– ଅତିଥି ସ୍ତମ୍ଭ – ସେବାୟତଙ୍କୁ ଛାଟ: ଜନଅସନ୍ତୋଷର ପ୍ରତିଫଳନ


ବିଶ୍ୱଜିତ୍ ମିଶ୍ର
ପୁରୀ ଶ୍ରୀମନ୍ଦିର ଓ ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇ ଉଠିଛି । କେବଳ ରାଜ୍ୟ ରାଜନୀତି କାହିଁକି ସମଗ୍ର ଦେଶବାସୀ ଓ କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିଛି ସେବାୟତ ନିଜସ୍ୱ ସଂପତ୍ତି ଭାବିବା ଘଟଣାକୁ ନେଇ ବିଗତ ଦିନର ବହୁ ଜନଅସନ୍ତୋଷର ପ୍ରତିଫଳନକୁ ସ୍ପଷ୍ଟ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଫଳରେ ବିଭିନ୍ନ ସମୟରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜ କୋଠ ସଂପତ୍ତି ଭାବି ଭକ୍ତଙ୍କ ମନରେ ଗୁରୁତର ଆଘାତ ଦେଉଥିବା କିଛି ସେବାୟତଙ୍କ ଶୋଷଣ ଉପରେ ଛାଟ ମାରିଛନ୍ତି ମାନ୍ୟବର ସୁପ୍ରିମ୍ କୋର୍ଟ । ଯାହା ଅଗଣିତ ଶୋଷିତ ଭକ୍ତଗଣଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇ ଥିଲେ ମଧ୍ୟ ଏବେ ବି ସେବାୟତଙ୍କ ସେଇ ପୁରୁଣା ଦାମ୍ଭିକତା ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଓ ମହାପ୍ରଭୁଙ୍କ ଅନ୍ୟାନ୍ୟ ନିତିକାନ୍ତିର ସୁପରିଚାଳନାକୁ ନେଇ ସାଧାରଣରେ ସଂଶୟ ସୃଷ୍ଟି କରିଛି । ଏହାକୁ ପ୍ରଶାସନିକ କଳ କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରିବେ ତାକୁ ନେଇ ତର୍ଜମାର ଆବଶ୍ୟକତା ରହିଛି ।
ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦେଶକ୍ରମେ ମନ୍ଦିର ପ୍ରଶାସନ ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତିି । ତେବେ ଏଥିରେ ପ୍ରଶାସନ କେତେ ଯେ ସଫଳ ହେବ ତାହା ଆଗାମୀ ଦିନରେ ଜଣାପଡିବ । ଶ୍ରୀ ମନ୍ଦିର ସଂସ୍କାର ପାଇଁ ମାନ୍ୟବର ନ୍ୟାୟାଳୟ କେତେକ ଉଦାହରଣ ଦେଇ ତାହାର ଅନୁଶୀଳନ କରିବାକୁ ଯୁକ୍ତି ରଖିଛନ୍ତି । ସୁପ୍ରମ୍ କୋର୍ଟଙ୍କ ଏହି ଛାଟ ଏବେ ବିଶୃଙ୍ଖଳିତ ସେବାୟତଙ୍କୁ ସଠିକ୍ ବାଟକୁ ଆଣି ପାରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି । ତେବେ ପୂର୍ବରୁ ବି ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ବହୁବାର ଉଦ୍ୟମ କରାଯାଇଥିବା ବେଳେ ଏହାର କୌଣସି ପ୍ରଭାବ ବିଶୃଙ୍ଖଳିତ ସେବାୟତଙ୍କ ଉପରେ ପଡି ନ ଥିବା ଲକ୍ଷ କରାଯାଇଛି । ବ୍ରହ୍ମବିଭ୍ରାଟ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଭକ୍ତଙ୍କୁ ସେବାୟତଙ୍କ ଅଶାଳୀନ ବ୍ୟବହାର ଏପରି କି ରକ୍ତାକ୍ତ କରାଯିବା ଘଟଣା ଶ୍ରୀମନ୍ଦିରର ପବିତ୍ରତାକୁ ଅନେକ ସମୟରେ ଲୋକଚକ୍ଷୁରେ ନିନ୍ଦିତ କରିବା ସହ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛି । କେବଳ ସେତିକି ନୁହେଁ ବିଗତ ରଥଯାତ୍ରା ସମୟରେ ରଥାରୁଢ ମହାପ୍ରଭୁଙ୍କ ରଥ ଉପରକୁ ଅବାଂଛିତ ବ୍ୟକ୍ତି ବିଶେଷଙ୍କ ଚଢିବା ବାରଣ ନେଇ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ସତ୍ୱେ ସେବାୟତମାନଙ୍କ ଜୋରଜବରଦସ୍ତ ନିୟମ ଭଙ୍ଗ ନେଇ ମଧ୍ୟ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ । ତେବେ ପ୍ରଶାସନର ଏହି କଡା ଆଭିମୁଖ୍ୟ ଆଗରେ ଖୋଦ୍ ସରକାର ମୁଣ୍ଡ ନୁଆଁଇ ଥିଲେ । ତତ୍କାଳୀନ ପ୍ରଶାସକଙ୍କୁ ପରିବର୍ତର୍ନ କରି ନୂଆ ପ୍ରଶାସକଙ୍କୁ ନିଯୁକ୍ତି ଦେଇ ବିଶୃଙ୍ଖଳିତ ସେବାୟତଙ୍କ ଉପରେ ଲାଗି ଥିବା କଟକଣାକୁ ଉଠାଇ ନିଆ ଯାଇଥିଲା । ଏଭଳି ଘଟଣା ପ୍ରଶାସନ ଓ ସରକାରଙ୍କ ଉପରେ ସେବାୟତ ମାନଙ୍କ ଅଖଣ୍ଡ ପ୍ରଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି । ଏସବୁ କ୍ଷେତ୍ରରେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ଓ ଠାକୁରରାଜା ତଥା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦ୍ୟସେବକ ପୁରୀ ଗଜପତି ମହାରାଜାଙ୍କୁ ମଧ୍ୟ ଭିନ୍ନ ଭିନ୍ନ ସମୟରେ ସେବାୟତ ମାନଙ୍କ ପକ୍ଷରୁ ଅସମ୍ମାନିତ କରାଯାଇଛି । ନିକଟରେ ରତ୍ନଭଣ୍ଡାର ·ବି ହଜିବା ଘଟଣାରେ ବି ଗଜପତି ମହାରାଜାଙ୍କ ଉପରକୁ କିଛି ସେବାୟତଙ୍କ ଆଙ୍ଗୁଳି ନିର୍ଦେଶ ଘଟଣା ସେମାନଙ୍କ ସେବା ମନୋବୃତି ପରିବର୍ତେର୍ ଅହଂଭାବକୁ ସ୍ପଷ୍ଟ କରୁଛି । ଦାବୀପୁରଣ ନିମନ୍ତେ କେତେବେଳେ ସେବାୟତ ମାନେ ଠାକୁରଙ୍କୁ ଉପାସ ରଖି ଦେଉଛନ୍ତି ତ ଆଉ କେତେବେଳେ ଦାବୀ ମୁତାବକ ପାଉଣା ନଦେଇ ବହୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଏହି ସବୁ ସେବାୟତଙ୍କ ଦ୍ୱାରା ଲାଂଛିତ ହୋଇଥିବା ଘଟଣା ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଛି । ଏଥିରୁ ସାଧାରଣ ଭକ୍ତ ବା ବାଦ୍ ଯାଆନ୍ତେ କିପରି? ଯାହାକି ଲୋକଲୋଚନର ଆଢୁଆଳରେ ହିଁ ରହିଯାଉଛି।
ତେବେ କେବଳ ଯେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଏଭଳି ଘଟଣା ଘଟୁଛି ତାହା ନୁହେଁ, ଅନେକ ସମୟରେ ଯଜମାନଙ୍କୁ ନେଇ ମଧ୍ୟ ସେବାୟତଙ୍କ ଆଡୁ ଆକ୍ରମଣ, ପ୍ରତିଆକ୍ରମଣର ନଜିର ଦେଖିବାକୁ ମିଳେ । ଫଳତଃ ରତ୍ନସିଂହାସନରେ ବି ରକ୍ତର ଛିଟା ଲାଗେ । ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ବିଗତ କିଛି ବର୍ଷ ଧରି ଘଟି ଚାଲିଛି । ଏହାର ନିରାକରଣ ପାଇଁ ରାଜ୍ୟ ସରକାର ସେବାୟତ ମାନଙ୍କ ପାଇଁ ବହୁବିଧ ଯୋଜନା ଘୋଷଣା କରିବା ସହ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ବି ଏଭଳି ଆଚରଣରେ ପୂର୍ଣଛେଦ ପଡୁ ନାହିଁ । ଫଳରେ ବାଧ୍ୟ ହୋଇ ଶ୍ରୀମନ୍ଦିରର ସଂସ୍କାର ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କୁ ହସ୍ତକ୍ଷେପ କରବାକୁ ପଡିଲା । ଏଭଳି ଆଚରଣ ଯେ କେବଳ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଘଟୁଛି ତାହା ନୁହେଁ, ଭୁବନେଶ୍ୱରସ୍ଥିତ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଅନ୍ୟାନ୍ୟ କିଛି ମନ୍ଦିରରେ ମଧ୍ୟ ଏଭଳି ବିଶୃଙ୍ଖଳା ଘଟୁଥିବା ବହୁ ସମୟରେ ଅଭିଯୋଗ ହେଉଛି। ତେଣୁ ଓଡିଶା ଭଳି ଏକ ଶାନ୍ତିପ୍ରୀୟ ରାଜ୍ୟରେ ସେବାୟତମାନଙ୍କର ଏଭଳି ପ୍ରାଦୁର୍ଭାବକୁ ରୋକା ନ ଗଲେ ଆଗାମୀ ଦିନରେ ଏହା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଅନେକାଂଶରେ ପ୍ରଭାବିତ କରିବା ସହ ଦେଶ ବିଦେଶରେ ରାଜ୍ୟର ସୁନାମରେ ଆଂଚ ଆଣିବା ନିଃସନ୍ଦେହ ।
ମୋବାଇଲ୍ ନଂ-୯୩୩୮୦୬୧୦୬୦
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS