ଗଞ୍ଜାମରେ ବାହୁବଳୀ ରାଜନୀତି : ସମସ୍ତଙ୍କ ନଜର ଜେଲରୁ ମୁକୁଳି ଥିବା ଜେନାଙ୍କ ଉପରେ
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୬ ଜୁଲାଇ: ଭାରତୀୟ ଗଣତନ୍ତ୍ରରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ କାହାକୁ ଅପରାଧୀ କହି ହେବ ନାହିଁ । କେବଳ ଅଭିଯୁକ୍ତ କହି ହେବ । କୌଣସି ମାମଲାରେ କୋର୍ଟ ଦ୍ୱାରା ୫ ବର୍ଷ ବା ତା’ଠାରୁ ଅଧିକ ଦିନର ଦଣ୍ଡାଦେଶ ପାଇଲେ ହିଁ ଜଣେ ରାଜନେତା ନିର୍ବାଚନ ଲଢିବାରୁ ବଂଚିତ ହୋଇ ରାଜନୀତିରୁ ସନ୍ୟାସ ନେବେ । ଦେଶର ନିର୍ବାଚନ କମିସନ ଏଭଳି ବ୍ୟବସ୍ଥା କରିଛନ୍ତି । ଫଳରେ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ନେତାମାନେ ଜେଲ ଯାଉଛନ୍ତି ସିନା କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଘୋଷଣା କରିବା ପର୍ଯ୍ୟନ୍ତ ସେମାନେ ସକ୍ରୀୟ ରାଜନୀତିରେ ରହୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଭଳି ଖୁବ କମ ନେତା ଅଛନ୍ତି ଯେଉଁମାନେ କି ପାଂଚ ବର୍ଷରୁ ଅଧିକ ଦଣ୍ଡାଦେଶ ପାଇବା ପରେ ରାଜନୀତିରୁ ସନ୍ୟାସ ନେବାକୁ ବାଧ୍ୟ ହୋଇଛନ୍ତି । ଦେଶର ଏଭଳି ଅନେକ ନେତା ଅଛନ୍ତି ଯେଉଁମାନେ କି ହତ୍ୟା, ଦୁଷ୍କର୍ମ, ହତ୍ୟା ଉଦ୍ୟମ, ଲୁଟ୍, ବୋମା ମାଡ, ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଭଳି ଗୁରୁତର ଅପରାଧ ସହ ସଂପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତ । କୋର୍ଟରେ ବର୍ଷ ବର୍ଷ ଧରି ମାମଲାର ବିଚାରଣା ଚାଲୁଛି । ଦଣ୍ଡିତ ନ ହେବା ଯାଏଁ ରାଜନୀତିରେ ସେମାନେ ସକ୍ରୀୟ ରହିବେ । ତେଣୁ, ଏହି ନେତାମାନେ ଜାମିନ ପାଇ ଜେଲରୁ ବାହାରକୁ ଆସିଲେ ସେମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯାଉଛି । ଶେଭାଯାତ୍ରାରେ ନିଆଯାଇ ଗୌରବାନ୍ୱିତ କରାଯାଉଛି। ସେମାନଙ୍କ ସାନ୍ନଧ୍ୟ ପାଇବା ପାଇଁ ରାଜନୈତିକ ଦଳମାନେ ନିଜ ଭିତରେ ଟଣାଓଟରା ହେଉଛନ୍ତି । ଏହା ହିଁ ଆଜି ଭାରତୀୟ ରାଜନୀତିର ନିନ୍ଦିତ ଦିଗ ଭାବେ ଚର୍ଚ୍ଚା ହେଉଛି । ପରୋକ୍ଷରେ ଏଭଳି କୁକର୍ମକୁ ଆମେ ସ୍ୱୀକୃତି ଦେବାକୁ ବାଧ୍ୟ ହେଉଛେ । ଆଜିର ରାଜନୀତି କେତେଦୂର କଳୁଷିତ ହେଲାଣି ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ନିକଟରେ ଗଞ୍ଜାମ ଜିଲ୍ଲାର ଜଣେ ବାହୁବଳୀ ନେତାଙ୍କୁ ଜେଲରୁ ମୁକୁଳିବା ପରେ ମିଳିଥିବା ଅଭୁତପୂର୍ଣ୍ଣ ସମ୍ବର୍ଧନା ଘଟଣା ।
ବ୍ରହ୍ମପୁର ପୁଲିସ ଓ କୋର୍ଟରୁ ମିଳି ଥିବା ତଥ୍ୟ ମୁତାବକ ଏହି ବାହୁବଳୀ ନେତା ଜଣକ ୫୦ରୁ ଅଧିକ ଗୁରୁତର ମାମଲାରେ ଅଭିଯୁକ୍ତ । ଦୁଇ ବର୍ଷରୁ ଅଧିକ କାଳ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ରହିବା ପରେ ନିକଟରେ ହାଇକୋର୍ଟରୁ ଜାମିନ ପାଇ ମୁକୁଳିଛନ୍ତି । ଜେଲରୁ ମୁକୁଳିବା ପୂର୍ବରୁ ତାଙ୍କୁ ସ୍ୱାଗତ କରିବା ଅପେକ୍ଷାରେ ଥିଲେ ବିଭିନ୍ନ ଦଳର ନେତା ଓ କିଛି ଜଣାଶୁଣା ଓକିଲ । ଜେଲରୁ ବାହାରିବା ପରେ ତାଙ୍କୁ ପାଛୋଟି ନେଇ ଥିଲେ ଏହି ବହୁ ନେତା ଓ ଓକିଲମାନେ । ହଜାର ହଜାର ସମର୍ଥକ ଜିନ୍ଦାବାଦ ଧ୍ୱନୀ ଦେଇ ତାଭ୍କ ପାଛୋଟି ନେଉଥିବା ଏବଂ ନେତାମାନେ ସେଲ୍ଫି ନେବାକୁ ବ୍ୟଗ୍ର ଥିବା ଦୃଶ୍ୟ ଘୁରି ବୁଲୁଛି ବିଭିନ୍ନ ସାମାଜିକ ଗଣମାଧ୍ୟମରେ । ୫୧ତମ ମାଲାରେ ତାଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି । ଏହି ଖବର କିଛି ଦିନ ଆଗରୁ ବିଭିନ୍ନ ସମ୍ବାଦପତ୍ରର ପୃଷ୍ଠାରେ ଦେଖିବାକୁ ମିଳିଥିଲା । ଜେଲରୁ ବାହାରିବା ପରେ ବାହୁବଳୀ ଜଣକ ଦାମୀ କାର୍ ରେ ସିଧା ଚାଲିଲେ ନିଜ ନିର୍ବାଚନ ମଣ୍ଡଳୀକୁ । ବାହୁବଳୀ ନେତା ଜଣକ ଜାମିନରେ ମୁକୁଳି ଥିବାରୁ ଗଞ୍ଜାମ ଜିଲ୍ଲା କଂଗ୍ରେସରେ ଉତ୍ସାହ ବଢିଛି । ଉଜୁଡି ଯାଇ ଥିବା ଜିଲ୍ଲା ସଂଗଠନ ପୁର୍ନଜୀବନ ପାଇବ ବୋଲି ଦଳର ନେତାମାନେ ଆଶାୟୀ । ତେବେ, ଶାସକ ଦଳ ମଧ୍ୟ ଏହି ବାହୁବଳୀଙ୍କ ମୁକ୍ତିକୁ ନେଇ ଆଶାବାଦୀ ଥିବା ଜଣାପଡିଛି । ତେଣୁ, ଦୁଇ ଦଳର ନେତା ବାହୁବଳୀଙ୍କ ‘ଜେଲମୁକ୍ତି’ ଶେଭାଯାତ୍ରାରେ ସାମିଲ ଥିଲେ ବୋଲି ବିଭିନ୍ନ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି ।
ଗଞ୍ଜାମ ଜିଲ୍ଲାରେ ବାହୁବଳୀ ରାଜନୀତି କିଛି ନୂଆ ନୁହେଁ । ସତୁରୀ ଦଶକରେ ଜିଲ୍ଲାର ମୁଖ୍ୟ ବ୍ୟବସାୟିକ ସହର ବ୍ରହ୍ମପୁରରେ ତକ୍ରାଳୀନ ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କୁ ନୃଶଂସ ଭାବେ ହତ୍ୟା କରାଯିବା ପଛରେ ରାଜନୀତି ଥିଲା । ଏହାକୁ ନେଇ ଅଶି ଦଶକ ପର୍ଯ୍ୟନ୍ତ ରାଜନୈତିକ ହିଂସା ଓ ହତ୍ୟାର ସ୍ରୋତ ଚାଲି ଥିଲା । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମର୍ଥକମାନେ ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ଥିଲେ । ଏହି ହତ୍ୟାର ପ୍ରତିଶୋଧ ସ୍ୱରୂପ ଅଶି ଦଶକରେ ତତ୍କାଳୀନ କମ୍ୟୁନିଷ୍ଟ ନେତା ତଥା ବରିଷ୍ଠ ଏମପି ଲକ୍ଷ୍ମଣ ମହାପାତ୍ରଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରା ଗଲା । କଂଗ୍ରେସ ସମର୍ଥକମାନେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇ ଥିଲେ । ଅଶି ଦଶକରେ ଅନ୍ୟ ଜଣେ ବାହୁବଳୀଙ୍କୁ ମଧ୍ୟ ଏକ କମ୍ୟୁନିଷ୍ଟ ସମର୍ଥିତ ଗ୍ରାମରେ ନୃଶଂସ ହତ୍ୟା କରାଯାଇଥିଲା । ତେବେ, ଏମପି ଲକ୍ଷ୍ମଣ ମହାପାତ୍ରଙ୍କ ହତ୍ୟା ପରେ ହିଁ ତକ୍ରାଳୀନ କଂଗ୍ରେସ ସରକାର ବ୍ରହ୍ମପୁର ସହରର ଆଇନଶୃଙ୍ଖଳା ପରିସ୍ଥିତି ସଜାଡିବା ପାଇଁ ଗଞ୍ଜାମ ପୁଲିସ ଜିଲ୍ଲାକୁ ଦୁଇ ଭାଗ କରି ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲା ଗଠନ କରିଥିଲେ ଏବଂ ମାତ୍ର ୨୦ କିମି ବ୍ୟବଧାନରେ ଦୁଇ ପୁଲିସ ଜିଲ୍ଲାରେ ଦୁଇ ଜଣ ଆଇପିଏସ ପଦାଧୀକାରୀ ଏସପି ଭାବେ ଅବସ୍ଥାପିତ ହୋଇ ଥିଲେ । ଅଦ୍ୟାବଧି ସେହି ବ୍ୟବସ୍ଥା ରହିଛି । ବ୍ରହ୍ମପୁର ନୂତନ ପୁଲିସ ଜିଲ୍ଲା ହେବା ପରେ ସହରର ଆଇନ ଶୃଙ୍ଖଳାରେ ଉନ୍ନତି ଆସିଲା ସିନା ବାହୁବଳୀ ସଂସ୍କୃତିରେ ବିଶେଷ ପରିବର୍ତର୍ନ ଘଟି ନାହିଁ । କୁଳମଣୀ ଦେଓଙ୍କଠାରୁ ଆରମ୍ଭ କରି ଅବସରପ୍ରାପ୍ତ ପୁଲିସ ଡ଼ିଜି ସଂଜୀବ ମାରିକ, ପୁଲିସ ଡ଼ିଜି ପଦରୁ ଅବ୍ୟାହତି ନେଇ ଅନ୍ୟ ପଦ ପଦବୀରେ ଅବସ୍ଥାପିତ ଥିବା କେ.ବି. ସିଂହ, ବର୍ତର୍ମାନର ପୁଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଭଳି ବହୁ ଦକ୍ଷ ପୁଲିସ ଅଧିକାର ବିଭିନ୍ନ ସମୟରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ତୁଲାଇଛନ୍ତି । ତେବେ, ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଭାଇଗିରି ଓ ଅପରାଧ ସଂସ୍କୃତି ଅବ୍ୟାହତ ରହିଛି ।
ବ୍ରହ୍ମପୁର ସହର ଓ ଗଂଜାମ ଜିଲ୍ଲା ଅପରାଧ ପ୍ରବଣ ହେବାର ବହୁ କାରଣ ରହିଛି । ତେବେ, ଭାଇଗିରି, ଚୋରା ମଦ କାରବାର ଓ ଦାଦା ବଟି ଆଦାୟ ପ୍ରମୁଖ କାରଣ ଭାବେ ବିଚାରକୁ ନିଆଯାଏ । ସତୁରୀ ଦଶକ ଆଗରୁ ଭାଇଗିରି ଚାଲି ଆସିଛି । ସେତେବେଳେ ଦାଦା ବଟି ପାଇଁ ଭାଇମାନେ ବ୍ରହ୍ମପୁର ସହରର ବିଭିନ୍ନ ଅଂଚଳକୁ ନିଜ ଭିତରେ ବାଂଟି ନେଇ ଥିଲେ । ଜଣକ ଇଲାକାରେ ଅନ୍ୟ ଜଣେ ପଶିବା ଦୋଷାବହ ଥିଲା । ଏହାର ଉଲଂଘନ ହେଲେ ଛକାପଂଝା, ସଂଘର୍ଷ ଓ ହତ୍ୟାର ସୂତ୍ରପାତ ହେଉଥିଲା । ଦେଶୀ ମଦ ପାଇଁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧି ରହିଛି । ଜିଲ୍ଲାରୁ ରାଜ୍ୟ ସରକାର ସର୍ବାଧିକ ଅବକାରୀ ରାଜସ୍ୱ ପାଇ ଥା’ନ୍ତି । ସରକାରୀ ମଦ ସହ ଚୋରା ମଦର ପ୍ରାବଲ୍ୟ ଅପରାଧର ପ୍ରମୁଖ କାରଣ । ଚୋରା ମଦରୁ ଭଲ ରୋଜଗାର ହେଉଥିବାରୁ ବାହୁବଳୀମାନେ ଏହାକୁ ନିୟନ୍ତ୍ରଣ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଅବକାରୀ ବିଭାଗ ଅଧିକାରୀମାନେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ପୋଷ୍ଟିଂ ପାଇବା ସକାଶେ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି । ପୁରୁଷୋତ୍ତମପୁର, ରମ୍ଭା ମଦମୃତ୍ୟୁ ଘଟଣାରୁ ଜିଲ୍ଲାରେ ଚାଲି ଥିବା ଚୋରା ମଦ ବ୍ୟବସାୟ ଏବଂ ଏହା ପଛରେ ଥିବା ବାହୁବଳୀମାନଙ୍କ ପ୍ରଭାବକୁ ଅନୁମାନ କରି ହେବ । ଦୁଇଟି ଯାକ ମଦମୃତ୍ୟୁ ଘଟଣାରେ ବହୁ ଜୀବନ ଯାଇ ଥିଲେ ସୁଦ୍ଧା ବିଚାର ବିଭାଗୀୟ ତଦନ୍ତ ପରେ ସରକାରୀ କାର୍ଯ୍ୟାନୁଷ୍ଠାନ ‘ଶୂନ’ ଥିଲା । ନବେ ଦଶକରେ ଯେଉଁ କୁଜି ଅପରାଧୀମାନେ ଚୋରା ମଦ ଓ ଦାଦା ବଟିରୁ ସେମାନଙ୍କ ଅପରାଦ ସାମ୍ରାଜ୍ୟ ଆରମ୍ଭ କରିଥିଲେ ସେମାନେ ଆଜି ବରଗଛ । ଏହି ଭାଇମାନଙ୍କୁ ପୃଷ୍ଠପୋଷକତା ଦେଇ ଆସିଥିବା ନେତାମାନେ ଏବେ ଏକ ନମ୍ବର ପାହ୍ୟାର ରାଜନେତା । ମଦ ବ୍ୟବସାୟ ସହ ନିଜର ସୁରକ୍ଷା ପାଇଁ ରାଜନେତାମାନଙ୍କ ଲାଂଜ ଧରୁଥିବା ବାହୁବଳୀମାନେ ରକ୍ଷକର ଦାୟିତ୍ୱ ତୁଲାଉ ତୁଲାଉ ଏବେ ନିଜେ ରାଜନେତା ପାଲଟିଛନ୍ତି ।
କିଛି ଦିନ ତଳେ ଜେଲରୁ ଜାମିନରେ ମୁକୁଳି ଥିବା ବ୍ରହ୍ମପୁର ଡ଼ିପୋ ସାହିର ସୁଶାନ୍ତ ବିଷୋୟୀଙ୍କ ଗାଡି ଉପରେ ବୋମା ମାଡ ଘଟଣାକୁ ଏଠାରେ ଆଲୋଚନା କରାଯାଇ ପାରେ । ଏହି ଘଟଣା କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ, ରାଜଧାନରେ ମଧ୍ୟ ଆଲୋଡନ ସୃଷ୍ଟି କରିଥିଲା । ବୋମା ମାଡ ପଛରେ ବ୍ରହ୍ମପୁର ଜେଲରେ ଅଟକ ଥିବା ସୁନିଲ ବେହେରା ଗୋଷ୍ଠୀର ହାତ ଥିବା ପୁଲିସ କହିଛି । ସୁନିଲ ଜେଲରେ ଥାଇ ସୁଶାନ୍ତ ଓ ତାହାର ସାଥୀମାନଙ୍କ ଉପରେ ବୋମା ମାଡ ଷଡଯନ୍ତ୍ର କରିଥିଲା ବୋଲି ବ୍ରହ୍ମପୁର ଏସପି ସାମ୍ବାଦିମାନଙ୍କୁ କହିଛନ୍ତି । ଏହା ରାଜନୈତିକ ଶତୃତାରୁ ଘଟିଛି ବୋଲି ମଧ୍ୟ କୁହାଯାଉଛି । ତେବେ, ସୁଶାନ୍ତ ବିଷୋୟୀ କେଉଁ ରାଜନୈତିକ ଦଳ ସହ ସଂପୃକ୍ତ (?) ତାହା ପୁଲିସ କହି ନାହିଁ ।
ବୋମା ମାଡ ପଛରେ ଥିବା କାରଣ ହେଉଛି ୨୦୧୦ ଜାନୁୟାରୀ ୧ ତାରିଖରେ ଘଟିଥିବା ରବି ବେହେରା ଓରଫ ଚିକେନ୍ ରବି ହତ୍ୟାକାଣ୍ଡ । ଚିକେନ ରବିଙ୍କ ରାଜନୈତିକ ପୃଷ୍ଟଭୂମୀ କାହାରିକୁ ଅଛପା ନାହିଁ । ୩୬ରୁ ଅଧିକ ସଂଗୀନ ମାମଲାରେ ସଂପୃକ୍ତ ଥାଇ ଚୌଦ୍ୱାର ଜେଲରେ ଅଟକ ଥିବା ରବି ବେହେରାକୁ ଜମାନତରେ ଖଲାସ କରାଇ ଥିଲେ ଜିଲ୍ଲାର ଜଣେ ବରିଷ୍ଠ ମନ୍ତ୍ରୀ । ଉଦେ୍ଦଶ୍ୟ ଥିଲା, ଗଞ୍ଜାମ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରି ମନ୍ତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ବାହୁବଳୀ ରମେଶ ଜେନାଙ୍କୁ କାଉଂଟର କରିବା । ଚିକେନ୍ ରବିଙ୍କ ଘର ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ । ସେହିପରି, ରମେଶ ଜେନାଙ୍କ ସହ ବ୍ୟବସାୟିକ ଶତୃତା ଥିବା ଅନ୍ୟତମ ବାହୁବଳୀ ପିଂଟୁ ଦାସଙ୍କୁ ମନ୍ତ୍ରୀ ବ୍ରହ୍ମପୁର ମହାନଗର ନିଗମ ରାଜନୀତିକୁ ଆଣି ପ୍ରଥମ ମେୟର ଭାବେ ଅବସ୍ଥାପିତ କରିଥିଲେ । ଜେନା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କ ପତିଆରା ବେଶ୍ ବଢି ଯାଇଥିଲା । ସେ ପଡ଼ିଶାରେ ଥିବା ମନ୍ତ୍ରୀଙ୍କ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ହସ୍ତକ୍ଷେପ କରିବାକୁ ପଛାଉ ନ ଥିଲେ । ତେଣୁ, ଜେନାଙ୍କୁ ମୁକାବିଲା କରିବା ସକାଶେ ମନ୍ତ୍ରୀ ଚିକେନ୍ ରବି ଓ ପିଂଟୁ ଦାସଙ୍କୁ ବ୍ୟବହାର କରୁଥିଲେ । ଯାହାକି ଜେନାଙ୍କ ସହ ପିଂଟୁ ଦାସ ଓ ଚିକେନ ରବିଙ୍କ ପୂର୍ବରୁ ଥିବା ବ୍ୟବସାୟିକ ଶତୃତାକୁ ରାଜନୈତିକ ଶତୃତାରେ ପରିଣତ କରିଥିଲା । ଚିକେନ୍ ରବି ହତ୍ୟାକାଣ୍ଡର ସଂରଚନା ହୋିଥିବା ଏହି ରାଜନୈତିକ ବିବାଦରୁ । ପୂର୍ବତନ ବିଧାୟକ ଜେନା ଏହି ଷଡଯନ୍ତ୍ରର ମୁଖ୍ୟ ନାୟକ ବୋଲି ପୁଲିସ ଏତାଲାରେ ଦର୍ଶାଇଛି । ଏହି ମାମଲା କୋର୍ଟର ବିଚାରାଧୀନ ରହିଛି ।
ସୁଶାନ୍ତ ବିଷୋୟୀଙ୍କ ଗାଡି ଉପରେ ହୋଇଥିବା ବୋମା ମାଡ ସହ ୨୦୧୦ ଜାନୁୟାରୀ ୧ ତାରିଖ ସକାଳ ୧୦ଟା ସମୟରେ ହୋଇଥିବା ଚିକେନ୍ ରବି ହତ୍ୟାକାଣ୍ଡର ସିଧାସଳଖ ସଂପର୍କ ରହିଛି । କାରଣ, ଏହି ହତ୍ୟା ଷଡଯନ୍ତ୍ରର ବାସ୍ତବ ରୂପ ଦେଇଥିଲେ (ଏଫଆଇଆର ମୁତାବିକ) ସୁଶାନ୍ତ ବିଷୋୟୀ ଓ ତାଙ୍କ ପୁଅ । ପୁରୀରୁ ଯାଇ ଥିବା ଦୁଇ ଜଣ ସାର୍ପ ସୁଟର୍ ବ୍ରହ୍ମପୁର ଡ଼ିପୋ ସାହିରେ ଥିବା ସୁଶାନ୍ତଙ୍କ ଘରେ ଲୁଚି ରହି ଥିଲେ । ଚିକେନ୍ ରବି ସର୍ବଦା ବିରୋଧୀଙ୍କ ଆକ୍ରମଣ ନେଇ ଆଶଙ୍କା ଭିତରେ ରହୁ ଥିବାରୁ ନିଜର ସଶସ୍ତ୍ର ସାଥୀଙ୍କୁ ସାଙ୍ଗରେ ନେଇ ଘରୁ ବାହାରକୁ ବାହାରୁ ଥିଲା । ଷଡଯନ୍ତ୍ରକାରୀ ଏସଂପର୍କରେ ପୂର୍ଣ୍ଣ ଅବଗତ ଥିଲେ । ତେଣୁ, ସେମାନେ ସୁଶାନ୍ତ ଓ ରବି ମଧ୍ୟରେ ଥିବା ମନୋମାଳିନ୍ୟକୁ ମୋହରା କରି ଚିକେନ୍ ର ହତ୍ୟା ଯୋଜନା ପ୍ରସ୍ତୁତ କରିଥିଲେ । ନୂଆ ବର୍ଷର ପ୍ରଥମ ଦିନ ସୁଶାନ୍ତ ମିଠା ଖୁଆଇବା ବାହାନାରେ ଚିକେନ୍ ରବି ଓରଫ ରବି ବେହେରାକୁ ନିଜ ଘରକୁ ଡ଼ାକି ଥିଲା । ଚିକେନ୍ ମଧ୍ୟ ସୁଶାନ୍ତକୁ ବିଶ୍ୱାସ କରି କୌଣସି ସହଯୋଗୀ ବା ମାରଣାସ୍ତ୍ର ସାଙ୍ଗରେ ନ ନେଇ ସୁଶାନ୍ତ ଘରକୁ ଯାଇ ଥିଲା । ମିଠା ଖାଇ ଫେରିବା ବାଟରେ ମୃତ୍ୟୁଦୂତ ଭଳି ଛପି ରହିଥିବା ସାର୍ପ ସୁଟରଙ୍କ ଆକ୍ରମଣର ଶିକାର ହୋଇଥିଲା ଚିକେନ୍ ରବି । ସେମାନେ ତାକୁ ଘେରି ଯାଇ ଗୁଳି କରି ହତ୍ୟା କରିଥିଲେ । ଏହି ଚକ୍ରବ୍ୟୁହରୁ ବାହାରି ପାରି ନ ଥିଲା ସେ । ରବିକୁ ହତ୍ୟା କରାଯିବା ପରେ ତା’ର ମୁଖ୍ୟ ସହଯୋଗୀ ସୁନିଲ ବେହେରା ମୋର୍ଚ୍ଚା ସମ୍ଭାଳିଛି । ସୁଶାନ୍ତ, ତାଙ୍କ ପୁଅ ଓ ଅନ୍ୟ ସହଯୋଗୀମାନେ ଚିକେନ୍ ରବି ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ଥିବାରୁ ଏହି ହତ୍ୟା ମାମଲାରୁ ଜାମିନରେ ମୁକୁଳିବା ପରେ ସୁନିଲ ଗ୍ୟାଂଗ୍ ସେମାନଙ୍କୁ ଟାର୍ଗେଟ୍ କରିଥିବା ଅନୁମାନ କରାଯାଉଛି । ମନ୍ତ୍ରୀଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ପୂର୍ବଭଳି ସୁନିଲର ସହଯୋଗୀମାନେ ସୁରକ୍ଷା ଦେଇ ଆସୁଥିବା କୁହାଯାଉଛି । ଚିକେନ୍ ରବି ହତ୍ୟାକାଣ୍ଡ ସମୟରେ ରମେଶ ଜେନା ତାଙ୍କର କିଛି ସହଯୋଗୀଙ୍କ ସହ ଭୋଜି କରିବାକୁ ସହର ବାହାରକୁ ଯାଇଥିଲେ । ତେଣୁ, ଏହି ହତ୍ୟାକାଣ୍ଡ ସହ ତାଙ୍କର କୌଣସି ସଂପୃକ୍ତି ନ ଥିବା ସେ କହୁଛନ୍ତି ।
ଏହିଭଳି, ୫୧ଟି ମାମଲାରେ ଅଭିଯୁକ୍ତ ଥାଇ ଦୁଇ ବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ଜାମିନରେ ଆସି ଥିବା ପୂର୍ବତନ ବିଧାୟକ ଜେନା ପୁନର୍ବାର ମୁକ୍ତ ବିହଙ୍ଗ ଭଳି ନିଜ ଅଂଚଳରେ ବୁଲିବା ଆରମ୍ଭ କରି ଥିବାରୁ ଉଭୟ ମନ୍ତ୍ରୀ ଓ ଗଞ୍ଜାମ ପୁଲିସର ମୁଣ୍ଡବ୍ୟଥା ବଢିଛି । କାରଣ, ବିରୋଧୀ ବଦଲା ନେବାକୁ ଟାକି ରହି ଥିବାରୁ ବ୍ରହ୍ମପୁରରେ ଗ୍ୟାଙ୍ଗ୍ ୱାର୍ ର ଆଶଙ୍କା ରହିଛି । ଅନ୍ୟପକ୍ଷରେ, ଜେନାଙ୍କ ଅଧିକାଂଶ ସହଯୋଗୀ ଇତିମଧ୍ୟରେ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେଇ ଥିବାରୁ ସେ ମଧ୍ୟ ରାଜନୈତିକ ସୁରକ୍ଷା ପାଇଁ ବିଜେଡ଼ିି ମୁହାଁ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି । ଜେନାଙ୍କୁ ଛତ୍ରପୁର ଜେଲ ମୁହଁରୁ ପାଛୋଟି ଆଣି ଥିବା ବରିଷ୍ଠ ନେତାଙ୍କ ମଧ୍ୟରେ ଥିଲେ ରାଜ୍ୟ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ଓ ଗଞ୍ଜାମ ଜିଲ୍ଲା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଆଇନଜୀବୀ ଦୀପକ ପଟ୍ଟନାୟକ । ଉଭୟ କଂଗ୍ରେସ ଓ ବିଜେଡ଼ି ଜେନାଙ୍କୁ ନେଇ ଆଶାବାଦୀ ଥିବା ବେଳେ ଜେନା ଭୂମିକା କଣ ହେବ, ତାହା ଦେଖିବା ସମୟ ଆସିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS