ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ ଉଦଘାଟନ କଲେ
ମାଲକାନଗିରି, ୨୭ ଜୁଲାଇ: ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଉଦଘାଟନ କରିଛନ୍ତି । ୧୮୭ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ବିଚ୍ଛିନ୍ନାଂଚଳର ୮ଟି ପଂଚାୟତ ଅନ୍ତର୍ଗତ ୧୫୧ଟି ଗ୍ରାମକୁ ସଂଯୋଗ କରୁଛି । ସେତୁ ଉଦଘାଟନ ଫଳରେ ଅଂଚଳବାସୀଙ୍କ ୩୬ ବର୍ଷର ସ୍ୱପ୍ନ ସାକାର ହୋଇଛି । ୧୯୮୨ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ସେତୁର ଶିଳାନ୍ୟାସ କରିଥିଲେ । ସେତେବେଳେ ଏକ ଝୁଲା ସେତୁର ପରିକଳ୍ପନା କରାଯାଇ ୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଥିଲା । ତେବେ, ମାଲକାନଗିରିର ଏହି ବିଚ୍ଛିନ୍ନାଂଚଳ ମାଓ ଅଧ୍ୟୁଷିତ ହୋଇ ଥିବାରୁ ସେତୁ ନିର୍ମାଣ ଯୋଜନା ଆଗେଇ ପାରି ନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ପ୍ରଥମ ଦଫାରେ ରାଜ୍ୟର ଶାସନଭାର ଗ୍ରହଣ କରିବା ପରେ ପୁନର୍ବାର ଗୁରୁପ୍ରିୟା ସେତୁର ଶିଳାନ୍ୟାସ କରିଥିଲେ । ୧୫ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯିବ ବୋଲି ପ୍ରାଥମିକ ଅଟକଳ ହୋଇଥିଲା । ପୁନର୍ବାର ସେହି ମାଓ ସମସ୍ୟା ଯୋଗୁ ୨୦୧୪ ପର୍ଯ୍ୟନ୍ତ କାମ ଆଗେଇ ପାରି ନଥିଲା । ବ୍ୟୟ ଅଟକଳ ମଧ୍ୟ ୧୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଷ୍ଠା ହେବା ପରେ ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ଆଗେଇ ନେବା ପାଇଁ କେନ୍ଦ୍ରରୁ ଆବଶ୍ୟକ ସହଯୋଗ ଓ ସୁରକ୍ଷା ବଳ ଯୋଗାି ଦିଆ ଯାଇଥିଲା । ଫଳରେ ୪ ବର୍ଷ ମଧ୍ୟରେ ୧୮୭.୨୫ କୋଟି ଟଙ୍କା ବ୍ୟୟରେ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ନିର୍ମାଣ କାର୍ଯ୍ୟ ସରିବା ପରେ ମଧ୍ୟ ମାଓବାଦୀ ଏହି ସେତୁକୁ ଉଡାଇ ଦେବାକୁ ଧମକ ଦେବାରୁ ସଶସ୍ତ୍ର କେନ୍ଦ୍ରୀୟ ବଳ ସଂପୂର୍ଣର୍ ସେତୁକୁ ଜଗି ରହି ଥିଲେ । ସିସିଟିଭି ଲଗା ଯାଇ ୨୪ ଘଂଟା ସେତୁ ଉପରେ ନଜର ରଖା ଯାଇଥିଲା । ଏହି ସେତୁ ନିର୍ମାଣ ଓ ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ବଡ ସଫଳତା ବୋଲି ଆଲୋଚନା ହେଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS