ବେଲଗୁଣ୍ଠା ଶ୍ରୀ ଜଗନ୍ନାଥସ୍ୱାମୀଙ୍କ ନବକଳେବର, ଦାରୁ ଛେଦନ ପରେ ବିରାଟ ପଟୁଆରରେ ପହଂଚିଲା ମନ୍ଦିରରେ
ବେଲଗୁଣ୍ଠାରୁ ସୁଶାନ୍ତ ମିଶ୍ରଙ୍କ ରିପୋର୍ଟ, ଜୁନ୍ ୦୬: ଚଳିତ ବର୍ଷ ବେଲଗୁଣ୍ଠା ଶ୍ରୀ ଜଗନ୍ନାଥସ୍ୱାମୀଙ୍କ ନବକଳେବର ପାଇଁ ପ୍ରସ୍ତୁତି ଯୋରସୋର ଚାଲିଛି । ଚିହ୍ନଟ କରି ରଖା ଯାଇଥିବା ଦାରୁ ଆଜି ଛେଦନ ପରେ ଏକ କାଠ ଶଗଡ଼ରେ ବିରାଟ ଶୋଭାଯାତ୍ରାରେ ଆସି ବେଲଗୁଣ୍ଠା ଜଗନ୍ନାଥ ମନ୍ଦିରରେ ପହଂଚିଛି । ଏହାକୁ ଦେଖିବା ପାଇଁ ହଜାର ହଜାର ଜଗନ୍ନାଥପ୍ରେମୀଙ୍କ ଭିଡ଼ ପରିଲକ୍ଷିତ ହୋଇ ଥିଲା ।
ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଉଢ଼ୁରା ନିକଟସ୍ଥ ଜଗନ୍ନାଥଙ୍କ ଦାରୁ ସ୍ଥଳରୁ ଏକ ୮୪ଜଣିଆ କଳସ ଶୋଭାଯାତ୍ରା ନିକଟସ୍ଥ ବୋଡ଼ା ନଦୀରୁ ଜଳଯାତ୍ରାରେ ଆସିବା ପରେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ଅଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ସମାପନ ପରେ ହୋମ ଯଜ୍ଞ ନିମନ୍ତେ ପୁରୀ ଜଗନ୍ନାଥ ଧାମରୁ ଆସିଥିବା ଜଗନ୍ନାଥ ଗବେଷକ ସୂର୍ଯ୍ୟ ନାରାୟଣ ରଥ ଶର୍ମା ଓ ଦଇତାପତି ଲୋକନାଥ ଦାଶ ମହାପାତ୍ରଙ୍କ ସହ ଏକ ୧୦ଜଣିଆ ଦଳ ହୋମ ଯଜ୍ଞ କାର୍ଯ୍ୟକ୍ରମ ସମାପନ କରିଥିଲେ । ପଣ୍ଡିତ ରାମକୃଷ୍ଣ ପତି ସେମାନଙ୍କୁ ସହଯୋଗ କରିଥିଲେ । ଆଜି ସକାଳେ ସୂର୍ଯ୍ୟପୂଜା, ଯଜ୍ଞ, ବୃକ୍ଷର ସ୍ଥିତି ଆଳତୀ ସହ ବୃକ୍ଷମୂଳେ ଦହି, କ୍ଷୀର, ଚୁଆ, ଘିଅ, ମହୁ, ଧୂପ ଦେଇ ପୂଜାର୍ଚ୍ଚନା କରିବା ପରେ ପୁରୀରୁ ଆସିଥିବା ସୁନା କୁରାଢ଼ୀରେ ପ୍ରଥମେ ଦାରୁ ଛେଦନ କରାଯାଇଥିଲା । ପରେ ରୁପା କୁରାଢ଼ୀ ଓ ଅଷ୍ଟଧାତୁ କୁରାଢ଼ୀରେ ଛେଦନ କରାଗଲା । ଏକ ତିନିଜଣିଆ ମାନସିକଧାରୀ ଦଳ ଦିନ ତମାମ ଉପବାସରରେ ରହି ଦାରୁ ଛେଦନ କରିଥିଲେ ଏବଂ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି ଛେଦନ କାର୍ଯ୍ୟ ସକାଳ ୧୦ଘ୪୫ମି ସମୟରୁ ଆରମ୍ଭ ହୋଇ ଅପରାହ୍ନ ୧ଘ. ୫୫ମି ସମୟରେ ସମାପନ ହୋଇଥିଲା । ଗଛରୁ ଚିହ୍ନଟ କରାଯାଇଥିବା ଜଗନ୍ନାଥଙ୍କ ଦାରୁକୁ କଟାଯିବା ପରେ ଏକ ସୁସଜ୍ଜିତ କାଠ ଶଗଡ଼ରେ ପ୍ରଥମେ ଉଢୁରା ଗ୍ରାମ ପରିକ୍ରମା କରି ପରେ ଜଗନ୍ନାଥ ପ୍ରସାଦ ରୋଡ଼, ହାଟପଦା, ବାଙ୍କବଜାର ଓ ବଡ଼ଦାଣ୍ଡ ଦେଇ ମନ୍ଦିର ପରିସରରେ ଥିବା କାରୁଶାଳାରେ ଅବସ୍ଥାପିତ କରାଯାଇଛି । ଯଥାବିଧି ପୁରୀ ନିୟମାନୁଯାୟୀ ନବକଳେବର ସମ୍ପାଦିତ ହେବ । ପୂର୍ବତନ ନଗରପାଳ ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ରନାଥ ମହାପାତ୍ର ଓ ତାଙ୍କ ସହଧର୍ମିଣୀ ଝୁନୁ ମହାପାତ୍ର କର୍ତର୍ା ଭାବେ ଯୋଗ ଦେଇଥିଲେ ।
ପ୍ରଥମ ଥର ପାଇଁ ଏ ଅଂଚଳରେ ନବକଳେବର ହେଉ ଥିବାରୁ ଭକ୍ତଙ୍କ ମନରେ ନୂତନ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି । ଉଢ଼ୁରା ଠାରେ ଦାରୁ ଛେଦନ ପରେ ପ୍ରାୟ ୧୫ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ବଂଟନ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନ ତରଫରୁ ଜଳଯୋଗାଣ ଓ ପଣା ପାଣି ବଂଟା ଯାଉଥିବା ଦେଖିବାକୁ ମିଳିଛି । ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ଓ.ଏସ୍.ଏ.ପି ଫୋର୍ସ ମୁତୟନ କରାଯାଇଥିଲା । ଦାରୁ ଆସୁଥିବା ସମୟରେ ମହିଳାମାନେ ଦାଣ୍ଡରେ କୁମ୍ଭ ବାଢ଼ି ହୁଳୁହୁଳା ଦେଇ ଦାରୁକୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି । ବେଲଗୁଣ୍ଠା ଜଗନ୍ନାଥ ଟ୍ରଷ୍ଟ ବୋର୍ଡ଼ ସଭାପତି ଚିନଂ. ଚିଦାନନ୍ଦ ପାତ୍ରଙ୍କ ସମେତ ୨୧ଜଣିଆ ନବକଳେବର କମିଟି ଓ ବେଲଗୁଣ୍ଠାର ସମସ୍ତ କାଉନସିଲର, ବୁଦ୍ଧିଜୀବୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉଢ଼ୁରା ସରପଂଚ ଟୁକୁନା ସାମଲ, ପଂଚାନନ ସାମଲ, ଦୁର୍ଗାମାଧବ ନାୟକ, ଶିବ ପ୍ରସାଦ ମହାପାତ୍ର, ଦିବ୍ୟ ରଂଜନ ଦାଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS