରଇଂ ରୁମ୍ କପ୍ବୋର୍ଡରେ ଅଣନିଶ୍ୱାସୀ ହୋଇ ପଡି ରହି ଥିବା ବିଜୟ ସ୍ମାରକୀ ଗୁଡ଼ିକରୁ । ଓଡ଼ିଶା ଓ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଂଜଳୀ ଆଜି ଦାୟିତ୍ୱ ନେଇଛନ୍ତି ନୂତନ ପୀଢିର ବାଳିକା ଫୁଟବଲ ଦଳ ତିଆରି କରିବା ପାଇଁ । ଓଡ଼ିଶା ବାଳିକା ଫୁଟବଳ ଦଳର କୋଚ୍ ହେବା ପରେ ଏ ଦିଗରେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ସେ ହେଉଛନ୍ତି ଓଡ଼ିଶା ତଥା ଭାରତୀୟ ମହିଳା ଫୁଟବଳ ଦଳର ଏକ କିମ୍ବଦନ୍ତୀ ଏବଂ ଅଗ୍ରଣୀ ଖେଳାଳୀ । ଜାତୀୟ ଓ ଆନ୍ତର୍ଜାତିକ ମହିଳା ଫୁଟବଲ୍ ଚାମ୍ପିଅନସିପ୍ ଓ ଲିଗ୍ ମ୍ୟାଚରେ ଷ୍ଟାଇକର୍ ଭାବେ ସେ ବିପକ୍ଷ ଦଳଙ୍କୁ ଶହ ଶହ ଗୋଲରେ ଘାଇଲା କରିଛନ୍ତି । ନିଜ ଖେଳକୁ ମାଧ୍ୟମ କରି ସେ ଓଡ଼ିଶା ଓ ଭାରତୀୟ ଦଳକୁ ଗୌରବାନ୍ୱିତ କରିବା ସହ ନିଜ ପାଇଁ ମଧ୍ୟ ପ୍ରଶଂସା ସାଉଁଟିଛନ୍ତି। କେବଳ ଖେଳ ପଡ଼ିଆକୁ ଆସି ଖେଳି ଦେଲେ କେହି ମହାନ ହୋଇ ପାରିବ ନାହିଁ, ମହାନ ହେବାକୁ ହେଲେ କଠିନ ପରିଶ୍ରମ ଓ ଅଧ୍ୟବସାୟର ଆବଶ୍ୟକତା ରହିଛି । ଏହା ହେଉଛି ଶ୍ରଦ୍ଧାଂଜଳୀଙ୍କ ଦୃଷ୍ଟିକୋଣ ।
୧୯୭୮ ମସିହା ମେ’ ମାସ ୭ ତାରିଖ ଦିନ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିବା ଶ୍ରଦ୍ଧାଂଜଳୀ ଓଡ଼ିଶାର ଗର୍ବ ଓ ଗୌରବ ହୋଇଥିଲେ ମଧ୍ୟ ‘ପଡିଶା ଘର’ର ଝିଅ ଭଳି ରାଜଧାନୀବାସୀଙ୍କ ନିକଟରେ ପାଇଁ ଅତି ସାଧାରଣ ଝିଅଟିଏ । ଓଡ଼ିଆରେ କଥା ଅଛି, ପଡ଼ିଶା ଘରର ଝିଅ ଯେତେ ଗୁଣି, ଜ୍ଞାନୀ ଓ ସଂସ୍କାରୀ ହୋଇ ଥିଲେ ମଧ୍ୟ ପଡୋଶୀଙ୍କ ପାଇଁ ‘ନାକ କାନ୍ଦୁରୀ’ । ତା’ର ସବୁ ଗୁଣ ଗାରୀମା ଲୁଚି ଯାଏ ସେହି ଆପଣା ପଣରେ । ତେବେ, ଶ୍ରଦ୍ଧାଂଜଳୀ ପଡିଶା ଘରର ଝିଅଟିଏ ହୋଇ ମଧ୍ୟ ତାଙ୍କୁ ପଡୋଶୀ ଏବେ ତୁଳନା କରିବାକୁ ଆରମ୍ଭ କଲେଣି ଆନ୍ତର୍ଜାତିକ ଖ୍ୟାତା ସଂପନ୍ନ ମହିଳା ବକ୍ସର ମେରୀ କମ୍ ଙ୍କ ସହ । ମେରୀ କମ୍ ଯେଭଳି ମଣିପୁର ଭଳି ଏକ ପଛୁଆ ରାଜ୍ୟରୁ ପ୍ରତିନିଧିତ୍ୱ କରି ଭାରତକୁ ମହିଳା ବକ୍ସିଂରେ ଆନ୍ତର୍ଜତିକ ସ୍ତରରେ ସ୍ୱୀକୃତି ଦେବାରେ ସକ୍ଷମ ହୋଇଛନ୍ତି, ଶ୍ରଦ୍ଧାଂଜଳୀ ସେହି ଭଳି ଓଡ଼ିଶା ପରି ଏକ ପଛୁଆ ରାଜ୍ୟରୁ ଯାଇ ଆନ୍ତର୍ଜାତିକ ମହିଳା ଫୁଟବଲରେ କୃତୀତ୍ୱର ସହ ପ୍ରତିନିଧିତ୍ୱ କରି ଭାରତୀୟ ମହିଳା ଫୁଟବଲକୁ ସ୍ୱୀକୃତି ଆଣି ଦେଇଛନ୍ତି । ୧୯୯୨ରୁ ୨୦୧୮ – ଦୀର୍ଘ ୨୬ ବର୍ଷ ଧରି ବିଭିନ୍ନ ଦାୟିତ୍ୱରେ ରହି ସେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ଏବଂ ଭାରତୀୟ ମହିଳା ଫୁଟବଲ ଦଳର ଉପ ଅଧିନାୟିକା, ଅଧିନାୟିକା, ଷ୍ଟାଇକର୍ ଓ କୋଚ୍ ଭାବେ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମହିଳା ଫୁଟବଲ ପାଇଁ ସୁଖ୍ୟାତି ଆଣିଛନ୍ତି । ୪୦ ବର୍ଷ ବୟସର ଏହି ଯୁବତୀ ୨୬ ବର୍ଷ ହେଲା ଭାରତୀୟ ମହିଳା ଫୁଟବଲକୁ ଗୌରବାନ୍ୱିତ କରି ନିଜର ଅସ୍ତିତ୍ୱ ବଜାୟ ରଖିବା ଏକ ବିରଳ ଉପଲବ୍ଧି କୁହାଯାଇପାରେ । ଶ୍ରଦ୍ଧାଂଜଳୀ ୨୬ ବର୍ଷର କ୍ୟାରିଅର ମଧ୍ୟରେ ଦେଶ, ବିଦେଶରେ ଫୁଟବଲ ଖେଳି ଯେଉଁ କୀର୍ତିମାନ୍ (ରେକର୍ଡ) ଅର୍ଜନ କରିଛନ୍ତି ତାହା ତାଙ୍କ ‘ଉପଲବ୍ଧୀ ସରଣୀ’ରୁ ସ୍ପଷ୍ଟ ହେଉଛି ।
ପିତା ନେତ୍ରାନନ୍ଦ ସାମନ୍ତରାୟ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ । ମା’ ରଶ୍ମୀ ସାମନ୍ତରାୟ ଜଣେ ସୁଗୃହିଣୀ ଭାବେ ପରିଚିତ ଥିଲେ । ୨୦୧୭ ମେ’ ୪ ତାରିଖରେ ୬୨ ବର୍ଷ ବୟସରେ ମା’ ରଶ୍ମୀଙ୍କ ଦେହାନ୍ତ ହୋଇଛି। ବଡ଼ ଭଉଣୀ ଗୀତାଂଜଳୀ ମଧ୍ୟ ଜଣେ ଆଗ ଧାଡିର ଫୁଟବଲ ଖେଳାଳୀ । ବାପା, ମା’ ଓ ବଡ଼ ଭଉଣୀ ସର୍ବଦା ତାଙ୍କୁ ଉତ୍ସାହିତ କରିବା ସହ ଫୁଟବଲକୁ କ୍ୟାରିଅର କରିବା ସକାଶେ ସମର୍ଥନ ଦେଇ ଆସି ଥିବାରୁ ସେ ଆଜି ଏଭଳି ଏକ ଅପହଂଚ କୀର୍ତିର ଅଧିକାରୀ ହୋଇଛନ୍ତି ବୋଲି ଶ୍ରଦ୍ଧାଂଜଳୀ କହନ୍ତି । ୨୦୧୮ ମେ’ ୧୧ ତାରିଖ ସନ୍ଧ୍ୟାରେ ‘ମୋ ଅନୁଭବ.କମ୍’ ଶ୍ରଦ୍ଧାଂଜଳୀଙ୍କୁ ଭେଟି ଥିଲା ଇସକନ୍ ମନ୍ଦିର ପଛରେ ଥିବା ତାଙ୍କ ବାସ ଭବନରେ । କେନ୍ଦ୍ର ସରକାରଙ୍କ ନବରତ୍ନ କଂପାନୀ ‘ନାଲକୋ’ରେ ସେ ଏକଜିକ୍ୟୁଟିଭ ଆସିଷ୍ଟାଷ୍ଟ୍ (କ୍ରୀଡ଼ା) ଭାବେ କାର୍ଯ୍ୟରତ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସେ ସମୟ ବାହାର କରି ଥିଲେ ଫୁଟବଲ୍ ସହ ତାଙ୍କର ୨୬ ବର୍ଷର ଭାଗିଦାରୀ ବିଷୟରେ କିଛି ଜଣା, ଅଜଣା କଥା କହିବା ପାଇଁ ।
୧୯୯୧-୯୨ରେ ସେ ଥିଲେ ଭୁବନେଶ୍ୱର ୟୁନିଟ – ୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀ । ‘ଖୋ ଖୋ’ ଖେଳ ପ୍ରତି ତାଙ୍କର ରହି ଥିଲା ଅନୁରାଗ । ଅଚାନକ ଫୁଟବଲ୍ ଖେଳିବା ପାଇଁ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ଜଣେ ପୁରୁଷ ଫୁଟବଲ କୋଚ୍ । ଆସାମରେ ହେବାକୁ ଥିବା ଏକ ଫୁଟବଲ୍ ଟୁର୍ଣ୍ଣାମେଂଟରେ ଓଡ଼ିଶା ପକ୍ଷରୁ ଖେଳିବା ପ୍ରସ୍ତାବ ଦେଇଥିଲେ କୋଚ୍ ଜଣକ । ସେତେବେଳେ ପୁଅମାନେ ହିଁ ଫୁଟବଲ ଖେଳୁଥିଲେ । ଶ୍ରଦ୍ଧାଂଜଳୀ ଓ ତାଙ୍କ ‘ଖୋ ଖୋ’ ଖେଳ ସାଥୀମାନେ ଫୁଟବଳ ଖେଳିବା କଥା ଶୁଣି ପ୍ରଥମେ ଡ଼ରି ଯାଇ ଥିଲେ । କାରଣ, ଫୁଟବଲ ଖେଳକୁ ନେଇ ସେମାନଙ୍କର କୌଣସି ଜ୍ଞାନ ନ ଥିଲା । ସେମାନେ ‘ଖୋ ଖୋ’ ଛାଡି ଫୁଟବଲ ଖେଳିବା ସକାଶେ ରାଜ୍ୟ ବାହାରକୁ ଯିବାକୁ ପ୍ରଥମେ ରାଜି ହୋଇ ନ ଥିଲେ । ଅଭିଭାବକମାନେ ମଧ୍ୟ ରାଜି ନ ଥିଲେ । ତେବେ, ଯିବା, ଆସିବା ସକାଶେ ପ୍ଲେନ୍ ଟିକଟ ଦିଆଯିବ ବୋଲି କୋଚ୍ ଜଣକ ଲୋଭ ଦେଖାଇବାରୁ ଶ୍ରଦ୍ଧାଂଜଳୀ ଓ ତାଙ୍କ ‘ଖୋ ଖୋ’ସାଥୀମାନେ ରାଜି ହୋଇଥିଲେ ଫୁଟବଲ ଖେଳିବାକୁ । ଅଭିଭାବକମାନେ ମଧ୍ୟ ଖେଳିବା ସକାଶେ ଛାଡି ଥିଲେ । ସେଇଠୁ ଆରମ୍ଭ ହେଇଥିଲା ଓଡ଼ିଶା ବାଳିକା ଫୁଟବଲ ଟିମ୍ ର ଅଭିଯାନ । ଆସାମ ପରେ ବିହାରକୁ ଖେଳିବାକୁ ଯାଇ ଦେଖିଲେ ବଡ ପିଲାମାନେ ଫୁଟବଲ ଖେଳୁଛନ୍ତି । ‘ପ୍ରଥମେ ଆମେ ଡ଼ରି ଗଲୁ । କିନ୍ତୁ, ପରେ ଆମର ସାହାସ ବଢିଲା’ ବୋଲି କହିଛନ୍ତି ଶ୍ରଦ୍ଧାଂଜଳୀ ।
୧୯୯୨ର ରକ୍ଷଣଶୀଳ ସାମାଜ ସେମାନଙ୍କ ଫୁଟବଲ ଖେଳକୁ କିଭଳି ଦୃଷ୍ଟିରେ ଦେଖୁଥିଲା (?) ବୋଲି ପ୍ରଶ୍ନ ହେବାରୁ ଶ୍ରଦ୍ଧାଂଜଳୀଙ୍କ ତୁରନ୍ତ ଉତ୍ତର ଥିଲା, “ଝିଅମାନେ ସର୍ଟସ୍ (ହାଫ୍ ପ୍ୟାଂଟ) ପିନ୍ଧି ଫୁଟବଲ ଖେଳିବା ଅଭିଭାବକମାନଙ୍କ ଆଖିକୁ ଯାଉ ନ ଥିଲା । ସେତେବେଳେ ଖେଳିବା ସକାଶେ ଆଜି ଭଳି ଷ୍ଟାଡିୟମ ବା ଅନ୍ୟାନ୍ୟ ସୁବିଧା ନ ଥିଲା । ଖେଳିଲେ ପାଠ କେମିତି ହେବ ବୋଲି ଅଭିଭାବକମାନେ ପ୍ରଶ୍ନ କରୁଥିଲେ । ତଥାପି, ପିଲାମାନେ ଖେଳିବାକୁ ଆସୁଥିଲେ ଏବଂ ଅଭିଭାବକମାନେ ସେମାନଙ୍କୁ ଖେଳିବାକୁ ଛାଡୁ ଥିଲେ । ମୋ ପରିବାର ଫୁଟବଲ ଖେଳିବା ସକାଶେ ମୋତେ ଯଥେଷ୍ଟ ସ୍ୱାଧୀନତା ଦେଇଛି ଏବଂ ସହଯୋଗର ହାତ ବଢାଇଛି । ତେଣୁ, ମୁଁ ଆଜି ଏତେ ଆଗକୁ ଆସିଛି ।” ତାଙ୍କ ମତରେ, ଖେଳ ପାଠ ପଢାରେ ବାଧକ ନୁହେଁ । ଦିନକୁ ଦୁଇ ଘଂଟା ଖେଳ ପାଇଁ ଦେଲେ ପାଠ ପଢିବା ସକାଶେ ଢେର ସମୟ ମିଳିବ । ସେ ଖେଳୁ ଥିଲେ, ପାଠ ବି ପଢୁଥିଲେ ।
ସେଦିନ ଓ ଆଜି ଭିତରେ ଥିବା ପ୍ରଭେଦ ସଂପର୍କରେ ପ୍ରଶ୍ନ ହେବାରୁ ଶ୍ରଦ୍ଧାଂଜଳୀ କହିଲେ, ୯୦ ଦଶକରେ ଓଡ଼ିଶାରେ ଭିତ୍ତିଭୂମୀ ଓ ଖେଳିବା ମାନସିକତାର ଅଭାବ ରହି ଥିଲା । ଆଜି ତାହା ନାହିଁ । ଆଜିର ସରକାର ଖେଳକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ସେହି ଅନୁସାରେ ଭିତ୍ତିଭୂମୀର ବିକାଶ ଘଟିଛି । ଉନ୍ନତ ମାନର ଷ୍ଟାଡିୟମ, କ୍ରୀଡ଼ା ଛାତ୍ରାବାସ, ଖେଳ ଉପକରଣ ଏବଂ ଖେଳରେ ଦକ୍ଷତା ପ୍ରଦର୍ଶନ କରୁଥିବା ଖେଳାଳୀଙ୍କୁ ବିଭିନ୍ନ କଂପାନୀ ଓ ସରକାରୀ ସଂସ୍ଥାରେ କର୍ମ ନିଯୁକ୍ତି ଓ ପ୍ରୋତ୍ସାହନ ମିଳୁଛି । ଫୁଟବଲ ଖେଳୁ ଥିବା ବାଳିକାଙ୍କ ପାଇଁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ଦୁଇଟି କ୍ରୀଡ଼ା ଛାତ୍ରାବାସ ରହିଛି । ସରକାର ଅଧିକ ଛାତ୍ରାବାସ ନିର୍ମାଣ କରୁଛନ୍ତି । ଯେଉଁ ସମୟରେ ଯେଉଁ ଖେଳ ହେଉଛି ତାହାକୁ ସରକାରୀ ପ୍ରୋତ୍ସାହନ ମିଳୁଛି । ଭୁବନେଶ୍ୱରରେ ‘ହୀରୋ କପ୍’ଫୁଟବଲ ଚାଲି ଥିବା ବେଳେ ଖଚାଖଚ୍ ଭରି ରହି ଥିଲା ଷ୍ଟାଡ଼ିୟମ । ଏଥିରୁ ଫୁଟବଲ ପ୍ରତି ଦାର୍ଶକଙ୍କ ବଢୁଥିବା ଆଗ୍ରହ ଅନୁମାନ କରି ହେବ । “ସରକାର ଆମ ପାଇଁ ସବୁ ପ୍ରକାର ସୁବିଧା, ସୁଯୋଗ ଯୋଗାଇ ଦେଉଛନ୍ତି, ଆମେ ଆମ ରାଜ୍ୟକୁ କଣ ଦେଇ ପାରିବା ତାହା ଖେଳାଳୀମାନେ ଚିନ୍ତା କରିବା ଆବଶ୍ୟକ” ବୋଲି ଶ୍ରଦ୍ଧାଂଜଳୀ କହିଛନ୍ତି ।
ଆଜିର ପରିପ୍ରେକ୍ଷୀରେ ବହୁ ସଂଖ୍ୟାରେ ଝିଅମାନେ ଫୁଟବଲ ଖେଳିବାକୁ ଆସୁଛନ୍ତି ସିନା ପଡ଼ିଆରେ ପାଦ ଦେଉ ଦେଉ ମ୍ୟାଚ୍ ଖେଳିବା ଠାରୁ ଆରମ୍ଭ କରି କର୍ମ ନିଯୁକ୍ତି ପର୍ଯ୍ୟନ୍ତ ସବୁ ସୁବିଧା ତୁରନ୍ତ ପାଇ ଯିବା ଆଶା କରୁଛନ୍ତି । ଅଭିଭାବକମାନେ ମଧ୍ୟ ମନରେ ସେଭଳି ଆଶା ନେଇ ପିଲାଙ୍କୁ ଖେଳିବାକୁ ଛାଡୁଛନ୍ତି । ତେବେ, ରାତାରାତି ଜଣେ ଷ୍ଟାର୍ ହେବା ସମ୍ଭବ ନୁହେଁ । ସେଥିସକାଶେ ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଜଣେ ମହିଳା ଫୁଟବଲ କୋଚ୍ ଭାବେ ସେ କେଉଁ ପ୍ରକାର ଚାପର ସମ୍ମୁଖୀନ ହେଉଛନ୍ତି (?) ବୋଲି ପ୍ରଶ୍ନ ହେବାରୁ ଶ୍ରଦ୍ଧାଂଜଳୀ କହିଲେ, ଓଡ଼ିଶା ବା ଭାରତୀୟ ଫୁଟବଲ ଟିମ୍ର ଖେଳାଳୀ ଭାବେ ସେ ପଡିଆରେ ଖେଳୁଥିବା ସମୟରେ ନିଜ ଖେଳର ଉନ୍ନତ ପ୍ରଦାର୍ଶନ ଉପରେ ଗୁରୁତ୍ୱ ଦେଉଥିଲେ । ଅଧିନାୟିକା ଭାବେ ଟିମ୍ କୁ ଫୋକସ୍ କରୁଥିଲେ । ଓଡ଼ିଶା ସିନିୟର ମହିଳା ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପରେ ଟିମ୍ ସହ ପ୍ରତ୍ୟେକ ଖେଳାଳୀଙ୍କ ଦକ୍ଷତା ବଢାଇବା ତାଙ୍କ ଦାୟିତ୍ୱ ହୋଇଛି । ତେଣୁ ସେ ଚାପଗ୍ରସ୍ତ ରହିବା ସ୍ୱାଭାବିକ । ପ୍ରତ୍ୟେକ ପିଲାର ମନସ୍ତତ୍ୱକୁ ବୁଝି ତା’ର ଦକ୍ଷତା ବଢାଇବା ସକାଶେ ତାଲିମ ଦେବା ନିଶ୍ଚିତ ଭାବେ କଠିନ କାର୍ଯ୍ୟ ବୋଲି ସେ କହିଛନ୍ତି । ଖେଳିବା ସକାଶେ ଦିନକୁ ଅନ୍ତତଃ ଦୁଇ ଘଂଟା ସମୟ ବାହାର କରିବା ସହ ନିଷ୍ଠାର ସହ ଖେଳିବାକୁ ଏବଂ କଠିନ ପରିଶ୍ରମ ମାଧ୍ୟମରେ ସଫଳତା ଅର୍ଜନ କରିବାକୁ ସେ ନୂଆ ପୀଢିର ଖେଳାଳୀଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରଦ୍ଧାଂଜଳୀ କହିଛନ୍ତି, କୋଚ୍ ଦାୟିତ୍ୱ ନେବା ପରେ ମଧ୍ୟ ସମୟ ବାହାର କରି ପ୍ରାକ୍ଟିସ୍ କରୁଛନ୍ତି । ଖେଳ ଉପରେ ନିୟନ୍ତ୍ରଣକୁ ହାତଛଡା କରିବାକୁ ଚାହଁ ନାହାନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS