କେନ୍ଦୁଝରର ପ୍ରାକୃତିକ ବୈଭବ ଭିତରେ ଦାରିଦ୍ରର ଛବି


ଭୁବନେଶ୍ୱର (ମୋ ଅନୁଭବ): ପ୍ରାକୃତିକ ବିଭବ ପାଇଁ କେନ୍ଦୁଝର ଜିଲ୍ଲାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ଜିଲ୍ଲାରେ ରହିଛି ପ୍ରସିଦ୍ଧ ଶକ୍ତିପୀଠ ଘଟଗାଁ ତାରିଣୀ । ତା’ଛଡା ଅଛି ସାନଘାଗରା, ବଡଘାଗରା, ଖଂଡାଧାର ଜଳପ୍ରପାତ । ପଡୋଶୀ ଦେବଗଡ ଜିଲ୍ଲାରେ ରହିଛି ପ୍ରଧାନପାଟ ଜଳପ୍ରପାତ । ଖଣିଖାଦାନ ସହ ଜଙ୍ଗଲ ସମ୍ପଦରେ ଭରପୂର ଏହି ଜିଲ୍ଲା । ଏହି ଜିଲ୍ଲା ଅନ୍ତର୍ଗତ କାଂଜିପାଣି ଘାଟି ପଡୋଶୀ ଦେବଗଡ ଓ ଅନୁଗୁଳ ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ କାଂଜିପାଣି ଘାଟିର ସୌନ୍ଦର୍ଯ୍ୟ ମଧ୍ୟ ଅତ୍ୟନ୍ତ ମନୋରମ । ଗ୍ରୀଷ୍ମରୁତୁରେ ଏହି ଘାଟିରେ ଜଙ୍ଗଲୀ ଫଳମୂଳର ସମ୍ଭାର ଦେଖିବାକୁ ମିଳିଥାଏ । ଏହି ଘାଟି ଦେଇ ଯିବା ସମୟରେ ଶାଳ କାଠି, ପଣସ, ଆମ୍ବ, ଖଜୁରୀ କୋଳୀ, ଜାମୁକୋଳୀ, କେନ୍ଦୁ, ଲିଚୁ , ଡିମିରୀ ଫଳର ପସରା ଦେଖିବାକୁ ମିଳିଥାଏ । ବଜାର ଦର ଠାରୁ ବେଶ୍ କମ୍ ଦରରେ ଏଠାରେ ମିଳେ ଏହି ସବୁ ଜଙ୍ଗଲୀ ଫଳ । କିନ୍ତୁ ବେଶ୍ କିଛି ବର୍ଷ ହେଲା ଆଉ ପୂର୍ବପରି ଏହି ସବୁ ଫଳର ପସରା ଦେଖିବାକୁ ମିଳୁ ନାହିଁ । ଖଜୁରୀ, କେନ୍ଦୁ, ଆମ୍ବ ପରି ଫଳ ଆଉ ଆଗ ପରି ଦେଖିବାକୁ ମିଳୁ ନ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।
ଜଙ୍ଗଲରୁ ପୁରୁଣା ଆମ୍ବ ଗଛ ସରି ସରି ଆସୁଛି । ଜଙ୍ଗଲ ବିଭାଗ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରୁଥିଲେ ମଧ୍ୟ ଆମ୍ବ, ପଣସ ପରି ଗଛ ଲଗାଉ ନ ଥିବାରୁ ଜଙ୍ଗଲ ଉପରେ ନିର୍ଭର କରି ଚଳୁ ଥିବା ଆଦିମ ଜନଜାତିର ଲୋକମାନେ ସଂପ୍ରତ୍ତି ଜୀବିକା ସଙ୍କଟ ଦେଇ ଗତି କରିବା ସହ କର୍ମ ଅନ୍ୱେଷଣରେ ଅନ୍ୟ ଅଂଚଳକୁ ଚାଲି ଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଖଣିଖାଦାନ, ଜଙ୍ଗଲ ଆଦି ପ୍ରକୃତିକ ବୈଭବ ଲାଗି ଏକଦା ଓଡିଶାରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା କେନ୍ଦୁଝରର କାଂଜିପାଣି ଘାଟିରେ ଜଙ୍ଗଲୀ ଫଳ ବିକ୍ରି କରୁଥିବା ଜନଜାତିଙ୍କ ସହ କଥାବାର୍ତାରୁ କେନ୍ଦୁଝରର ପ୍ରକୃତିକ ବୈଭବ ଭିତରେ ଲୁଚି ରହିଥିବା ଦାରିଦ୍ରକୁ ବେଶ୍ ନିକଟରୁ ଅନୁଭବ କରିି ହୁଏ । ସରକାର କେନ୍ଦୁଝରର ଏହି ଜଙ୍ଗଲର ଗାରିମା ରଖିବା ସହ ଯଥେଷ୍ଟ ପରିମାଣର ଫଳଚାରା ରୋପଣ କଲେ ପୂର୍ବାବସ୍ଥା ଫେରି ଆସନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜିବୀମାନେ କହିଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS