ମହାରାଷ୍ଟ୍ର ପୁଲିସକୁ ସୁପ୍ରିମ କୋର୍ଟ ଝଟକା


– ପ୍ରସାଦ ରାଓ –
ଦେଶର ପ୍ରଧାନମନ୍ତ୍ରୀଙ୍କୁ ‘ହତ୍ୟା ଷଡଯନ୍ତ୍ର’ ଅଭିଯୋଗ କିଛି କମ୍ କଥା ନୁହେଁ । ଏଭଳି ଅଭିଯୋଗର ସମ୍ମୁଖୀନ ହେଉଥିବା ଲୋକଙ୍କ ପ୍ରତି ଅଦାଲତଗୁଡ଼ିକ କେବେ ସହାନୁଭୂତି ପ୍ରଦର୍ଶନ କରି ନ ଥା’ନ୍ତି । ପୁଲିସ ହାଜିରା କରୁ କରୁ ସେମାନଙ୍କୁ ପ୍ରଥମେ ଜେଲକୁ ପଠାଇ ଦିଆଯାଇ ପରେ ଜାମିନ ଆବେଦନର ଶୁଣାଣୀ ହୋଇଥାଏ । କିନ୍ତୁ, ଅଗଷ୍ଟ ୨୮ ତାରିଖ ମଙ୍ଗଳବାର ଦିନ ‘ମାଓ ଲିଂକ୍’ ଓ ‘ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର’ ଅଭିଯୋଗରେ ମହାରାଷ୍ଟ୍ରର ପୁନେ ପୁଲିସ ଦ୍ୱାରା ଗିରଫ ହୋଇଥିବା ଦେଶର ପାଂଚ ଜଣ ଜଣାଶୁଣା ସାମାଜିକ କର୍ମୀଙ୍କ ପ୍ରତି ସର୍ବୋଚ୍ଚ ନ୍ୟାୟାଳୟ କୋହଳ ଆଚରଣ ପ୍ରଦର୍ଶନ କରିବା ଅନେକ କଥା କହୁଛି । ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ପୁନେ ପୁଲିସ ଦାବି କରିବା ସତ୍ୱେ ସୁପ୍ରିମ କୋର୍ଟ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସଂପୂର୍ଣ୍ଣ ଭାବେ ଗ୍ରହଣୀୟ ବୋଲି ବିଚାର ନ କରି ଅଭିଯୁକ୍ତିମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ଓଲଟା, ଏହି ସାମାଜିକ କର୍ମୀଙ୍କୁ ଆବଶ୍ୟକ ପଚରା ଉଚୁରା ପରେ ଜେଲ୍ ପଠା ନ ଯାଇ ସେମାନଙ୍କ ଘରକୁ ପଠାଇ ଦିଆଯିବାକୁ ଓ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ନଜର ବନ୍ଦୀ ରଖା ଯିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୬ ତାରିଖରେ ମାମଲାର ପରବର୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଛି । ଏହି ମାମଲାରେ ସୁପ୍ରିମ କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରି ସେପ୍ଟେମ୍ବର୫ ତାରିଖ ସୁଦ୍ଧା ନିଜର ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ।
ସୁପ୍ରିମ କୋର୍ଟଙ୍କ ଏହି ମଧ୍ୟବର୍ତିକାଳୀନ ନିର୍ଦେଶ ଦେଶର ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରି ନାହିଁ । କାରଣ, ଗିରଫ ହେଇଥିବା ସାମାଜିକ କର୍ମୀମାନ ବାମପନ୍ଥୀ ଚିନ୍ତାଧାରା ସଂପନ୍ନ ହୋଇ ଥିଲେ ମଧ୍ୟ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ । ‘ମାଓ ଲିଂକ୍’ ନେଇ ସେମାନଙ୍କୁ ସନ୍ଦେହ କରାଯାଇପାରେ । କିନ୍ତୁ, କ୍ଷମତାସୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ସେମାନେ ଷଡଯନ୍ତ୍ର କରିଥିବା ଅଭିଯୋଗକୁ ହଠାତ୍ କୋର୍ଟ ବିଶ୍ୱସକୁ ନେଇ ପାରି ନାହାନ୍ତି । ମଙ୍ଗଳବାର ପୁନେ ପୁଲିସ ପାଂଚ ସାମାଜିକ କର୍ମୀ – ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ବିପ୍ଳବୀ ଲେଖକ ପି. ବରବରା ରାଓ, ଓକିଲ ଭେରନନ୍ ଗନସାଲଭେସ୍ (ମୁମ୍ବାଇ), ମାନବିକ ଅଧିକାର କର୍ମୀଙ୍କ ଓକିଲ ଅରୁଣ ଫେରିଏରା (ଥାନେ), ଓକିଲ ସୁଧା ଭରଦ୍ୱଜ (ଫରିଦାବାଦ) ଓ ମାନବାଧିକାର କର୍ମୀ ଗୌତମ ନବଲାଖ (ଦିଲ୍ଲୀ)ଙ୍କୁ ଗିରଫ କରିବା ଘଟଣାକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଛି । ଦେଶରେ ଭିନ୍ନମତର କଂଠରୋଧ ପାଇଁ ଏହା ଶାସକ ଦଳର ଷଡଯନ୍ତ୍ର ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଥିବା ବେଳେ ସୁପ୍ରିମ କୋର୍ଟ ମଧ୍ୟ ‘ବିଚାର ବିଭିନ୍ନତା ଗଣତନ୍ତ୍ର ପାଇଁ ଜରୁରୀ’ ବୋଲି ବୁଧବାର ଦିନ ମାମଲାର ଶୁଣାଣୀ ବେଳେ ମନ୍ତବ୍ୟ ରଖି କରି ବୁଦ୍ଧିଜୀବୀଙ୍କ ଉଦବେଗକୁ ଅଧିକ ପୃଷ୍ଟ କରିଛନ୍ତି ।
ଦେଶର ଜଣାଶୁଣା ବୁଦ୍ଧିଜୀବୀ ତଥା ଐତିହାସିକ ରୋମିଲା ଥାପର, ସତୀଶ ଦେଶପାଣ୍ଡେ, ପ୍ରଭାତ ପଟ୍ଟନାୟକ, ମାୟା ଦର୍ନାଲ ପ୍ରମୁଖ ବୁଧବାର ଦିନ ସୁପ୍ରିମ କୋର୍ଟରେ ଗିରଫ ମାନବାଧିକାର କର୍ମୀଙ୍କୁ ବିନା ସର୍ତର୍ରେ ଖଲାସ କରାଯିବାକୁ ଆବେଦନ କରିଥିଲେ । ସେମାନଙ୍କ ତରଫରୁ ବରିଷ୍ଠ ସୁପ୍ରିମ କୋର୍ଟ ଆଇନଜୀବୀ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ମାମଲା ପରିଚାଳନା କରିଥିଲେ । ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଜଷ୍ଟିସ ଡ଼ି. ୱାଇ.ଚନ୍ଦ୍ରଚୂଡ ଓ ବିଚାରପତି ଜଷ୍ଟିସ ଏ.ଏମ୍. ଖାନୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ କରି ସଂପୃକ୍ତ ସାମାଜିକ କର୍ମୀଙ୍କୁ ପଚରାଉଚୁରା ପାଇଁ ପୁନେ ନେବାକୁ ପୁଲିସକୁ ଅନୁମତି ଦେଇଥିଲେ ମଧ୍ୟ ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେବାକୁ ନିର୍ଦେଶ ଦେଇଥିଲେ । ତେବେ, ଏହି ସାମାଜିକ କର୍ମୀମାନେ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ । ସେପ୍ଟେମ୍ବର ୬ ରେ ମାମଲାର ପରବର୍ତୀ ଶୁଣାଣୀ ହେବେ ବୋଲି ଖଣ୍ଡପୀଠ କହିଛନ୍ତି । କୋର୍ଟରେ ସାମାଜିକ କର୍ମୀଙ୍କ ଓକିଲ ସିଂଘଭିଙ୍କ ଯୁକ୍ତି ଥିଲା, ସରକାରଙ୍କ ପକ୍ଷରୁ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇ ବିଚାର ବିଭିନ୍ନତାକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରାଯାଉଛି । ଏହା ଠିକ୍ ନୁହେଁ । ତେଣୁ ଏହି ଗିରଫ ଉପରେ ରୋକ୍ ଲଗାଇବାକୁ ସେ ଖଣ୍ଡପୀଠକୁ ଅନୁରୋଧ କରିଥିଲେ । ଅପରପକ୍ଷରେ, ପୁନେ ପୁଲିସ ପକ୍ଷରୁ କୁହାଯାଇଛି, ଅଭିଯୁକ୍ତମାନଙ୍କ ବିରୋଧରେ ‘ମାଓବାଦୀଙ୍କ ସହ ସଂପର୍କ’ର ପ୍ରମାଣ ରହିଛି । ଏମିତି କି ସେମାନେ ଦେଶର ବଡ ବଡ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ରରେ ସଂପୃକ୍ତ ଅଛନ୍ତି । ଏବାବଦରେ ପୁଲିସ ହାର୍ଡଡିସ୍କ୍ ଓ ଲାପଟପ୍ ଆଦି ଜବତ କରିଥିବା ମଧ୍ୟ କୋର୍ଟକୁ ଜଣାଇଛି ।
୨୦୧୭ ଡ଼ିସେମ୍ବର ୩୧ ତାରିଖରେ ପୁନେ ଠାରେ ‘ଏଲଗା ପରିଷଦ’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ କି ବିଭିନ୍ନ ସାମାଜିକ କର୍ମୀ ଓ ଦଳିତ ସଂଗଠନ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମ ପରଦିନ ପୁନେ ଠାରୁ ୪୦ କିମି ଦୂର ଭୀମା କୋରେଗାଓଁରେ ହିଂସାକାଣ୍ଡ ଘଟି ଥିଲା ବୋଲି ପୁଲିସ ଯୁକ୍ତି ଦର୍ଶାଇ ଥିବା ବେଳେ ଐତିହାସିକ ରୋମିଲା ଥାପର ଏକ ବିବୃତିରେ କହିଛନ୍ତି ଯେ, ପ୍ରକୃତରେ ଦେଶରେ ଯେଉଁମାନେ ଆତଙ୍କ ସୃଷ୍ଟି କରି ଲୋକଙ୍କୁ ହତ୍ୟା କରୁଛନ୍ତି ଓ ହିଂସା ସୃଷ୍ଟି କରୁଛନ୍ତି ସେମାନଙ୍କୁ ଗିରଫ କରାଯିବା ବଦଳରେ ମାନବାଧିକାର ପାଇଁ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କୁ ରୋକା ଯାଉଛି । ସେହି ଦୃଷ୍ଟିରୁ ଗଣତନ୍ତ୍ର ଓ ନାଗରିକଙ୍କ ମାନବାଧିକାର ପାଇଁ କାର୍ଯ୍ୟ କରୁଥିବା ୫ ସାମାଜିକ କର୍ମୀଙ୍କୁ ଗିରଫ କରାଯିବା ଆଦୌ ଉଚିତ ନ ଥିଲା ।
ସେହିପରି, ମାଓବାଦୀ ଲିଂକ୍ ସନ୍ଦେହରେ ଗିରଫ ସାମାଜିକ କର୍ମୀଙ୍କ ମାମଲା ଶୁଣାଣୀ ବେଳେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ଡ଼ି. ୱାଇ. ଚନ୍ଦଚୂଡ ଦେଇଥିବା ମନ୍ତବ୍ୟ ଅଧିକ ତାତ୍ପର୍ଯ୍ୟ ରଖୁଛି । ଦେଶର ବୁଦ୍ଧିଜୀବୀଙ୍କ ଉଦବେଗ ସହ ତାହା ବହୁମାତ୍ରାରେ ମେଳ ଖାଉଛି । ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ‘ଗଣତନ୍ତ୍ରରେ ବିଚାର ବିଭିନ୍ନତା ଅତ୍ୟନ୍ତ ଜରୁରୀ । ବିଚାର ବିଭିନ୍ନତା ହେଉଛି ଗଣତନ୍ତ୍ରର ‘ସେଫ୍ଟି ଭଲଭ୍’ ସଦୃଶ । ‘ସେଫ୍ଟି ଭଲଭ୍’ ନ ରହିଲେ ପ୍ରେସର କୁକର୍ ଫାଟି ଯିବ’ ।
ବୁଧବାର ସୁପ୍ରିମ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଏକକାଳୀନ ଶୁଣାଣୀ ହୋଇଥିଲା । ଦିଲ୍ଲୀରୁ ଗିରଫ ହୋଇଥିବା ଗୌତମ ନବଲାଖାଙ୍କ ମାମଲା ହାଇକୋର୍ଟ ଶୁଣାଣୀ କରି ଥିଲେ । ଭୀମା କୋରେଗାଓଁ ହିଂସା ୨୦୧୮ ଜାନୁୟାରୀରେ ଘଟି ଥିବା ବେଳେ ଆଜି ପର୍ଯ୍ୟନ୍ତ ଏ ବାବଦରେ ତଦନ୍ତର ଅଗ୍ରଗତି ଓ ଆବଶ୍ୟକ ଗିରଫଦାରୀ କାହିଁକି ହୋଇ ନ ଥିଲା ବୋଲି ସୁପ୍ରିମ କୋର୍ଟ ବୁଧବାର ଦିନ ପ୍ରଶ୍ନ କରିଥିଲେ । ଭୀମା କୋରେଗାଁଓ ହିଂସାକାଂଡ ମାମଲାରେ ପୁନେ ପୁଲିସ ୫ ସାମାଜିକ କର୍ମୀଙ୍କୁ ଗିରଫ କରିବା ଘଟଣାରେ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ମଧ୍ୟ ଦ୍ୱିମତ ପ୍ରକାଶ କରି ମହାରାଷ୍ଟ୍ର ସରକାରଙ୍କୁୁ ନୋଟିସ ଜାରି କରିଛି । ପୁନେ ପୁଲିସ ଆଇନଗତ ପ୍ରକ୍ରିୟାକୁ ଅନୁସରଣ ନ କରି ମନଇଚ୍ଛା ଗିରଫଦାରୀ କରିଥିବା ଏନଏଚଆରସି ଅନୁଭବ କରୁଥିବା ଦର୍ଶାଇ ଏହାଦ୍ୱାରା ମାନବାଧିକାର ଉଲଂଘନ ହୋଇ ଥିବାରୁ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକ ୪ ସପ୍ତାହ ମଧ୍ୟରେ ଏହା ଉପରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛି ।
ପୁନେ ପୁଲିସ ମଙ୍ଗଳବାର ଦିନ ଦେଶର ବିଭିନ୍ନ ସହରରେ ଚଢାଉ କରି ଏହି ସାମାଜିକ କର୍ମୀମାନଙ୍କୁ ଗିରଫ କରିବା ପରେ ଜାତୀୟ ଟେଲିଭିଜନରେ ବିତର୍କର ମୁଖ୍ୟ ପ୍ରସଙ୍ଗ ଥିଲା ‘ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର’ । ଶାସକ ଦଳ ସମର୍ଥିତ ପ୍ୟାନେଲିଷ୍ଟଙ୍କ ସହ ଆଂକରମାନେ ‘ମାଓ ଲିଂକ୍’କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ପ୍ରଶ୍ନକୁ ଗୁରୁତ୍ୱ ଦେବା ସହ ଭିନ୍ନ ମତକୁ ଦବାଇ ଦେବାକୁ ସମସ୍ତ ଉଦ୍ୟମ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଏକ ଅନୁକଂପାର ବାତାବରଣ ସୃଷ୍ଟି କରିବା ବିତର୍କର ମୂଳ ଉଦେ୍ଦଶ୍ୟ ମନେ ହେଉଥିଲା । ତେବେ, ବୁଧବାରର ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଉଭୟ ବିଜେପି-ସପକ୍ଷବାଦୀ ଜାତୀୟ ଟିଭି ଚ୍ୟାନେଲ୍ ଓ କେନ୍ଦ୍ର ସରକାରଙ୍କ ପାଇଁ ଝଟକା ସଦୃଶ ହୋଇଛି । ଭିନ୍ନମତ ରଖିବା ଅଧିକାରକୁ କେନ୍ଦ୍ର ସରକାର ପାଦରେ ଦଳି ଦେବାକୁ ଚାହୁଁ ଥିଲେ ମଧ୍ୟ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଭିନ୍ନମତବାଦୀଙ୍କ ରକ୍ଷକ ଭାବେ ଦୃଢତାର ସହ ସେମାନଙ୍କ ସହ ଠିଆ ହୋଇଥିବା କୋର୍ଟଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS