ବୁଦା ମୂଳରୁ ଉଦ୍ଧାର ହେଲା ଶିଶୁ ପୁତ୍ର, କୁମାରୀ ମାତୃତ୍ୱର ପରିଣତି ସନ୍ଦେହ
ବେଲଗୁଣ୍ଠା(ପ୍ରଦ୍ୟୁମ୍ନ ପାତ୍ର): ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ସୋରଡ ଗ୍ରାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ମଙ୍ଗଳବାର ସକାଳେ ଏହି ଗ୍ରାମର ଶେଷ ମୁଣ୍ଡରେ ରହୁଥିବା ମହେଶ୍ୱର ଜେନାଙ୍କ ଘର ନିକଟ ଏକ ବୁଦା ମୂଳରୁ କନାରେ ଗୁଡା ହୋଇ ପଡି ଥିବା ଅବସ୍ଥାରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । କୁମାରୀ ମାତୃତ୍ୱର ପରିଣତି ସ୍ୱରୂପ କେହି ଜଣେ ଏହି ଶିଶୁପୁତ୍ରକୁ କନାରେ ଗୁଡାଇ ବୁଦା ମୂଳେ ଫିଙ୍ଗ ଦେଇଥିବା ଅନୁମାନ କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ସମୟରେ ସୋରଡ ଗ୍ରାମର ମହେଶ୍ୱର ଜେନାଙ୍କ ଘର ନିକଟରେ ଥିବା ବୁଦା ମୂଳେ କନାରେ ଗୁଡା ହୋଇ କିଛି ଜିନିଷ ପଡିଥିବା ଦେଖି ତିନିଟିି ବୁଲା କୁକୁର ସେଠାରେ ଯୋରରେ ଭୁକି ଥିଲେ । ଗ୍ରାମବାସୀ କୁକୁରଙ୍କ ଭୁକିବା ଦେଖି ସନେ୍ଦହରେ ସେହି ବୁଦା ନିକଟକୁ ଯାଇ ଥିଲେ । ବୁଦା ମୂଳେ କନାରେ ଗୁଡା ହୋଇ ପଡି ଥିବା ପୁଟୁଳିକୁ ଖୋଲିବାରୁ ସେଥିରୁ ଏକ ନବଜାତ ଶିଶୁପୁତ୍ର ଜୀବନ୍ତ ଅବସ୍ଥାରେ ମିଳି ଥିଲା । ମହେଶ୍ୱର ଓ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି କୈଳାଶ ରଣା ଏଏସଏ ଦିଦିଙ୍କ ସହାୟତାରେ ଶିଶୁଟିକୁ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଥିବା ଜାଣି ଘରକୁ ନେଇ ଆସିଥିଲେ । କୈଳାଶ ରଣାଙ୍କ କୌଣସି ପୁତ୍ର ସନ୍ତାନ ନ ଥିବାରୁ ସେ ଶିଶୁଟିକୁ ନିଜ ଘରକୁ ନେଇ ଯାଇଥିବା ଖବର ମିଳି ଥିଲା । ତେବେ, ରାତି ୧୦ଟା ସମୟରେ ଶିଶୁଟି ଅସୁସ୍ଥ ହୋଇ ପଡିବାରୁ ଭଂଜନଗର ଡ଼ାକ୍ତରଖାନାକୁ ନିଆ ଯିବା ବେଳେ ବାଟରେ ତା’ର ମୃତ୍ୟୁ ଘଟିଥିବା ଜଣାପଡିଛି ।
କିଛି ଦିନ ତଳେ (ମେ’ ୨୫ ତାରିଖ)ସୋରଡ ଗ୍ରାମର ବାସିନ୍ଦା ଏ. କରଡାବାଡ଼ି ପଂଚାୟତର ସରପଂଚ ଖଦାଳ ପ୍ରଧାନଙ୍କ ପୁଅ ସରୋଜ ପ୍ରଧାନଙ୍କୁ କେତେକ ଦୁର୍ବୁତ୍ତ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ଏହି ଗ୍ରାମ ଚର୍ଚ୍ଚାରେ ଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS