ସୁପ୍ରିମକୋର୍ଟ ଖଣ୍ଡପୀଠରେ ଶୁଣାଣୀ ଆଜି, କର୍ଣ୍ଣାଟକ ରାଜନୀତିରୁ ଦେଶର ନୂତନ ପୀଢି କି ଶିକ୍ଷାଲାଭ କରିବେ ?
– ପ୍ରସାଦ ରାଓ –
ଭୁବନେଶ୍ୱର, ମେ’ ୧୮ : କର୍ଣ୍ଣାଟକରେ ସରକାର ଗଢିବା ପାଇଁ ଭାରତୀୟ ଜନତା ପାର୍ଟି ଯେଭଳି ଆତୁର ହୋଇ ରାଜ୍ୟପାଳଙ୍କ ଅନୁକଂପାର ଆଶ୍ରୟ ନେଲା ଏବଂ କଂଗ୍ରେସ ଓ ଜେଡ଼ିଏସ୍ ମେଂଟ ଯେଭଳି ଭାବେ ବିଳମ୍ବ ରାତ୍ରୀରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇ ବିଜେପି ବିଧାୟକ ଦଳ ନେତା ବି.ଏସ୍. ୟେଦୁରାପ୍ପାଙ୍କୁ ୧୭ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରୁ ରୋକିବାକୁ ଶେଷ ଉଦ୍ୟମ କଲେ ତାହାକୁ ଏକ ସାଧାରଣ ରାଜନୈତିକ ନାଟକ ନୁହେଁ, କ୍ଷମତାଲିପ୍ସାର ଏକ ଅନନ୍ୟ ଉଦାହରଣ କୁହାଯାଇପାରେ । ୧୭ ତାରିଖ ଭୋର ୨ଟା ସମୟରେ ସୁପ୍ରିମ କୋର୍ଟ କଂଗ୍ରେସ-ଜେଡ଼ିଏସ୍ ର ଆବେଦନ ଉପରେ ଶୁଣାଣୀ ପାଇଁ ରାଜି ହେଲେ ଏବଂ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନିର୍ଦେଶ କ୍ରମେ ସୁପ୍ରିମ କୋର୍ଟର ଛଅ ନମ୍ବର କୋଠରୀରେ ବିଚାରପତି ଏକେ ସିକ୍ରି, ବିଚାରପତି ଅଶୋକ ଭୂଷଣ ଓ ବିଚାରପତି ଏସ୍.ଏ. ବୋବଡେଙ୍କ ନେଇ ଗଠିତ ଖଣ୍ଡପୀଠ ଶୁଣାଣୀ ଆରମ୍ଭ କଲେ । ଭୋର ୪ଟା ପର୍ଯ୍ୟନ୍ତ ଶୁଣାଣୀ ଚାଲିଲା । ୪ଟା ୨୦ ମିନିଟରେ ଖଣ୍ଡପୀଠ ରାୟ ଶୁଣାଇଲେ । ୟେଦୁରାପ୍ପା କୋର୍ଟରେ ଉପସ୍ଥିତ ନ ଥିବାରୁ ଖଣ୍ଡପୀଠ ୧୭ ତାରିଖ ସକାଳର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ମନା କଲେ ସିନା ସବୁ ପକ୍ଷଙ୍କୁ ନୋଟିସ କରିବା ପରେ ୧୮ ତାରିଖ ସକାଳ ୧୦ଟାରେ ମାମଲାର ଶୁଣାଣୀ କରାଯିବ ବୋଲି ସୂଚାଇ ଦେଲେ ।
ଉଭୟ ପକ୍ଷ ନିଜ ନିଜ ସମର୍ଥକ ବିଧାୟକଙ୍କ ତାଲିକା ଏବଂ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦେଇଥିବା ଚିଠି କୋର୍ଟରେ ଦାଖଲ କରିବାକୁ ନିର୍ଦେଶ ଦେଇ ଖଣ୍ଡପୀଠ ୟେଦୁରାପ୍ପାଙ୍କ ସମସ୍ୟା ବଢାଇ ଦେଇଛନ୍ତି । ଖଣ୍ଡପୀଠଙ୍କ ନିର୍ଦେଶ କଂଗ୍ରେସ-ଜେଡ଼ିଏସ୍ ମେଂଟରେ ଆଶାର ସଂଚାର କରିଛି । ୟେଦୁରାପ୍ପା ୧୭ ତାରିଖ ସକାଳେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଥିଲେ ମଧ୍ୟ ବିଧାନସଭାରେ ଶକ୍ତି ପରୀକ୍ଷା ସରିବା ପରେ ହିଁ ମନ୍ତ୍ରୀ ପରିଷଦର ବିସ୍ତାର କରିବେ ବୋଲି ସୂଚନା ଦେବା ତାଙ୍କ ପ୍ରତି ରହିଥିବା ସଂକଟକୁ ସୂଚାଉଛି । ସୁପ୍ରିମ କୋର୍ଟ ଖଣ୍ଡପୀଠରେ ଶୁକ୍ରବାର ଦାଖଲ ହେବାକୁ ଥିବା ଉଭୟ ପକ୍ଷର ବିଧାୟକ ତାଲିକା ଏବଂ ରାଜ୍ୟପାଳଙ୍କ ଚିଠି ୟେଦୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାର ସୁଯୋଗ ଦେବ କି କଂଗ୍ରେସ-ଜେଡ଼ିଏସ ମେଂଟକୁ ସୁହାଇଳା ଭଳି ହେବ ତାହା କହି ହେବ ନାହିଁ । ତେବେ, କୋର୍ଟଙ୍କ ରାୟ କଣ ହେବ, ସେ ନେଇ ରାଜନୈତିକ ମହଲରେ ଉତ୍ସୁକତା ଲକ୍ଷ୍ୟ କରାଯାଉଛି । ବିଜେପିର ୧୦୪ ଜଣ ବିଧାୟକ ଥିବା ସମୟରେ ସରକାର ଗଠନ ପାଇଁ ସର୍ବନିମ୍ନ ୧୧୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେଣୁ, ବିଜେପି ଆଉ ୮ ଜଣ ବିଧାୟକଙ୍କ ସମର୍ଥନ କେମିତି ଯୋଗାଡ କରିବ, ତାହା ବଡ ପ୍ରଶ୍ନ ହୋଇଛି ।
କର୍ଣ୍ଣାଟକ ବିଧାନସଭାରେ ବିଜେପିର ଆବଶ୍ୟକ ସଂଖ୍ୟାଗରିଷ୍ଠତା ନ ଥାଇ ରାଜ୍ୟପାଳ ବାଜୁଭାଇ ଭାଲା ସରକାର ଗଠନ ପାଇଁ ବିଜେପି ବିଧାୟକ ଦଳ ନେତା ବି.ଏସ୍. ୟେଦୁରାପ୍ପାଙ୍କୁ କେମିତି ନିମନ୍ତ୍ରଣ କଲେ, ତାହା ସମ୍ବିଧାନ ବିଶାରଦଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ସମ୍ମତ ନୁହେଁ କହି କଂଗ୍ରେସ ଓ ଜେଡ଼ିଏସ୍ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଥିବା ଦଳକୁ ରାଜ୍ୟପାଳ ସରକାର ଗଠନ ପାଇଁ ପ୍ରଥମେ ଆମନ୍ତ୍ରଣ କରିବାର ପରଂପରା ଥିଲେ ମଧ୍ୟ ବିହାର, ଗୋଆ, ମଣିପୁ. ମେଘାଳୟରେ ବିଜେପି ଏହି ପରଂପରା ଭଙ୍ଗ କରି ସାରିଛି । ପରଂପରାକୁ ଉପେକ୍ଷା କରି ସେସବୁ ରାଜ୍ୟର ରାଜ୍ୟପାଳମାନେ ବିଜେପିକୁ ସରକାର ଗଠନର ସୁଯୋଗ ଦେଇ ଥିବାରୁ କର୍ଣ୍ଣାଟକରେ ସେଥିରେ ବ୍ୟତିକ୍ରମ କେମିତି ହେବ ବୋଲି ଏବେ ପ୍ରଶ୍ନ ଉଠିଛି । ଏହି ସବୁ ରାଜ୍ୟରେ ହୋଇ ଥିବା ନିର୍ବାଚନରେ କଂଗ୍ରେସ ଓ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ମଧ୍ୟ ଭୋଟ ଫଳାଫଳ ପରେ ଅନ୍ୟ ଦଳଙ୍କ ସହ ମେଂଟ କରି ବିଜେପି ସରକାର ଗଠନ କରିଛି । ସେସବୁ ରାଜ୍ୟର ରାଜ୍ୟପାଳମାନେ ବିଜେପିକୁ ଏହି ସୁଯୋଗ ଦେଇଛନ୍ତି । ଏବେ କର୍ଣ୍ଣାଟକ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠତା କଥା ଉଠାଇ ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦେଇଥିବାରୁ ଗୋଆ, ବିହାର, ମେଘାଳୟ ଓ ମଣିପୁର କ୍ଷେତ୍ରରେ ମଧ୍ୟ ତାହା ଲାଗୁ କରାଯିବା ଦାବିରେ ଏହି ସବୁ ରାଜ୍ୟର କଂଗ୍ରେସ ଓ ଆରଜେଡ଼ି ଓ ଅନ୍ୟ ଦଳର ନେତାମାନେ ନିଜ ନିଜ ରାଜ୍ୟର ରାଜ୍ୟପାଳମାନଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଘୋଷରା କଲେଣି । ଆରଜେଡ଼ି କଂଗ୍ରେସ ନେତାମାନେ ନିଜ ନିଜ ରାଜ୍ୟର ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗି ଥିବା ଦେଶରେ ଏକ ନୂତନ ଆନେ୍ଦାଳନର ସୂତ୍ରପାତ କରିବାକୁ ଯାଉଛି ।
ସମ୍ବିଧାନ ବିଶେଷଜ୍ଞ ରାମଜେଠ ମାଲାନୀ ଗୁରୁବାର ଦିନ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ‘ସଂପୂର୍ଣ୍ଣ ଅସାମ୍ବିଧାନିକ’ କହି ବିଜେପିର ସମାଲୋଚନା କରିଛନ୍ତି । ଅପରପକ୍ଷରେ, ବିଜେପି ନେତୃତ୍ୱ କର୍ଣ୍ଣାଟକରେ ୟେଦୁରାପ୍ପା ସରକାରକୁ ସୁରକ୍ଷିତ ରଖିବା ସକାଶେ ଘୋଡା ବେପାର ଆରମ୍ଭ କରି ଦେଇ ଥିବାରୁ ଉଭୟ କଂଗ୍ରେସ ଓ ଜେଡ଼ିଏସ୍ ଭୟଭୀତ । ନିଜ ନିଜ ବିଧାୟକଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ବିଧାୟକମାନଙ୍କୁ ନେଇ ବିଜେପି ଠାରୁ ଅପହଂଚ ଦୂରତ୍ୱକୁ ଚାଲି ଯିବା ପାଇଁ ଉଭୟ ଦଳର ନେତୃତ୍ୱ ବନେ୍ଦାବସ୍ତ କରୁଥିବା ବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଖବର ମଧ୍ୟ ଆସୁଛି । କର୍ଣ୍ଣାଟକରେ ସରକାର ଗଠନକୁ ନେଇ ଦୁଇ ଦିନ ହେଲା ଚାଲି ଥିବା ଏହି ରାଜନୈତିକ ହଟଚମଟ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା କାମ କରୁଛି କି ନାହିଁ ସେ ନେଇ ସନେ୍ଦହ ସୃଷ୍ଟି କରୁଛି । କଂଗ୍ରେସ ଓ ଜେଡ଼ିଏସ୍ ର ଆବେଦନ ଉପରେ ଶୁଣାଣୀ ପାଇଁ ସୁପ୍ରିମ କୋର୍ଟ ଶୁକ୍ରବାର ସକାଳ ୧୦ଟା ସମୟକୁ ଧାର୍ଯ୍ୟ କରିଥିବା ବେଳେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା ତରବରିଆ ଭାବେ ବିଜେପି ବିଧାୟକ ଦଳ ନେତା ବି.ଏସ୍. ୟେଦୁରାପ୍ପାଙ୍କୁ ୧୭ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇବା କେତେଦୂର ଆଇନସିଦ୍ଧ ତାହା ମଧ୍ୟ ପ୍ରଶ୍ନ ଉଠୁଛି । ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ । ରାଜ୍ୟପାଳଙ୍କ ତରବରିଆ ନିଷ୍ପତ୍ତି ପଛରେ କେନ୍ଦ୍ର ସରକାରଙ୍କ ସମର୍ଥନ ଥିବା ନିଶ୍ଚିତ । ଏହି ଆଜିର ରାଜନୀତିରେ ମୂଲ୍ୟବୋଧର ଏବଂ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଶ୍ରଦ୍ଧାର ଅଭାବକୁ ପ୍ରତିଫଳିତ କରିଛି ।
ଅତୀତରେ, ସରକାର ଗଠନ ସମୟରେ ରାଜ୍ୟପାଳମାନେ ଦାବିଦାର ଥିବା ଦଳ ନିକଟରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଅଛି କି ନାହିଁ ତାହା ପରଖୁ ଥିଲେ । ବିଧାୟକମାନଙ୍କ ଦସ୍ତଖତ ସମ୍ଭଳିତ ଚିଠି ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରିବାକୁ କୁହାଯାଉଥିଲା । ଆବଶ୍ୟକ ହେଲେ ରାଜ୍ୟପାଳମାନେ ସଂଖ୍ୟା ଯାଂଚ ପାଇଁ ରାଜଭବନରେ ବିଧାୟକମାନଙ୍କ ପରେଡ଼ ମଧ୍ୟ କରାଉ ଥିଲେ । କର୍ଣ୍ଣାଟକରେ ଏସବୁ କିଛି ହୋଇ ନାହିଁ । ରାଜ୍ୟପାଳ କଂଗ୍ରେସ-ଜେଡ଼ିଏସ୍ ନିକଟରେ ମିଳିତ ବିଧାୟକଙ୍କ ସଂଖ୍ୟା ୧୧୬ ଥିବା ଜାଣି ମଧ୍ୟ ତାହାକୁ ଉପେକ୍ଷା କରି ୧୦୪ ବିଧାୟକ ଥିବା ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଳେ । ଏହା ତାଙ୍କ ଅସହାୟତା ଓ ପ୍ରଭୁ ଭକ୍ତିର ପ୍ରମାଣ ଦେଉଛି । ତେବେ, ପ୍ରଭୁ ଭକ୍ତି ସାମ୍ବିଧାନିକ ମୂଲ୍ୟବୋଧ ଠାରୁ ଉଧ୍ୱର୍ରେ ନୁହଁ, ତାହା କେମିତି କର୍ଣ୍ଣାଟକ ରାଜ୍ୟପାଳ ଜାଣି ପାରିଲେ ନାହିଁ (!) ବୋଲି ପ୍ରଶ୍ନ ହେଉଛି । ୟେଦୁରାପ୍ପାଙ୍କୁ ଦିନିକିଆ ମୁଖ୍ୟମନ୍ତ୍ରୀ କହି କର୍ଣ୍ଣାଟକ କଂଗ୍ରେସ ବିଧାୟକମାନେ କାଲିର ଶପଥ ପାଠ ପରେ ତାତ୍ସଲ୍ୟ କରିଛନ୍ତି ଏବଂ ଗୁରୁବାର ଶପଥ ପାଠ ଉତ୍ସବ ଚାଲି ଥିବା ସମୟରେ କର୍ଣ୍ଣାଟକ ବିଧାନ ସଭା ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତୀ ତଳେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି । ଘୋଡା ବେପାରକୁ ବଂଚିବା ପାଇଁ ଜେଡ଼ିଏସ୍ ତାହାର ୩୮ ନବ ନିର୍ବାଚିତ ବିଧାୟକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପ୍ରୟାସରେ ଥିବା ବେଳେ କଂଗ୍ରେସ ଦଳ ତାହାର ୭୮ ବିଧାୟକଙ୍କୁ କୋଚି ନେଇ ଯିବା ବ୍ୟବସ୍ଥା କରିଥିବା ସୁଚନା ମିଳିଛି । ସବୁଠାରୁ ଅଧିକ ଚମକପ୍ରଦ ଖବର ହେଉଛି, ବିଜେପିର ଖୋଲାମେଲା ଘୋଡା ବେପାର ।
ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପାଙ୍କୁ ୧୫ ଦିନ ସମୟ ମିଳି ଥିବା ବେଳେ ଆଠ ଜଣ ବିଧାୟକଙ୍କୁ ଦଳ ସପକ୍ଷରେ ଆଣିବା ଆବଶ୍ୟକତା ରହିଛି । ସରକାରଙ୍କୁ ସମର୍ଥନ ଦେବା ପାଇଁ ଅର-ବିଜେପି ବିଧାୟକ ପିଛା କୋଟିଏ ଟଙ୍କା ପର୍ଯ୍ୟନ୍ତ କାରବାର ଉଦ୍ୟମ ହେଉଥିବା ଗୁରୁବାର ଗୋଟିଏ ଜାତୀୟ ଟେଲିଭିଜନ ଚ୍ୟାନେଲରେ ଚର୍ଚ୍ଚାର ବିଷୟ ଥିଲା । ସେହିଭଳି, ଅନ୍ୟ ଏକ ଚ୍ୟାନେଲର ଖବର ଅନୁଯାୟୀ, ଯେଉଁ ୮ ଜଣ ଅଣ-ବିଜେପି ବିଧାୟକ ବିଜେପି ସରକାରଙ୍କୁ ସମର୍ଥନ ଦେବେ ସେମାନଙ୍କ ମଧ୍ୟରୁ ଜଣକ ପାଇଁ ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦ ଓ ଅନ୍ୟମାନଙ୍କ ପାଇଁ ମନ୍ତ୍ରୀ ପଦ, ଆଗାମୀ ଦିନରେ ଖାଲି ହେବାକୁ ଥିବା ୨୦ଟି ବିଧାନ ପରିଷଦ ଆସନରୁ ଆଠଟିରେ ଲଢିବା ପାଇଁ ବିଜେପି ଟିକଟ ଏବଂ ନିର୍ବାଚନରେ ଜିତାଇବାର ନିର୍ଭର ପ୍ରତିଶ୍ରୁତି ଦିଆ ଯାଇ ଘୋଡା ବେପାର ଆରମ୍ଭ କରାଯାଇଛି । ପୂର୍ବରୁ କେବେ ଏଭଳି ଖୋଲା ଘୋଡା ବେପାର ଦେଖିବାକୁ ମିଳି ନ ଥିଲା । ଯାହା ହେଉଥିଲା ଗୋପନରେ । ଦେଶକୁ କଂଗ୍ରେସ-ମୁକ୍ତ କରିବା ଆଳରେ ବିଜେପି ଏଭଳି ଗୋଟିକ ପରେ ଗୋଟିଏ ରାଜ୍ୟ ଦଖଲ କରିବାର ଯେଉଁ ଅଭିନବ ପ୍ରୟାସ ଚଳାଇଛି, ତାହା ଅଣ-ବିଜେପି ଶାସିତ ରାଜ୍ୟ ସରକାରଙ୍କ ହୃଦ୍କଂପ ବଢାଇଛି । କ୍ଷମତା ଦଖଲ ପାଇଁ ବିଜେପି ଯେ କୌଣସି ସ୍ତରକୁ ଯାଇ ପାରେ; ତାହା ଏଥିରୁ ପ୍ରମାଣ ହେଉଛି ।
ଅତୀତରେ, ବିହାର, ଗୁଜରାଟ, ଗୋଆ, ମଣିପୁର, ମେଘାଳୟ ପ୍ରଭୃତି ରାଜ୍ୟରେ ବିଜେପି ସରକାର ଗଢି ବାହାସ୍ପୋଟ ମାରିଥିବା ବଳେ ସବୁଠି ଜବରଦକଲ ରାଜନୀତି ହୋଇଥିବା ଦେଖିବାକୁ ମିଳିଛି । ୪୦ ବିଧାନସଭା ଆସନ ବିଶିଷ୍ଟ ଗୋଆରେ କଂଗ୍ରେସର ୧୭ ଓ ବିଜେପି ୧୨ର ବିଧାୟକ ଥିବା ବେଳେ ଗୋଆ ରାଜ୍ୟପାଳ କଂଗ୍ରେସକୁ ଉପେକ୍ଷା କରି ନିର୍ବାଚନ ପରେ ଏମଜିପି ଓ ଜିଏଫପି ସହ ମେଂଟ କରିଥିବା ବିଜେପିକୁ ସରକାର ଗଠନ ସୁଯୋଗ ଦେଇ ଥିଲେ । ସେହିଭଳି ମଣିପୁରରେ ୬୦ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ହାତରେ ୨୮ ଓ ବିଜେପି ହାତରେ ୨୧ ଥିବା ବେଳେ ନିର୍ବାଚନ ପରେ ଅନ୍ୟ ଆଂଚଳିକ ଦଳଙ୍କ ସହ ମେଂଟ କରିଥିବା ବିଜେପି ସରକାର ଗଠନ ସୁଯୋଗ ପାଇଲା । ମେଘାଳୟରେ ୬୦ ବିଧାନସଭା ଆସନରୁ କଂଗ୍ରେସ ପାଖରେ ୨୧ ଓ ବିଜେପି ପାଖରେ ମାତ୍ର ୨ଟି ଥାଇ ବିଜେପି ଏନପିଇପି, ୟୁଡ଼ିପି, ପିଡ଼ିଏଫ, ଏଚଏସଡ଼ିପିଡ଼ିପି ସହ ନିର୍ବାଚନ ପର ମେଂଟ କରି ସରକାର ଗଢିଛି । ବିହାରରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ଥିବା ବେଳେ ଜେଡ଼ିୟୁ ନେତା ନୀତୀଶ କୁମାର ବିଜେପି ସହ ମେଂଟ କରି ରାଜ୍ୟରେ ସରକାର ଗଢିଲେ ଏବଂ ନିଜେ ମୁଖ୍ୟମନ୍ତ୍ରୀ ରହିବା ସହ ବିଜେପିକୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେଲେ । ତେବେ, ସେହି ବିଜେପି କର୍ଣ୍ଣାଟକରେ ଏକକ ସଂଖ୍ୟାଗରିଷ୍ଠତା ସପକ୍ଷରେ ଓକିଲାତି କରି କଂଗ୍ରେସ-ଜେଡ଼ିଏସ୍ ମେଂଟକୁ ସରକାର ଗଠନ ସୁଯୋଗରୁ ବଂଚିତ କରିଛି । କର୍ଣ୍ଣାଟକରେ ନିର୍ଦଳୀୟ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିବା ଦୁଇ ବିଧାୟକ ବିଜେପି ନିଜ କବ୍ଚାକୁ ନେବାକୁ ଉଦ୍ୟମ କରି ବିଫଳ ହେବା ପରେ କଂଗ୍ରେସ ଓ ଜେଡ଼ିଏସ ବିଧାୟକଙ୍କ ଉପରେ ଆଖି ପକାଇଛି । ନିର୍ଦଳୀୟ ବିଧାୟକ ଦ୍ୱୟ କଂଗ୍ରେସ ଓ ଜେଡ଼ଏସ୍ରେ ସାମିଲ ହୋଇ ମେଂଟର ଗଣତିକୁ ୧୧୮କୁ ବୃଦ୍ଧି କରିଥିବା ପ୍ରକାଶ ।
ଶୁକ୍ରବାର ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠରେ ଏହି ଗଣିତକୁ ନେଇ ଶୁଣାଣୀ କରିବେ ଏବଂ ରାୟ ଦେବେ । କୋର୍ଟ ରାୟ ଉପରେ ସମସ୍ତଙ୍କ ନଜର ରହିଛି । ତେବେ, ରାୟ କାହା ସପକ୍ଷରେ ଯିବ ବା ୟେଦୁରାପ୍ପା ସରକାର ରାଜ୍ୟପାଳଙ୍କ ନିର୍ଦେଶ ପ୍ରକାରେ ୧୫ ଦିନ ମଧ୍ୟରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଯାଇ କଂଗ୍ରେସ ବା ଜେଡ଼ିଏସ୍ ର କେତେ ବିଧାୟକଙ୍କୁ ନିଜ ଆଡକୁ ଟାଣି ପାରିବେ, ତାହା ଭିନ୍ନ କଥା । ଆଜିର ପରିପ୍ରେକ୍ଷୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଆମ ଯୁବ ପୀଢି ଏହି ଗୋଳିଆ ରାଜନୀତିରୁ କଣ ଶିଖିବେ । ଦେଶର ରାଜନୈତିକ ବ୍ୟବସ୍ଥା ଓ ରାଜନେତାଙ୍କ ଆଚରଣ ଯୁବ ପୀଢିର ଆଦର୍ଶ ନ ହୋଇ ଅଭିଶାପ ହେବାକୁ ଯାଉଥିବା ଚିନ୍ତାର ବିଷୟ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS