ପ୍ରଶାସନ ରୋକିଲା ନାବାଳିକା ବାହାଘର
ବେଲଗୁଣ୍ଠାରୁ ସୁଶାନ୍ତ ମିଶ୍ର, ମେ’ ୧୫: ଝିଅ ପକ୍ଷରୁ ଦିନ ବେଳା ସଂପର୍କୀୟ, ସାଙ୍ଗସାଥୀଙ୍କୁ ଭୋଜି, ଭାତ ଦିଆଯାଇଥିଲା । ବାପା, ମାଆ ଛେଉଣ୍ଡ ହୋଇ ଥିବାରୁ କମ୍ ଅତିଥିଙ୍କୁ ନେଇ ଭୋଜି ଭାତର ଆୟୋଜନ ହୋଇଥିଲା। ସମସ୍ତ ବନ୍ଧୁ ବାନ୍ଧବ ଓ ସାଙ୍ଗସାଥୀ ଉପସ୍ଥିତ ଥିଲେ । ବିଭିନ୍ନ ଘର ଚଳଣୀ ଉପକରଣ ଦେଇ ଝିଅକୁ ବିଦା କରାଯାଇଥିଲା । ପୁଅଘର ପକ୍ଷରୁ ରାତ୍ରରେ ଗ୍ରାମବାସୀ ଏବଂ ବନ୍ଧୁବର୍ଗଙ୍କୁ ପାଇଁ ଭୋଜି ଭାତ ଚାଲି ଥିଲା । ପୁଅ ଘରର ଶୋଭାଯାତ୍ରା ଚାଲି ଥିବା ବେଳେ ବୋହୂ ଛାଡ଼ି ଯାଇ ଥିବା ଲୋକେ ପହଂଚି ଥିଲେ । ଝିଅ ଛାଡ଼ିବାକୁ ଯାଇଥିବା ଅତିଥିଙ୍କୁ ସତ୍କାର କରାଯାଉଥିବା ସମୟରେ ହଠାତ୍ ସେଠାରେ ପୁଲିସ ପହଂଚି ବେଦିକୁ ଯିବାର କେଇ ମିନଟ୍ ପୂର୍ବରୁ ବାହାଘରକୁ ବନ୍ଦ କରି ଥିଲେ । ଝିଅଟି ନାବାଳିକା ହୋଇ ଥିବାରୁ ଏହି ବାହାଘର ଆଇନ ବିରୋଧୀ ବୋଲି ଉଭୟ ପକ୍ଷଙ୍କୁ ପୁଲିସ ଜଣାଇ ଦେଇ ଥିଲେ । ଗ୍ରାମବାସୀ ଓ ବନ୍ଧୁ ବାନ୍ଧବ ଏହା ଶୁଣି ରୁଣ୍ଡ ହୋଇ ଯାଇ ଥିଲେ ବର ଘର ସମ୍ମୁଖରେ । ଝିଅ ନାବାଳିକା ହୋଇଥିବାରୁ ବାହାଘର ହୋଇପାରିବ ନାହିଁ ବୋଲି ସମସ୍ତେ ଅନୁଭବ କରିବା ପରେ ଝିଅର ଜେଜେବାପାଙ୍କୁ ଝିଅକୁ ହସ୍ତାନ୍ତର କରିଥିଲା ପ୍ରଶାସନ । ଝିଅକୁ ନେଇ ଜେଜେବାପା ଫେରି ଥିଲେ ନିଜ ଗ୍ରାମକୁ ।
ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଶାସନ ପଂଚାୟତର ବଡ଼ଦୋଡ଼ଙ୍ଗା ଗ୍ରାମରେ । ଖବରରୁ ଜଣାପଡ଼ିଛି, ବେଣୀପଲ୍ଲୀ ପଂଚାୟତ ମାଧବବରିଡ଼ା ଗ୍ରାମର ବଂଶୀଧର ନାୟକ ଓ ତାଙ୍କ ସ୍ତ୍ରୀଙ୍କ ମୃତୁ୍ୟ ପରେ ବଂଶୀଧରଙ୍କ ବାପା ଉଦୟ ନାୟକ ବଂଶୀଧରଙ୍କ ୪ ଝିଅଙ୍କୁ ଧରି ଗୋବରା ଆସି ଏକ ଭଡ଼ା ଘରେ ରହୁ ଥିଲେ । ୪ ଝିଅଙ୍କ ମଧ୍ୟରୁ ହେମଲତା ନାୟକ ହେଉଛି ବଡ଼ ଝିଅ । ସେ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀ । ହେମଲତାଙ୍କ ପାଇଁ ବଡ଼ ଦୋଡ଼ଙ୍ଗା ଗ୍ରାମର ଉଷାବତୀ ପରିଡ଼ାଙ୍କ ପୁଅ ବସନ୍ତ କୁମାର ପରିଡ଼ାଙ୍କ ବିବାହ ପ୍ରସ୍ତାବ ଆସିଥିଲା । ହେମଲତାର ବାପା, ମାଆ ନ ଥିବା ସ୍ଥଳେ ୪ ଭଉଣୀ ହୋଇ ଥିବାରୁ ଜେଜେ ବାପା ଉଦୟ ନାୟକ ତା’ ବାହାଘର ବସନ୍ତଙ୍କ ସହ କରିବା ପାଇଁ ରାଜି ହୋଇ ଥିଲେ । ପୂର୍ବ ଯୋଜନା ମୁତାବକ ହେମଲତା ଓ ବସନ୍ତଙ୍କ ବାହାଘର ୧୩ ତାରିଖ ରବିବାର ପାଇଁ ସ୍ଥିର ହୋଇଥିଲା । ଜାତି ରିତୀନୀତି ଅନୁସାରେ ଝିଅ ବରଘରକୁ ଗଲା ପରେ ସେଠାରେ ବାହାଘର ଆୟୋଜନ କରିବାର ନିୟମ ରହିଛି । ସେହି ଅନୁଯାୟୀ ୧୩ ତାରିଖ ଦିନବେଳା ହେମଲତାଙ୍କ ପାଇଁ ଜେଜେ ଏକ ଭୋଜିର ଆୟୋଜନ କରିଥିଲେ । ଲୋକେ ଭୋଜି ଖାଇବା ସହ ଉପହାର ଦେଇ ଫେରି ଥିଲେ । ବୋହୂ ଡ଼ାକରା ଆସିବା ପରେ ହେମଲତାଙ୍କୁ ପରିବାର ପକ୍ଷରୁ ବିଦାୟ ଦିଆଯାଇଥିଲା । ପରିବାର ଓ ବନ୍ଧୁବର୍ଗ ଝିଅକୁ ଛାଡ଼ିବା ପାଇଁ ବଡ଼ ଦୋଡ଼ଙ୍ଗା ଗ୍ରାମକୁ ଯାଇ ଥିଲେ । ସେଠାରେ ବସନ୍ତଙ୍କ ପରିବାର ପକ୍ଷରୁ ରାତ୍ରରେ ଭୋଜି ଦିଆ ଯାଇଥିଲା । ବସନ୍ତ ବର ବେଶରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରୁଥିବା ବେଳେ ବୋହୂଗାଡ଼ି ଏବଂ ଘର ଉପକରଣ ନେଇ ଝିଅ ଘର ପହଂଚି ଥିଲେ । ସେଠାରେ ପୁଅ ଘର ପକ୍ଷରୁ ଅତିଥିଙ୍କୁ ସତ୍କାର କରାଯାଇଥିଲା । ଏହି ସମୟରେ ନାବାଳିକାର ବାହାଘର ହେଉଥିବା କୌଣସି ସୁତ୍ରରୁ ଖବର ପାଇ ବେଲଗୁଣ୍ଠା ସମ୍ମନ୍ୱୀତ ଶିଶୁ ବିକାଶ ଯୋଜନା ଅଧିକାରୀ ବିନୋଦିନୀ ପ୍ରଧାନ ଗାଙ୍ଗପୁର ଥାନାକୁ ଅବଗତ କରାଇବାରୁ ଥାନା ଅଧିକାରୀ ରମାକାନ୍ତ ମହାଲିକ୍ ଓ ଶ୍ରୀମତୀ ପ୍ରଧାନ ମିଳିତ ଭାବେ ଗ୍ରାମକୁ ଯାଇ ବାହାଘର ବନ୍ଦ କରି ଥିଲେ । ପ୍ରଥମେ ଲୋକେ ବାହାଘର ବନ୍ଦ ନ କରିବାକୁ ଜିଦ୍ ଧରି ଥିଲେ ମଧ୍ୟ ନାବାଳିକା ବାହାଘର ଆଇନ ସମ୍ମତ ନ ଥିବା ଜାଣିବା ପରେ ଉଭୟ ପକ୍ଷ ବାହାଘର ବନ୍ଦ କରିବାକୁ ରାଜି ହୋଇଥିଲେ । ପରେ ପ୍ରଶାସନ ହେମଲତାର ଜେଜେ ବାପା ଉଦୟ ନାୟକଙ୍କୁ ଝିଅକୁ ହସ୍ତାନ୍ତର କରିଥିଲେ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS