ଶ୍ରୀମନ୍ଦିର ସଂସ୍କାର ବାଟବଣା ନହେଉ
– ପ୍ରସାଦ ରାଓ –
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ପାଇଁ ସୁପ୍ରିମ କୋର୍ଟ ଦେଇଥିବା ପରାମର୍ଶ ବା ପ୍ରସ୍ତାବକୁ ନେଇ ରାଜ୍ୟରେ ବାଦବିବାଦ ତେଜିବାରେ ଲାଗିଛି । ଶ୍ରୀମନ୍ଦିରର ଦଇତାପତି ନିଯୋଗ, ମନ୍ଦିର ପ୍ରଶାସନ, ପୁରୀ ଶଙ୍କରାଚାର୍ଯ୍ୟ, ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଏବଂ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କ ସଂସ୍କାର ପ୍ରସ୍ତାବକୁ ନେଇ ଯେଭଳି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ସଂସ୍କାର ସମ୍ଭାବନାକୁ କ୍ଷୀଣ କରି ଦେଇଛି । ବିଶେଷକରି, ସେବାୟତଙ୍କ ବଂଶାନୁକ୍ରମିକ ନିଯୁକ୍ତି, ଭକ୍ତଙ୍କ ଠାରୁ ଦାନ ସଂଗ୍ରହ ଉପରେ କଟକଣା ଏବଂ ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନେଇ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ପ୍ରସ୍ତାବ ବିବାଦର କେନ୍ଦ୍ରବିନ୍ଦୁ ହୋଇଛି । ସାଧାରଣ ଜନତା ସୁପ୍ରିମ କୋର୍ଟଙ୍କ ପ୍ରସ୍ତାବ କାର୍ଯ୍ୟକାରୀ ହେବା ନେଇ ଆଶାବାଦୀ । ଅଣହିନ୍ଦୁଙ୍କ ଶ୍ରୀମନ୍ଦିର ପ୍ରବେଶକୁ ସେମାନେ ସ୍ୱାଗତ କରୁଛନ୍ତି । କିନ୍ତୁ, ଶ୍ରୀମନ୍ଦିର ପ୍ରଶାସନ, ଦଇତାପତି ନିଯୋଗ, ରାଜ୍ୟ ସରକାର ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏହାକୁ ନେଇ ଯେଭଳି ବୟାନବାଜୀ ଚଳାଇଛନ୍ତି ସେଥିରୁ ସୁପ୍ରିମ କୋର୍ଟଙ୍କ ପ୍ରସ୍ତାବ ଏକ ପ୍ରତିକୂଳ ବାତାବରଣ ଦେଇ ଗତି କରୁଥିବା ମନେ ହେଉଛି ।
ଶ୍ରୀମନ୍ଦିରରେ ଦୀର୍ଘ ବର୍ଷ ହେଲା ଲାଗି ରହି ଥିବା ଶୋଷଣ ଏବଂ ଅବ୍ୟବସ୍ଥାକୁ ଦୂର କରିବା ସକାଶେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିକଟରେ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଗତ ୫ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ସଂସ୍କାର ପ୍ରସ୍ତାବ ଦେବା ସହ କଡାକଡି ଭାବେ ତାହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି । ଏସବୁ ସଂସ୍କାର ପ୍ରସ୍ତାବ ଦେବା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ହାଇକୋର୍ଟ ଓ ପୁରୀ ଜିଲ୍ଲା ଜଜଙ୍କ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନାା ବାସ୍ତବ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ । ପୁରୀ ଜିଲ୍ଲା ଜଜ ଶ୍ରୀମନ୍ଦିର ପ୍ରଶାସନ, ସରକାର, ଅନ୍ୟ ସଂପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କ ସହ ଆଲୋଚନା କରିବା ପରେ ହାଇକୋର୍ଟ ମାଧ୍ୟମରେ ଯେଉଁ ରିପୋର୍ଟ ଦାଖଲ କଲେ ତାହାକୁ ବିଚାରକୁ ନେଇ ସୁପ୍ରିମ କୋର୍ଟ ଖଣ୍ଡପୀଠ ବିଭିନ୍ନ ସଂସ୍କାର ପ୍ରସ୍ତବକୁ ମଂଜୁରୀ ଦେଇଛନ୍ତି । ପୁରୀ ଜିଲ୍ଲା ଜଜଙ୍କ ରିପୋର୍ଟରେ ସୁପ୍ରିମ କୋର୍ଟ ସନ୍ତୁଷ୍ଟ ଥିବା ଏଥିରୁ ସ୍ପଷ୍ଟ ହେଉଛି । ଜିଲ୍ଲା ଜଜଙ୍କ ସୁପାରିଶ କାର୍ଯ୍ୟକାରୀ କରିବାକୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦେଶ ଦେବା ସହ କାର୍ଯ୍ୟକାରୀ ନ ହେଲେ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ସଂପର୍କରେ ଏହା କୋର୍ଟର ଏକ ଆନ୍ତରୀଣ ରିପୋର୍ଟ ବୋଲି ମନ୍ଦିର ପ୍ରଶାସନ ସ୍ୱୀକାର କରିଛି । ରଥଯାତ୍ରା ପରେ ମନ୍ଦିର ପରିଚାଳନା କମିଟିର ବୈଠକ ବସି ଏହା ଉପରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏହାର ଅଧ୍ୟକ୍ଷ ପୁରୀ ଗଜପତି ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଜିଲ୍ଲା ଜଜଙ୍କ ସୁପାରାଶରେ ଥିବା ଦୁଇଟି ପ୍ରସଙ୍ଗ ପୁରୀ ଗଜପତିଙ୍କ ଠାରୁ ଆରମ୍ଭ କରି ପୁରୀ ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ଗବେଷକମାନଙ୍କୁ ବିଚଳିତ କରିଛି । ପ୍ରଥମ ହେଉଛି ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ଓ ତିନି ଠାକୁରଙ୍କ ଦର୍ଶନ କରିବାର ସୁଯୋଗ ଦିଆଯିବା ପ୍ରସ୍ତାବ । ଦ୍ୱିତୀୟରେ, ଶ୍ରୀମନ୍ଦିର ସେବାୟତ ନିଯୁକ୍ତିରେ ବଂଶାନୁକ୍ରମ ପ୍ରଥାକୁ ଉଚ୍ଛେଦ କରାଯିବା । ଏହି ଦୁଇଟି ଯାକ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିରରେ ଯେଭଳି ବିଭ୍ରାଟ ସୃଷ୍ଟି ହେବ ତାହାକୁ ସରକାର ସମ୍ଭାଳି ପାରିବେ ତ ? ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏହି ପ୍ରଶ୍ନ ଉଠାଇଛନ୍ତି । ହଜାର ହଜାର ବର୍ଷ ଧରି ପ୍ରଚଳିତ ରେକର୍ଡ ଅଫ୍ ରାଇଟ୍ସ ଅନୁସାରେ ସେବାୟତମାନେ ବଂଶାନୁକ୍ରମେ ଶ୍ରୀଜୀଉଙ୍କ ସେବା କରି ଆସିଛନ୍ତି । ଏହି ବ୍ୟବସ୍ଥାର ଉଚ୍ଛେଦ ଦ୍ୱାରା ଯେଉଁ ବିଭ୍ରାଟ ହେବ ତାହାକୁ ସରକାର ସମ୍ଭାଳି ପାରିବେ ନାହିଁ ବୋଲି ସେ କହିଛନ୍ତି । ପୁରୀ ବିଧାୟକ ତଥା ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ସୁପ୍ରିମ କୋର୍ଟଙ୍କ ଉପରୋକ୍ତ ଦୁଇଟି ପ୍ରସାବ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ପୁରୀ ଗଜପତି ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଦିବ୍ୟସିଂହ ଦେବ ଏସଂକ୍ରାନ୍ତରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ଚୂଡାନ୍ତ କହି କୋର୍ଟଙ୍କ ନିଷ୍ପତ୍ତିକୁ ପରୋକ୍ଷରେ ଅଗ୍ରାହ୍ୟ କରିଛନ୍ତି । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ କୌଣସି ନିଷ୍ପତ୍ତି ନିଆଯିବା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ସହ ଆଲୋଚନା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିବା ବେଳେ ଗଜପତି ଦିବ୍ୟସିଂହ ଦେବ ସଂଖ୍ୟାଗରିଷ୍ଠ ମତ ନୁହେଁ, ଶଙ୍କରାଚାର୍ଯ୍ୟଙ୍କ ଯେ କୌଣସି ନିଷ୍ପତ୍ତି ଗ୍ରହଣୀୟ କହିି କୋର୍ଟଙ୍କ ପ୍ରସ୍ତାବ ଉପରେ ନିଷ୍ପତ୍ତି ଶଙ୍କରାଚାର୍ଯ୍ୟଙ୍କ ଉପରେ ଛାଡିଛନ୍ତି । ଧର୍ମକୁ ନେଇ ଯେତେବେଳେ ନିଷ୍ପତ୍ତି ନେବା କଥା ଉଠୁଛି ଧର୍ମଗୁରୁଙ୍କୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।
ଏହି ବିଷୟକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଆଦେଶର ନକଲ ମିଳିବା ପରେ ହିଁ ତାହାକୁ ତର୍ଜମା କରାଯିବ ଏବଂ ସରକାର ଯାହା କିଛି ମତାମତ ଦେବେ । ଶ୍ରୀମନ୍ଦିର ସେବାୟତ ପ୍ରତିନିଧିମାନେ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ହିନ୍ଦୁଙ୍କ ଧାର୍ମିକ ଭାବନା ପ୍ରତି କୁଠାରାଘାତ ହେବ କହି ତାହାକୁ ବିରୋଧ କରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ (ଏସଜେଟିଏ) ରଥଯାତ୍ରା ପରେ ମାନ୍ୟବର ଅଦାଲତଙ୍କ ପ୍ରସ୍ତାବ ଉପରେ ବିଚାର କରାଯିବ କହି କଥାକୁ ଟାଳି ଦେଇଛି । କୌଣସି ରାଜନୈତିକ ଦଳ ବା ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ଏଥିରୁ ସ୍ପଷ୍ଟ ହେଉଛି । ବିଜେପି ନେତା ବିଜୟ ମହାପାତ୍ର ଓ ମନ୍ତ୍ରୀ ମହେଶ୍ୱର ମହାନ୍ତି ଖୋଲାଖୋଲି ସେବାୟତଙ୍କ ସପକ୍ଷରେ ମତ ଦେଇଥିବା ବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ‘ସାପ ମରିବନି କି ବାଡି ଭାଂଗିବନି’ ନ୍ୟାୟରେ ଅନ୍ୟମାନେ ଯାହା କୁହନ୍ତୁ ନା କାହିଁକି ସେ ବ୍ୟକ୍ତିଗତ ଭାବରେ ଅଦାଲତଙ୍କ ପ୍ରସ୍ତାବକୁ ସମର୍ଥନ କରୁଛନ୍ତି ବୋଲି ମତଦେଇ ଦଳକୁ ଏଥିରୁ ଦୂରେଇ ରଖିବା ପ୍ରୟାସ କରିଛନ୍ତି । ତେବେ, ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପ୍ରତିକ୍ରିୟା ନିଆରା । ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ପ୍ରତୀକ, ତେଣୁ ସବୁ ଧର୍ମକୁ ମନ୍ଦିର ପ୍ରବେଶ ଅନୁମତି ମିଳିବା ଉଚିତ କହି ନିଜର ଭିନ୍ନମତ ଉପସ୍ଥାପନ କରିଛନ୍ତି । ଅଣହିନ୍ଦୁଙ୍କ ପ୍ରବେଶକୁ ଯଦି ବିରୋଧ କରାଯାଉଛି ତେବେ ସବୁ ହିନ୍ଦୁଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳୁ ବୋଲି ସେ ଯୁକ୍ତି ବାଢିଛନ୍ତି ।
ସୁପ୍ରିମ କୋର୍ଟଙ୍କ ପ୍ରସ୍ତାବ ଉପରେ ସରକାରୀ କଳ ମାପିଚୁପି ମନ୍ତବ୍ୟ ଦେବାର କାରଣ ହେଉଛି, ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ପ୍ରତି ସରକାର ଓ ପ୍ରଶାସନର ଭୟ । ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଶ୍ରୀମନ୍ଦିର ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତାହା ଦୈନନ୍ଦିନ ଠାକୁର ସେବାରେ ବିଭ୍ରାଟର କାରଣ ହୋଇଛି । ୨୦୧୫ରେ ତିନି ଠାକୁରଙ୍କ ନବକଳେବର ସମୟରେ ହୋଇଥିବା ବିଭ୍ରାଟର ତଦନ୍ତ ରିପୋର୍ଟକୁ ସରକାର ଏପର୍ଯ୍ୟନ୍ତ ସାର୍ବଜନୀନ କରି ନାହାନ୍ତି । ନିକଟରେ ସେବାୟତଙ୍କ କରିତକର୍ମାପଣ ଦେଖିବାକୁ ମିଳି ଥିଲା ସେବାୟତମାନେ ଶ୍ରୀଜୀଉଙ୍କୁ ଦୁଇ ଦିନ କାଳ ଉପବାସ ରଖିବା ଘଟଣାରୁ । ବିଭିନ୍ନ ସମୟରେ ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ବିଭ୍ରାଟ ଘଟିବା ପଛରେ ପ୍ରଭାବଶାଳୀ ସେବାୟତ ଗୋଷ୍ଠୀର ହାତ ଥିବା ରାଜ୍ୟବାସୀ ଓ ସରକାର ଜାଣିଛନ୍ତି । କିନ୍ତୁ, ସଂଗଠିତ ସେବାୟତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ଶକ୍ତି ସରକାରଙ୍କ ନାହିଁ । ତେଣୁ, ପୁରୀ ଜିଳ୍ଲାପାଳଙ୍କୁ ବିରୋଧ କରିବା ବାହାନାରେ ଚଳିତ ରଥଯାତ୍ରା ଶେଷ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସେବାୟତଙ୍କ ଆଡୁ ବିରୋଧ କରାଯାଇଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ସ୍ଥଗିତ ରଖିବାକୁ ବାଧ୍ୟ ହେଲେ । ସେବାୟତମାନଙ୍କ ସହ ସଲାସୁତୁରା ପରେ ଜୁଲାଇ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚୂଡାନ୍ତ ହେଲା ଏବଂ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ମାତ୍ର ୨୨ ମିନିଟର ସମୀକ୍ଷା ପରେ ଫେରି ଆସିଲେ । ରଥଯାତ୍ରାର ନୀତିକାନ୍ତି ଓ ରଥଟଣା ଶୃଙ୍ଖଳାର ସହ ସମାପନ କରିବାକୁ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ଅନୁରୋଧ କରି ସମୀକ୍ଷା ସାରିଥିବା ଜଣାପଡିଛି । ଶ୍ରୀମନ୍ଦିର ସଂସ୍କାର ଉପରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ଦେଇ ଥିବା ପ୍ରସ୍ତାବ ଉପରେ ବୈଠକରେ କୌଣସି ଆଲୋଚନା ହୋଇଥିବାର ସୂଚନା ମିଳି ନାହିଁ ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦଇତାପତି ନିଯୋଗର କର୍ମକର୍ତାଙ୍କ ମତରେ, ହିନ୍ଦୁ ଧର୍ମବିଶ୍ୱାସୀଙ୍କ ଧାର୍ମିକ ଚେତନାକୁ ଆଘାତ ଦେଲା ଭଳି କୌଣସି ପ୍ରସ୍ତାବ ବା ପରାମର୍ଶକୁ ସେମାନଙ୍କ ନିଯୋଗ ଗ୍ରହଣ କରିବ ନାହିଁ । କୋର୍ଟରେ ଆଫିଡେଭିଟ ମାଧ୍ୟମରେ ତାହାର ବିରୋଧ କରାଯିବ । ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ଯେଉଁ ପରଂପରା ଓ ବିଧିବିଧାନ ଚାଲିଛି ସେଥିରେ ପରିବର୍ତର୍ନ ସକାଶେ ପୁରୀ ଜିଲ୍ଲା ଜଜଙ୍କ ପ୍ରସ୍ତାବକୁ ନିଯୋଗ ସମର୍ଥନ କରିବ ନାହିଁ । ମୁଖ୍ୟତଃ, ଶ୍ରୀଜଗନ୍ନାଥ ମନ୍ଦିରରେ ବଂଶାନୁକ୍ରମେ ଚାଲି ଥିବା ସେବାୟତ ନିଯୁକ୍ତିରେ କୌଣସି ପରିବର୍ତନ ପ୍ରସ୍ତାବକୁ ନିଯୋଗ ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ପ୍ରସ୍ତାବ ମଧ୍ୟ ଦଇତାପତି ନିଯୋଗ ଦ୍ୱାରା ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ଗବେଷକମାନେ ଦେଶର ଅନ୍ୟାନ୍ୟ ମନ୍ଦିର ସହ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସଂସ୍କୃତି ଓ ପରଂପରା ତୁଳନୀୟ ନୁହେଁ କହି କୋର୍ଟଙ୍କ ପ୍ରସ୍ତାବକୁ ନକାରି ଦେଇଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସକୁ ଉପସ୍ଥାପନ କରି ସେମାନେ କହିଛନ୍ତି, ଅନ୍ୟୁନ ୧୮ ଥର ଏହି ମନ୍ଦିର ଅଣହିନ୍ଦୁଙ୍କ ଦ୍ୱାରା ଆକ୍ରମଣ ଓ ଲୁଣ୍ଠନର ଶିକାର ହୋଇଛି । ମହାପ୍ରଭୁଙ୍କ ସୁରକ୍ଷା ଦୃଷ୍ଟିରୁ ସେବକମାନେ ରାଜ୍ୟର ୨୨ଟି ସ୍ଥାନକୁ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ଥାନାନ୍ତର କରିଥିଲେ । ୨୬୪ ବର୍ଷରୁ ଅଧିକ ସମୟ ଧରି ଠାକୁର ଶ୍ରୀମନ୍ଦିର ବାହାରେ ରହି ଥିଲେ । ତେଣୁ, ଶ୍ରୀଜୀଉଙ୍କ ସୁରକ୍ଷା ଦୃଷ୍ଟିରୁ ହିନ୍ଦୁମାନଙ୍କ ବ୍ୟତୀତ ଅନ୍ୟମାନଙ୍କ ଶ୍ରୀମନ୍ଦିର ପ୍ରବେଶ ବାରଣ ରହିଛି । ଶ୍ରୀମନ୍ଦିର ଉପରେ ବାରମ୍ବାର ଆକ୍ରମଣ ହେବାରୁ ଗଙ୍ଗବଂଶ ଓ ସୂର୍ଯ୍ୟବଂଶର ଗଜପତିମାନେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ମେଘନାଦ ପାଚେରୀ ଓ ଚାରିଟା ବାହାର ଗୁମୁଟ ନିର୍ମାଣ କରାଇ ଥିଲେ । ୧୮୦୫ ମସିହା ପରେ ବ୍ରିଟିଶ ସରକାର କେବଳ କଠୋରପନ୍ଥୀ ହିନ୍ଦୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେ ବୋଲି ଯେଉଁ ଆଦେଶ ଫଳକ ଲଗାଇ ଥିଲେ ତାହା ଏପର୍ଯ୍ୟନ୍ତ ସିଂହଦ୍ୱାରରେ ରହିଛି । ତେଣୁ, ଏହା ଉପରେ ଅଧିକ ଆଲୋଚନାର ଆବଶ୍ୟକତା ରହିଛି । ତେବେ, ସାଧାରଣ ଜନତାଙ୍କ ମତ ହେଉଛି, ଶହ ଶହ ବର୍ଷ ଧରି ଚାଲି ଆସି ଥିବା ରୁଢିବାଦୀ ପ୍ରଥାରେ ପରିବର୍ତର୍ନ ଆବଶ୍ୟକ । ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ପାଇଁ ପୁରୀ ଜିଲ୍ଲା ଜଜଙ୍କ ଠାରୁ ଆରମ୍ଭ କରି ସୁପ୍ରିମ କୋର୍ଟଙ୍କ ପର୍ଯ୍ୟନ୍ତ ଯେଉଁ ସବୁ ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି ସେସବୁ କାର୍ଯ୍ୟକାରୀ ହେବା ଉଚିତ । କିନ୍ତୁ, ପୁରୀ ଗଜପତି ଯେଉଁ ଗୁରୁତ୍ୱପୁର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ତାହା ମଧ୍ୟ ତର୍ଜମାର ବିଷୟ । ବର୍ତମାନ ବିଶ୍ୱରରେ ଯେଭଳି ଆତଙ୍କର ରାଜତ୍ୱ ଚାଲିଛି ସେଥିରେ ଶ୍ରୀଜଗନ୍ନାଥ ମନ୍ଦିର ଅଣହିନ୍ଦୁଙ୍କ ପାଇଁ ଖୋଲି ଦେଲେ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ଦାୟିତ୍ୱ ସରକାର ନେବେ କି (?) ବୋଲି ପ୍ରଶ୍ନ ଉଠାଇ ସେ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛନ୍ତି ।
ପୁରୀ ଜିଲ୍ଲା ଜଜ ଶ୍ରୀମନ୍ଦିର ପରିଚାଳନରେ ସଂସ୍କାର ପାଇଁ ଦେଇଥିବା ପ୍ରସ୍ତାବଗୁଡିକ ମଧ୍ୟରେ ପିଢିଗତ ସେବା ପଦ୍ଧତି ରଦ୍ଦ କରି ଶ୍ରୀମନ୍ଦିରରେ ସେବାୟତ ନିଯୁକ୍ତି କରାଯିବା, ଅନ୍ନଦାନ ଆଟିକା ପାଇଁ ସଂଗ୍ରହ କରାଯାଉଥିବା ଦାନକୁ ବନ୍ଦ କରିବା ସହ ଥାଳି ଦାନ ବ୍ୟବସ୍ଥାକୁ ନିଷିଦ୍ଧ କରିବା, ରୋଷ ଘର ଓ ଚୁଲ୍ଲାର ସଂପୂର୍ଣର୍ ନିୟନ୍ତ୍ରଣ ପ୍ରଶାସନ ହାତରେ ରହିବା, ପୁରୁଷ ଓ ମହିଳା ସେବକଙ୍କ ପାଇଁ ପୃଥକ ପୃଥକ ଶୌଚାଳୟର ବ୍ୟବସ୍ଥା, ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା ଲାଗୁ କରାଯିବା, ଆକାଉଂଟାଂଟ ଜେନେରାଲଙ୍କ ଦ୍ୱାରା ମନ୍ଦିର ପାଂଠିର ଅଡିଟ କରାଯିବା, ସେବକ, କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପରିଚୟପତ୍ର ବ୍ୟବସ୍ଥା, ମନ୍ଦିର ପରିସରରେ ଗାଇଡଙ୍କୁ ପଂଜୀକୃତ କରାଯିବା, ମନ୍ଦିର ପ୍ରଶାସନରେ ଅତିରିକ୍ତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯିବା, ସୁରକ୍ଷାର ପରିଚାଳନା ପାଇଁ ଏକକ କର୍ତୃପକ୍ଷ ବ୍ୟବସ୍ଥା ଏବଂ ଶ୍ରୀମନ୍ଦିର ଆଇନ-୧୯୫୪ର ସଂଶୋଧନ କରାଯିବା ଅନ୍ୟତମ । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଓ ବିଚାରପତି ଜଷ୍ଟିସ ଏସ୍. ଅବଦୁଲଙ୍କୁ ନେଇ ଗଠିତ ଖଣ୍ଡପୀଠ ସେବାୟତଙ୍କ ପାଇଁ ଡ଼େସ୍ କୋଡ୍, ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତି ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲା ଜଜଙ୍କ ରିପୋର୍ଟ ଜନସାଧାରଣଙ୍କ ଅବଗତି ନିମନ୍ତେ ସୁପ୍ରିମ କୋର୍ଟ ୱେବ ସାଇଟ୍, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ୱେବ ସାଇଟ୍ ଓ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ୱେବ ସାଇଟ୍ରେ ଅପଲୋଡ କରାଯାଇ ଦୁଇ ସପ୍ତାହ ପର୍ଯ୍ୟନ୍ତ ରଖା ଯିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି । ଏହାଦ୍ୱାରା ଜନସାଧାରଣ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ଶ୍ରୀମନ୍ଦିରର ଉନ୍ନତି ତଥା ସଂସ୍କାର ସଂପର୍କରେ ସେମାନଙ୍କ ମତାମତ ଦେଇ ପାରିବେ ଓ ରଥଯାତ୍ରା ପରେ ଆମିକସ୍ କ୍ୟୁରି ଶ୍ରୀମନ୍ଦିର ପରିଦର୍ଶନ କରି ସଂପୃକ୍ତ ସେବାୟତ, ବ୍ୟକ୍ତିବିଶେଷଙ୍କ ସହ ବିଚାରବିମର୍ଶ କରି ଅଗଷ୍ଟ ୩୧ ତାରିଖ ସୁଦ୍ଧା ସୁପ୍ରିମ କୋର୍ଟରେ ଚୂଡାନ୍ତ ରିପୋର୍ଟ ଦାଖଲ କରିବେ ବୋଲି କୋର୍ଟ କହିଛନ୍ତି । ମାମଲାର ପରବର୍ତୀ ଶୁଣାଣୀ ସେପ୍ଟେମ୍ବର ୫ ତାରିଖରେ ରହିଛି । ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମ କୋର୍ଟଙ୍କ ଚୂଡାନ୍ତ ରାୟ ଯାହା ହେଉନା କାହିଁକି ବର୍ତମାନ ଉପୁଜି ଥିବା ପରିସ୍ଥିତି ସଂସ୍କାର ପାଇଁ ଆରମ୍ଭ ହୋଇଥିବା ଉଦ୍ୟମକୁ ବାଟବଣା ନ କରୁ, ଏହା ହିଁ ରାଜ୍ୟବାସୀ ଚାହୁଁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS